Unknown

 

 

 

 

 

 

 

 

 

 

 

ଆଦ୍ୟ ସକାଳ

ଶାନ୍ତନୁ କୁମାର ଆଚାର୍ଯ୍ୟ

 

ସୂଚୀପତ୍ର

 

୧.

ଆଦ୍ୟ ସକାଳ

୨.

ଭକ୍ତଲୋକ

୩.

ଯେଉଁଠି ମୀନ ଖେଳୁଛି

୪.

ଚାଲ ସେଇଠିକି ଯୋଉଠି ଭଗବାନ୍‌ ଅଛନ୍ତି

୫.

ମୂଲ୍ୟବାନ୍‌ ଦିନ

୬.

ସେକ୍‌ସ-ଧର୍ମ

୭.

କ୍ଲାସ୍‌ମେଟ୍‌

୮.

ହିଟ୍‌ଲର୍‌

୯.

ଖାରବେଳ

୧୦.

ଆଧୁନିକ ରାକ୍ଷସ

୧୧.

ଜାଲ୍‌ ଇଣ୍ଟର୍‌ଭ୍ୟୁ

୧୨.

ଗାଈ ଖୋଜିବା ନା ବାଘ ଜଗିବା

୧୩.

‘‘ମହାପୁରୁଷେର ବାନୀ’’

Image

 

ଆଦ୍ୟ ସକାଳ

 

ଶୀତଦିନର ଗୋଟିଏ ସକାଳ । କେଉଁ ମାସ ସେ କେଜାଣି—ମାଘ କି କାର୍ତ୍ତିକ ? ବର୍ଷର କେତେଟା ମାସ ? ବୈଶାଖଟା ଖରାଦିନେ ପଡ଼େ ନା ବର୍ଷାଦିନେ ? ଭୃଗୁକୁ ଏତେ କଥା ଭାବିବାକୁ ବେଳ ନ ଥାଏ । ସେ ଖାଲି ତା ଫୁଙ୍ଗୁଳା ଦେହଟାକୁ ଖରାରେ ଦେଖେଇ ବସିଥାଏ । ସେ ବସିଥାଏ ଗୋଟାଏ ଖଳାବାଡ଼ିରେ । ଖଳାଯାକ ଧାନଗଦା, ନଡ଼ାଗଦା, ପାଳଗଦା । ଗୋଟାଏ ବଡ଼ ନଡ଼ାଗଦାରୁ କିଛି ନଡ଼ାବିଡ଼ା ଓଲାରି ଗୋଟିଏ ଗୁମ୍ଫା କରିଥାଏ ସେ । ସେଇ ଗୁମ୍ଫାମୁହଁରେ ଗୋଡ଼ ଲମ୍ବେଇ ବସିଥାଏ ମଧ୍ୟ ସେ । ତା ଦେହର ପରିଧାନ କହିଲେ ଖଣ୍ଡେ ଛୋଟିଆ ହାଫ୍‌ପ୍ୟାଣ୍ଟ । ପ୍ୟାଣ୍ଟର ବୋତାମଗୁଡ଼ାକ ହୁଏତ ନ ଥାଏ କିମ୍ବା ସେଗୁଡ଼ିକୁ ସେ ଜାଣି ଜାଣି ଖୋଲା ରଖିଥାଏ । ସୁନାରଙ୍ଗର ପାଣିଚିଆ ଖରା ସୁନାରଙ୍ଗର ଖଳାବାଡ଼ି ଉପରେ ଝରଝର ଝରି ପଡ଼ୁଥାଏ । ଝରି ପଡ଼ୁଥାଏ ବି ସେ ସୁନାପାଣି ଭୃଗୁର ସର୍ବାଙ୍ଗରେ ।

 

ଭୃଗୁର ଦେହର ରଙ୍ଗ ଗୋରା କି କଳା ସେଥିରେ କିଛି ଯାଏ ଆସେ ନା । କିନ୍ତୁ ଶୀତସକାଳର ସେଇ ପାଣିଚିଆ ସୁନେଲି ଖରା ସେ ଦେହ ଉପରେ ଗୋଟିଏ କିମିୟା କରୁଥାଏ । ସାରା ଦେହ ଉଲ୍ଲସିତ ହୋଇ ଉଠୁଥାଏ ସେ କିମିୟାରେ । ସେଇ ଉଲ୍ଲାସକୁ ଚୁପ୍‌ଚାପ୍‌ ଅନୁଭବ କରି ଲାଗିଥାଏ ଭୃଗୁ । ଗୋଡ଼ ଦୁଇଟା ତାର ଫରକଟେଇ ହେଇ ଲମ୍ବିଯାଇଥାଏ ସାମ୍ନାକୁ । ସେଇ ଗୋଡ଼ ଦୁଇଟାକୁ ନିରେଖିଲାକ୍ଷଣି ତା ଦେହରେ ଖେଳି ଯାଉଥାଏ ଶିହରଣ । ରୁମ ଟାଙ୍କୁରି ଉଠୁଥାଏ ।

ଭୃଗୁର ଗୋଡ଼ ଗୋଟାକଯାକ ଏଇ କେତେଦିନ ଭିତରେ ଭରି ଯାଇଥାଏ ସୁନାରଙ୍ଗର ଅସଂଖ୍ୟ ରୋମ । କିନ୍ତୁ ପ୍ରଥମ କୈଶୋରର ସର୍ବପ୍ରାଥମିକ ବିସ୍ମୟ ତାପାଇଁ ଖାଲି ସେତିକି ନୁହେଁ; ଜୀବନରେ ପ୍ରଥମଥର ପାଇଁ ତାକୁ ଆଜି କଅଣ ଜଣା ପଡ଼ୁଥାଏ ଯାହା ବିଷୟରେ ସେ କିଛି ହେଲେ ବୁଝିପାରୁ ନ ଥାଏ । ତାର ଦେହଟା ଖାଲି ମଝିରେ ମଝିରେ ଉଲୁସି ଉଠୁଥାଏ । ଆଉ ମନ ଭିତରେ ମଧ୍ୟ ସେମିତି କଅଣ ସବୁ ଲହଡ଼ି ଭଳି ଉଠୁଥାଏ ପଡ଼ୁଥାଏ । ତାକୁ ଆଜି ସବୁକଥା ନୂଆ ନୂଆ ଲାଗୁଥାଏ । ସବୁର ଜଣାରୂପ ଅତି ଆଶ୍ଚର୍ଯ୍ୟଜନକଭାବେ ବଦଳିଯାଇ ଅଜଣା ପାଲଟି ଯାଉଥାଏ ।

 

ଗୋଟିଏ ନିଶୂନ ନିକାଞ୍ଚନ ଖଳାବାଡ଼ିରେ ବାର-ତେର ବର୍ଷର ବାଳକ ଭୃଗୁ ସେଦିନ ଦିପହରେ ସେଭଳି ଏକା ଏକା ବସି ଏହିପରି ଅଭିଭୂତ ହୋଇ ପଡ଼ୁଥିବାବେଳେ, ଖଳାବାଡ଼ିକୁ ଲାଗିଥିବା ବିଶାଳ ଆଉ ଗହଳ ବଣର ଦାଢ଼ରେ ରହିଥିବା ମେଞ୍ଚାଏ ବୁଦା ଆଢ଼ୁଆଳରେ କି ଗୋଟାଏ ଜନ୍ତୁ କୌତୂହଳବଶତଃ ଅନେକବେଳୁ ଅନେଇ ରହିଥାଏ ଆଉ ମଝିରେ ମଝିରେ ଲମ୍ବା ଆଉ ବେଶ୍‌ ଚଉଡ଼ା ଲାଲ ଜିଭଟିଏ କାଢ଼ି ପିଲାଟିକୁ ଖତେଇ ହେଉଥାଏ ବା ଓଠ ଚାଟୁଥାଏ ।

 

କିନ୍ତୁ, ମଣିଷ ଓ ଜନ୍ତୁ—ଏ ଦୁହିଁଙ୍କ ମଧ୍ୟସ୍ଥଳଟି ସବୁଦିନ ପରି ଆଜି ବି ଶୂନ୍ୟ ମନେହେଉଥିଲେ ମଧ୍ୟ ପ୍ରକୃତରେ ତାହା ଶୂନ୍ୟ ପଡ଼ି ନ ଥାଏ । ଖଳାବାଡ଼ି ଓ ଜଙ୍ଗଲ ମଝିରେ ଯେଉଁ କେତୋଟି ଗୋଟିଗୋଟିକିଆ ବଡ଼ଗଛ ଏ ଯାବତ୍‌ ନା ମଣିଷର ନା ଜନ୍ତୁର ଇଲାକା ଅନ୍ତର୍ଭୁକ୍ତ ହୋଇ ନିଜର ସ୍ୱାଧୀନ ଅସ୍ତିତ୍ୱ ବଜାୟ ରଖିପାରିଥାଏ ସେଥିରୁ ଗୋଟିଏ କୌଣସି ଡେଙ୍ଗା ସରସର ଗଛର ଉପର ଡାଳରେ ବସିଥାଏ ଚଢ଼େଇଟିଏ । ଖଳାବାଡ଼ିର ସେଇ ନଡ଼ାଗଦା କଡ଼ରେ ଗୋଡ଼ ଲମ୍ବେଇ ବସିଥିବା ମଣିଷଟି ସହିତ ବୁଦା ଆଢ଼ୁଆଳରେ ଛକି ବସିଥିବା ଜାନୁଆରଟାକୁ ତା ବସିବା ସ୍ଥାନରୁ ସେ ସମକାଳୀନଭାବେ ଦେଖିପାରୁଥାଏ । ଆଉ ସେପରି ଦେଖିବାଦ୍ୱାରା ତା ଦେହଟା କେଜାଣି କାହିଁକି ଏତେ ଜୋର୍‌ ଥରିଯାଉଥାଏ ଯେ ସେ ଆଉ ସ୍ଥିର ହୋଇ ବସି ନ ପାରି ଫୁର୍‌କିନା ଏ ଡାଳରୁ ସେ ଡାଳକୁ ଖଣ୍ଡିଉଡ଼ା ମାରୁଥାଏ । ସେଇ ଖଣ୍ଡିଉଡ଼ା ସହିତ ଗୋଟିଏ ଅସ୍ୱାଭାବିକ ରାବ ବାହାରି ଆସୁଥାଏ ତାର ମଧୁର-ସଙ୍ଗୀତ-ଅଭ୍ୟସ୍ତ ପକ୍ଷୀକଣ୍ଠରୁ । ଉଭୟ ଭୃଗୁ ଓ ଜନ୍ତୁ ପକ୍ଷୀଟିର ସେପରି ଅସଙ୍ଗତ ସ୍ୱରକୁ ଶୁଣିପାରୁଥାନ୍ତି ନିଶ୍ଚୟ । କିନ୍ତୁ ପକ୍ଷୀର ଡାକ ଜନ୍ତୁଟିକୁ ବିରକ୍ତ କରୁଥିବା ସତ୍ତ୍ୱେ ଭୃଗୁର ଉଚ୍ଚାଟିତ ମନ ଓ ଶରୀରକୁ ବୋଧହୁଏ ବେଶି ବେଶି ପ୍ରଭାବିତ କରିଲାଗିଥାଏ ।

 

ଭୃଗୁର ବସିବା ଢଙ୍ଗ ଏ ଭିତରେ ସମ୍ପୂର୍ଣ୍ଣ ବଦଳିଯାଇଥାଏ । ଗୋଡ଼ ଯୋଡ଼ିକୁ ଲମ୍ବେଇ ବସିବା ପରିବର୍ତ୍ତେ ସେ ଏଥର ଗୋଡ଼ ଯାକିଦେଇ ତଳେ ଆଣ୍ଠୁମାଡ଼ି ବସିବା ଢଙ୍ଗକୁ ଆଦରି ନେଇ ସରିଥାଏ । ଫଳରେ ଢିଲା ଅଧା ପେଣ୍ଟଖଣ୍ଡକ ତା ଅଣ୍ଟା ତଳକୁ ପୂରା ଖସିପଡ଼ିଥାଏ । ସେ ଅବସ୍ଥାରେ ବାହାରୁ ତାକୁ ଯେ କେହି ଦେଖିଥାନ୍ତା ସେ ଯେ ତାକୁ ନଙ୍ଗଳା ଟୋକାଟାଏ ବୋଲି ଭାବିନେଇ ହସିପକାଇଥାନ୍ତା, ସେ ବିଷୟରେ ତାର ଆଦୌ ଖିଆଲ ନ ଥାଏ । ବରଂ ସେତେବେଳେ ସେ ନିଜ ବିଷୟରେ ନିଜେ ଏତେ ଦୂର ବିସ୍ମିତ ହୋଇପଡ଼ୁଥାଏ ଯେ ବାହାର ଦୁନିଆ ବା ସେଭଳି କୌଣସି ବାହ୍ୟଚିନ୍ତା ତାର ଚୈତନ୍ୟରୁ ସମ୍ପୂର୍ଣ୍ଣ ଅବଲୁପ୍ତ ହୋଇଯାଇଥାଏ । ଖଳାବାଡ଼ିର ନଡ଼ାକୁଟା ଘେରା ଜଗତଟାକୁ ତା ବୟସର ଅନ୍ୟ ସମସ୍ତଙ୍କ ଭଳି ଗୋଟିଏ ଏକାନ୍ତ ଆତ୍ମିକ ଓ ନିଭୃତ ଜଗତ ବୋଲି ଜ୍ଞାନକରି ବର୍ତ୍ତମାନ ସେ ନିଜକୁ ନିଜେ ଏକ ପ୍ରଗାଢ଼ ବିସ୍ମୟଭରା ଚାହାଣିରେ ପର୍ଯ୍ୟବେକ୍ଷଣ କରିଲାଗିଥାଏ ।

 

ବଣ ଉହାଡ଼ରେ, ବୁଦାଆଢ଼ୁଆଳରେ ନିଜକୁ ପୂରାପୂରି ଲୁଚାଇ ରଖିପାରିଛି ବୋଲି ମନେକରୁଥିବା ଜନ୍ତୁଟି ଯୋଡ଼ାଏ ନିଶ୍ଚଳ ପଥୁରିଆ ଆଖିରେ ଖଳାବାଡ଼ି ଉପରକୁ ନିଘା ରଖିଥାଏ । ତା ଆଖିରେ ଭୃଗୁର ପ୍ରତ୍ୟେକଟି ହାବଭାବ ଆଉ ହଲଚଲ ବଡ଼ କୌତୂହଳ ଜାତ କରୁଥାଏ । ବୋଧହୁଏ, ସେଥିପାଇଁ ତାର ପ୍ରଶସ୍ତ ପିଠିର ମୋଟା ମୋଟା ଟାଆଁସା ଟାଆଁସ ରୁମଗୁଡ଼ାକ ଠାଏ ଠାଏ ଖାଡ଼ା ଠିଆହୋଇପଡ଼ି ପୁଣି ନରମି ଯାଉଥାଏ ।

 

କିନ୍ତୁ, ଗଛ ଡାଳରେ ବସିଥିବା ପକ୍ଷୀଟିର ଧୈର୍ଯ୍ୟଚ୍ୟୁତି କ୍ରମଶଃ ଅଧିକରୁ ଅଧିକ ବଢ଼ି ଚାଲିଥାଏ । ତାର କଣ୍ଠରେ ଅଧିକ ଆଶଙ୍କା ଜମାଟ ବାନ୍ଧି ଯାଉଥିବାରୁ ସ୍ୱର କ୍ରମଶଃ ବିକୃତ ହୋଇ ଉଠୁଥାଏ । ତାର ଏଇ ପରିବର୍ତ୍ତିତ ସ୍ୱରକୁ ବୁଦା ଆଢ଼ୁଆଳରେ ଛକିଥିବା ଜନ୍ତୁ ଯେ ବଡ଼ ବିରକ୍ତି ସହକାରେ ଗ୍ରହଣ କରୁଥାଏ ଏଥିରେ ସନ୍ଦେହ ନଥାଏ । କାରଣ ପ୍ରତିଥର ଚଢ଼େଇର ଏଇ ଶଙ୍କାକୁଳ ସତର୍କ ବାଣୀ ଜନ୍ତୁର କାନରେ ବାଜିବା ମାତ୍ରେ ତାର ମୋଟା ମୋଟା ଓଠ ଦୁଇଟା ମଝିରେ ଚାରୋଟି ଲମ୍ବା ଲମ୍ବା ଖଡ଼୍‌ଗ ପରି ଶାଣିତ ଦାନ୍ତ ମୁହୂର୍ତ୍ତକ ପାଇଁ ଝଲସି ଉଠି ପୁଣି ଅଦୃଶ୍ୟ ହୋଇଯାଉଥାଏ । ସମ୍ପର୍କ

 

କିନ୍ତୁ ଭୃଗୁର କାନ ବାହ୍ୟ ଜଗତରେ ନଥାଏ । ସେ ପୂରାପୂରି ନିଜ ଭିତରେ ନିଜେ ନିବୁଜ । ତାର ଆଖି, ନାକ, କାନ ପ୍ରଭୃତି ଇନ୍ଦ୍ରିୟ, ଯେ କି ଆଜନ୍ମରୁ ବହିର୍ମୁଖ ହୋଇ ଏକ ଅଜଣା ବିଶ୍ୱକୁ ଜାଣିନେବାକୁ ପ୍ରତି ପଦେ ପଦେ ତତ୍ପରତା ପ୍ରକାଶ କରୁଥିଲେ, ବର୍ତ୍ତମାନ ସେମାନଙ୍କର କଅଣ ହୋଇଗଲା କେଜାଣି—ସେମାନେ ଆଉ ବାହାର ଦୁନିଆର କୌଣସି ସମ୍ବାଦ ଗ୍ରହଣ କରୁ ନଥିଲେ । ତାଙ୍କ ମୁହଁଗୁଡ଼ାକ ବୁଲିଯାଇଥିଲା ପଛପଟକୁ । ସେଇ ପଛପଟେ, ବାହାର ଦୁନିଆର ଠିକ୍‌ ବିପରୀତ ଦିଗରେ ଯେଉଁ ଅନ୍ୟ ଅଜ୍ଞାତ ଜଗତଟା ଏ ଯାବତ୍ ଭୃଗୁର ସମ୍ପୂର୍ଣ୍ଣ ନିଜସ୍ୱ ହୋଇ ମଧ୍ୟ ଥିଲା ସମ୍ପୂର୍ଣ୍ଣ ଅପରିଚିତ, ଭୃଗୁର ଇନ୍ଦ୍ରିୟମାନେ ବର୍ତ୍ତମାନ ସେଇ ଦୁନିଆଟା ବିଷୟରେ ଗୋଟାକ ପରେ ଗୋଟାଏ ଅଜବ ସମ୍ବାଦ ଅଜାଡ଼ିଦେଇ ଚାଲିଥିଲେ । ଅନ୍ତର୍ଜଗତର ସେଇ ଅଲୌକିକତା ଭୃଗୁକୁ ସ୍ତବ୍‌ଧ ବିସ୍ମୟାଭିଭୂତ କରିସାରିଥାଏ । ତେଣୁ ପକ୍ଷୀର ଡାକ ବା ବଣଆଡ଼ୁ ପବନରେ ଭାସିଆସୁଥିବା ହିଂସ୍ରତାର ମହୁଆ ଗନ୍ଧ ପ୍ରତି ତାର କାନ ନାକ ପୂରାପୂରି ଜଡ଼ ପାଲଟି ଯାଇଥାଏ । ସେ ବର୍ତ୍ତମାନ ହୋଇପଡ଼ିଥାଏ ସମ୍ପୂର୍ଣ୍ଣ ଉଲଗ୍ନ । ଛୋଟ ପ୍ୟାଣ୍ଟ ଖଣ୍ଡିକ କେତେବେଳେ ତା’ ଅଣ୍ଟାରୁ ଆଣ୍ଠୁ ଓ ଆଣ୍ଠୁର ବଳାଗଣ୍ଠି ଟପି ସାରିଥିଲା ଜାଣିପାରି ନଥାଏ ସେ । ଶୀତ ସକାଳର ସୁନାରଙ୍ଗର ଖରା ଭୃଗୁର ସାମ୍ନା ପଟଟିକୁ ସମ୍ପୂର୍ଣ୍ଣ ଆଲୋକିତ କରୁଥାଏ—ମନ୍ଦିର ଗାତ୍ରରେ ଉତ୍‌କୀର୍ଣ୍ଣ କୌଣସି ଏକ ଦେବଶିଶୁର ଲଳିତ ବିଗ୍ରହ ପରି । ଆଉ ଅଦୂରରେ ଗଛଲତା ଆଢ଼ୁଆଳରେ ଛକି ବସିଥିବା ଜନ୍ତୁଟି ଅନ୍ଧାରରେ ରହି, ନିଜର ଆସୁରିକ ଦନ୍ତ ବିକସିତ କରି, ସେଇ ଦେବ ଶିଶୁଟିର ଶରୀରଟା ବାସ୍ତବିକ ରକ୍ତ-ମାଂସର ଅଥବା ପଥରର—ଏଇ ପାର୍ଥକ୍ୟ ପରୀକ୍ଷା କରିବାର ଉପଯୁକ୍ତ ମୁହୂର୍ତ୍ତକୁ ଅପେକ୍ଷା କରି ବସିଥାଏ ।

 

ଗଛଡ଼ାଳରେ ପକ୍ଷୀ ବହୁ ସମୟ ଧରି ବହୁ ପ୍ରକାର ରାବର ପରୀକ୍ଷା ସତ୍ତ୍ୱେ ନିର୍ବୋଧ ମଣିଷ ପିଲାଟିକୁ ତାର ଆସନ୍ନ ବିପଦ ସମ୍ପର୍କରେ ସତର୍କ କରିଦେବାକୁ ଅକ୍ଷମ ହୋଇଛି ଜାଣି, କିଛି ସମୟ ପାଇଁ ସ୍ତବ୍‌ଧ ହୋଇଯାଇଥାଏ । ମନରେ ତାର ଦେଖାଦେଇଥାଏ ଘୋର ଅବସାଦ । ଦିନ ପରେ ଦିନ ଏହିପରି ଅନେକ ହିଂସାକାଣ୍ଡ ସେ ଦେଖିଆସିଛି ସ୍ୱଚକ୍ଷୁରେ । ଆଉ ପ୍ରତିଥର ଏପରି ଜଘନ୍ୟ ହିଂସାକାଣ୍ଡର ଆଶଂକିତ ମୁହୂର୍ତ୍ତ ଉପସ୍ଥିତ ହେବାମାତ୍ରେ ଏକ ତୀବ୍ର ବ୍ୟାକୁଳତାର ଆଲୋଡ଼ନ ସେ ଅନୁଭବ କରିଛି ଅନ୍ତରରେ । ସେଇ ବ୍ୟାକୁଳତାବଶତଃ ସେ ଛଟପଟ ହୋଇ ଚିତ୍କାର କରିପକାଏ । ତାର ମନେହୁଏ ହୁଏତ ଦୁର୍ବଳପକ୍ଷ ତା’ ମୁଣ୍ଡ ଉପର ଆକାଶରୁ ଖସୁଥିବା ସେଇ ଦୈବୀବାଣୀ ଶ୍ରବଣକରି ସତର୍କ ହୋଇଉଠିବ ଏବଂ ଆତ୍ମରକ୍ଷା କରିବାକୁ ସମର୍ଥ ହେବ । କିନ୍ତୁ, ହାୟ ! ତାର ଏ ମହତ୍‌ ପ୍ରବୃତ୍ତିଟି ଏହିପରି ପ୍ରାୟତଃ ବ୍ୟର୍ଥକାମ ପ୍ରମାଣିତ ହୁଏ ପ୍ରତିଥର ପ୍ରତି ଅଶୁଭ ଲଗ୍ନରେ । ପକ୍ଷୀଟି ନିରାଶ ହୋଇପଡ଼ୁଥାଏ, ଆଉ ସ୍ଥାନ ତ୍ୟାଗକରି ଅନ୍ୟତ୍ର ଉଡ଼ିଯିବା ପାଇଁ ଡେଣାଯୋଡ଼ିକୁ ଝାଡ଼ୁ ଝାଡ଼ୁ ଚାରିଆଡ଼େ ଆଖି ବୁଲାଇବା ଆରମ୍ଭ କରି ସାରିଥାଏ ।

 

ପକ୍ଷୀଟି ଯେଉଁ ଗଛରେ ବସି ବର୍ତ୍ତମାନ ତା ଚାରିପାଖକୁ ଅନିସା କରୁଥାଏ, ସେଠୁ ତିନୋଟି ଦିଗରେ ସେ ବେଶ୍‌ ଦେଖିପାରୁଥାଏ ଶୀତୁଆ ସକାଳର କୁହୁଡ଼ିଘେରା ତାର ସେଇ ପ୍ରିୟତମ ଚିରଶ୍ୟାମଳ ଆରଣ୍ୟକ ବାସସ୍ଥଳ । କିନ୍ତୁ ଅନ୍ୟ ଦିଗଟି ଥାଏ ତା ପାଇଁ ଏକ ଗଭୀର ଦୁଶ୍ଚିନ୍ତାର ଦିଗ । ସେପଟେ ଅଦ୍ଭୁତ ଘଟଣାସବୁ ଘଟିଚାଲିଥାଏ ନିତିଦିନ । ରାତିରେ ନିଆଁ, ସକାଳେ ସଞ୍ଜେ ଧୂଆଁ ସାଙ୍ଗକୁ ବିବିଧ ଶବ୍ଦର ବାସସ୍ଥଳ ହୋଇଥାଏ ସେ ଅଞ୍ଚଳଟା । ବୃକ୍ଷବିହୀନ ସେଇ ନିଆଁଧୂଆଁ ଶବ୍ଦମୟ ଅଞ୍ଚଳଟା ଯେ ମଣିଷର ବାସସ୍ଥଳ—ବେଶ୍‌ ଜାଣିହେଉଥାଏ । କିନ୍ତୁ ପକ୍ଷୀର ଦୁଶ୍ଚିନ୍ତାର କାରଣ ମଣିଷ ବା ସେଇ ନିଆଁଧୂଆଁ ବାସସ୍ଥଳଟା ନୁହେଁ—ତାର ଦୁଶ୍ଚିନ୍ତାର ମୂଳ କାରଣ ଥିଲା ସେଇ ଦିଗ ବା ସେଇ ଅଞ୍ଚଳଟିର ସାମଗ୍ରିକ ଦୁର୍ଭାଗ୍ୟ । ତାର ପ୍ରବୃତ୍ତି ତା କାନରେ ସ୍ପଷ୍ଟ ଏକ ସମ୍ବାଦ ପରିବେଷଣ କରିଲାଗିଥିଲା—ସେପଟେ ମୃତ୍ୟୁର ଦିଗ ! ସେପଟେ ଯେଉଁମାନେ ବାସକରନ୍ତି ସେମାନେ ଆଉ ବେଶିଦିନ ବଞ୍ଚିବେ ନାହିଁ, କିଛି ଗୋଟାଏ ଘଟିଯିବ ଆଉ ସେମାନେ ସମୂଳେ ନିଶ୍ଚିହ୍ନ ହୋଇଯିବେ—ଜାଣି ହେଉଥାଏ ସ୍ପଷ୍ଟ । ଆଉ ଏଇ ବାର୍ତ୍ତାଟିକୁ ନେଇ ସେ ଉଡ଼ିଯିବାକୁ ଚାହୁଁଥିଲା ସେଠିକି, ସେଇ ମରଣୋନ୍ମୁଖୀ ନିଆଁ ଧୂଆଁ ଆଉ ଶବ୍ଦର ଅଞ୍ଚଳକୁ, ଅନ୍ତତଃ ଥରଟିଏ ସତର୍କ କରିଦେବା ପାଇଁ ସେଠାକାର ଅଧିବାସୀଙ୍କୁ । କିନ୍ତୁ ନିମ୍ନଜଗତର ଏଇ ପ୍ରାଣୀଗୁଡ଼ିକ, ଏଇ ଖଳାବାଡ଼ିର ନଙ୍ଗଳା ମଣିଷ ପିଲାଟି ହେଉ ବା ବୁଦା ଆଢ଼ୁଆଳର ଘୁମୁହାଁ ଜାନୁଆରଟା ହେଉ, ଊର୍ଦ୍ଧ୍ୱରୁ ଅବତରଣ କରୁଥିବା ସତର୍କବାଣୀକୁ ଶୁଣିବାପାଇଁ ସେମାନଙ୍କର କାନ ଥାଏ କି ନଥାଏ ସେ ବିଷୟରେ ଅତ୍ୟନ୍ତ ସନ୍ଦିହାନ ହୋଇପଡ଼ିଥାଏ ପକ୍ଷୀଟି ସେତେବେଳକୁ ।

 

ଭୃଗୁ ବର୍ତ୍ତମାନ ଖଳାବାଡ଼ିର ନଡ଼ାଗଦାରେ ଖୋଳା ହୋଇଥିବା ଉଷୁମ ଗୁମ୍ଫାଟିର ମୁହଁ ପାଖରୁ ଘୁଞ୍ଚିବାକୁ ଆରମ୍ଭ କରିଥାଏ । ତାର ହଲ୍‌ଚଲ୍‌ ଭଙ୍ଗିରେ ନ ଥାଏ ବୀରତ୍ୱର ଲକ୍ଷଣ ବା ଡରୁଆ ଭୀରୁ ମଣିଷର ଲକ୍ଷଣ । ତା କାନ୍ଧରେ ଧନୁ ବା ହାତରେ ବର୍ଚ୍ଛାଟିଏ ମଧ୍ୟ ନ ଥାଏ ଯଦ୍ଦ୍ୱାରା ସେ ଆତ୍ମରକ୍ଷା କରିବାକୁ ସମର୍ଥ ହୋଇଥାନ୍ତା କୌଣସି ହିଂସ୍ର ଆକ୍ରମଣରୁ । କିନ୍ତୁ ତାର ଲମ୍ବା ଲମ୍ବା ଗୋଡ଼ ଦୁଇଟା ତାକୁ ନିଦରେ ଚାଲୁଥିବା ମଣିଷଟିଏ ଭଳି କୁଆଡ଼େ ନାଇଁ କୁଆଡ଼େ ବୋହିନେଇ ଚାଲିଥାଏ ଧୀରେ ଧୀରେ । ତାର ଏଭଳି ଅସହାୟ ଅବସ୍ଥା ଦେଖି ପକ୍ଷୀ ବିସ୍ମିତ ହୋଇଗଲା । ତାର ଭୟଭୀତ କଣ୍ଠରୁ ଅଚାନକ ଏକ କରୁଣ ଆର୍ତ୍ତନାଦ ଅସହାୟ ମଣିଷଟି ଉଦ୍ଦେଶ୍ୟରେ ଖସିପଡ଼ିଲା । ଆଉ ସେ ସ୍ଥାନ ଛାଡ଼ି ଅନ୍ୟ ଆଡ଼କୁ ଉଡ଼ିଯିବା ପରିବର୍ତ୍ତେ ଗଭୀର କୌତୂହଳ ସହକାରେ ଭୃଗୁର ଗତିବିଧି ପ୍ରତି ତା ଦୃଷ୍ଟି ଆବଦ୍ଧ ହୋଇଗଲା ।

 

ଭୃଗୁର ଚାଲିଟି ଥିଲା ଗୋଟିଏ ନୂଆ ଚାଲିଶିଖୁଥିବା ଶିଶୁର ଚାଲି ପରି ଏକାନ୍ତ ଅନିର୍ଦ୍ଦିଷ୍ଟ-। କିନ୍ତୁ, ସେ ଯେ ଖଳାବାଡ଼ି ଛାଡ଼ି ହିଂସ୍ରଜନ୍ତୁର ନିବାସ ସେଇ ଅରଣ୍ୟ ପ୍ରାନ୍ତର ବୁଦାଗୁଡ଼ିକ ଆଡ଼କୁ ମୁହେଁଇ ଯାଉଥିଲା—ହଠାତ୍‌ ଏଇ ଆଶଙ୍କା ବଳବତୀ ହୋଇ ପଡ଼ୁଥିଲା ମୁହୂର୍ତ୍ତ ପରେ ମୁହୂର୍ତ୍ତ-। ଚଢ଼େଇଟି ଶିହରି ଉଠିଲା ଆଉ ଗଛର ଉପର ଡାଳରୁ ଝାମ୍ପମାରି ଖସିପଡ଼ିଲା ସିଧା ଭୃଗୁର ମୁଣ୍ଡ ଉଚ୍ଚ ଗୋଟିଏ ଛୋଟ ଗଛ ଉପରକୁ । କିନ୍ତୁ ତାହା ମଧ୍ୟ ବିଫଳ ହେଲା । ସ୍ୱପ୍ନରେ ବୁଡ଼ିରହି କୁହୁଡ଼ିରେ ପହଁରୁଥିବା ନଙ୍ଗଳା ମଣିଷ ପିଲାଟି ତା ପାଇଁ ପକ୍ଷୀର ସମସ୍ତ ଜାଗତିକ ସମ୍ବେଦନକୁ ଆଡ଼ଆଖିରେ ଥରେ ଅନେଇବାକୁ ମଧ୍ୟ ଇଚ୍ଛା କରୁ ନ ଥଲା ।

 

ଭୃଗୁ ସେତେବେଳକୁ ଖଳାବାଡ଼ିର ସୀମା ଟପିସାରିଥିଲା । ସେଠାରୁ ମାତ୍ର କେଇ ପାହୁଣ୍ଡ ଦୂରରେ ତାକୁ ସ୍ୱାଗତ ଜଣାଇବାକୁ ଯେଉଁ ଭୟଙ୍କର ହିଂସ୍ରତା ଆଁ କରି ବସିରହିଥିଲା, ତାର ଗତି ସମ୍ଭବତଃ ପୂର୍ବନିର୍ଦ୍ଦିଷ୍ଟ ହୋଇସାରିଥିଲା ଠିକ୍‌ ସେଇଠାକୁ । କିନ୍ତୁ ହଠାତ୍‌ ଏକ ଅଦ୍ଭୁତ ବ୍ୟାପାର ପ୍ରତିବନ୍ଧକତା ସୃଷ୍ଟି କଲା ଭୃଗୁର ବିଧିନିର୍ଦ୍ଦିଷ୍ଟ ଗତିପଥରେ ।

 

ଖଳାବାଡ଼ି ଓ ବଣ ମଝାମଝି ଗୋଟିଏ ବିଶାଳ ଶିମିଳିଗଛ । ଏଇ ଶିମିଳିଗଛଟା ବସନ୍ତଋତୁର ଆବାହକ ବୋଲି ଜାଣନ୍ତି ସମସ୍ତେ । ଶୀତ ଅନ୍ତେ ଦକ୍ଷିଣର ପ୍ରଥମ ଉଷ୍ମମଳୟ ସ୍ପର୍ଶରେ ଗଛଟା ଲକ୍ଷ ଲକ୍ଷ ଲାଲ ଟହଟହ ଜିଭ କାଢ଼ି ପ୍ରମତ୍ତ ନାରୀଟିଏ ଭଳି ଉଭା ହୋଇ ଉଠେ ବନପ୍ରାନ୍ତରେ । ତାର ଏଭଳି ଉଭାହେବା ଢଙ୍ଗ ଯୋଗୁ ଡରିଯାନ୍ତି ଅନେକ । ଗଛଟିକୁ ଗୋଟିଏ ଭୟଙ୍କର କାମାସକ୍ତା ଅସୁରୀନାରୀ ମନେକରି ମଣିଷମାନେ ତା ପାଖ ମାଡ଼ିବାକୁ ସାହସ କରନ୍ତି ନାହିଁ କେବେ । କିନ୍ତୁ ଚଢ଼େଇମାନେ ମଣିଷମାନଙ୍କ ପରି ଲାଲରଙ୍ଗକୁ ଭୟ କରନ୍ତି ନାହିଁ ଏତେ । ସେମାନେ ଆସନ୍ତି ଆକୃଷ୍ଟ ହୋଇ ଖାସ୍ ସେଇ ଲାଲରଙ୍ଗର ପ୍ରଲୋଭନରେ । ଏଇ କାରଣରୁ ବସନ୍ତୠତୁର ପ୍ରାରମ୍ଭରେ ବଣ କଡର ଏଇ ଖଳାବାଡ଼ି ପାଖ ଶିମିଳିଗଛରେ ଚଢ଼େଇମାନଙ୍କର କଳରବରୁ ହିଁ ଆରମ୍ଭ ହୋଇଯାଏ ବସନ୍ତ ଉତ୍ସବ ଏ ଅଞ୍ଚଳରେ ।

 

ସ୍ୱପ୍ନାଚ୍ଛନ୍ନ ଅବସ୍ଥାରେ ଭୃଗୁ ହୁଏ ତ ଆକୃଷ୍ଟ ହୋଇ ଚାଲିଥାଏ ସେଇ କାମାସକ୍ତା ଅସୁରୀନାରୀ କୁହାଯାଉଥିବା ଶିମିଳିଗଛଟା ଦିଗରେ । ଚଢ଼େଇର ଚାହାଣିରେ ଉଲଗ୍ନ ମଣିଷଟି ନିଜେ ମଧ୍ୟ ଖୁବ୍‌ କାମାସକ୍ତ ହୋଇପଡ଼ିଥିବା ଭଳି ଦିଶୁଥାଏ । ତାର ଏ ଅବସ୍ଥା ଲକ୍ଷ୍ୟକରି ପକ୍ଷୀ ହୃଦୟରେ ମଣିଷଟି ପାଇଁ କିଞ୍ଚିତ୍‌ ଅନୁକମ୍ପା ଜାତ ହୋଇଥାଏ । ଭୃଗୁ କିନ୍ତୁ ପକ୍ଷୀର କାରୁଣ୍ୟମୟ ଚାହାଣି ସମ୍ପର୍କରେ ଆଦୌ ସଚେତନ ନ ଥାଏ । ସେ ସିଧା ଆଗେଇ ଯାଉଥାଏ ସେଇ ଗଛଟି ପାଖକୁ । ତାର ସବୁ ଲମ୍ବା ଲମ୍ବା ହାତଯୋଡ଼ିକ କାନ୍ଧର ଖୂଆ ମୂଳରୁ ଦୁଇ ବିପରୀତ ଦିଗରେ ସମ୍ପୂର୍ଣ୍ଣ ବିସ୍ତୃତ ଲାଭ କରିସାରିଥାଏ । ଏହାପରେ ଯାହା ଘଟିବାକୁ ଯାଉଥାଏ ସେ ସମ୍ପର୍କରେ ପକ୍ଷୀର ଆଉ ସନ୍ଦେହ ନ ଥାଏ । ଶିମିଳିଗଛର ବିଶାଳ କଣ୍ଟକିତ ବକ୍ଷର ଏକ ରକ୍ତାକ୍ତ ଆଲିଙ୍ଗନ ସହିତ କାମବିହ୍ୱଳ କିଶୋରଟିର ସବୁତକ ସ୍ୱପ୍ନ ଆଉ ମୁହୂର୍ତ୍ତକେ ଯେ ନିଃଶେଷ ହୋଇଯିବ ପକ୍ଷୀ ବୁଝିପାରୁଥାଏ ।

 

କିନ୍ତୁ, ଏ କଣ ! ଭୃଗୁର ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ଆଚରଣରେ ପକ୍ଷୀର କରୁଣାର୍ଦ୍ର କଣ୍ଠରୁ ଏକ ସଂପୂର୍ଣ୍ଣ ଅପ୍ରତ୍ୟାଶିତ ସଙ୍ଗୀତର ପ୍ରାଥମିକ ଘୋଷାପଦଟି ବଳେ ବଳେ ବାହାରିଆସିଲା । ସେ ଲୋମୋଦ୍‌ଗମ ହୋଇ ଲକ୍ଷ୍ୟକଲା—ଆଦ୍ୟ ଯୌବନର ପ୍ରଥମ ସ୍ପର୍ଶରେ ପ୍ରମତ୍ତ ନବକିଶୋରଟି କୌଣସି କାରଣରୁ ଶିମିଳିଗଛଟିକୁ ଆଲିଙ୍ଗନ କରି ରକ୍ତାକ୍ତ ହୋଇପଡ଼ିବା ପରିବର୍ତ୍ତେ ଗଛଟିକୁ ବାରମ୍ବାର ‘ଦେବୀ’ ‘ଦେବୀ’ ସମ୍ବୋଧନ କରୁ କରୁ ବୃକ୍ଷ ମୂଳରେ ଭୂମିଷ୍ଠ ହେଲା, ଆଉ ତା’ପରେ ବୃକ୍ଷର ପାଦକୁ ଏକ ପରମ ପ୍ରେମିକ ପରି ଘନଘନ ଚୁମ୍ବନ କରିଲାଗିଲା ।

 

ଭୃଗୁର ଏ ମାତ୍‌ଲାମି ଚଢ଼େଇକୁ ଆଚମ୍ବିତ କରୁଥିଲା ସତ, କିନ୍ତୁ ଲଟା ଆଢ଼ୁଆଳରେ ରହି ଏ ଯାବତ୍‌ ଗୋଟାଏ ମଣିଷ ପିଲାର ଯାବତୀୟ ହାବଭାବକୁ ଏକଧ୍ୟାନରେ ଅନାଇ ରହିଥିବା ପଶୁଟା ପାଇଁ ସେଇ ମୁହୂର୍ତ୍ତଟି ଥିଲା ପରମ ସୁଯୋଗର ମୁହୂର୍ତ୍ତ । ଶିକାରଟିକୁ ଏଥର ଅନାୟାସରେ କବଳିତ କରିପାରିବାର ସାହସ ତା ମନରେ ବେଶ୍‌ ଦୃଢ଼ ହୋଇଥାଏ । ସେଥିପାଇଁ ବୁଦା ଆଢ଼ୁଆଳରୁ ବେପରୁଆଭାବେ ଫଟା ଭୂଇଁଆଡ଼କୁ କେଇପାଦ ସେ ମାଡ଼ିଆସିଥାଏ ।

 

ଜନ୍ତୁଟାର ଏ ଧରଣର ଚାଲିରୁ ତାର ଅସଲ ମତଲବ ଠଉର କରିନେବା ପକ୍ଷୀ ପକ୍ଷରେ ବିଶେଷ କଷ୍ଟକର ନୁହେଁ । ତେଣୁ କଣ୍ଠରୁ ସ୍ୱତଃ ପ୍ରବାହିତ ସଙ୍ଗୀତର ଧାରାକୁ ସେ ଜୋରକରି ଚାପିନେଇ ଏକ ବିକଟ ଚିରଚିରା ରାବରେ ଶାନ୍ତ ବାତାବରଣଟିକୁ ଛିନ୍‌ଛତର କରି ପକାଇଲା । ସେ ଶବ୍ଦରେ ଜାନୁଆରଟା ଚମକି ପଡ଼ିଲା । ତାର ଜକ୍‌ଜକ୍‌ ଆଖି ଯୋଡ଼ାକ ଲକ୍ଷ୍ୟଭ୍ରଷ୍ଟ ହୋଇଗଲା-। ଘୋର ବିରକ୍ତିକର ସେଇ ଚଢ଼େଇଟାର ସ୍ଥିତି ପ୍ରତି ସଜାଗ ହେଉ ହେଉ ଜନ୍ତୁଟା ପଶ୍ଚାତ୍‌ପଦ ହେଲା ଓ ବୁଦା ଛାଇରେ ମିଶିଗଲା ।

 

ଭୃଗୁ ଶିମିଳିଗଛଟି ପ୍ରତି ତା ପ୍ରାଣର ସର୍ବପ୍ରାଥମିକ ଆବେଗଟିକୁ ନିବେଦନ କରିସାରି ଏଥର ଏକ ମୁକ୍ତ ଜଗତ ଆଡ଼କୁ ନିଜକୁ ଉନ୍ମୁକ୍ତ କରିଦେଇଥାଏ । ଏହାର ମୌଳିକ ଲକ୍ଷଣ ସ୍ୱରୂପ ସେ ତାର ଲମ୍ୱ ଲମ୍ବ ହାତ ଦୁଇଟିକୁ ମୁଣ୍ଡ ଉପରକୁ ଟେକୁଥାଏ ଓ ଟିପରେ ଠିଆ ହୋଇ ଉହୁଙ୍କିଲା ପରି ପବନକୁ, ତା ମୁଣ୍ଡ ଉପରେ ଶୀତଦିନର ପରିଚ୍ଛନ୍ନ ନେଳି ଆକାଶଟାକୁ ଧରିପକାଇବାକୁ କିଛି ସମୟ ସାଧନା ଚଳାଇଥାଏ । ପରେ ପରେ ଗୋଟିଏ ବଣୁଆ ମୂଷା ଧାଇଁପଳାଉଥିବା ଦେଖି ସେ କଅଣ କରିବ ଜାଣିନପାରି କିରିକିରି ହୋଇ ହସି ଉଠୁଥାଏ ମଧ୍ୟ । କିନ୍ତୁ ପର ମୁହୂର୍ତ୍ତରେ—ସେଇ ହସଟାହିଁ ଅକାରଣ, ସତେ କି ଏଇଆ ପ୍ରମାଣ କରିଦେବା ପାଇଁ ସେ ଗୋଟିଏ କାନ୍ଦୁରା ମୁହଁ ଦେଖାଇ ଚାରିଆଡ଼କୁ ଅନାଇ ଦେଉଥାଏ । କିନ୍ତୁ ତାର ସେ ଅନାଇବାର ଭାବ—ଭଙ୍ଗୀରୁ କେବଳ ପକ୍ଷୀ କାହିଁକି ବୁଦା ଆଢ଼ୁଆଳର ଜାନୁଆର୍‌ଟା ମଧ୍ୟ ଜାଣିନେଇ ପାରୁଥାଏ ଯେ ସେ ବୋକା ମଣିଷଟାର ଆଖିଦୁଇଟା ତା ଚାରି ପାଖରେ ଘୂରିବୁଲୁଥିବା ଆକସ୍ମିକତା ପ୍ରତି ସମ୍ପୂର୍ଣ୍ଣ ଅନ୍ଧ ହୋଇ ଯାଇଥାଏ ।

 

ଭୃଗୁର ଏଇ ଭାବାନ୍ତରରେ ଅଂଶୀଦାର ହେବାପାଇଁ ଚଢ଼େଇର ଆଉ ଧୈର୍ଯ୍ୟ ନ ଥାଏ । ନିର୍ବୋଧ ମଣିଷମାନଙ୍କର ଏପରି କ୍ଷଣିକ ଭାବାନ୍ତର ସହିତ ସେ ଅପରିଚିତ ନୁହେଁ । ଗଭୀର ଅରଣ୍ୟରେ କାଠକାଟୁଥିବା କାଠୁରିଆମାନଙ୍କୁ ସେ ପ୍ରାୟ ପ୍ରତିଦିନ ଦେଖେ । ହାଣ କୁରାଢ଼ିର ପହିଲି ଚୋଟଟା କୌଣସି ଜୀଅନ୍ତା ଗଛ ଉପରେ ଚଢ଼ାଇବା ପୂର୍ବରୁ ସେମାନେ ଏହିପରି ନତମସ୍ତକ ହୋଇ ଗଛଟିକୁ ‘ଦେବୀ’ ବୋଲି ସମ୍ବୋଧନ କରିବାର ହାସ୍ୟାସ୍ପଦ ଦୃଶ୍ୟ ସହିତ ପକ୍ଷୀଟି ନିତାନ୍ତ ଅପରିଚିତ ନୁହେଁ । ସେହିପରି ସେ ଦେଖିଆସିଛି ଏଇ ନିର୍ବୋଧ ମଣିଷମାନଙ୍କର ଆଉ କେତେ ପ୍ରକାର ଦୁର୍ବୋଧ୍ୟ ବ୍ୟବହାର । ବଣ ଭିତରେ, ଝରଣାକୂଳରେ ମଦ୍ୟପ ମଣିଷମାନେ ମାତାଲ ଅବସ୍ଥାରେ କିଭଳି ସ୍ୱର୍ଗରୁ ଅବତରଣ କରିଥିବା ଦେବଲୋକର ପରୀ ବା ଗନ୍ଧର୍ବମାନଙ୍କ ପରି ସଙ୍ଗୀତ ଓ ନୃତ୍ୟପ୍ରିୟ ପରମ ପ୍ରେମିକ ପାଲଟିଯାନ୍ତି—ଦେଖିଛି ସେ ଅନେକବାର । କିନ୍ତୁ ଏଇ ପରମ ପ୍ରେମିକ କିପରି ହଠାତ୍‌ ପଶୁ ପାଲଟିଯାନ୍ତି ଓ ଜଣକର କଟାମୁଣ୍ଡକୁ ଅନ୍ୟ ଜଣେ ଓଜନିଆ ଫଳଟିଏ ଗଛରୁ ତୋଳିଆଣିଲା ପରି ତୋଳିଧରି, ବଣରୁ ବାହାରି, ନିଶ୍ଚିନ୍ତରେ ବାଟଚାଲେ ସେଇ ନିଆଁ ଧୂଆଁ ଆଉ ଶବ୍ଦମୟ ଜନପଦଟିର ଦିଗରେ—ସେ ଦୃଶ୍ୟ ମଧ୍ୟ ଦେଖିଛି ସେ । ତେଣୁ ଭୃଗୁର ନବଯୌବନର ମାତଲାମିଟାକୁ ଏକ ସାମୟିକ ଖିଆଲ ବୋଲି ଧରିନେବା ଛଡ଼ା ସେଥିରେ ଆଉ କିଛି ଗୁରୁତ୍ୱ ଥିବାପରି ମନେକରିପାରୁ ନଥାଏ ପକ୍ଷୀଟି ।

 

କିନ୍ତୁ ସେତେବେଳକୁ ଭୃଗୁର ମାତଲାମିର ଅନ୍ୟ ଏକ ଦୁର୍ବୋଧ ଦିଗ ସ୍ପଷ୍ଟ ହୋଇ ଉଠିଥାଏ । ଖଳାବାଡ଼ିକୁ ବହୁତ ପଛରେ ଛାଡ଼ି ବର୍ତ୍ତମାନ ସେ ପ୍ରାୟ ସେଇ ବିପଦାଞ୍ଚଳର ସୀମା ଟପିସାରିଥାଏ—ଯେଉଁଠି ହିଂସ୍ରଜନ୍ତୁଟି ସମ୍ଭବତଃ ତା ପାଇଁ ମୁହଁ ମେଲାକରି ଚୁପ୍‌ଚାପ୍‌ ଲେପେଟେଇ ପଡ଼ିରହିଥାଏ । କିନ୍ତୁ, ଆଶ୍ଚର୍ଯ୍ୟର କଥା, ପିଲାଟି ସେ ଦିଗରେ ଅଧିକ ଅଗ୍ରସର ହେବା ପୂର୍ବରୁ କୌଣସି ଅଜଣା କାରଣରୁ ଏକ ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ବ୍ୟବହାର ପ୍ରଦର୍ଶନ ପୂର୍ବକ ଲଥ୍‌ କରି ବସିପଡ଼ିଲା ଭୂଇଁ ଉପରେ । ସେଥିପାଇଁ ଅବଶ୍ୟ ସେ ଗୋଟିଏ ସ୍ଥାନ ନିର୍ବାଚନ କରିନେଇଥିଲା ଯେଉଁ ସ୍ଥାନରେ ବସିଲେ ତାର ଆଖି ବୁଦା ଆଢ଼ୁଆଳର ହିଂସ୍ରଜନ୍ତୁର ଆଖି ସହିତ ମିଶିଯାଇ ଚାରିଆଖି ହୋଇଯିବା ଆଦୌ ଅସମ୍ଭବ ନୁହେଁ ବୋଲି ପକ୍ଷୀ ବେଶ୍‌ ଜାଣିପାରୁଥିଲା । କିନ୍ତୁ ଏହା ସହିତ ପକ୍ଷୀର ସନ୍ଦେହ ମଧ୍ୟ ନ ଥିଲା ଯେ ନିର୍ବୋଧ ମଣିଷଟି ନିଶ୍ଚୟ ଆଖି ମେଲାକରି ଅନିସନ୍ଧିଚ୍ଛୁ ଦୃଷ୍ଟିରେ ସାମ୍ନାର ବୁଦା ଭିତରକୁ ନଅନାଇ ସମ୍ଭବତଃ ତାର ଦୁଇ ଆଖିକୁ ବନ୍ଦ କରିଦେଇ ସାରିଥିଲା । ଫଳରେ ବୁଦା ଆଢ଼ୁଆଳର ହିଂସ୍ରଜନ୍ତୁ ପ୍ରତି ସେ ନିଜକୁ ଏକ ସହଜ ଶିକାରରେ ପରିଣତ କରିଦେଇଥିଲା ସ୍ୱ-ଇଚ୍ଛାରେ ।

 

ଏକ ଭୟାବହ ପରିଣତିର ଆଶଙ୍କା ମୁହୂର୍ତ୍ତକ ମଧ୍ୟରେ ଏକ ଚରମ ବାସ୍ତବତାରେ ପରିଣତ ହେବାକୁ ଯାଉଥିବା ଦେଖି ପକ୍ଷୀଟିର ଛାତି ଥରି ଉଠିଲା । ନିଜ ଆଖପାଖରେ ଆଜୀବନ ସେ ଏହିପରି ଅନେକ ନାଟକ ଦେଖି ଆସିଥିଲା, ଯେଉଁଠି ଖାଦ୍ୟ-ଖାଦକର ଚିରନ୍ତନ ସମ୍ବନ୍ଧ ପ୍ରକଟିତ ହେବାର ଜୀବନର ସାର୍ଥକତା ହିଁ ପ୍ରମାଣିତ ହେଉଥିଲା । କିନ୍ତୁ ଆଜି ଏଇ ଅଦ୍ଭୁତ ଦୃଶ୍ୟଟି ତାର ସବୁ ବୁଝାମଣାକୁ ପ୍ରାୟ ବ୍ୟର୍ଥ କରି ଦେଉଥିଲା । ବିଚକ୍ଷଣ ପ୍ରତ୍ୟୁତ୍ପନ୍ନମତିସମ୍ପନ୍ନ ମଣିଷ ଜାତିର କଅଣ ସତେ ଏପରି ଏକ ଦୁର୍ଯ୍ୟୋଗର ଦିନ ପହଞ୍ଚିଗଲା, ଯେଉଁଦିନ ସେ ସ୍ୱ-ଇଚ୍ଛାରେ କୌଣସି ହିଂସ୍ରଜନ୍ତୁ ନିକଟରେ ନିଜକୁ ଏପରି ଅସହାୟ ଅବସ୍ଥାରେ ସମର୍ପଣ କରିଦେଇ ଏଭଳି ସ୍ଥିରତାର ସହିତ ନିଜକୁ ଜଗତ ସମ୍ମୁଖରେ ଦେଖାଇପାରେ ଯେ ସେ ବାସ୍ତବରେ ନିର୍ଭୀକ ! ଏକ ଗଭୀର ସଂଶୟାଚ୍ଛନ୍ନ ଅବସ୍ଥାରେ ପକ୍ଷୀଟି କିଛି ସମୟ ଇତସ୍ତତଃ ହୋଇପଡ଼ିଲା । ଏହା ପରେ ହଠାତ୍‌ ତା ଅନ୍ତରରେ ଏ ଯାବତ୍‌ ଚାପି ହୋଇ ଶୋଇରହିଥିବା ଏକ ସହଜାତ ପ୍ରବୃତ୍ତି ଚେଇଁ ଉଠିଲା ।

 

ନିଜର ସନ୍ତାନବର୍ଗଙ୍କୁ ଆସନ୍ନ ବିପଦରୁ ରକ୍ଷା କରିବା ପାଇଁ ଯୁଗ ଯୁଗ ଧରି ମା ଚଢ଼େଇମାନେ ଗୋଟିଏ ନିର୍ଦ୍ଦିଷ୍ଟ ରୀତିରେ ଭୁଆଁ ବୁଲେଇ ଆସିଛନ୍ତି ବଣର ହିଂସ୍ରତାକୁ । ଛୁଆଙ୍କଆଡ଼କୁ ମୁହେଁଇ ଆସୁଥିବା ସର୍ପ ବା ବନ୍ୟ-ବିଡ଼ାଳମାନଙ୍କ ଗତି ରୋଧ କରିବା ପାଇଁ ମା ଚଢ଼େଇମାନେ ସିଧା ଆଗେଇ ଆସନ୍ତି ଠିକ୍‌ ସେମାନଙ୍କ ମୁହଁ ପାଖକୁ, ଆଉ ସାମାନ୍ୟ ଦୂରତାରେ ରହି ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରିଦେଲା ପରି ଭାଙ୍ଗି ପଡ଼ନ୍ତି ସେମାନେ ଭୂଇଁ ଉପରେ ଏତେ ଆକସ୍ମିକଭାବେ ସେ ସହଜଲବ୍‌ଧ ଶିକାରକୁ ଛାଡ଼ିନପାରି ଜନ୍ତୁ ଲକ୍ଷ୍ୟଭ୍ରଷ୍ଟ ହୋଇପଡ଼େ ଅତି ଅନାୟାସରେ । ଦିଗ୍‌ଭ୍ରଷ୍ଟ ଜନ୍ତୁ ଏଥର ଛୁଆଙ୍କୁ ଛାଡ଼ି ଆଗେଇ ଆସେ ଭଗ୍ନପକ୍ଷ ମା’ ପକ୍ଷୀଟି ଆଡ଼େ-। କିନ୍ତୁ ଏପରି ଛଳନାରେ ସିଦ୍ଧହସ୍ତା ମା’ ପକ୍ଷୀମାନଙ୍କ ନିକଟରେ ହିଂସ୍ରତା ହିଁ ପରାସ୍ତ ହୁଏ ଅବଶେଷରେ । ପାଖେଇ ଆସୁଥିବା ପଶୁ ନିକଟରୁ ଖଣ୍ଡିଉଡ଼ା ଦେଇ ମା’ ପକ୍ଷୀ କ୍ରମେ କ୍ରମେ ଦୂରେଇ ଯାଏ । ହିଂସ୍ରତା ମା’ର ଅନୁଧାବନ କରୁ କରୁ ଖାଦକର ପ୍ରାଣ ରକ୍ଷାହୁଏ ।

 

ଭୃଗୁର ଅଲକ୍ଷ୍ୟରେ ପକ୍ଷୀଟି ତାର ମା’ ପାଲଟିଗଲା । ଗଛ ଡାଳରୁ ଲଥ୍‌ କରି ଖସିପଡ଼ିଲା ସେ, ଆଉ ଚିଁ ଚିଁ ଶବ୍ଦକରି ନିଜ ପ୍ରତି ଦୃଷ୍ଟି ଆକର୍ଷଣ କରି ଲାଗିଲା । ଏହାପରେ ମହାପ୍ରକୃତିର ଦୁର୍ଲଙ୍ଘ୍ୟ ନିୟମଟି କାର୍ଯ୍ୟକାରୀ ହେବା ଛଡ଼ା ଗତ୍ୟନ୍ତର ନଥିଲା । ଭୀଷଣକାୟ ବୁଢ଼ା ବାଘଟିଏ ଅତ୍ୟନ୍ତ ଦୟନୀୟଭାବେ ପକ୍ଷୀର ମାତୃ-ପ୍ରକୃତିର ଲୀଳାସୂତ୍ରରେ ଆବଦ୍ଧ ହୋଇ ପଡ଼ିଲା-। ଚଢ଼େଇଟି ବାରମ୍ବାର ଛଟପଟ ହୋଇ ଖଣ୍ଡିଉଡ଼ା ଦେଇ ଦେଇକା ଭୃଗୁ ନିକଟରୁ ଯଥେଷ୍ଟ ଦୂରକୁ ବାଘଟାକୁ ଭୁଲେଇ ଘେନି ଚାଲିଗଲା ।

 

ଅରଣ୍ୟ ସୀମାନ୍ତରେ ଉଲଗ୍ନ ବାଳକଟି ଚକା ପକେଇ ଆଖି ବୁଜି, ଦୀର୍ଘ ସମୟ ଧରି ବସିରହିଲା । ବାହ୍ୟ ଜଗତରେ ତାର ସେଇ ଅସହାୟ ସ୍ଥିତିକୁ ନେଇ ମହାପ୍ରକୃତି କେଉଁସବୁ ଲୀଳା ରଚନା କରିଚାଲିଥିଲା, ତାହା ଜାଣିବା ପାଇଁ ତାର ଅନ୍ତର୍ଦୃଷ୍ଟି ସେ ପର୍ଯ୍ୟନ୍ତ ପରିସ୍ଫୁଟ ହୋଇ ନଥିଲା-। କିନ୍ତୁ ନବଯୌବନର ଆଗମନୀ ସଙ୍ଗୀତ ତା କାନରେ ଯେତିକି ଅମୃତ ବର୍ଷଣ କରିଥିଲା, ଜୀବନର ଅସଲ ସ୍ୱାଦ ଅନୁଭବ କରିବା ପାଇଁ ତାହା ଥିଲା ପର୍ଯ୍ୟାପ୍ତ ।

 

ଭୃଗୁ ଆଖି ଖୋଲିଲା । ସ୍ପଷ୍ଟ ଦିବାଲୋକରେ ସେତେବେଳକୁ ତା ଚତୁଃପାର୍ଶ୍ୱର ଜଗତ ଝଲଝଲ ହୋଇ ଝଟକୁଥିଲା । ତା ଆଖି ମିଟ୍‌ମିଟ୍‌ ହୋଇଗଲା । କିନ୍ତୁ ସେଇ ମିଟ୍‌ମିଟ୍‌ ଆଖିର ବଣ ଆଡ଼କୁ ଚାହିଁ ସେ ଏକ ଅପୂର୍ବ ଦୃଶ୍ୟ ଦେଖିଲା । ପ୍ରଥମେ ସେ ଆଦୌ ବୁଝିପାରି ନଥିଲା କଅଣ ତା ମାନେ—ବାଘଟାଏ ଛୋଟ ପିଲାଙ୍କ ଭଳି କାହା ସାଙ୍ଗେ ଖେଳୁଚି ସେମିତି ? ସେ ଉଠି ପଡ଼ିଲା । ଏକ ଅସ୍ୱାଭାବିକ କୌତୂହଳ ତାକୁ ଆକୃଷ୍ଟ କଲା । ଯନ୍ତ୍ରବତ୍‌ ସେ ଚାଲିବାକୁ ଆରମ୍ଭକଲା ସେଇ ଦିଗରେ ।

 

ଘଟଣାସ୍ଥଳରେ ଭୃଗୁ ପହଞ୍ଚିବା ପୂର୍ବରୁ ଗୋଟିଏ ଚଢ଼େଇର ଅସ୍ୱାଭାବିକ ବ୍ୟବହାର ଓ ତା ସହିତ ଗୋଟିଏ ବେଶ୍‌ ବୟସ୍କ ବ୍ୟାଘ୍ରର ତତୋଽଧିକ ଅସ୍ୱାଭାବିକ ଛକାପଞ୍ଝା ଦୃଶ୍ୟ ତାକୁ ଖୁବ୍‌ ହାସ୍ୟାସ୍ପଦ ମନେହେଲା । କିନ୍ତୁ ସେ ଅଟକି ଗଲା । ଆଶ୍ଚର୍ଯ୍ୟ ହେଲା । ତାର ମନେପଡ଼ିଗଲା—ଖଳାବାଡ଼ିରେ ବସିଥିଲା ବେଳେ ଚଢ଼େଇଟା ବାରମ୍ବାର ତା ମୁଣ୍ଡ ପାଖରେ ଫୁର୍‌ର ଫାର୍‌ର୍‌ ଉଡ଼ିବାର । ସେତେବେଳକୁ ସେ ଲଙ୍ଗଳା ହୋଇସାରିଥିଲା ଓ ଏଡ଼େବଡ଼ ଖଳାବାଡ଼ିରେ ଏକା ଏକା ବୁଲୁଥିବାରୁ ନିଃସଙ୍କୋଚରେ ଯାହା ଇଚ୍ଛା ତାହା କରିଯାଉଥିଲା । କିନ୍ତୁ, ବର୍ତ୍ତମାନ ତାର ସନ୍ଦେହ ହେଲା—ଏଇ ଚଢ଼େଇଟା ତାକୁ ଅତି ପାଖରୁ ଥାଇ ଦେଖିନେଇଛି, ଆଉ ତା ଆଦ୍ୟଯୌବନର ସବୁ ଗୁମର ଜାଣିନେଇପାରିଛି ।

 

ଚଢ଼େଇଟାକୁ ନେଇ ଭୃଗୁ ମନରେ ଭୀଷଣ ଲଜ୍ଜା ଜାତହେଲା । ଆଉ କୌଣସି କାରଣରୁ ତାର ଡେଣା ଭାଙ୍ଗିଯାଇଚି, ଆଉ ବାଘ ହାବୁଡ଼ରେ ମଧ୍ୟ ପଡ଼ିଚି ସେ ଚଢ଼େଇ—ସେ ଦୃଶ୍ୟରୁ ପ୍ରଥମେ ସେତିକି ବୁଝିପାରି ପିଲାଟିକୁ ଖୁସି ଲାଗିଲା । ସେ ଯେଉଁଠି ଠିଆହୋଇଥିଲା ସେଇଠି ରହିଗଲା ଓ ଦୃଶ୍ୟଟିକୁ ଉପଭୋଗ କରିଲାଗିଲା ।

 

ହିଂସ୍ର ପଶୁର ଦୃଷ୍ଟିକୁ ଯଥାସମ୍ଭବ ନିଜ ପ୍ରତି ଆକୃଷ୍ଟ କରି ରଖିବାର ଯେଉଁ ଦାୟିତ୍ୱଟି ପକ୍ଷୀ ଆପେ ଆପେ ଗ୍ରହଣକରି ନେଇଥିଲା, କ୍ରମଶଃ ତାହା ଅସମ୍ଭାଳ ହୋଇପଡ଼ୁଥିଲା । କିନ୍ତୁ ଅଦୂରରେ ଖୁଣ୍ଟଭଳି ଠିଆହୋଇ ନିର୍ବୋଧ ପରି ହସୁଥିବା ଅଭାଗା ମଣିଷ ପିଲାଟିକୁ ମଝିରେ ମଝିରେ ଅନାଇ ଦେଇ ସେ ବେଶି ବେଶି ଅବଶ ଅନୁଭବ କରୁଥିଲା । ‘ଯା—ପଳା ! ନଙ୍ଗଳା ଟୋକା !’ ଚିତ୍କାର କରୁଥିଲା ପକ୍ଷୀ, ‘‘ପଳା ସେ ନିଆଁ ଧୂଆଁ ଆଉ ଗୋଳମାଳ ଭିତରକୁ, ଯେଉଁଠି ଅନ୍ତତଃ ଆଉ କିଛିଦିନ ବଞ୍ଚିଯିବୁ । ତତେ କିଏ କହିଲା ୠଷି ବନିବାକୁ ଏତେ କମ୍‌ ବୟସରୁ ? ତତେ କିଏ ଶିଖେଇଲା ଏମିତି ଛଳନା କରିବାକୁ—ଗଛକୁ ‘ଦେବୀ’ ବୋଲି ଡାକିଦେଇ ଚଢ଼େଇମାନଙ୍କ ଛାତିରେ ଅଯଥା ବାତ୍ସଲ୍ୟ—ମମତା ଜଗାଇବାକୁ ? ଯା ପଳା ପଳା ! ନଚେତ୍‌...’’ ହଠାତ୍‌ ଚଢ଼େଇଟି ଫୁର୍‌ର୍‌ କିନା ଉଡ଼ିଗଲା ଭୂଇଁ ଉପରୁ ଗଛଡ଼ାଳକୁ ।

 

ଚମକିପଡ଼ିଲା ଭୃଗୁ ।

 

କ୍ଳାନ୍ତ ଅବଶ ବୁଢ଼ା ବାଘଟା ଚଢ଼େଇର ମାୟାରୁ ମୁକ୍ତି ପାଇବା ମାତ୍ରେ ମୁହଁ ଫେରେଇ ଦେଖିଲା—ଠିକ୍‌ ତାର ହାତପାହାନ୍ତିରେ ଅସଲ ଶିକାର ।

 

ଭୃଗୁର ଆଖି ବର୍ତ୍ତମାନ ମୃତ୍ୟୁ ସହିତ ଚାରିଚକ୍ଷୁ । କିନ୍ତୁ ସେତେବେଳେ ସେ ବାଘକୁ ଦେଖୁନଥିଲା କି ମୃତ୍ୟୁକୁ ଚିହ୍ନୁନଥିଲା । ସେ ବିସ୍ମିତ ହେଉଥିଲା—ଚଢ଼େଇଟା ଯୋଗୁ । ମୃତ୍ୟୁ ମୁଖରୁ ଏତେବେଳ ସେଇ ଚଢ଼େଇ ତେବେ ତାକୁ ବଞ୍ଚାଇ ରଖିଥିଲା ! ସେ ଖାଲି ବିସ୍ମିତ ନ ହୋଇ ଏଥର ଅପୂର୍ବ ଆହ୍ଲାଦର ଢେଉ ଉପରେ ନାଚିବାକୁ ଲାଗିଲା ଖାସ୍‌ ସେଇ ଚଢ଼େଇଟି ଯୋଗୁ ।

 

ଭୃଗୁ ଉପରକୁ ମାତ୍ର ଅଧଟିଏ ଝାମ୍ପ ମାରି ବାଘଟା ଅଟକିଗଲା । ନିଜର ଏପରି ବ୍ୟବହାରରେ ଜାନୁଆରଟା ସତେ କି ଖୁବ୍ ବିସ୍ମିତ ହୋଇପଡ଼ିଲା । ସେ ପୁଣି ଥରେ ଭୃଗୁ ଉପରକୁ ଲମ୍ଫ ଦେଲା ।

 

ପିଲାଟି ତଥାପି ଭୂଇଁ ଉପରେ ଠିଆହୋଇ ରହିଥିଲା । ତା ମୁଣ୍ଡ ଉପରେ, ଗଛ ଡାଳରେ ବସି ପକ୍ଷୀଟିଏ ଅଦ୍ଭୁତ ଦୃଶ୍ୟ ଆଖି ପୂରେଇ ଦେଖି ଚାଲିଥିଲା । ମଝିରେ ମଝିରେ ଆଖିରୁ ଆନନ୍ଦାଶ୍ରୁ ବହିଲା ପରି ତା କଣ୍ଠରୁ ଲଳିତ ମୂର୍ଚ୍ଛନାର କୌଣସି ଏକ ସଙ୍ଗୀତ ଝରିପଡ଼ୁଥିଲା ।

 

ଏସବୁ ସତ୍ତ୍ୱେ ବାଘ ତଥାପି ସ୍ଥାନ ଛାଡ଼ି ଅନ୍ୟତ୍ର ଚାଲିଯାଇ ନଥିଲା । ସେ କେବଳ ଅପେକ୍ଷମାଣ ଥିଲା—କେଜାଣି କେଉଁ ସୁଯୋଗକୁ !

Image

 

ଭକ୍ତଲୋକ

 

ସାଧାରଣ ବରଗଛଟାଏ ସମ୍ଭବତଃ; କିନ୍ତୁ ଗାଁର ଅସାଧାରଣ ଲୋକେ ଏଇ ଗଛଟାକୁ କହନ୍ତି ରତ୍ନବଟ ।

 

ରତ୍ନବଟ ସିଦ୍ଧିବଟ । ଖାଲି ସିଦ୍ଧିବଟ ନୁହେଁ—ପ୍ରଳୟ ବଟ ବି ! ଅଚ୍ୟୁତାନନ୍ଦଙ୍କ ମାଳିକା ବାଣୀ ଅଛି—କଳିଯୁଗ ଶେଷବେଳକୁ ଏଇ ରତ୍ନବଟ କ୍ରୋଟରରୁ ଶୂନ୍ୟବାଣୀ ସ୍ଫୁରିବ । ସେ ବାଣୀ ଶୁଣାଯିବାକ୍ଷଣି ବଟତଟ ଯୋଡ଼—ଯାହା ନା ରତ୍ନଯୋଡ଼—ସେ ଯୋଡ଼ ପାଣି ଉଛୁଳି ଉଠିବ । ପୁଣି ପାଣିତଳୁ ବାହାରିବ ବଉଳା କୁମ୍ଭୀର ବା କିମ୍ଭୀର । ଖାଲି କିମ୍ଭୀର ନୁହେଁ—ବାରହାତ ଲମ୍ବର ଏକ ଖଡ଼୍‌ଗ ବା କରବାଳ ମଧ୍ୟ । ବଉଳା କିମ୍ଭୀର ଏ ଖଡ଼୍‌ଗକୁ ମୁହଁରେ ଧରି ବାହାରିବ । ଏହାପରେ ବଉଳା ବାହାରିବ ରତ୍ନଯୋଡ଼ିର ବଢ଼ିପାଣି କାଟି ସିଧା କୋଡ଼ିଏ ମାଇଲ ତଳହଟି ଆଡ଼କୁ; ଅର୍ଥାତ୍‌ ଶାରଳା ଠାକୁରାଣୀଙ୍କ ସମୀପକୁ । ଶାରଳାଙ୍କ ପାଦତଳେ ପ୍ରଳୟର ସେହି ମୁଖ୍ୟ ଆୟୁଧ ଖଡ଼୍‌ଗଟିକୁ ସମର୍ପଣ କଲାପରେ ବଉଳାର କାମ ଖତମ୍‌ । ଏହାପରେ ଦେବୀ ଧାରଣ କରିବେ ବିବିଧ ରତ୍ନଖଚିତ ସେଇ ଚରମ ମାରଣାସ୍ତ୍ରଟିକୁ । ସେଇଠୁ କାମ ଫତେ କଳିଯୁଗର । ଆରମ୍ଭ ହେବ ମ୍ଳେଚ୍ଛସଂହାର । ଗୋଟି ଗୋଟି କରି ଗୋଟି ଗୋଟି କରି, କଳିଯୁଗର ମ୍ଳେଚ୍ଛ ଅର୍ଥାତ୍‌ ଧର୍ମବିରୋଧୀ ଯାବତ ଦାନବ ମାନବ ଯେ କେହି ନାଶଯିବେ ଦେବୀଙ୍କ ଖଡ଼୍‌ଗ ପ୍ରହାରରେ । ପୃଥିବୀ ମ୍ଳେଚ୍ଛଶୂନ୍ୟ ହେବ, ମିଥ୍ୟାଶୂନ୍ୟ ହେବ । ସେଇଠୁ ଆରମ୍ଭ ହେବ ସତ୍ୟଯୁଗ ।

 

ନାରେଣା, ଭଲ ନାଁ ନାରାୟଣ, ତାଙ୍କ ଗାଁ ରତ୍ନବଟ, ରତ୍ନଯୋଡ଼, ବଉଳା କିମ୍ଭୀର, ବାରହାତ ଖଡ଼୍‌ଗ ପ୍ରଭୃତି କିମ୍ବଦନ୍ତୀଗୁଡ଼ିକୁ ପିଲାଦିନୁ ଜାଣିଥାଏ ଖୁବ୍‌ । ଯେତେବେଳେ ସେ ଅତି ସାନ ପିଲାଟିଏ ହୋଇଥିଲା ସେତେବେଳେ ରତ୍ନଯୋଡ଼ ପାଣିକୁ ଗୋଡ଼ ବଢ଼ାଉ ନଥିଲା ଭୟରେ । ବଡ଼ ବଡ଼ ପିଲାମାନେ ଯୋଡ଼ ପାଣିରେ ଗାଧୋଇଲାବେଳେ ଗଣ୍ୟମାନ୍ୟ ଲୋକେ ସେବାଟେ ଚାଲି ଯାଉ ଯାଉ ସତର୍କ କରି ଦେଉଥିଲେ—‘‘ହେ ସେତିକି ସେତିକି, ବେଶି ଭିତରକୁ ପହଁରାପହଁରି କରିବନାଇଁଟି । ବଉଳା କିମ୍ଭୀର କାନରେ ଯଦି ବାଜିଯିବ ନା ତମ ସୋରଶବ୍‌ଦ—ସିଧା ନେଇ ଚାଲିଯିବ ପାତାଳପୁରକୁଟି !’’

 

ନାରେଣାର ଦିହ ଶୀତେଇ ଉଠେ । ରତ୍ନବଟ ମୂଳ ସେ ଯୋଡ଼ଟାକୁ ସେ ଅବିକଳ ସେମିତି ଖାତିର କରୁଥିଲା ପିଲାଦିନେ ଯେମିତି ଭାଗବତର ଗୋପବାଳକମାନେ ଖାତିର କରୁଥିଲେ ଆଉ ପ୍ରାଣରେ ଡରୁଥିଲେ କାଳନ୍ଦୀ ହ୍ରଦକୁ—କୃଷ୍ଣଙ୍କ କାଳୀୟ ଦଳନ ପର୍ବ ପୂର୍ବରୁ ।

 

କିନ୍ତୁ ଏସବୁ ଥିଲା ସେଇ ପିଲାଦିନର କଥା ।

 

ନାରେଣା ବଡ଼ ହେଲା । କେମିତି କେଜାଣି ବଡ଼ ହେବା ମାତ୍ରେ ଗାଁର ରତ୍ନବଟ, ବିଶେଷତଃ ରତ୍ନଯୋଡ଼ ସମ୍ପର୍କରେ ପିଲାଦିନୁ ଶୁଣିଆସିଥିବା ଯାବତ ଭୟଭ୍ରାନ୍ତି ଏପରିକି ସମ୍ମାନବୋଧ ମଧ୍ୟ ଉଭେଇଗଲା ତା ମୁଣ୍ଡରୁ । ଖାଲି ସେତିକି ନୁହେଁ, ଗାଁର ଯୁବସଂଘର ଜଣେ ନେତା ଭାବରେ ନାରେଣାକୁ ଏପରି ଅନେକଗୁଡ଼ିଏ କାମ କରି ଦେଖେଇବାକୁ ପଡ଼ିଲା ଯଦ୍ୱାରା ତା ସାଙ୍ଗର ଡରୁକୁଳା ଛେରୁକୁଳା ଯୁବକଙ୍କ ମନରୁ ବହୁ ପ୍ରକାର ଭୟ ଦୂର କରାଯାଇପାରିଥିଲା ମଧ୍ୟ । ବିଶେଷତଃ ଗାଁର ଟୋକାମାନଙ୍କ ମନରେ ତଥାପି ଚଙ୍ଗଚଙ୍ଗ ହଉଥିବା ଧର୍ମଭୟକୁ ଦୂର କରିବା ପାଇଁ ନାରେଣାକୁ ବହୁ ବିପଜ୍ଜନକ କାର୍ଯ୍ୟ କରିବାକୁ ପଡ଼ିଥିଲା ମଧ୍ୟ । ସେସବୁ କାର୍ଯ୍ୟର ବିବରଣୀ ପ୍ରକାଶ କଲେ ହୁଏତ ଅଚ୍ୟୁତାନନ୍ଦଙ୍କ ମାଳିକାଠୁଁ ବଡ଼ ଆଉ ଏକ ମାଳିକା ରଚିତ ହୋଇପାରନ୍ତା ସମ୍ଭବତଃ ।

 

ତେବେ, ଗାଁର ଯୁବସଂଘର ଗଣ୍ୟମାଣ୍ୟ ନେତାଭାବେ ସେଯାବତ୍‌ ପରିଚିତ ଓ ପ୍ରତିଷ୍ଠିତ ହୋଇପାରିଥିବା ସାହସୀ ଯୁବକ ନାରେଣାର ଧର୍ମଭୟ ନିରୋଧକାରୀ ବିଭିନ୍ନ ଲୀଳାଗୁଡ଼ିକ ମଧ୍ୟରେ ତାର ସର୍ବଶ୍ରେଷ୍ଠ ଲୀଳାଟିକୁ ଏଠାରେ ପ୍ରକାଶ କଲେ ଯଥେଷ୍ଟ ହେବ ।

 

ସେଦିନ ନାରେଣା ମୁଣ୍ଡରେ କଥାଟା କେମିତି ପଶିଲା କେଜାଣି ! ଗାଁର ଯୁବସଂଘକୁ ଆହ୍ୱାନ ଦେଇ ସେ ଘୋଷଣାଟିଏ କରିଦେଲା—

 

‘‘ମୋ ଜୀବନର ଏକମାତ୍ର ବ୍ରତ ତମମାନଙ୍କ ମୁଣ୍ଡରୁ କଳ୍‌କୀ ଭୟ ଛଡ଼େଇବି କେମିତି ସେଇଆ । ଆଚ୍ଛା, କହିଲ, ତମେସବୁ ତଥାପି ବିଶ୍ୱାସ କରୁଚ କଳିଯୁଗ ବୋଲି ଗୋଟାଏ କିଛି ଅଛି ? ସେ ଯୁଗ ସରିବ, ସେଇଠୁ ଆସିବ ସତ୍ୟଯୁଗ... ଏ ?’’

 

ନାରେଣାର ଏ ଅଜବ ପ୍ରଶ୍ନ ଯୁବସଂଘକୁ ବିବ୍ରତ କଲା ।

 

‘‘କଳିଯୁଗ ନାହିଁ ତ ଏସବୁ କାଣ୍ଡ କାରଖାନା ଘଟୁଚି କେମିତି ?’’—ଯୁବସଂଘ ଓଲଟି ପ୍ରଶ୍ନ କଲା ନାରେଣାକୁ ।

 

‘‘କଅଣ ଘଟୁଚି ?’’—କଟମଟ କରି ଚାହିଁଲା ନାରେଣା ଗୋଟି ଗୋଟି କରି ଗାଁ ଟୋକାଙ୍କ ମୁହଁକୁ, ଆଉ ପଚାରିଲା, ‘‘କିଏ ଘଟଉଚି ? କଳିଯୁଗ ନାଁ ସତ୍ୟଯୁଗ ?’’

 

‘‘ବା’’—ନାରେଣାର ସାଙ୍ଗ ଅଥଚ ନେତୃତ୍ୱ ପର୍ଯ୍ୟାୟରେ ଠିକ୍‌ ତା ତଳ ସ୍ତରର ଜଣେ ଶକ୍ତିଶାଳୀ ଯୁବକ ମାଧିଆ, ଭଲନାଁ ମାଧବ ସାଁନ୍ତରା, ସମୁଦାୟ ପ୍ରସଙ୍ଗଟାର ସ୍ଥିତିକୁ ଅସ୍ୱୀକାର କଲାପରି ପୁଣି ଥରେ ‘‘ବାଃ’’ ବୋଲି ଉଚ୍ଚାରଣ କରି କହିଲା—‘‘ସତ୍ୟଯୁଗ, ସତ୍ୟଯୁଗ । କଳିଯୁଗ, କଳିଯୁଗ । ସତ୍ୟର ପ୍ରକୃତି ହେଲା ସତ୍ୟ । କଳିର ପ୍ରକୃତି ମିଛ । ସତ କେମିତି ମିଛ ଘଟେଇବ ? ଆଜିକାଲି ଯାହା ଘଟୁଚି ସେଗୁଡ଼ାକ ମିଛ । କହିଲ—ସତ ଘଟଣା କୋଉଠି ହେଲେ ଗୋଟିଏ ଘଟିବାର ଦେଖୁଚ ?’’

 

‘‘ତା ମାନେ ? ଏ ଯୋଉ ଘଟଣା ଆମେ ଖବରକାଗଜ ରେଡ଼ିଓରୁ ପଢ଼ୁଛେ ଶୁଣୁଛେ—ମଣିଷ ଚନ୍ଦ୍ରକୁ ଗଲା, ମଣିଷ ଗୋଟାଏ ହୁଲିଡ଼ଙ୍ଗା ନେଇ ସମୁଦ୍ର ପାରି ହୋଇଗଲା—ଏଗୁଡ଼ାକ ସତ ଘଟଣା ନୁହଁ, ମିଛ ?’’ —ନାରେଣା ସିଧା ଅନେଇଲା ଏଥର ମାଧିଆ ମୁହଁକୁ ଆଉ ପଚାରିଲା, ‘‘ଖାଲି ସେତିକି ନୁହଁ—ଖବରକାଗଜ ରେଡ଼ିଓରୁ ଯୋଉ ଅଘଟଣ ସବୁ ପଢ଼ୁଚ ଶୁଣୁଚ–ଶାଶୁ ଶଶୁର ସ୍ୱାମୀ ତିନିହେଁ ମିଶି ନୂଆ ବୋହୂକୁ ପୋଡ଼ି ମାରିଦଉଚନ୍ତି କିରାସିନି ଛିଞ୍ଚି, ଡକାଏତମାନେ ଗାଁରେ ପଶି ଶହେ ଲୋକଙ୍କୁ ଘରେ କବାଟ କିଳି ଲାଛିଦେଇଗଲେ ଗୋଟାକୁ ଗୋଟା—ଏଗୁଡ଼ାକ ମିଛ ?’’

 

ମାଧିଆ ମୁହଁ ବୁଲେଇଦେଲା । ନାରେଣାର ଆଖି ଯୋଡ଼ାକୁ ତାର ଭାରି ଡର । କିନ୍ତୁ ମୁହଁ ଆଡ଼ କରି ନେଇ ମାଧିଆ ଜବାବ ଦେଲା—

 

‘‘ଗୋଟାଏଆଡ଼ୁ ଦେଖିଲେ—ସବୁ ମିଛ ! ସବୁ ମାୟା ! ଆମର ଏଠି କିଏ ଦେଖିଚି ଆଖିରେ ମଣିଷ ଚନ୍ଦ୍ରକୁ ଗଲା କି ନଗଲା ? ଆମର ତ ଏଠି ରତ୍ନଯୋଡ଼ଟା ଅଛି ଯେ ୟା ଗଣ୍ଡ ପାଣି କୁଆଡ଼େ ପାତାଳକୁ ଫୁଟିଚି ବୋଲି କହନ୍ତି ଯେ ସେ କଥା ସତ କି ମିଛ ଜଣାନାଇଁ ଆମକୁ । ଏଥିରେ ମଣିଷ ଚନ୍ଦ୍ରକୁ ଗଲା ନଗଲା, ସେକଥା ସତ କି ମିଛ କି ଯାଏ ଆସେ ଆମର ।’’

 

‘‘ଠିକ୍‌ ଅଛି ତାହେଲେ—’’ ନାରେଣା ଏଥର ମାଧିଆକୁ ଛାଡ଼ି ବୁଲିବୁଲି ନିଘା ପକେଇଲା ଯୁବସଂଘର ସଭ୍ୟମାନଙ୍କ ମୁହଁଗୁଡ଼ାକ ଉପରକୁ । ସେଇଠୁ ହଠାତ୍‌ ଘୋଷଣା କରିଦେଲା—‘‘ଯାଅ, ଖବର ଦିଅ ଆଖ ପାଖ ସବୁ ଗାଁରେ—କାଲି ଗାଧୁଆବେଳକୁ ଆସନ୍ତୁ ସମସ୍ତେ ରତ୍ନଯୋଡ଼ କୂଳକୁ । ଯୋଡ଼ତଳୁ ମାଟି ଆଣି ଦେଖେଇ ଦେବ ନାରେଣା ସମସ୍ତଙ୍କ ଆଖି ସାମ୍ନାରେ ! ତମ ମୁଣ୍ଡରୁ କଳ୍‌କୀ ଭୟ ନଛାଡ଼ିବାଯାକେ ଗାଁରେ ଆଉ କିଛି ଉନ୍ନତିମୂଳକ କାମ ହବନାଇଁ—ହବନାଇଁ ଆଦୌ !’’

 

ପରଦିନ ସକାଳ ଗାଧୁଆବେଳ । ମାଳିକା ପ୍ରସିଦ୍ଧ ରତ୍ନବଟ ମୂଳରେ ପ୍ରବଳ ଜନସମାଗମ । ଯୋଡ଼ର ଉଭୟ କୂଳରେ ଆବାଳ ବୃଦ୍ଧବନିତା ଭାଙ୍ଗୁଥାନ୍ତି ଥାଟପଟାଳି ।

 

ନାରେଣା ସେତେବେଳକୁ ପଶିଯାଇ ସାରିଲାଣି ପାଣି ଭିତରେ । ଯୋଡ଼ର ଆଖିଭଳି ସେଇ ଭୟଙ୍କର ଗଣ୍ଡ ଯୋଉଠି ପାଣିର ରଙ୍ଗ ଗାଢ଼ କଳା—କଳା ଗୁମର, ସେଇ ଆଡ଼କୁ ତୀର ବେଗରେ ଛୁଟି ଚାଲିଥାଏ ନାରେଣା ଜଣେ ଏକ୍‌ସପାର୍ଟ ପହଁରାଳି ଭଳି ।

 

ନାରେଣାର ଗତି ଓ ତାର ଲକ୍ଷ୍ୟସ୍ଥଳ—ଉଭୟକୁ ମିଶେଇ ଦେଖଣାହାରିମାନେ କଥାବାର୍ତ୍ତା ଚଲେଇଥାନ୍ତି ନିଜ ଭିତରେ—‘‘ରହ, ଆଉ ଟିକିଏ ସବ୍ରାତ କର । ସେ ଯାଇ ପହଞ୍ଚୁ ଆଗ ସେ ଗଣ୍ଡ ଧାରରେ ! ଟା’କୁକିନା ଶବ୍ଦଟାଏ ନଶୁଣିବ ଯଦି ବଉଳା କିମ୍ଭୀରର ଶିକାର ଧରିବା ବାଗ ଦେଖିଛ । ଝିଟିପିଟି ଯେମିତି ଧରି ପକାଏ ପୋକକୁ...’’

 

କିନ୍ତୁ ହଠାତ୍‌ ଏସବୁ ଭିତିରି କଥାବାର୍ତ୍ତାକୁ ଚପେଇ ଦେଇ ଉଠିଲା ଉପରକୁ ଗୋଟାଏ ପ୍ରବଳ ଆର୍ତ୍ତନାଦ ଠିକ୍‌ ସେତିକିବେଳେ, ଯେତେବେଳେ ନାରେଣା ଯାଇ ପହଞ୍ଚିଗଲା ଗଣ୍ଡର ଆଖି ଭ୍ରୁଲତା ଦାଢ଼ରେ ।

 

‘‘ହରିବୋଲ ହରିବୋଲ ! ରକ୍ଷାକର ରକ୍ଷାକର ! ହେ କଳ୍‌କୀ ଦେବତା, ହେ ବଉଳା କିମ୍ଭୀର ମହାପୁରୁ—କ୍ଷମାକରିଦିଅ କ୍ଷମାକରିଦିଅ ! ହେ ରତ୍ନବଟ ସିଦ୍ଧ ଗୋସେଇଁ ଟୋକାଟାକୁ ସାହାପକ୍ଷ ହୁଅ—ସାହାପକ୍ଷ ହୁଅ !’’

 

ମଣିଷ କଣ୍ଠରେ ହରିବୋଲ ହୁଳହୁଳି ଆଉ ଆର୍ତ୍ତ କରୁଣ ପ୍ରାର୍ଥନାର କି ଅଦ୍ଭୁତ ବଳ ସେତିକିବେଳେ ଯାଇ ଜଣାପଡ଼ିଲା ।

 

ନାରେଣା ଯୋଡ଼ର ଗଭୀର ଗଣ୍ଡ ଭିତରକୁ ବୁଡ଼ିଗଲା । କିନ୍ତୁ ବଉଳା କିମ୍ଭୀର କିଛି କଲା ନାହିଁ ତାର । ଓଲଟି ପିଠିରେ ବସେଇ ଉଠେଇ ଆଣିଲା ସିଧା ପାତାଳରୁ—ନାରେଣା ଭାସି ଉଠିଲା ପାଣି ଉପରକୁ ।

 

କିନ୍ତୁ ଦେଖତ ସେ ହୁଣ୍ଡା ଟୋକାର ଗଉଁକୁ ! ପାଣି ତଳୁ ଉପରକୁ ଉଠିଲାକ୍ଷଣି ମୁଠାଏ କାଦୁଅ ହାତରେ ମୁଠେଇ ଉପରକୁ ଟେକି ଦେଖେଇଦେଲା ସମସ୍ତଙ୍କୁ । ସେଇଠୁ ବୀର ପରି ପାଣି ଭାଙ୍ଗି ଭାଙ୍ଗି ନାନା ଢଙ୍ଗର ପହଁରା କୌଶଳ ପ୍ରଦର୍ଶନ କରି ସେ ଆସି ପହଞ୍ଚିଗଲା କୂଳରେ; ଆଉ ଲୋକଙ୍କୁ ଶୁଣେଇ ଦେଇ କହିଲା, ‘‘ଦେଖିଲ ! ତମ କଳ୍‌କୀ ଦେବତା କୁଆଡ଼େ ପଳେଇ ଗଲେ ଦେଖିଲ ? ବଉଳା କିମ୍ଭୀର ବାରହାତ ଖଣ୍ଡା—ଫୁଃ !’’

 

ଏତିକିବେଳେ ନାରେଣାର କାନରେ ପଡ଼ିଲା ଲୋକଙ୍କର ମତାମତ, ‘‘ଶଳା ମରିଯାଇଥାନ୍ତା, ପରମାୟୁ ଜୋର୍‌ ! ଖାଲି ସେତିକି ନୁହଁ, ଲୋକେ କମି ପ୍ରାର୍ଥନା କଲେ, ଠାକୁର ଶୁଣିଲେ, ବଞ୍ଚିଗଲା । ବକ୍ତେଇ ବଳିଆର ।’’

 

ତା ଅର୍ଥ—ଲୋକେ ନାରେଣାର ସେ ବୀରତ୍ୱକୁ ଆଦୌ ଗଣା କଲେ ନାହିଁ ବ୍ୟକ୍ତିଗତ ବୀରତ୍ୱ ତଳେ । ଲୋକଙ୍କ ସମ୍ମିଳିତ ପ୍ରାର୍ଥନାହିଁ ନାରେଣାର ବୀରତ୍ୱର ପ୍ରମାଣ—ଏଇ ସିଦ୍ଧାନ୍ତରେ ଉପନୀତ ହୋଇ ସାରିଥିଲେ ସେଦିନ ସମସ୍ତେ । —ବିଶେଷତଃ ଗାଁର ଯୁବସଂଘର ଟୋକାମାନେ ବି ସେଇଆ କହିଲେ ।

 

ନାରେଣା ରତ୍ନଯୋଡ଼ ପାଣିରୁ ସେପର୍ଯ୍ୟନ୍ତ ପୂରାପୂରି ପୋଛାପୋଛି ହେଇ କୂଳର ଶୁଖିଲା ମାଟି ଉପରକୁ ଉଠିନଥାଏ ।

 

ହଠାତ୍‌ ଭାଙ୍ଗିଯାଉଥିବା ଦର୍ଶକମଣ୍ଡଳୀକୁ ପୁନଶ୍ଚ ଚମତ୍କୃତ କରିଦେଲା ନାରେଣା–‘‘ଶୁଣ !’’, ସେ ଘୋଷଣା କଲା, ‘‘ଏଥର ନାରେଣା ପାଇଁ ହରିବୋଲ ନାଇଁ କି ହୁଳହୁଳି ନାଇଁ । ସମସ୍ତେ ଚୁପ୍‌ ହୋଇ ଦେଖ । କେହି ଡାକ ନାଇଁ ଠାକୁରଙ୍କୁ । ଯୋଡ଼ତଳୁ ମାଟି ପୁଣି ଥରେ ଆଣି ପାରିବି କି ନାଇଁ ଦେଖ ! ଏଥର ଯଦି ମାଟି ଆଣେ ତେବେ ସେ ମୋ ବଳରୁ ନା ତମ ପ୍ରାର୍ଥନା ବଳରୁ ?’’

 

କହୁ କହୁ ନାରେଣା ରୋହିମାଛ ଭଳି ପାଣିରୁ ଶୂନ୍ୟକୁ ଡେଇଁ ପୁଣିଥରେ ପଶିଗଲା ପାଣି ଭିତରକୁ ।

 

ମାଳିକା ବିଖ୍ୟାତ ରତ୍ନଯୋଡ଼ର ଜନାକୀର୍ଣ୍ଣ ଉଭୟ ପାର୍ଶ୍ୱ ସ୍ତବ୍‌ଧ । ଯୋଡ଼ର ଶୀତ ଦିନିଆ ନେଳୀ ପାଣିର ନେତ୍ରଟି ମଧ୍ୟ ଅପଲକ । ସେ ନେତ୍ରରେ କୂଳର ମଣିଷ, ଗଛ ସୂର୍ଯ୍ୟ, ଉଡ଼ନ୍ତା ଚଢ଼େଇ, ପଦ୍ମ—ସମସ୍ତଙ୍କ ପ୍ରତିବିମ୍ବ ନିଥର ।

 

ନାରେଣା ଗୁଡ଼ାଏ ବାଟ ବୁଡ଼ାପହଁରା ମାରି ସିଧା ଉଠିଲା ଯାଇ ଗଣ୍ଡ ଭିତରେ । ଗଣ୍ଡରେ ଉଠି ଥରେ କାନ ପାରି ଶୁଣିଲା ସେ କୂଳର ଲୋକମାନଙ୍କ କଥାବାର୍ତ୍ତା । ଲୋକେ ଚୁପ୍‌ଚାପ୍‌ । କିନ୍ତୁ କେତେଜଣ ମୁଖିଆ ବେତ ହଲେଇ ପାଟି କରୁଥିବା ପଡ଼ିଲା ତା କାନରେ–‘‘ଖବରଦାର୍‌ ! ହରିବୋଲ ନାଇଁ କି ହୁଳହୁଳି ନାଇଁ ! କେହି ଡାକ ନାଇଁ ଠାକୁରଙ୍କୁ । ସେ ହୁଣ୍ଡା ମରିବ ତ ମରୁ, ବଞ୍ଚିବତ ବଞ୍ଚୁ । ତା ଲାଗି ଯଦି କେହି ପାଟି ଫିଟେଇବ ସିଧା ଜୋରିମାନା !’’

 

ନାରେଣା ଆଶ୍ୱସ୍ତ ହେଲା । ଏଥର ଗଣ୍ଡରୁ ମାଟି ଆଣି ଦେଖେଇଲେ କେହି କହି ପାରିବ ନାଇଁ—ତୋର କୀର୍ତ୍ତି ନୁହଁ—ତୋ ଲାଗି ଅନ୍ୟ ଲୋକଙ୍କ ପ୍ରାର୍ଥନାର ଫଳ ଏ ! —କେହି କହିପାରିବ ନାହିଁ—ଭାବିଲା ନାରେଣା ।

 

ଗଣ୍ଡ ଭିତରେ ପହଞ୍ଚି ନାରେଣା କୂଳର ଲୋକଙ୍କଆଡ଼କୁ ଚାହୁଁଥିବାର ଦେଖି ମୁଖିଆମାନେ ଆହୁରି ଜୋର୍‌ରେ ପାଟିକରିଉଠିଲେ—‘‘କେହି ଡାକନାହିଁ ଠାକୁରଙ୍କୁ । ଦେଖାଯାଉ ମାଳିକା ବଚନ ସତ କି ମିଛ । ଧର୍ମ ଅଛି କି ନାଇଁ ପରଖାଯାଉ ଗୋଟାଏ ଥର…...’’

 

ନାରେଣା କାନରେ ଏହିପରି ବାଜୁଥାଏ ତାଙ୍କ କଥା—। ଟୁବ୍‌କିନା ଏଥର ବୁଡ଼ିଗଲା ସେ ସିଧା ଗଣ୍ଡ ତଳକୁ ।

 

ରତ୍ନଯୋଡ଼ିର କଳାଗୁମର ଆଖି ଭଳି ଗଣ୍ଡ ପାଣି ତଳେ ନାରେଣାର ମୁଣ୍ଡବାଳ କେରାକ ଅଦୃଶ୍ୟ ହୋଇଛି କି ନାହିଁ ହଠାତ୍‌ ଗୋଟାଏ ନାରୀ କଣ୍ଠର ହାହାକାର ଶୁଣାଗଲା । ମୁଖିଆମାନେ ବେତ ହଲେଇ ଚିହିଙ୍କି ଉଠିଲେ—‘‘ଚୁପ୍‌ ଚୁପ୍‌ ! ଯାଉ ସେ ମରୁ । ପାତାଳକୁ ଯାଇ ମରୁ କି କିମ୍ଭୀର ମୁହଁରେ ଯାଉ ! ତମେ କିଏ ତା ଲାଗି— ?’’

 

କିନ୍ତୁ ସ୍ତ୍ରୀଲୋକଟି—ନାରେଣାର ମା ନୁହଁ କି କେହି ନୁହଁ—ମୁଖିଆମାନଙ୍କୁ ଅନୁନୟ ହୋଇ କହିଲେ, ‘‘ଆରେ ବାପ ! ପିଲାଟାକୁ ଏକୁଟିଆ ଛାଡ଼ିଦେଲ ! କି ଅଧର୍ମ ! ମଣିଷ ପିଲାଟାକୁ ଏକା ବାଡ଼େ ରଖିଦେଇ ଆମେ ଆର ବାଡ଼ରେ ଠିଆହୋଇ କହୁଥିବା—ମର ! ମର ! —ଆଉ ତେଣେ ସେ ଯିବ ଏକା ପରଖିବା ପେଇଁ ଭଗବାନ ଅଛନ୍ତି କି ନାହିଁ—ଧର୍ମ ଅଛି କି ନାଇଁ ଦେଖିବାକୁ ପାତାଳପୁରକୁ । ଆରେ ଏ ପାପ ତାକୁ ଲାଗିବ ନାଇଁରେ ବାପ—ଲାଗିବ ତମମାନଙ୍କୁ-!’’

 

କହୁ କହୁ ସ୍ତ୍ରୀଲୋକଟି ବଡ଼ପାଟିରେ ଡକାପକେଇଲା—‘‘ରକ୍ଷାକର ! ରକ୍ଷାକର ! ହେ ରତ୍ନବଟେ ! ହେ ରତ୍ନବଟେ !’’

 

ଏଣେ ଛାତିରୁ ଦମ୍‌ ଛୁଟିଛି କି ନାଇଁ ତେଣେ ଗଣ୍ଡ ଭିତରେ ନାରେଣାର ମୁଣ୍ଡ ଦେଖା ଦେଲା । ପାଣିତଳୁ ଉଠି, ମୁହଁ ଉପରେ ନିଗିଡ଼ି ପଡ଼ୁଥିବା ପାଣିଧାର ଗୁଡ଼ାକୁ ଫୁଫୁକାର କରି ଆଡ଼ୋଉ ଆଡ଼ୋଉ ତା ହାତ ପୁଣିଥରେ ଉଠିଲା ମୁଠାହୋଇ ଉପରକୁ ।

 

ଦର୍ଶକମାନେ ସ୍ତବ୍‌ଧ ତଟସ୍ଥ । ସମସ୍ତେ ଦେଖିଲେ—ନାରେଣାର ହାତ ମୁଠାଟି ଫିଟିଯିବାକ୍ଷଣି ମେଞ୍ଚାଏ ପଙ୍କ ଥପ୍‌କିନା ଖସିପଡ଼ିଲା ପାଣିକୁ ।

 

ସେଇଠି, ସେତିକିରେ କଥା ଛିଣ୍ଡିଗଲା ସବୁ—ବୁଝିନେଲା ନାରେଣା । ଛାତିରେ ତାର ଅଦମ୍ୟ ବୀରତ୍ୱର ଆନନ୍ଦ । କଳ୍‌କୀ ଅବତାର, ବଉଳା କିମ୍ଭୀର, ବାରହାତ ଖଣ୍ଡା—ଅବଶ୍ୟ ଏ ବିଷୟଗୁଡ଼ିକ ଭାବୁ ନଥିଲା ସେ ସେତେବେଳେ । ତାର ଏକମାତ୍ର ଆନନ୍ଦ—ଏଥର କେହି କହିବେ ନାହିଁ ଯେ ଏ ବୀରତ୍ୱ, ଏ କୃତିତ୍ୱ ଏକା ତାର ନୁହେଁ, ଆଉ କାହାର । ଏଥର ତାଲାଗି କେହି ଡାକିନାହାନ୍ତି ଠାକୁରଙ୍କୁ । ଏଥର ତ କେହି କହିବ ନାହିଁ ଗଲାଥର ଭଳି—ପରମାୟୁ ଜୋର୍‌, ଲୋକେ କମି ପ୍ରାର୍ଥନା କଲେ ! ଠାକୁର ଶୁଣିଲେ—ଇତ୍ୟାଦି ଇତ୍ୟାଦି । ଏଥର ତାହେଲେ ଆଉ ଅପ୍ରମାଣ ରହିଲା କେଉଁଠି ଯେ ମଣିଷ ହିଁ ସବୁ; ଭଗବାନ ଫଗବାନ, ମାଳିକା ଫାଳିକା ସବୁ ମିଛ, ସବୁ ବାଜେ କଥା ?

 

କିନ୍ତୁ ସେପର୍ଯ୍ୟନ୍ତ ନାରେଣାର ସ୍ତବ୍‌ଧ ଦର୍ଶକମାନେ ଟୋକାଟାକୁ ଶୁଣେଇ ଦେଇ ନଥିଲେ ସେମାନଙ୍କର ମନ ଭିତରେ ସେ ପର୍ଯ୍ୟନ୍ତ ଖୁଜୁବୁଜୁ ହେଉଥିବା ସେଇ ମର୍ମକଥା ପଦଟା । ସେମାନେ ଅପେକ୍ଷା କରୁଥିଲେ ଟୋକାଟା ଆସୁ କୂଳକୁ । ଥଳରେ ଲାଗୁ ଆଗ । ସେଇଠୁ ବିଚାର ହବ ପ୍ରମାଣ ଅପ୍ରମାଣ କଥା ।

 

ନାରେଣା ସେତେବେଳକୁ ଗଣ୍ଡ ଛାଡ଼ି ବେଶ୍‌ କିଛିବାଟ ଲାଗି ଆସିଲାଣି କୂଳ ଆଡ଼କୁ । ସେ ପହଁରୁଥାଏ ଚିତ୍‌ ପହଁରା । ସମ୍ଭବତଃ ଢେର୍‌ବେଳ ପହଁରା ପହଁରି ବୁଡ଼ାବୁଡ଼ି କରିବାରୁ ତାର ଦମ୍‌ ଛୁଟି ଆସିଥାଏ ଅଳ୍ପ ବହୁତେ । ସେଥିପାଇଁ ଚିତ୍‌ ହେଇ ପାଣିରେ ପଡ଼ି ଧୀରେ ଧୀରେ ଆହୁଲେଇ ଆହୁଲେଇ ଆସୁଥାଏ ସେ କୂଳ ଆଡ଼କୁ ।

 

କିନ୍ତୁ ଇତି ମଧ୍ୟରେ କୂଳରେ ଯୁବକସଂଘର ଟୋକାମାନେ ଗାଁର ପୁରୁଣା ପୁରୁଣା ଲୋକଙ୍କ ସାଥିରେ ଲଗେଇଦେଇ ସାରିଥାନ୍ତି ଏକ ନୂଆ ନାଟ । ନାରେଣାର ସାଙ୍ଗ, ନେତୃତ୍ୱ ପର୍ଯ୍ୟାୟରେ ଠିକ୍‌ ନାରେଣା ତଳକୁ ଯୁବକସଂଘର ଦ୍ୱିତୀୟ ନେତା ମାଧିଆ ସେତେବେଳକୁ ବଡ଼ପାଟି କରି ଗାଁର ବୁଢ଼ା ବୁଢ଼ା ପୁରୁଖା ପୁରୁଖା ଲୋକଙ୍କୁ ଜବତ୍‌ କରିବା ଲକ୍ଷ୍ୟରେ କହୁଥାଏ–‘‘ନା ନା—ସେ କଥା ହେବନାଇଁ—ସେ ତ ଶୁଣି ନାଇଁ । ତମେ ଏଣେ ଉପରେ ଥାଇ ତାପେଇଁ ମନେ ମନେ କି ଶୁଣେଇ ଶୁଣେଇ ଠାକୁରଙ୍କୁ ଡାକୁଥିଲ କି ଯମକୁ ଡାକୁଥିଲ ସେ ତ ଶୁଣିନାହିଁ । ସେ ତାର ନିଜ ବଳରେ ଗଲା । ତମକୁ ଦି’ଥର ମାଟି ଆଣି ଦେଖେଇଦେଲା । ସେଥିରେ ପୁଣି ତମର ସନ୍ଦେହ ! କଅଣ ନା ତମ ପ୍ରାର୍ଥନା ଶୁଣି ବଉଳା କିମ୍ଭୀର କିଛି କରୁନାଇଁ, ଓଲଟି ପିଠିରେ ବସାଇ ଆଣି ଛାଡ଼ିଦେଇ ଯାଉଚି ପାଣି ଉପରେ ! ଧ୍ୟାତ୍‌ତ୍ତେରି ! ଧନ୍ୟ ତମ ଭାରତବର୍ଷ !’’

 

ନାରେଣା ସେପର୍ଯ୍ୟନ୍ତ ଚିତ୍‌ହୋଇ ନିଶ୍ଚିନ୍ତରେ ମୁକ୍ତ ଆକାଶକୁ ଚାହିଁ ପହଁରୁଥିଲା । ହଠାତ୍‌ ଚିତଳ ମାଛ ଲେଉଟିଲା ଭଳି ଲେଉଟି ପଡ଼ିଲା ସେ । ସେଇଠୁ ଠିଆ ପହଁରାରେ ସ୍ଥିରହୋଇ ମୁଣ୍ଡ ଟେକି ଚାହିଁଲା ସେ ଚାରିଆଡ଼କୁ ।

 

ଯୁବକସଂଘର ନେତା ମାଧିଆ ଓ ଗାଁର ପୁରୁଖାଲୋକଙ୍କ ଭିତରେ ଚାଲିଥିବା ଯୁକ୍ତିତର୍କର କେଇଫାଳ ଯୁକ୍ତି ପଡ଼ିଗଲା ଏଥର ସ୍ପଷ୍ଟ ତା କାନରେ । ଚାଉଁକିନା ହୋଇଗଲା ତା ଛାତି ଭିତରଟା ସେଇକ୍ଷିଣା । ତତ୍‌କ୍ଷଣାତ୍‌ କ୍ରୋଧ ଚହଟିଗଲା ତା ମୁଣ୍ଡକୁ । ଦୁଇହାତ ଉପରକୁ ଟେକି ଠୋ ଠୋ ତାଳି ମାରିଲା ସେ । ତା ତାଳି ଶୁଣି କୂଳର ସମସ୍ତଙ୍କ ଦୃଷ୍ଟି ତା ଆଡ଼କୁ ହୋଇଯିବାମାତ୍ରେ ଶୁଣାଗଲା ତା ସ୍ୱର—

 

‘‘ଶୁଣିଲିଣି ସବୁ ! ତମେ ଆଖର ବିଶ୍ୱାସ କରିବ ନାଇଁ ଯେ ମୁଁ ନାରେଣା କରୁଛି ଏସବୁ–ଥରକୁଥର ଡୁବୁଛି, ମାଟି ଆଣୁଛି । ଥରକୁ ଥର ଶୁଣୁଛି ସେଇ କଥା—ତମ ପ୍ରାର୍ଥନା, ତମ ବିଶ୍ୱାସ ବଞ୍ଚୋଉଛି ମତେ ! ମୋର କିଛି କାଢ଼ ନାହିଁ ଏଥିରେ । ଆଚ୍ଛା—’’ ଏକ ବଡ଼ ଦମ୍‌ ନେବାପାଇଁ ଅଳ୍ପ ଅଟକିଯାଇ ପୁଣି ଥରେ ତୃତୀୟବାର ପାଇଁ ନାରେଣା ଘୋଷଣା କଲା ସେଇ ପାଣି ଭିତରୁ—

 

‘‘ଆଚ୍ଛା, ଏଥର ତମେ ସମସ୍ତେ କୁହ—ଆରେ ନାରେଣା ମରିଯା ମରିଯା, ତତେ ବଉଳା ଖାଇଯାଉ । ତୁ ଆମ ଭାରତବର୍ଷର ଧର୍ମହାନି କଲୁ—ମରିଯାରେ ନାରେଣା—କୁହ ସମସ୍ତେ ଏଇ କଥା । ତମକୁ ରତ୍ନବଟ ଦ୍ୱାହି, କୁହ ଏଇ କଥା ସମସ୍ତେ । ଦେଖିବା—ତମ ପ୍ରାର୍ଥନା ବଳରେ ଯଦି ବଞ୍ଚିଲି ମୁଁ, ଏଥର ତମ ଅଭିଶାପରେ ମରୁଚି କି ନାହିଁ...’’

 

କହୁ କହୁ ନାରେଣା ପୁଣି ଥରେ ସିଙ୍ଗିବୁଡ଼ା ମାରି ଯାଇ ଉଠିଲା ସିଧା ଗଣ୍ଡ ମଝିରେ ।

 

ଲୋକେ ତଟସ୍ଥ । କିଏ ଜଣେ କହିଲା—‘‘ଏତେ ଦମ୍ଭ ! ଧର୍ମ ସହୁଚି ଏକଥା ! ଯାଚି ମାଗୁଚି ଲୋକଙ୍କ ଅଭିଶାପ ! ହାୟରେ କପାଳ !’’

 

କିନ୍ତୁ ସେତେବେଳକୁ ନାରେଣା ଡୁବିଯାଇ ସାରିଲାଣି ପାଣି ତଳେ । ନାରେଣାର ସାଙ୍ଗ ମାଧିଆ ପ୍ରଥମେ ଆରମ୍ଭ କରିଦେଲା ପହଳି—‘‘ଯା ମର୍‌, ତତେ ବଉଳା ଖାଉ ! ଯା ମର, ତୋ ବେକରେ ବାରହାତ ଖଣ୍ଡା ପଡ଼ୁ !’’

 

ପ୍ରଥମେ ପ୍ରଥମେ ମାଧିଆର ପହଳି କେହି ଗ୍ରହଣ କରୁନଥିଲେ । କିନ୍ତୁ ସେ ଧମକେଇ ଦେଲା, ‘‘ଦେଖ ! ଧର୍ମ ଦ୍ୱାହି । ଟୋକାଟା ତମରିପେଇଁ ମରିବାକୁ ବାହାରିଚି । ତା ଶେଷ ଇଚ୍ଛା ପୂରଣ ହେଉ । ସେ ଗଲା ପୂର୍ବରୁ କହିଲା ପରା ତମକୁ—ସମସ୍ତେ ତାର ମରଣ କାମନା କର । କହିଲା ନାଇଁ ? କିଏ ଜାଣେ ୟାଦ୍ୱାରା ତାର ଉପକାର ନହେବ ? ତା ଆତ୍ମା ଶାନ୍ତିରେ ନ ରହିବ-?’’

 

ଲୋକେ ଏଥର ମାଧିଆର ଯୁକ୍ତି ବୁଝିପାରିଲେ । ସମସ୍ତେ ତେଣୁ ଏକମେଳ ହେଇ ପହଲିରେ ଯୋଗଦେଲେ—‘‘ଯା ମର୍‌, ତତେ ବଉଳା ଖାଉ....’’

 

କିନ୍ତୁ ସେତେବେଳକୁ ରତ୍ନଯୋଡ଼ର ଗଭୀର ଗଣ୍ଡର ପାଣିତଳେ ଘଟଣାମାନ ଘଟି ଯାଉଥିଲା ଅନ୍ୟପ୍ରକାରେ । ଗଣ୍ଡତଳ ପଙ୍କରୁ ମୁଠାଏ ହାତ ମୁଠାରେ ଧରିନେଇ ନାରେଣା ଭୁଷ୍‌କିନା ପାଣି ତଳୁ ଉପରଆଡ଼କୁ କୁଦାଟାଏ ମାରିବାର ଅବ୍ୟବହିତ ପୂର୍ବରୁ ତା ମନ ଭିତରର ଅବସାଦ ହଠାତ୍‌ ମୂର୍ତ୍ତିମନ୍ତ ହୋଇ ଠିଆହୋଇ ପଡ଼ିଲା ତା ସାମ୍ନାରେ । ସେଇ ମୂର୍ତ୍ତିକୁ ପାଣିତଳେ ଦେଖିପକାଇବାମାତ୍ରେ ନାରେଣାର ପୌରୁଷ, ତାର ଅହମିକା ଅନେକ ଭାଙ୍ଗିପଡ଼ିଲା, ଆଉ ମନେ ମନେ ସେ କହିଲା—

 

‘‘ନା, ଏଥର ବି ପୁଣିଥରେ ସେଇଆ ଶୁଣିବାକୁ ପଡ଼ିବ—ଯେ ସମସ୍ତେ ସିନା ଉପର ମନରେ ତାକୁ ମର ମର କହୁଥିଲେ କିନ୍ତୁ ଭିତର ମନରେ ଗଜ ଉଦ୍ଧାରଣ ଜଣାଣ ବୋଲୁଥିଲେ ।’’

 

ଏଇ ଚିନ୍ତାଟା ତା ମନକୁ ଛୁଉଁ ଛୁଉଁ ତାକୁ ଲାଗିଲା—ଗତ ଦୁଇଥର ଯାକ ମାଳିକା ପ୍ରସିଦ୍ଧ ରତ୍ନଯୋଡ଼ିର ପାତାଳଫୁଟି ପାଣିତଳୁ ମାଟି ଆଣିବା ବାହାନାରେ ସେ କେବଳ ନିଜେ ନିଜ ପାଖରେ ଏଇ ପ୍ରମାଣହିଁ ଦେଇସାରିଥିଲା ଯେ, ପ୍ରତିଥର ପାଣିରେ ବୁଡ଼ିଲାବେଳେ ସେ ନିଜକୁ ନିଜେ ଭାବିନେଉଥିଲା ଏକ ପ୍ରକାଣ୍ଡ ହାତୀଟିଏ ପାଲଟି ଯାଇଛି ସେ, ଆଉ ସେ ହାତୀକୁ ଧରିନେଉଚି ବଉଳା କିମ୍ଭୀର । କିନ୍ତୁ ପ୍ରତିଥର ବଉଳା ତାର ହାତୀ ଗୋଡ଼କୁ ଧରିନେଲାମାତ୍ରେ ତାମୁହଁରୁ ବାହାରି ପଡ଼ୁଥିଲା ଗଜଉଦ୍ଧାରଣ ଜଣାଣ ।

 

ଆଶ୍ଚର୍ଯ୍ୟ ହୋଇଗଲା ନାରେଣା । ଗଭୀର ପାଣି ତଳେ, ସବୁ ଲୋକଙ୍କ ଦୃଷ୍ଟି ଉହାଡ଼ରେ ଥାଇ ତେବେ ସେ ଏଇ ଟ୍ରିକ୍‌ଟା ଖେଳୁଚି ପ୍ରତିଥର ! ନିଜକୁ ବିପଦରେ ପଡ଼ିଯାଇଥିବା ହାତୀଟିଏ ଭାବି ପ୍ରତିଥର ତେବେ ସେ ଭଗବତ୍‌ କୃପା ଭିକ୍ଷା କରୁଛି ଆଉ କହୁଚି ଯେ—ହେ ଭଗବାନ ତମେ ଅମୂକ ଯୁଗରେ କିମ୍ଭୀର ମୁହଁରେ ପଡ଼ିଯାଇଥିବା ହାତୀକୁ ରକ୍ଷା କରିବା ପେଇଁ ଯେମିତି ଚକ୍ର ପେଶିଥିଲ, ସମୁକ ଯୁଗରେ ଦ୍ରୌପଦୀକୁ ଭରା ରାଜସଭାରେ ଉଲଗ୍ନ କରାଗଲାବେଳେ ତମେ ଯେମିତି ଅସୀମ ବସ୍ତ୍ରରେ ଆଚ୍ଛାଦନ କରିଥିଲ... ଧେତ୍‌ ! ନା ! ଧେତ୍‌ !

 

ନାରେଣା ପାଣିତଳେ ପଙ୍କ ମୁଠାଟାକୁ ଜୋର୍‌କରି ଛାଟିଦେଲା ହାତ ମୁଠାରୁ ଆଉ ମନେ ମନେ ଚିତ୍କାର କରିବାକୁ ଲାଗିଲା—ନା, ଏଥର ସେମାନେ ପଙ୍କ ଦେଖିବାକୁ ଅନାଇ ବସି ନାହାନ୍ତି । ସେମାନେ ସ୍ୱଚକ୍ଷୁରେ ଦେଖିବାକୁ ଚାହୁଁଛନ୍ତି ବାରହାତ ଖଣ୍ଡା । କାହିଁ କୁଆଡ଼େ ଗଲା ସେ ଖଣ୍ଡାଟା !

 

ନାରେଣା ଧୁସ୍‌ଧୁସ୍‌ କରି ଆଡ଼େଇ ଚାଲିଲା ପଙ୍କ । ସେ ଦରାଣ୍ଡି ପକେଇଲା ବାରହାତ ଖଣ୍ଡାଟାକୁ ।

 

ସେତେବେଳକୁ ରତ୍ନଯୋଡ଼ିର ଉଭୟ କୂଳରୁ ପ୍ରତିଧ୍ୱନିତ ହେଉଥାଏ ସେଇ ସମ୍ମିଳିତ ମୃତ୍ୟୁବାଣୀ—‘‘ଯା ମର୍‌.......ଯା ମର୍‌…....’’

 

ହଠାତ୍‌ ଗଣ୍ଡ ମଝିରେ କଳାଗୁମର ପାଣିର ରଙ୍ଗ ଗୋଳିଆ ଦେଖିପାରି କେହି ଜଣେ ବଡ଼ ପାଟି କରି ଚେତେଇଦେଲା—

 

‘‘ଦେଖିଲ ଦେଖିଲ, ଗୋଳି ଉଠୁଛି ନା କଅଣ ପାଣି ତଳୁ !’’

 

ଠିକ୍‌ ସେତିକିବେଳେ ନାରେଣାର ଅଧା ମୁଣ୍ଡ ଦେଖାଗଲା ପାଣିତଳୁ । ମୁହଁ ଉପରକୁ କରି ଦମେ ଜୋର୍‌ ନିଃଶ୍ୱାସ ନେଲାଭଳି ସେ ଆଁ କରି କାମୁଡ଼ି ପକାଉଥାଏ ପବନକୁ । ତେବେ ଏଥର କୌଣସି କାରଣରୁ ପୂର୍ବଥର ପରି ଉପରକୁ ହାତ ଟେକି ଲୋକଙ୍କୁ ଯୋଡ଼ତଳ ପଙ୍କ ଦେଖାଇବା ମତଲବ୍‌ରେ ଥିଲା ଭଳି ଦିଶୁ ନଥାଏ ସେ । ବରଂ, କଅଣ ଗୋଟାଏ ଭାରି ଓଜନିଆ ଜିନିଷ ପାଣିତଳୁ ଟେକି ଉପରେ ଲୋକଙ୍କୁ ଦେଖାଇବା ଲକ୍ଷ୍ୟରେ ସେ ଥାଏ । ସେ ହାତର ଜିନିଷ ସାଥିରେ କୁସ୍ତି କଲାଭଳି ଦିଶୁଥାଏ ସମସ୍ତଙ୍କ ଆଖିକୁ ।

 

‘‘ଆରେ କି ଜିନିଷ ସେ—ଜିନିଷ ?’’ ଲୋକେ ହଠାତ୍‌ ମର୍‌ ମର୍‌ ପହଳି ଛାଡ଼ି ଡାକ ପକେଇଲେ, ‘‘ଦେଖା ଦେଖା ସେ କି ଜିନିଷ !’’

 

କିନ୍ତୁ ନାରେଣା ତା ହାତ କି ଗୋଡ଼ କୋଉ ହେଲେ ଅଙ୍ଗ ଉପରକୁ ଟେକି ପାରୁ ନଥାଏ-। ସେ ଖାଲି କୁସ୍ତି କରୁଥାଏ ଆଉ ପବନକୁ ପୁଳା ପୁଳା କାମୁଡ଼ି ପକାଉଥାଏ ।

 

ଲୋକେ ଅଳ୍ପ ସମୟ ଅପେକ୍ଷା କଲେ ନାରେଣାର କୃତିତ୍ୱଟି ସ୍ୱଚକ୍ଷୁରେ ଦେଖିନେବାକୁ-

 

କିନ୍ତୁ ନାରେଣାର କୁସ୍ତି ଓ ପବନ କାମୁଡ଼ା ଦେଖି ସେମାନେ ଅବଶେଷରେ ବୁଝିନେଲେ ବ୍ୟାପାରଟାକୁ—‘‘ଆରେ ଭୂତ !’’ ଜନୈକ ସର୍ବଜ୍ଞ କୂଳର ଜନସମାଗମ ଭିତରୁ ନାରେଣା ଉଦ୍ଦେଶ୍ୟରେ ଚିତ୍କାର କରି ଉଠିଲେ, ‘‘ଜାଣି ପାରୁନୁ କିଏ ଧରିଚି ତତେ ! ରେ ମୂର୍ଖ ! ବୋଲ୍‌ ବୋଲ୍‌......ଗଜ ଉଦ୍ଧାରଣ ଜଣାଣ ମନେ ଅଛିଟି ? ବୋଲ୍‌ ବୋଲ୍‌…...’’

 

ନାରେଣା ତଥାପି କୁସ୍ତି କରୁଥାଏ । ପବନକୁ ପୁଳାପୁଳା କାମୁଡ଼ି ସୁ ସୁ ନିଶ୍ୱାସ ଛାଡ଼ି କୁସ୍ତି କରିଚାଲିଥାଏ ।

 

କୂଳର ସମସ୍ତେ ଆହୁରି ଥରେ ପାଟିକରି ଚେତେଇଦେଲେ, ‘‘ଆରେ ! ତତେ ବଉଳା କିମ୍ଭୀର ଧରିନେଇଚିରେ ମୂର୍ଖ…...’’

 

ହଠାତ୍‌ ନାରେଣାର ପୂରା ମୁଣ୍ଡଟା ଫୁଟ୍‌ବଲଟାଏ ପରି ଭାସି ଉଠିଲା ପାଣି ଉପରକୁ । ତତ୍‌କ୍ଷଣାତ୍‌ ତାର ଜବାବ ଶୁଣାଗଲା—‘‘କିମ୍ଭୀର ଫିମ୍ଭୀର କିଛି ନୁହଁ । ମନେହେଉଚି ଭଗବାନ ନିଜେ... ଭଗବାନ ନିଜେ ଧରି ପକାଇଲେ । କହ, କହ ଏଥର କୋଉ ଜଣାଣ ବୋଲିବି ? କହ…...କୋଉ ଜଣାଣ…... ? ମୁହୂର୍ତ୍ତକ ପାଇଁ…... ଛାଡ଼ୁ ନାଇଁ ସେ..... ଛାଡ଼ିବ ନାଇଁ…... ମତେ…... ତମକୁ…... ସମସ୍ତଙ୍କୁ…..’’

 

ଠିକ୍‌ ସେଇଠି ହଠାତ୍‌ ଫୁଟ୍‌ବଲ୍‌ ଭଳି ଭାସୁଥିବା ମୁଣ୍ଡଟା ପଥର ମୁଣ୍ଡାଏ ଭଳି ଟୁବ୍‌ କିନା ଡୁବିଗଲା ପାଣି ତଳକୁ ।

 

ରତ୍ନଯୋଡ଼ିର ଦୁଇକୂଳରେ ହାହାକାର—‘‘ଆରେ ଭକ୍ତଟାଏରେ ! ବୁଡ଼ିଗଲା ! ବୁଡ଼ିଗଲା ! ହାୟ ହାୟ... ଭକ୍ତ ଲୋକଟିଏରେ ମରିଗଲା !’’ ପହଳି ପଡ଼ୁଥାଏ ରତ୍ନବଟ ମୂଳେ ।

Image

 

ଯେଉଁଠି ମୀନ ଖେଳୁଛି

 

‘‘ଏ ଯୋଉ ମହାତ୍ମା ସେଠି ସେ ଟୁବ ଗାଡ଼ିଆକୁ ଅନେଇ ବସିଛନ୍ତି ତାଙ୍କୁ କେତେ ଉମର ହେବଣି କହିଲ ?’’

 

ବାଟୋଇ ଜଣେ ସାଇକେଲରେ ସେଇ ବାଟେ ଯାଉ ଯାଉ ଅନ୍ୟ ଜଣେ ସାଥୀ ବାଟୋଇକୁ ପଚାରିବାରେ ସେ ଜଣକ ସାଇକେଲର ଗତିକୁ ଧୀମେଇଦେଲା ଓ ଟୁବଗାଡ଼ିଆ ବନ୍ଧରେ ଉଠିଥିବା ଗୋଟାଏ ବରଗଛ ତଳର ଛାଇଛାଇଆ ଥିବା ଜାଗାରେ ବସି ମଣିଷଟାକୁ ଅନେଇ ଅନେଇ କହିଲା, ‘‘ଷାଠିଏ—ଖୁବ୍‌ ବେଶି ସତୁରୀ । ତଦୁର୍ଦ୍ଧ୍ୱ ନୁହେଁ ।’’

 

‘‘ଧ୍ୟାତ୍‌—ତମେ ମଣିଷ ଚିହ୍ନିନାଅଁ ଯାହା ଲାଗୁଚି । ଲୋକଟାର ବୟସ ଶହେରୁ ଊଣା ହେବ ମନେକରିଚ ? ମୋ ବାପା ମଲେଣି ଗଲାସନଠୁଁ । ସେ କହନ୍ତି, ଏ ଗାଁର ଏ ମହାତ୍ମା—ୟାଙ୍କ ନାଁ ଚିନ୍ତାମଣି—ଟୁବଗାଡ଼ିଆ ହୁଡ଼ା ଉପରେ ବସିବାର ତାଙ୍କୁ ଦେଖାଗଲାଣି କମ୍‌ସେ କମ୍‌ ବାପାଙ୍କ ବାହାଘର ବୋଇଲେ ମୋ ଜନ୍ମର ପାଞ୍ଚ ସାଲ ପୂର୍ବରୁ । ଏଇଖିଣିକା ମୋ ବୟସ ଆସି ହେଲା ପଚାଶରୁ ବେଶି । ତା’ ମାନେ ଏ ମହାତ୍ମା ଏଠି ବସିଲେଣି କେତେ ବର୍ଷ କହୁନ...’’

 

ବାଟୋଇ ଦି’ଜଣ ଏହା ପରେ ସେ ମହାତ୍ମାଙ୍କ ଉଦ୍ଦେଶ୍ୟରେ ପ୍ରଣାମ ଗୋଟିଏ ଗୋଟିଏ ଜଣେଇ ନିଜନିଜର ସାଇକେଲର ଗତି ବଢ଼ାଇଦେଲେ ଓ ଘଟଣାସ୍ଥଳରୁ ଅତିଶୀଘ୍ର ଉଭେଇଗଲା ପରି ଉଭେଇଗଲେ ।

 

ଏହା ପରେ ଘଟଣାସ୍ଥଳରେ ପ୍ରବେଶ କଲେ ଯୋଡ଼ିଏ ଚଉଦ-ପନ୍ଦର ବର୍ଷର ଟୋକା । ଉଭୟଙ୍କ କାନ୍ଧରେ ଯୋଡ଼ିଏ ବସ୍ତାନୀ ଝୁଲୁଥାଏ । ସେଥିରେ ପଢ଼ାବହି । ପାଖ ଗାଁରେ ନବପ୍ରତିଷ୍ଠିତ ହାଇସ୍କୁଲର ଛାତ୍ର ସେମାନେ । ସେମାନଙ୍କର କଥାବାର୍ତ୍ତା ପୂର୍ବର ବୟସ୍କ ବାଟୋଇ ଦୁଇଜଣଙ୍କ ପରି ନୁହେଁ । ଜଣେ ଅନ୍ୟ ଜଣକୁ କହୁଥାଏ—

 

‘‘ଜାଣିଚୁ......ଜନଗଣନାବାଲା ଆସିଚନ୍ତି । ଲୋକଙ୍କ ମୁଣ୍ଡ ଗଣତି ହଉଚି । ସେମାନେ କହୁଚନ୍ତି ଆମର ଏ ଅଞ୍ଚଳରେ ମଣିଷ ବହୁତ ବଢ଼ିଗଲେଣି । କେହି ମରୁନାହାନ୍ତି । ଖାଲି ଗୋଟାକ ପରେ ଗୋଟାଏ ଜନ୍ମ ହେଉଚନ୍ତି । ୟାର ଫଳ କ’ଣ ହେବ କହିଲୁ ?’’

 

ଅନ୍ୟ ଜଣକ ଗୋଟାଏ ପିଜୁଳି ଚୋବାଉଥାଏ । ସ୍କୁଲ ଫେରନ୍ତି ବାଟରେ ଜଣକ ବଗିଚାରେ ପିଜୁଳି ହେଇଚି ଦେଖି ଦୁହେଁ ପଶିଥିଲେ ଭେଡ଼ାରେ କଣା କରି । ପିଜୁଳି ତୋଳିଲାବେଳେ ବଗିଚାର ମାଲିକ ହାବୁଡ଼ରେ ପଡ଼ିଗଲେ ଦି’ଜଣଯାକ । ଲୋକଟା ପିଲାଯୋଡ଼ାଙ୍କୁ ଏଭଳି ଚୋରି କରୁଥିବାର ଦେଖି ରାଗିଯାଇ କହିଲା, ‘‘ହଇରେ, ପାଠ ପଢ଼ୁଚ ନା ଛତୁ ପଢ଼ୁଚ ? କାନ୍ଧରେ ବହି ବୋହୁଚ, ଏଣେ ଚୋରି କରୁଚ । କଅଣ ଆଜିକାଲି ଏଇ ପଢ଼ା ହଉଚି ତମ ଇସ୍କୁଲରେ ?’’

 

ପିଲା ଦୁଇଟା ଚୋରି କରୁଥିବା ଅବସ୍ଥାରେ ଧରାପଡ଼ିଯିବା ଯୋଗୁ ମିଟିମିଟି ହୋଇଗଲେ ଟିକିଏ । କିନ୍ତୁ ମୁହଁରେ ଇସ୍ପାତ୍‌ ପାତିଆରେ ତିଆରି ଜିଭ ଦୁଇଟାକୁ ପିଲାମାନେ ଦମନ କରିପାରନ୍ତେ ବା କେତେକ ? ତେଣୁ ବଗିଚା ମାଲିକର ଆହ୍ୱାନକୁ ସମ୍ଭାଳି ନପାରି ଉତ୍ତର ଦେଲା ତାଙ୍କ ଭିତରୁ ଜଣେ—ଚୋରୀ ? କିଏ କରୁଚି ଚୋରୀ ? କାହାର ? ଏ ବଗିଚା ତମର ନା ତମ ବୋପାର ? ଏ ସମ୍ପତ୍ତି କାହାର ? ଆମ ବହିରେ ଅଛି, ଏସବୁ ଜମିବାଡ଼ି କାହାରି ନୁହଁ—ସରକାରଙ୍କର । ସରକାରୀ ସମ୍ପତ୍ତି ତମେ ଚୋରି କରି ବାଡ଼ ବୁଜି ରଖିଚ । ଆମେ ଆମ ସରକାରଙ୍କ ଗଛର ପିଜୁଳି ଖାଇଲୁ—ତମ ବୋପାର କଅଣ ଗଲା ?’’

 

ବଗିଚା ମାଲିକ ଜଣେ ମଧ୍ୟବୟସୀ ଚାଷୀଲୋକ । ଇଚ୍ଛା କରିଥିଲେ ଚଗଲା ହୁରୁମା ଟୋକା ଯୋଡ଼ାଙ୍କ ଗାଲରେ ଦି ଦି ଚଟକଣା ଦେଇ ଧକ୍‌କା ମାରି ବିଦା କରି ଦେଇଥାନ୍ତା ହତା ବାହାରକୁ । କିନ୍ତୁ କୌଣସି କାରଣରୁ ଆହାବି ଗଲା ସେ । ବିଶେଷତଃ ଇସ୍କୁଲିଆ ପିଲାଙ୍କୁ ଡର । ଏହାଛଡ଼ା ଆହୁରି ମଧ୍ୟ ଡର ଆଉ ଏକ କଥାକୁ । ପିଲା ଦୁଇଟା ଦିଶୁଥିଲେ ଅନ୍ୟ ଜାତିର । ଆଜିକାଲି ଗୋଟିଏ ଜାତିର ଲୋକ ଅନ୍ୟ ଜାତିର ପିଲାଙ୍କୁ ମାରଧର କଲେ ଫଳ ହବ କ’ଣ, ମଧ୍ୟବୟସୀ ଲୋକଟିକୁ ଯେତିକି ଜଣା ତାଠୁଁ ବେଶି ଜଣା ସାନପିଲାଙ୍କୁ । ତେଣୁ ଜ୍ୟେଷ୍ଠମାନେ କନିଷ୍ଠଙ୍କୁ ପୂର୍ବକାଳ ପରି ଆକଟ କରିବା, କାନ ମୋଡ଼ିଦେବା ଆଜିକାଲି ଅସମ୍ଭବ ।

 

ପିଲା ଦୁଇଟା ଏହିପରି ଜଣେ ବୟସ୍କ ବଗିଚା ମାଲିକକୁ ନିଜର ବୁଦ୍ଧିବଳରେ ଚୋର କରିଦେଇ ଭଦ୍ରଲୋକଙ୍କ ପରି ପେଣ୍ଟ୍‌ ପକେଟରେ ପିଜୁଳି ଭର୍ତ୍ତି କରି ଫେରିବା ପରେ ଟିକିଏ ବେଶି ଉଦ୍ଧତ ହେଲାପରି ନଜର କରୁଥାନ୍ତି ସବୁଆଡ଼କୁ । ଏତିକିବେଳେ ତାଙ୍କର ନଜର ପଡ଼ିଗଲା ପୋଖରୀ ହୁଡ଼ାରେ ହୁଙ୍କାଭଳି ବସିଥିବା ମଣିଷଟା ଉପରେ ।

 

‘‘ହଇଓ ଚିନ୍ତା ବୁଢ଼ା, ପୋଖରୀ ଭିତରେ କଅଣ ଦେଖୁଚ—ବାଘ ?’’ କହୁ କହୁ ପିଜୁଳି ଚୋବାଉଥିବା ଟୋକାଟା ହସିପକାଇଲା, ଆଉ ପୋଖରୀ ଭିତରେ ବାଘ କଥାଟି ନିଜେ ଉଭାବନ କରିଥିବା କାରଣରୁ ତାର କଳ୍ପନାପ୍ରବଣତା ହଠାତ୍‌ ଉତ୍‌ଫୁଲ୍ଲିତ ହୋଇଉଠିଲା । ଟୋକାଟା ଏଥର ଆହୁରି ବଡ଼ ପାଟିରେ ହସିହସିକା ରାସ୍ତା ଛାଡ଼ି ଗାଡ଼ିଆ ହୁଡ଼ା ଉପରକୁ ଉଠିବାର ଉପକ୍ରମ କଲା । ତା ଦେଖାଦେଖି ଅନ୍ୟ ଟୋକାଟି ବି ଧଇଲା ତା ପିଛା । ଦୁହେଁ ସେହିପରି ହସୁ ହସୁ ବେଦମ୍‌ ହବା ଅବସ୍ଥାରେ ଆସି ପହଞ୍ଚିଗଲେ ଚିନ୍ତାବୁଢ଼ା ପାଖାପାଖି ।

 

‘‘ହଇରେ ହେ, କାହିଁକି ଏମିତି ଉତ୍ପାତିଆ ହଉଚ !’’ ବୁଢ଼ା ଲୋକଟି ତାର ନାତି ବା ଅଣନାତି ପଣନାତି ବୟସର ପିଲାଯୋଡ଼ିଙ୍କୁ ଯେଉଁ ଭାଷାରେ ଆକଟ କରିବା କଥା ସେହିପରି କହୁ କହୁ ପିଲାଙ୍କ କାନ୍ଧରେ ଝୁଲୁଥିବା ବସ୍ତାନୀ ଯୋଡ଼ିକୁ ଅନେଇ ପଚାରିଲା ‘‘ଏଥେରେ କି ପାଠ ଅଛିକିରେ ତମର ? କଅଣ ଟିକିଏ ଆଧୁନିକ ବିଦ୍ୟା ଶିଖେଇ ଦିଅନ୍ତ ନାଇଁରେ ମତେ......ହଇରେ-?’’

 

କିନ୍ତୁ ଟୋକା ଦୁଇଟାଙ୍କ ମତଲବ ଦିଶୁଥାଏ ଭିନ୍ନ ପ୍ରକାର । ଯଦିଓ ମୁହଁ ଯୋଡ଼ାକରୁ କିରିକିରି ହସ ଫାଟିପଡ଼ୁଥାଏ, ତେବେ କୌଣସି କାରଣରୁ ସେ ଯୋଡ଼ାଙ୍କ ଆଖି ହଳକ ଦିଶୁଥାଏ ବଡ଼ ଅବାଗିଆ—ଗାଁର ଶତାୟୁରୂପେ ସଦ୍ୟ ଜନଗଣନା ବିଭାଗର ଲୋକଙ୍କଦ୍ୱାରା ମୁଣ୍ଡ ଗଣତିରେ ଚିହ୍ନଟ ହୋଇ ସାରିଥିବା ବୁଢ଼ା ଚିନ୍ତା ମଳିକଙ୍କର ସ୍ତୀମିତ ଅଥଚ କାର୍ଯ୍ୟକ୍ଷମ ଦୃଷ୍ଟିକୁ ।

 

‘‘କିରେ, ତମ ଯୋଡ଼ାଙ୍କ ଆଖିରେ ବାଘମାମୁଁ ବିଜେ କଲାପରି ଦିଶୁଚନ୍ତି କାଇଁକିରେ ବାପ ? କାହାରି ଅନିଷ୍ଟ କରି କୁଆଡ଼ୁ ପଳେଇ ଆଇଚ କିରେ କୁଳାଙ୍ଗାର ହଳକ ?’’

 

ଟୋକା ହଳକ ନିଜ ପ୍ରଶ୍ନର ଉତ୍ତର ଗାଁର କୁଳବୃଦ୍ଧ ବୋଲାଉଥିବା ଚିନ୍ତା ମଳିକ ବୁଢ଼ା ତୁଣ୍ଡରୁ ଅବିକଳ ନିଜ କଳ୍ପନାର ପାଖାପାଖି ଧରିଯାଉଥିବା ଦେଖି ଆହୁରି ହସାହସି ହେଲେ ପରସ୍ପରକୁ ଅନାଅନି ହେଇ । କିନ୍ତୁ ଅଳ୍ପ ସମୟ ପରେ ପ୍ରକୃତିସ୍ଥ ହୋଇ ଟୋକା ହଳଟି ବହି ବସ୍ତାନୀକୁ କାନ୍ଧରୁ ଓହ୍ଲେଇ ରଖିଲେ ଗାଡ଼ିଆ ବନ୍ଧ ଉପରେ । ଏହା ପରେ ସେମାନେ ପ୍ରସ୍ତୁତ ହେଇଗଲେ ଅବେଳାରେ ହେଲେ ମଧ୍ୟ ଗାଡ଼ିଆରେ ପଶି, ଦିହରୁ ଗରମ ଭାଙ୍ଗିବା ଇଚ୍ଛାରେ, ଥୋଡ଼ାଏବେଳ ଜଳକେଳି କରିବା ପାଇଁ ।

 

ପ୍ରାୟ ଘଣ୍ଟାଏ କାଳ ଟୁବ ଗାଡ଼ିଆର ଅଳ୍ପ ଗହୀରା ପାଣିକୁ ଗୋଳେଇ ଘାଣ୍ଟି ହାତୀ ହଳେ ପରି ମନ୍ଥାମନ୍ଥି କରିସାରି ଟୋକା ହଳକ ଉଠିଲେ ପାଣିରୁ । ସେତେବେଳକୁ ଆଖି ତାଙ୍କର ଦିଶୁଥାଏ କୁମ୍ଭାଟୁଆଆଖିଭଳି ଲାଲ୍‌ ଲାଲ୍‌ ।

 

ପିଲାଏ ଗାଡ଼ିଆ ବନ୍ଧରେ ବହି ବସ୍ତାନୀ ଥୋଇ ଗାଧୋଇଯିବାବେଳୁ ବୁଢ଼ା ଚିନ୍ତା ମଳିକ ସେମାନଙ୍କ ବସ୍ତାନୀ ଫିଟେଇ କେତେ ଖଣ୍ଡ ପଢ଼ା ବହି କାଢ଼ି ଜମେଇ ସାରିଥାଏ ତା ଚାରିପଟେ । ପିଲେ ପାଣିରୁ ଉଠିଲାବେଳକୁ ବୁଢ଼ା ବସିଥାଏ ଗୁମ୍‌ ହେଇ । ଚାରିପଟେ ଖେଳିଆ ହେଇଥିବା ବହିଗୁଡ଼ାକ ଦିଗକୁ ଆଦୌ ଲକ୍ଷ୍ୟ ନଥାଏ ତାର ।

 

ଟୋକାମାନେ ଓଦା ସଡ଼ ସଡ଼ ହେଇ ଗଡ଼ିଆ ବନ୍ଧକୁ ଉଠି ନିଜ ନିଜ ବହିର ଏ ହାଲ ଦେଖି ଆଶ୍ଚର୍ଯ୍ୟ ହେଲେ । ଚିଡ଼ିଗଲେ ବି ଟିକେ ।

 

‘‘ତମକୁ କିଏ କହିଲା ଆମ ବସ୍ତାନୀ ଫିଟେଇବାକୁ ?’’ ଜଣେ ପାଟିକରି ଉଠିଲା । ତେବେ ଅନ୍ୟ ଜଣକ ହସହସ ହେଇ ପଚାରିଲା—‘‘ହଇଓ ଅଜା ! ତମକୁ ପାଠ ପଢ଼ି ଆସେ ନା କଅଣ ମ ! କହିଲ କହିଲ କଅଣ ପଢ଼ିଲ ଆମ ବହିରୁ ?’’

 

ଗାଁର କୁଳବୃଦ୍ଧ ଶତାୟୁ ବ୍ୟକ୍ତିଟି ବୟସରେ ଯଥେଷ୍ଟ ବୃଦ୍ଧ ହୋଇଯାଇଥିଲେ ମଧ୍ୟ ମନରେ ତାର ସେତେବେଳେ କେଉଁ ଉମରର ମଣିଷଟି ସକ୍ରିୟ ଅବସ୍ଥାରେ ଥିଲା କେଜାଣି—କିଶୋର ଦୁହିଁଙ୍କ ସଙ୍ଗତି ପାଇ ମନ ଭିତରର ନିର୍ବାକ୍‌ ମଣିଷଟି ତାର ସବାକ୍‌ ହୋଇ ଉଠିଲା । କହିଲା—‘‘ତମ ବହିରେ କୃଷ୍ଣଙ୍କ ନଟୁଚୋରୀ ପ୍ରସଙ୍ଗ ଥିଲାଭଳି ଦିଶୁନାହିଁ ତ ରେ ବାପ ! ସେକାଳେ ଲୋକଗୁଡ଼ାକ ଭାରି ଚୋର ଥିଲେ । ଆମ ଠାକୁରତ ନିଜେ ଚୋର ଥିଲେ—ନହୁଣୀ ଚୋରୀ, ବସ୍ତ୍ର ଚୋରୀ, ନଟୁ ଚୋରୀ କେତେ ଚୋରୀ । ଆଜିକାଲି ଚୋରୀ ବିଦ୍ୟା କିଛି ନାଇଁ ତମର-? ଖାଲି ସତ ସତ ତୁଛେଇଁକି ହଉଚ !’’

 

ଟୋକା ଦୁଇଟା ବୁଢ଼ା ମୁହଁରୁ ଏଭଳି ପ୍ରସଙ୍ଗ ଶୁଣି ଭାରି ଖୁସି ହେଇଗଲେ । ଆହୁରି ହସିଲେ କିରି କିରି ହେଇ । ପଚାରିଲେ—‘‘ଅଜା, ତମ ଉମର ସତେରେ ଶହେ ? ଏ ଜନଗଣନାବାଲା କହୁଥେଲେ କୁଆଡ଼େ ଆମ ଏ ଖଣ୍ଡମଣ୍ଡଳରେ ଆଉ କେହି ନାହିଁ ତମ ଉମରର–ସତ ନା ?’’

 

ବୁଢ଼ା ଯୋଉ କଥାଲହସରେ ଶ୍ରୀକୃଷ୍ଣଙ୍କ ଲହୁଣୀ ଚୋରୀ, ବସ୍ତ୍ର ଚୋରୀ ଆଉ ନଟୁ ଚୋରୀ ବିଷୟ ପିଲାଙ୍କ ଆଗରେ ଉତ୍‌ଥାପନ କରିଥିଲା, ସେଇ ଲହସରେ କହିଲା—‘‘ଶହେ କିବା ଉମର ରେ ! ମୁଁ ତ ମନେକରିଚି ବିଶାଶହେ ବଞ୍ଚିବି ।’’

 

ଟୋକା ଯୋଡ଼ିକ ପାଣି ସଡ଼ସଡ଼ ହୋଇଥିବାରୁ ଶୀଘ୍ର ଶୀଘ୍ର ନିଜ ବହି ବସ୍ତାନୀ ଧରି ବାହାରିବାକୁ ବସିଥାନ୍ତି ଘରମୁହାଁ । କିନ୍ତୁ ଚିନ୍ତା ବୁଢ଼ା ମୁହଁରୁ ‘‘ମୁଁ ତ ବିଶାଶହେ ବଞ୍ଚିବି’’ ଶୁଣି ଚମକି ପଡ଼ିଲେ ନିଶ୍ଚେ । ତାଙ୍କ ଭିତରୁ ଜଣେ କଥାଟାକୁ ବିଶ୍ୱାସ ନକରିପାରି ଫଟେଇ ହେଇ ପଚାରିଦେଲା—‘‘କଅଣ କହିଲ—ବିଶାଶହେ ? ମାନେ ଶହେକୋଡ଼ିଏ ?’’

 

‘‘ହଁ ମ, ବିଶାଶହେ ମାନେ ଆଉ କଅଣ ?’’ ଚିନ୍ତା ବୁଢ଼ାର ଶେତା ଶୁଖିଲା ଅଥଚ ମଞ୍ଜ ଶାଳୁଆ କାଠରେ ତିଆରି ହେଲାପରି ପୂରାତନ ଶରୀରର ମୁହଁ ଅଂଶଟା ବେଶ୍‌ ଚେଙ୍ଗା ହୋଇ ଉଠିଲା ଭଳି ଦେଖାଗଲା ସେତେବେଳେ ।

 

ପିଲାଯୋଡ଼ିକ ଆଶ୍ଚର୍ଯ୍ୟ ହୋଇଗଲେ । ଜଳକା ହେଲାଭଳି ଦୁହେଁ ଆଖି ପୂରେଇ ଦେଖିନେଲେ ଆଉ ଥରେ ମଣିଷଟାକୁ । ଠିକ୍‌ ସେତିକିବେଳେ ଜଣକ ମୁଣ୍ଡକୁ କଅଣ ଢୁକିଗଲା କେଜାଣି, ପଚାରିଦେଲା ସେ—‘‘ଆଚ୍ଛା ଅଜା, ତମେ ଏତେଗୁଡ଼ାଏ ବର୍ଷ ବଞ୍ଚି କଅଣ କରିବ କହିଲ ? ଜନଗଣନାବାଲା କହୁଥିଲେ—ଆମ ଦେଶରେ ଏତେ ମଣିଷ ହେଲେଣି ଯେ...’’

 

ଶତାୟୁ ବୃଦ୍ଧ ଚିନ୍ତା ମଳିକ ମୁହଁର ଔଜଲ୍ୟ ସେତିକିରେ କିଞ୍ଚିତ୍‌ ମଉଳି ପଡ଼ିଲା ଅବଶ୍ୟ କିନ୍ତୁ ସେ କିଛି ନୁହେଁ । ଦୀର୍ଘ ଶତାବ୍ଦୀଟିଏ ଧରି ସେ ଦେହ, ସେ ମୁହଁ ଯେତେ ଯେତେ ବାର ମଉଳିଯାଇଚି ଯେତେ ଯେତେ କାରଣରୁ, ସେ ତୁଳନାରେ ପିଲାଙ୍କର କଥା କିଛି ନୁହଁ ନିଶ୍ଚୟ ।

 

‘‘ମୁଁ ବଞ୍ଚିଲେ କଅଣ କରିବି କହୁଚ ? କାଇଁକି କଅଣ ନକରିବି କହୁନ—’’ ହସିଦେଲା ଲୋକଟି । ଆଉ ସେ ହସ ଜଣେ ଶତାୟୁର ହସ ହୋଇଥିବା କାରଣରୁ ବା ଆଉ କୋଉଥିପାଇଁ କେଜାଣି, ଟୋକା ଯୋଡ଼ାଙ୍କ ଗାଲରେ ଠୋ ଠୋ ଯୋଡ଼ିଏ ଚଟକଣା କଷିଦେଲାଭଳି ଶୁଭିଲା ଠୋ ଠୋ ।

 

ପିଲାଏ ରାଗିଗଲେ । ଗୋଟାଏ ବୁଢ଼ା, ପୁଣି ଶହେ ବର୍ଷର—ତା ଦମ୍ଭ ଦେଖି ଖଲଖଲ ହୋଇଗଲା ଇସ୍ପାତୀ ଜିଭ ଯୋଡ଼ାକ ତାଙ୍କର ।

 

‘‘ତମର ତ ବୁଢ଼ୀ ମଲାଣି କୋଉକାଳୁ । ପୁଅ ବୁଢ଼ା ହେଇ ତ ଆରବର୍ଷ ମଲେ—ଆମେ ଆସିଥିଲୁ ଖିରିପିଠା ଖାଇବାକୁ ଶୁଦ୍ଧଘରକୁ । ନାତି ନାତୁଣୀ ତ ପଚାରନ୍ତିନାଇଁ ତମକୁ । ଆଉ ତମେ କହୁଚ ବଞ୍ଚିବ ବିଶାଶହେଯାକେ ! ବଞ୍ଚୁଥାଅ—ଆମେ ଯାଉଚୁ ।’’

 

କିନ୍ତୁ ଏସବୁ ବି କିଛି କାଫିଲା ଭଳି ଦିଶୁନଥାଏ ବୁଢ଼ାର ମୁହଁଭଡ଼ଙ୍ଗ ଆଗକୁ ।

 

‘‘ଯାଆନ୍ତୁ—ଯାହାର କାଳ ପୂରିଲା ସେ ଯିବ । ନ ପଚାରନ୍ତୁ—ଯାହାର ଇଚ୍ଛା ନ ହେବ ସେ ନପଚାରୁ । ହେଲେ ଏ ଗଡ଼ିଆରେ କଇଁଫୁଲ ତ ଫୁଟୁଚି, ମୀନ ଖେଳୁଚନ୍ତି, ଗଛରୁ ପତ୍ର ଝଡ଼ୁଚି, ପତ୍ର ବି ତ କଅଁଳୁଚି, ନିତି ସକାଳୁ ସୂର୍ଯ୍ୟ ଉଠୁଚନ୍ତି, ଆକାଶରେ ସିନ୍ଦୂରା ଫାଟୁଚି, ପୁଣି ସୂର୍ଯ୍ୟ ବୁଡ଼ୁଚନ୍ତି, ଚନ୍ଦ୍ର ତାରା ଉଦେହଉଚନ୍ତି, ଦିନ ଯାଉଚି, ରାତି.....’’

 

‘‘ଚୋପ୍‌ ବେ ଶଳା ବୁଢ଼ା ଭାରି ଦେଖେଇହଉଚି...’’ —ବୁଢ଼ାର କଇଁଫୁଲ, ମୀନ, ଗଛ, ଆକାଶ କାବ୍ୟ କବିତାଗୁଡ଼ାକ କେଜାଣି କାହିଁକି ଟୋକା ଯୋଡ଼ାଙ୍କ ଭିତରୁ ଜଣକୁ ଖୁବ୍‌ ଉତ୍ତେଜିତ କରିଦେଲା । ତାର ମନେହେଲା ବୁଢ଼ାଟା ଅତି ସ୍ୱାର୍ଥପର । ଆଉ ସେଇଭଳି ସ୍ୱାର୍ଥପର ଲୋକଗୁଡ଼ାଙ୍କ ଯୋଗୁ ଆଜି ଦେଶରେ, ସାରା ପୃଥିବୀରେ ମଣିଷ ସଂଖ୍ୟା ବଢ଼ୁଚି—ଏଥିରେ ସନ୍ଦେହ ରହିଲା ନାହିଁ ଆଉ ତାର ।

 

ବୟସରେ ସାତ ସାନ, କୋଉ ଅଣନାତି ପଣନାତି ବୟସର ପିଲାଟା ମୁହଁରୁ ଏଭଳି ବଚନ ଶୁଣିଲେ ଯେ କେହି ଯାହା ମନେକରନ୍ତା ଶତାୟୁ ବୃଦ୍ଧ ବ୍ୟକ୍ତିଟି ଯେତେ ଗାଉଁଲି ମଫସଲି ହେଲେ ବି ତାଠୁଁ ତ ଭିନ୍ନେ କିଛି ମନେ କରନ୍ତା ନାହିଁ ନିଶ୍ଚୟ ।

 

କିନ୍ତୁ ଏ କ୍ଷେତ୍ରରେ ଏକ ସମ୍ପୂର୍ଣ୍ଣ ବ୍ୟତିକ୍ରମ ଲକ୍ଷ୍ୟକରିପାରିଲେ ଉଭୟ ପକ୍ଷ । ବୁଢ଼ା ହସିଦେଲା । ରାଗରେ ଗାରୁଗାରୁ ହେଇ ମଧ୍ୟ ନହସି ରହି ପାରିଲେ ନାହିଁ ଟୋକା ଯୋଡ଼ାକ ।

 

‘‘ଆଚ୍ଛା ଅଜା, ତମେ ‘ବୋର୍‌’ ହଉନ ସତରେ ଜମାରୁ ? ସତ କହିଲ... !’’

 

‘‘ବୋର୍ଡ଼ ? ବୋର୍ଡ଼ କଅଣ ବା ? କି ଜିନିଷ ସେ ? ଶଳା ! ଅଂଗ୍ରେଜୀରେ କଅଣ କଥାବାର୍ତ୍ତା ହଉଚ ବେ ମୋ ଆଗରେ ?’’ କେଜାଣି କାହିଁକି ହସଟା ମରିମରି ଆସିଲା ବୁଢ଼ା ଲୋକଟାର ମୁହଁ ଉପରୁ । ଶବ୍ଦଟା ସମ୍ପୂର୍ଣ୍ଣ ନିରର୍ଥକ ଆଉ ବିଦେଶୀ ଭଳି କାନକୁ ଶୁଭୁଥିଲେ ମଧ୍ୟ ବୁଢ଼ା କଅଣ ସତେକି ବାରିନେଲା । ଗୋଟାଏ ବିଷ ଜିନିଷ ନାକରେ ଶୁଂଘୁ ଶୁଂଘୁ ଜିନିଷଟାର ଦ୍ରବ୍ୟଗୁଣ ନାକ ବାରିନେଲାଭଳି ଶତାୟୁର ନାକ କୁଞ୍ଚେଇ ହେଇଗଲା । ଦେହଟା ମଧ୍ୟ ଝିମିଝିମି ହେଇଗଲା ତାର ।

 

ଏତେବେଳଯାକେ ଟୋକାଯୋଡ଼ିକ ଭିତରୁ ଯେ ପ୍ରଥମେ ଉଦ୍ଭାବନ କରିଥିଲା ସେ ବିଷ ମନ୍ତ୍ରର ପ୍ରୟୋଗ ପଦ୍ଧତିକୁ—ସେଇ ଟୋକା ଏଥର ଉତ୍ସାହିତ ହୋଇଉଠିଲା । କହିଲା–‘‘ଅଂଗ୍ରେଜୀ ନୁହଁ ଅଜା ! ଏ ଆମ ଓଡ଼ିଆ କଥା—ଖାଣ୍ଟି ଓଡ଼ିଆ କଥା ପରା—ବୋର୍ଡ଼ ! ବୋର୍ଡ଼ ! ବୋର୍ଡ଼ ! ତମେ ତ ଖବରକାଗଜ ପଢ଼ୁନ, ଜାଣିବ କେମିତି !’’

 

‘‘ଆଜିକା କାଗଜ ଦେଖିଲଣିଟି ଅଜା ?’’ ଆର ପିଲାଟି ଡୁହା ଧରିପକେଇଲା ସ୍ୱରରେ କହିଲା, ‘‘ଗୋଟାଏ ଗର୍ଭବତୀ ନାରୀକୁ ଆଠଜଣ ଗୁଣ୍ଡା ନଈବାଲିକି ଟେକିନେଲେ...’’

 

‘‘ହେ କୃଷ୍ଣ ! ହେ ରାମ !’’ …..ଶତାୟୁ ବୃଦ୍ଧ ଚିନ୍ତାମଣି ହାକରି ଟୋକା ଯୋଡ଼ାଙ୍କ ଆଖିକୁ ଅନେଇ ପଚାରିଲେ—‘‘ଏଁ ? କଅଣ କହୁଚ ମ ! ତେମେ ଯୋଡ଼ାକ ବାୟା ହେଇଗଲଣିକିରେ ? ଖବରକାଗଜରେ ବାହାରିଚି ଏକଥା ? ଗର୍ଭବତୀ ନାରୀକୁ ହରିଲେ... ?’’

 

‘‘ହରିଲେ ନୁହଁ ଅଜା.......ଗୁଣିଲେ, ଗୁଣିଦେଇଗଲେ ଆଠଟା ହେଁ ବଡ଼ ହେଁ ମୋଟ ପହିଲମାନିଆ ଗୁଣ୍ଡା...’’, ଗୋଟିଏ ଟୋକା କଥାଟିକୁ ଏଇଭଳି ଫେଣେଇଲାରୁ ଆର ଟୋକା କହିଲା—‘‘ୟାକୁ ଆଜିକାଲି କହୁଚନ୍ତି ନାରୀଧର୍ଷଣ । ଖବରକାଗଜରେ ତ ନିଇତି ବାହାରୁଚି ଏ ନାରୀଧର୍ଷଣ ଖବର—ଦିନକୁ ଡଜନେ ଡଜନେ ସମ୍ବାଦ । ଖାଲି କ’ଣ ଏଇଆ—ହତ୍ୟାକାଣ୍ଡ—ବାପ ପୁଅକୁ ହାଣିଲା, ପୁଅ ମା’କୁ ହାଣିଲା—ଏ ତ ମାମୁଲି କଥା । ଏବେ କାଗଜରୁ ପଢ଼ିବ ଆହୁରି ମଜା କଥା । ଏଇତ ବାହାରିଚି କାଲିକା କାଗଜରେ—ଦଳେ ସବର୍ଣ୍ଣ କେମିତି ହତ୍ୟାକଲେ ହରିଜନଙ୍କୁ—ଜାଣିଚ ନା ? ରାତି ଅଧରେ ସବର୍ଣ୍ଣ ସାଇରୁ ଉଠିଲେ ପଂଝାଏ—ପଶିଗଲେ ହରିଜନ ସାଇରେ । ବାହାରୁ ତାଟି କବାଟ ଆଗରେ ଠେଙ୍ଗା ବାଡ଼ି ବନ୍ଧୁକ ଧରି ଜଗିଲେ । କୁଡ଼ିଆରେ ଦେଲେ ଚେଙ୍ଗି ନିଆଁ ! ତା ପରେ ତ ଗୋଟାକ ପରେ ଗୋଟାଏ ପୋଖରୀରେ ବାଳିଆ ପିଟିଲା ଭଳି ପିଟି ଦେଇଗଲେ—ଯେ ମୁଣ୍ଡ କାଢ଼ିଲେ କୁଡ଼ିଆ ବାହାରକୁ—ବୁଢ଼ାବୁଢ଼ୀ ଛୁଆ ମାଇକିନା କେହି ବାଦ୍‌ ପଡ଼ିଲେ ନାଇଁ ବାଡ଼ିଆରୁ । ବୁଝିଲ !’’

 

ଶତାୟୁର ସ୍ତୀମିତ ଦୃଷ୍ଟି ଟୋକା ଯୋଡ଼ାଙ୍କ ଚଙ୍ଗଚଙ୍ଗିଆ ମୁହଁ ଉପରେ ସେମିତି ହାଁକରି ସ୍ଥିର ହୋଇ ରହିଥାଏ । ଏଇ ଅବସରରେ ଜଣେ ଟୋକା ଚେତେଇ ଦେଲାଭଳି କହିଲା—‘‘ଆଉ ଚାହିଁଚ କ’ଣ ଅଜା ! ତମେ ତ ହରିଜନ ଲୋକ…...’’

 

ଶତାୟୁ ଚିନ୍ତା ମଳିକ ଚମକିପଡ଼ିଲା । ଆଖି ଯୋଡ଼ିକ ତାର ବୁଜିହେଇଗଲା ।

 

ପିଲା ଯୋଡ଼ାକ ବହି ବସ୍ତାନୀ ଧରି ଉଠୁଥିଲେ । ଗଲାବେଳେ ବୁଢ଼ା ତଥାପି ଆଖି ବୁଜି ବସିଚି ଦେଖି ହସାହସି ଟିକିଏ ହେଲେ । ତଥାପି ବୁଢ଼ାଠୁଁ ବିଦାୟ ନେବା ଢଙ୍ଗରେ ପଚାରିଲେ–‘‘ଅଜା, କାଲି ଏଠି ବସିଥିବଟି ? ଆମେ ଆଣିବୁ ସେ କାଗଜ ସବୁ ଯୋଉଥେରେ ବାହାରିଚି ସେ ନାରୀଧର୍ଷଣ, ହରିଜନ ପୋଡ଼ି…….’’

 

ଶତାୟୁ ଚିନ୍ତା ମଳିକର ଆଖି ଖୋଲିଗଲା । ଟୋକା ଯୋଡ଼ିକୁ ନ ଅନେଇ ଅନେଇଲା ବୁଢ଼ା ଟୁବ ଗାଡ଼ିଆ ଆଡ଼େ । ଟୁବ ଗାଡ଼ିଆର ଗୋଳି ପାଣିରୁ ମୀନ କେତୋଟି ମୁହଁ କାଢ଼ୁଥାନ୍ତି ସେଇକ୍ଷିଣିକା । ସେଇ ମୀନଙ୍କୁ ଅନେଇ ବୁଢ଼ା କହିଲା—‘‘ଆରେ କାଲିକା କଥା କାଲି—ଆଜି କ’ଣ ହଉଚି ଦେଖ ଆଗ । ହଉ, ଯାଅ—ଆସିବ କାଲି । ଆଣିବ ତମ କାଗଜ । ପଢ଼ିବ.......ଶୁଣିବା........ଶୁଣିବା !’’

 

ଟୋକା ଦିଇଟା ହସିଲେ ମୁରୁକେଇ ମୁରୁକେଇ । ଓଦା ସଡ଼ସଡ଼ ପେଣ୍ଟ୍‌, ଝାମ୍ପୁରୁ ଝାମ୍ପୁରୁ ବାଳ, ନାଲ ନାଲ କୁମ୍ଭାଟୁଆ ଆଖି କ୍ରମେ ଏସବୁ ଉଭେଇଗଲା ଶତାୟୁ ବୃଦ୍ଧ ଚିନ୍ତା ମଳିକର ଦୃଷ୍ଟିରୁ-। ବୁଢ଼ା ଆଶ୍ୱସ୍ତ ହେଲା । ହସିଲାଭଳି ହାଇଟିଏ ମାରି ନିଜକୁ ନିଜେ ଶୁଣେଇଲା ଭଳି କହିଲା–‘‘ହ-ରି-ଜ-ନ ! ଶଳା, ଏଇ ଅଭାଷା ଶୁଣିବାକୁ ମଣିଷ ଜୀଇଁବ ! ଆରେ, ଏ ଅଭାଷା ଏ ବିଷ ବାକ୍ୟ ସବୁ କିଏ ସର୍ଜିଲା, ! ନଟୁଚୋରୀ, ବସ୍ତ୍ରଚୋରୀ, ନହୁଣୀଚୋରୀ ଅମୃତ ବାକ୍ୟଗୁଡ଼ାକୁ କିଏ ତମର ଚୋରିକରି ନେଲାରେ ?’’

ପରଦିନ ସ୍କୁଲ ଯିବା ବାଟରେ ପିଲାଯୋଡ଼ାକ ନିଜ ନିଜ ବସ୍ତାନିରେ ସତକୁସତ ଖଣ୍ଡେ ଖଣ୍ଡେ ପୁରୁଣା ଖବରକାଗଜ ଗୁଞ୍ଜିଗାଞ୍ଜିକରି ଆଣିଥିଲେ । କିନ୍ତୁ ଗାଁ ଭିତର ହରିଜନ ସାଇ ପାଖ ଟୁବ ଗାଡ଼ିଆ ହୁଡ଼ାରେ ଚିନ୍ତା ବୁଢ଼ା—ଗାଁର ଶତାୟୁ ଚିନ୍ତା ମଳିକ ବୁଢ଼ାର ଚିରନ୍ତନ ଉପସ୍ଥିତିକୁ ହଠାତ୍‌ ଅନୁଭବ କରି ନପାରି ସେମାନେ ପଡ଼ିଗଲେ ମହା ସନ୍ଦେହରେ ।

‘‘ଶଳା ବୁଢ଼ା ଲୁଚିଲା କିରେ ?’’ ଜଣେ ପଚାରିଲାରୁ ଆଉ ଜଣେ ହସିପକେଇ କହିଲା–‘‘ଡରିଗଲା ପାଠକୁ—ଖବରକାଗଜଟା ଆଣିଚୁଟି ?’’

ଦୁହେଁ ଏହିଭଳି ଥଟ୍ଟାତାମସା କରି ଉଠିଲେ ଗାଡ଼ିଆ ବନ୍ଧ ଉପରକୁ । ହଠାତ୍‌ ତାଙ୍କ ଭିତରୁ ଜଣେ ପାଟିକଲା, ‘‘ଆରେ-ଶଳା ଏଇଠି ଲୁଚିଚିରେ ଲୁଚିଚି !’’

‘‘କୋଉଠି, କୋଉଠି ?’’

‘‘ହେଇ ସେଠି ! ଯୋଉଠି କଇଁକଢ଼ ହଲୁଚି—ମୀନ ଖେଳୁଚି—ସେଇଠି ସେଇଠି ପରା-’’

ଟୋକାଯୋଡ଼ାକ ଅନେଇଥାନ୍ତି । ତାଙ୍କ କାନ୍ଧରୁ, ବହି ବସ୍ତାନୀ ଭିତରୁ ପୁରୁଣା ଖବରକାଗଜ ଦିଓଟି ପୂର୍ବକାଳର ଧନୁର୍ବିଦ୍‌ ବୀରଙ୍କ ତୁଣୀରରୁ ମୁଣ୍ଡ ଟେକି ଅନେଇଥିବା ଯୋଡ଼ିଏ ମହାଭୟଙ୍କର ଅସ୍ତ୍ର... ବ୍ରହ୍ମାସ୍ତ୍ର କି ପାଶୁପତପରି... ଅନେଇ ରହିଥାନ୍ତି ।

କଇଁକଢ଼ ହଲୁଥାନ୍ତି । ମୀନ ଖେଳୁଥାନ୍ତି । ଟୁବ ଗାଡ଼ିଆର କାଲିକା ଗୋଳିଆ ପାଣି ଆଜି କାଚକେନ୍ଦୁ ଭଳି ସଫା ଦିଶୁଥାଏ । ସେଇ ପାଣିରେ ଟୋକାଯୋଡ଼ାଙ୍କ ଛାଇ ପଡ଼ିଥାଏ.......ଅବିକଳ ଯୋଡ଼ାଏ ପୂର୍ବକାଳିଆ ବୀରଙ୍କ ଭୂତଭଳି ।

Image

 

‘ଚାଲ୍‌ ସେଇଠିକି ଯୋଉଠି ଭଗବାନ ଅଛନ୍ତି’

 

‘‘ଏଠି ଆମର ଗୋଟାଏ ଉଡ଼ାଜାହାଜ ଦୁର୍ଘଟଣା ଘଟନ୍ତା ନାଇଁ—’’

 

ଗାଁ ଟୋକାମାନେ ପ୍ରାୟ ଅଧିକାଂଶ ଦିନ ଏମିତି କଥାବାର୍ତ୍ତା ହୁଅନ୍ତି—ଆକାଶକୁ ଅନିଷା କରି—ଯେତେବେଳେ ବହୁ ଉଚ୍ଚରେ, ବାଦଲ ଉପରେ, ନେଳୀ ବା ଛେନାଛତିଆ ଆକାଶକୁ ଦିଫାଳ କରି ଚିରିଦେଇ ଗୋଟାଏ ଜେଟ୍‌ ଉଡ଼ାଜାହାଜ ବଡ଼ିସକାଳୁ ଗାଁ ଉପର ଦେଇ କୁଆଡ଼ୁ କୁଆଡ଼ିକି ଉଡ଼ି ଚାଲିଯାଏ—ଏକ ଲମ୍ବା ଧୂଆଁର ସିଆର କାଟିଦେଇ ।

 

‘‘ଶଳାଗୁଡ଼ାକ ଭାରି ଅଏଇସ୍‌ରେ ଅଛନ୍ତି, ସାଉଁକିନା ଉଡ଼ିଯାଉଚନ୍ତି ମୁଣ୍ଡ ଉପରେ ଆମର... ଓଃ କି ଫୁଟାଣି !’’

 

‘‘ଫୁଟାଣି ? ବଜ୍ଜାତ୍‌—ବଜ୍ଜାତ୍‌ ବାହଞ୍ଚ ! କେତେ ଟଙ୍କା ଲୁଟୁଚନ୍ତି ଦେଖୁନ ! ନହେଲେ ଆମକୁ ସାଇକଲ ଖଣ୍ଡେ ମିଳୁନି—ଭାତ ମୁଠାଏ ମିଳୁନି—ଲୁଗା ଖଣ୍ଡେ ମିଳୁନି—ଆଉ ଏ ଶଳେ ପ୍ରତିଦିନ ଉଡ଼ୁଛନ୍ତି ଆମ ମୁଣ୍ଡ ଉପରେ । ପୁଣି ଜେଟ୍‌ ଉଡ଼ାଜାହାଜରେ ! ଆଚ୍ଛା, ହଇରେ, ଏ ହ୍ୟାପ ଜାହାଜ ଗୁଡ଼ାକ ନିତି କୁଆଡ଼େ ଯାଉଚି ଆସୁଚି କିରେ ? ଏଃ, କି ବେଗଲୋ ବାପ ! କାନରେ ଶବ୍ଦ ନବାଜୁଣୁ ଆଖିରୁ ଅନ୍ତର୍ଦ୍ଧାନ । ଶଳା ଶବ୍ଦଭେଦୀ ବାଣ ମାରିଲା ପ୍ରାୟେ ଯାଉଚି କେମେତେ ଦେଖୁନ-! ଓଃ, ପଡ଼ନ୍ତା ନାଇଁ ଗୋଟାଏ ଖଣ୍ଡେ ଆମର ଏଠେଇଁ—ଦେଖନ୍ତେ କିଏ କିଏ ଯାଉଚନ୍ତି, କିଏ କିଏ ମହାତ୍ମା ସେମାନେ !’’

 

‘‘ଧ୍ୟାତ୍‌ ! ଏ ସବୁ ଉଡ଼ାଜାହାଜ ପଡ଼େନି ଏଡ଼େ ସହଜରେ । ଆଉ, ପଡ଼ିବ ଯଦି ନା ମନ୍ଥି ପକେଇବ, ଚୂନ୍‌ଭୂତ୍‌ କରିଦେବ, ଜାଳି ଦବଟି ଘରଦ୍ୱାର ଗାଁଗଣ୍ଡା ଚତୁର୍ଦ୍ଦିଗ ! କଅଣ କମି ଫୋର୍ସରେ ପଡ଼ିବ ଭାବିଚ ? ଖବରକାଗଜରେ ପଢ଼ୁନ—ଯୋଉଠି ଉଡ଼ାଜାହାଜ ପଡ଼େ ସେଠି କେମିତି ମନ୍ଥି ପକାଏ, ଦଳିଚକଟି ଜାଳିପୋଡ଼ି ନଷ୍ଟଭ୍ରଷ୍ଟ କରିଦିଏ ! ସେ ଲୋକତ ମରିବେ—ହାତ-ଗୋଡ଼-ଚିହ୍ନବର୍ଣ୍ଣ ମିଳିବ ନାହିଁ ତାଙ୍କର । ତାଙ୍କ ସାଙ୍ଗେ ସାଙ୍ଗେ ଆମେ ଯିବା ଯେ......’’

 

‘‘ଆଃ, ଆମେ କଣ କହୁଚୁ ଆ ପଡ଼ ଆମ ମୁଣ୍ଡ ଉପରେ ! ପଡ଼ିବ ଯଦି ପଡ଼ନ୍ତା ଏଇ ମନ୍ଦିର ତଳି ଗହୀରରେ କି ନଈ ବାଲିରେ କି ରାମଲୀଳା ଯାତ୍ରା ତୋଟାପାଖ ଖେଳ ପଡ଼ିଆରେ ଯୋଉଠି ନୂଆ କଲେଜ ପିଲେ ଏବେ ଫୁଟ୍‌ବଲ ଖେଳୁଚନ୍ତି…...ସେମିତିକିଆ ଜାଗାରେ ନା, ଆଉ କଣ ଆମ ମୁଣ୍ଡ ଉପରେ !’’

 

‘‘କଲେଜ ପିଲା ! ଆଉ କହନା କହନା ସେ କଥା ! ଆରେ, ଦେଖିଲଟି ସେ ପିଲେ କି କାଣ୍ଡ କଲେ ସେଦିନ ! ଚାରିଚାରିଟା ଲାଇନ ବସ୍‌କୁ ଲାଇନ୍‌ରୁ ଖସେଇ ପକେଇ କେମିତି ପୂରେଇଦେଲେ ବିଲ ଭିତରେ ! କେମିତି ଲଗେଇ ଦେଲେ ନିଆଁ ! ଗାଡ଼ି ଗୁଡ଼ାକ ହୁତୁହୁତୁ ହେଇ ଜଳିଗଲା ଜଉଘର ଭଳି । ମଣିଷ ଗୁଡ଼ାକ କି କାଲୁବାଲୁ ହେଇ ଡେଇଁଡ଼ାଇଁ ପଳାଉଥିଲେ—କି ଭୟଙ୍କର ଦୃଶ୍ୟ ସେ । ଆଚ୍ଛା, ମଟରଗାଡ଼ି ଗୁଡ଼ାକ ଯଦି ଏମିତି ପାଳଗଦା ଭଳି ଜଳିଯାଏ ଟିକିଏ ନିଆଁ ଚେଙ୍ଗି ଦେଲେ—ଉଡ଼ାଜାହାଜ ଗୁଡ଼ାକ କେମିତି ନଜଳୁଥିବ କହିଲୁ ! ସେଥିରେ ପରା କୋଉ ଗୋଟାଏ ଦୋସରା କିସମ ତେଲ ଥାଏ—ମାଇଲିଏ ଦୂରରୁ ନା କଅଣ ନିଆଁ ଧରିପକାଏ !’’

 

‘‘ନାଇଁମ ! ମାଇଲିଏ ଦୂରରୁ !’’

 

‘‘ନାଇଁ ଆଉ କଅଣ ! ସହଜରେ ଦେଖିନୁ......ପେଟ୍ରୋଲ ପମ୍ପ୍‌ ଆଗ ପାଖରେ ସିଗ୍ରେଟ୍‌ ଖାଇବାକୁ କାହିଁକି ମନା କରାହୋଇଥାଏ ଯେ—’’

 

‘‘ଓଃ, ସେଥିରୁ କଅଣ ମିଳିବ ଆମକୁ ହୋ ! ଆମର ଦରକାର ଏଠି, ଆମର ଏଇ ଅଞ୍ଚଳରେ ହଉ ଗୋଟାଏ ଦୁର୍ଘଟଣା, ବଡ଼ ଧରଣର, ଖୁବ୍‌ ବଡ଼ ଧରଣର—ପଡ଼ୁ ଗୋଟାଏ ଉଡ଼ାଜାହାଜ—ବିଶେଷତଃ ଗୋଟାଏ ଏମିତିକିଆ ଜେଟ୍‌ ଉଡ଼ାଜାହାଜ—ଯୋଉଥେରେ ବସିଥେବେ ସେମାନେ ବଡ଼ ବଡ଼ ନେତାଏ, କି ବଡ଼ ବଡ଼ ପୁଞ୍ଜିପତି, ଦେଶୀ କି ବିଦେଶୀ ପଞ୍ଝାଏ ! ହ’ନ୍ତା ଗୋଟାଏ ମଜା । ଆଖି ଦେଖନ୍ତା ଗୋଟାଏ ଦୃଶ୍ୟ । ଲାଗନ୍ତା ଗୋଟାଏ ହୋହଲ୍ଲା ।’’

 

‘‘ଖାଲି ସେତିକି ! ଶଳା ମିଳିବି ଯାନ୍ତା କିଛି ମାଲମତା ।’’

 

‘‘ଆଃ, ମୋର ଗୋଟାଏ ଟେପ୍‌ରେକଡ଼ର ଦରକାର ଥିଲାବେ !’’

 

‘‘ଆଉ ଆମର ସତେକି ଦରକାର ନାଇଁ କିଛି—ଶଳା ପାଞ୍ଚବର୍ଷ କିରାଣୀ ଚାକିରୀ କଲିଣି ଯେ ଭଲକରି ରେଡ଼ିଓ ଖଣ୍ଡେ କିଣି ପାରିଲି ନାଇଁ ଯେ ସବୁ ଶନିବାର ରାତିରେ ମାଇପ ଉଘୋଉଚି ଖଟ ଉପରେ-’’

 

‘‘ହେଃ ହେଃ ହେଃ…...’’

 

‘‘କ’ଣ ହେଃ ହେଃ ବେ—ସତ କହିଲେ......ଫାଟେ ! ଆରେ କହିଲୁ—ଆର ହପ୍ତାରେ ଡାଲି କିଲୋ ଦର ଥିଲା କେତେ, ହେଲା କେତେ ଏ ହପ୍ତାରେ ! ତେଲ ଥିଲା କେତେ ହେଲା କେତେ ! ଚିନି ଗହମ କିରାସିନି.....ମିଳୁଚି ତମକୁ ? ସିମେଟ ବସ୍ତାକ ପରା ହେଲାଣି ଶହେ ! ଏଥେରେ ହେଃ ହେଃ ହେଃ ହଉଚୁ କ’ଣ ଘୋଡ଼ାଦେରେ—’’

 

‘‘ଘୋଡ଼ାଦେରେ ନୁହଁ ଭାଡ଼ୁଆଦେରେ ! ଓ୍ୱାଜିବ କଥା—ଏ ଯୋଉ ଦେଶରେ ବଜାର ଦର ଛୁଟୁଚି ଘଡ଼ିକି ଘୋଡ଼ା ଛୁଟିଲା ଦେରେ, ସେଟା ଗୋଟାଏ ଭାଡ଼ୁଆଙ୍କ ଦେଶ ନା ଆଉ କ’ଣ ! ଏଇ ଭାଡ଼ୁଆ ପଞ୍ଝାକତ ବସିଥେଲେ ସେ ଘୋଡ଼ାରେ—ଏବେ ଘୋଡ଼ା ଛାଡ଼ି ବସିଲେଣି ଯାଇ ଜେଟ୍‌ ବିମାନରେ ! ଦେଖୁନା ଶଳା ଗୁଡ଼ାକ କେମିତି ଉଡ଼ିଯାଉଚନ୍ତି ଲମ୍ବା ଧୂଆଁ ଛାଡ଼ିଦେଇ ଗାଣ୍ଡିଆଡ଼େ ପୁଣି ଆମ ମୁଣ୍ଡ ଉପରେ ! ଆଚ୍ଛା, କହିଲ—ଯାଉଚନ୍ତି ଭଲା କୁଆଡ଼େ ନିଇତି ସକାଳେ ଆଉ ଫେରୁଚନ୍ତି ରାତି ଅଧରେ ! କେତେ ଟଙ୍କା ଖରଚ ହେଉଥିବ ନିତି ତାଙ୍କ ପିଛାରେ ?’’

 

‘‘କିଏ ଜାଣେ ହୋ ! ଆମେତ ଏଇଠି ବଇଚୁ ସାତପୁରୁଷୀ କି ଶହେ ପୁରୁଷୀ—କିଏ ଜାଣେ ! ଆମର ଏଇ କିଆ ବଣ, ତାଳ ବଣ, ଏଇ ନଈ, ଏଇ ଗୋହିରୀ, ଏଇ କୁଡ଼ିଆ ଘର, ଏଇ ଭଙ୍ଗା ମନ୍ଦିର....’’

 

‘‘ଭଙ୍ଗା ମନ୍ଦିର ! ହୁଁ ! କିନ୍ତୁ ଭଙ୍ଗା ମନ୍ଦିର ଭିତରେ ଯେ ପ୍ରତ୍ୟକ୍ଷ ଠାକୁର—ଭୁଲି ଯାଉଚ କି ସେକଥା ! ତମେ ତ ଜାଣ ଆମର ଏ ଠାକୁର କେଡ଼େ ପ୍ରତ୍ୟକ୍ଷ । ଶହ ଶହ କ’ଣ ହଜାର ହଜାର ମାଇଲ ଦୂରରୁ ସାଧୁସନ୍ଥ ଆସୁଚନ୍ତି ଏ ଠାକୁରଙ୍କ ଦର୍ଶନକୁ । ଗଲାବର୍ଷ ହିମାଳୟରୁ ଯୋଉ ମହାତ୍ମା ଆସିଥିଲେ କ’ଣ କହିଗଲେ.......ମନେନାହିଁକି ? କହିନଥେଲେ—ଧର୍ମ ଆଉ କୋଉଠି ନାହିଁ, ଅଛି ଆମର ଏଇ ଅଞ୍ଚଳ ଖଣ୍ଡିକରେ—କହିନଥେଲେ ? କାହିଁକି କହିଥେଲେ କହୁନ ! ଏଇ ଭଙ୍ଗା ମନ୍ଦିର ଖଣ୍ଡକରେ ବସିଚନ୍ତି ଯୋଉ ଠାକୁର ମୂର୍ତ୍ତି ତାଙ୍କରି ପାଇଁ ତ ! କହିନଥେଲେ ଏହି ଠାକୁରଙ୍କ ଯୋଗୁ ଧର୍ମ ତଥାପି ବଞ୍ଚିଚି ଏଇ ଅରାଏ ଭୂଇଁ ଖଣ୍ଡକରେ ? କହିନଥେଲେ—ଏଠି, ଆମ ଗାଁର ମଣିଷମାନେ ମଣିଷ ନୁହନ୍ତି, ଦେବତା । ତେବେ ଆମେ କିଆଁ ନିନ୍ଦିବା ଆମକୁ ! ଆମ କିଆବଣ, ଅମରୀବଣ, ଆମକୁ ବଡ଼ । ଆମ ନଈ, ଆମ କୁଡ଼ିଆ, ଆମ ଭଙ୍ଗା ମନ୍ଦିର ବଡ଼ ଆମକୁ ।’’

 

‘‘ହେ ଯାଃ—ବଡ଼ ଆମକୁ ! ଭାଆରି ବଡ଼—ବଡ଼ ନା ଫଡ଼ । ଯୁଗ ଗଲାଣି କୁଆଡ଼େ, ଆଉ ଏଠି ଚାଲିଛି ବଡ଼ ! ପୁଣି କଅଣ ନା ଧର୍ମ, ଠାକୁର—ଭଙ୍ଗା ମୂର୍ତ୍ତି, ଭଙ୍ଗା ମନ୍ଦିର—ଯାବତ୍‌ ବାଜେ କଥା । ଆମ କିଆ ବଣ, ଆମ ଅମରୀ ବଣ, ପୁଣି ଆମ ମଣିଷ କୁଆଡ଼େ ଦେବତା ! ଦେବତା ନା ଦେ—ବତା । ହ୍ୟାପ ଯାବତ ଚୋର । ଡାକୁଙ୍କ ସରଦାର । କେମିତିଆ ଦେବତା ଦେଖୁନ କି ? ଗଲା ହପ୍ତାରେ ଆମ ଏଇ ଦେବତା ଦଳେ କଅଣ କଲେ କହୁନ ! ହଇଓ ନାରୀଧର୍ଷଣ କି ଜିନିଷ ଆମ ଏ ଖଣ୍ଡମଣ୍ଡଳରେ କିଏ ଦେଖିଥିଲ କି ଶୁଣିଥିଲ ! କିନ୍ତୁ ନିଜ ଆଖିରେ ତ ଦେଖିଲ—ଦଳେ ଛତରା କି କାଣ୍ଡ ନକରି ଦେଲେ ଆମ ଏ ଅଞ୍ଚଳରେ । ଜଣେ ମାଇପିକି ପୁଣି ଆଠ ଦଶ ଜଣ... ଛି, ଛି, ଛି । ଏ ପାଷାଣ୍ଡ ସବୁ ବାହାରିଲେ କୋଉଠୁ... ଏଇ ଅଞ୍ଚଳରୁଟି—ଯୋଉଠି ତମ ହିମାଳୟ ଯୋଗୀ କହିଗଲେ ଧର୍ମ କୁଆଡ଼େ ବଇଚି, ଜଳ ଜଳ କରି ଅନେଇଚି ସେଇ ଭଙ୍ଗା ମନ୍ଦିର ଖଣ୍ଡିକର କାନ୍ଥ ଫାଟ ସନ୍ଧିରୁ ନା କଅଣ ?’’

 

‘‘ହଁ ତ.......ଧର୍ମ ଅନେଇଚି, ବିଶ୍ୱ ଅନେଇଚି । ନହେଲେ ଦେଖୁଚି କିଏ କହୁନ ଏ ଯାବତ ଧର୍ମଛଡ଼ା, ପ୍ରକୃତିଛଡ଼ା ପାଷଣ୍ଡ ବୋଲି କହିଲ ଯାହାଙ୍କୁ ସେ ନରାଧମଗୁଡ଼ାଙ୍କର ଅପକର୍ମମାନଙ୍କୁ ? କିଏ ଅନୋଉଚି, କିଏ ତଉଲୁଚି, ଆଉ କହୁଚି ଯେ ଏ କର୍ମ କର୍ମ ନୁହେଁ—ଦୁଷ୍କର୍ମ, ଅଧର୍ମ, ମହାପାପ । କହୁଚି କିଏ ଏ ବାକ୍ୟ କହୁନ ? ସେ ଯେ କହୁଚି ସେ ଦେବତା ନା ଆଉ କିଏ ?’’

 

‘‘ଦେବତାଫେବତା କିଛି ନୁହଁ—ସବୁ ଗାଲୁ, ସବୁ ଗାଲୁ...’’

 

‘‘ଯଦି ଗାଲୁ ତେବେ ହଉ ପରୀକ୍ଷା, ପରୀକ୍ଷାଟାଏ ହେଇଯାଉ ।’’

 

‘‘କି ପରୀକ୍ଷା…... ?’’

 

‘‘କି ପରୀକ୍ଷା ? କାଇଁକି ? ଏଇ ଉଡ଼ାଜାହାଜ ଦୁର୍ଘଟଣା । ଆଜି ତ ଗଲା । କାଲି ସକାଳୁ । ଆସ ସମସ୍ତେ । ବାହାର ଗାଁବାଲା । ସ୍ତ୍ରୀ ପୁରୁଷ ବୁଢ଼ାବୁଢ଼ୀ ଛୁଆ ପିଲା ସମସ୍ତେ ଯଦି ବାହାରିଆସିବେ ଘରୁ, ଏକାବେଳକେ ଅନେଇବେ ଆକାଶକୁ—ଏକାବେଳେକେ ଡାକଦେବେ, ଆରେ—ଆମେ ଯଦି ଧର୍ମରେ ଅଛୁ, ତେବେ ତେମେସବୁ ଯେ ଯାଉଚ ହୋ ଗଗନମାର୍ଗରେ, ତେମେ ଦେବ ଦାନବ ଗନ୍ଧର୍ବ କିନ୍ନର ଯେ କେହି ହୋଇଥାଅ... ଓହ୍ଲେଇଆସ—ଓହ୍ଲେଇ ଆସ । ତମ ଶୂନ୍ୟ ରଥର ଚକ ବନ୍ଦ ହୋଇଯାଉ—ବନ୍ଦ ହୋଇଯାଉ । ଆସ ଖସି—ଖସି ଆସ । ଦେଖିବା କିଏ ସବୁ ଯାଉଚ ତମେ ଆମ ମୁଣ୍ଡ ଉପରେ ନିତି ଦିନ ପ୍ରତିଦିନ—ଦେଖାଦିଅ, ଦିଅ ଦର୍ଶନ । ବାଜି ପକେଇ କହିବି—ଯଦି ସେ ଉଡ଼ାଜାହାଜ ବାଧ୍ୟ ନହବ ଓହ୍ଲେଇପଡ଼ିବାକୁ !’’

 

‘‘ହେଃ ଯାଃ—ଗାଲୁଆ ଡହରା ଡମ୍ପା କ’ଣ ଆଉ ଗଛରେ ଫଳନ୍ତି ! ଉଡ଼ାଜାହାଜ, ପୁଣି ଜେଟ୍‌—କୁଆଡ଼େ ଖସିପଡ଼ିବ, ଗଳିପଡ଼ିବ କଥାକଥାକେ—ପୁଣି ଏଇ ଡହରା ଡମ୍ପା କଥାରେ । ଧ୍ୟାତ୍‌ ।

 

X X X

 

କିନ୍ତୁ ଚବିଶ ଘଣ୍ଟା—ସକାଳକୁ ସକାଳ ଚବିଶ ଘଣ୍ଟା ମଧ୍ୟ ସତାର୍‌ କରିପାରିଲା ନାହିଁ ଧର୍ମର ପ୍ରଭାବ ସତେବା ! ପ୍ରାୟ ଦିପହର ସୁଦ୍ଧା ଗୋଟାଏ ଅଦ୍ଭୁତ ଆଧିଭୌତିକ ଶବ୍ଦରେ ଉକୁନ୍ଦ୍ରା ନାମକ ସେଇ ଛୋଟିଆ ନଈକୂଳିଆ ଗାଁଟି କମ୍ପିବାକୁ ଲାଗିଲା । ଓଃ କି ଶବ୍ଦ, କି ରାବ, କି କିଳିକିଳ ଶବ୍ଦରେ ବାପ । ସତେ କି ଶୂନ୍ୟରୁ ସାତଥର କ’ଣ ଶହେଥର କି ହଜାରେ ଥର ଘଡ଼ଘଡ଼ି ମାଇଲା ଭଳି ସେ ଶବ୍ଦ ପ୍ରଥମେ ଚଡ଼ଚଡ଼ ହେଇ ଫାଟିଲା ଭଳି ଶୁଣାଗଲା ଗାଁ ଉପରେ । ସେ ଶବ୍ଦ ଶୁଣିଲା ମାତ୍ରେ ମନେହେଲା ଯେମିତିକି ଆକାଶଟା—ସେଇ ବିଶୁଦ୍ଧ ନେଳୀରଙ୍ଗର କପଡ଼ା ଭଳି ବିଶାଳ ବିସ୍ତୃତ ଆକାଶଟା—ଫଡ଼-ଫଡ଼-ଫଡ଼-ଫଡ଼ ହେଇ ଚିରି ଟୁକୁରା ଟୁକୁରା ଖଣ୍ଡ ଖଣ୍ଡ ହେଇ ଫାଡ଼ି ହେଇଗଲା, ଆଉ ସେ ବିଦୀର୍ଣ୍ଣ ଫାଟରୁ ଯିଏ ଖସି ପଡ଼ିଲା ସେଇଟା ଗୋଟାଏ ଉଡ଼ାଜାହାଜ ତ ନୁହଁ–ଗୋଟାଏ ଦୁର୍ଗ, ଉଡ଼ନ୍ତା ଦୁର୍ଗ ସେ । ଆଉ ସେ ଦୁର୍ଗଟା ଘାଇଁଘାଇଁ ହେଇ ଚକ୍‌କର କାଟିକାଟିକା ଉକୁନ୍ଦ୍ରା ଗାଁ ଉପରେ ଏତେ ପାଖରେ ଉଡ଼ି ବୁଲୁଥିଲା ଯେ ଯଦି ଆଉ ଟିକିଏ ତଳକୁ ଖସିଥାନ୍ତା ତେବେ ହୁଏତ ମିଶ୍ରଘର ନଡ଼ିଆଗଛ କିମ୍ବା ପଟ୍ଟନାୟକଙ୍କ ଦୋମହଲା ଘର ଦିହରେ ଧକ୍‌କା ଖାଇ ସିଧା ଖସିପଡ଼ନ୍ତା ତଳକୁ ।

 

କିନ୍ତୁ ନାଁ—ଉଡ଼ାଜାହାଜଟା ନା ଧକକା ଖାଇ ଖସିପଡ଼ୁଥିଲା ନା ଗାଁ ଛାଡ଼ି ଉଡ଼ିଯାଉଥିଲା ଦିଗ୍‌ବଳୟକୁ—ନଈ ଆରପାରିକୁ କି ଆଉ କୋଉଠିକୁ ।

 

‘‘ହେ ଭଗବାନ୍‌, ହେ ନୀଳମାଧବ ଠାକୁରେ, ରକ୍ଷାକର ରକ୍ଷାକର...’’ ଉକୁନ୍ଦ୍ରା ଗାଁର ଆବାଳ-ବୃଦ୍ଧ-ବନିତା ସେତେବେଳକୁ ଯେଝା ଘରୁ, କୁଡ଼ିଆରୁ ବାହାରି ଆସି ଠୁଳ ହେଇଗଲେଣି ସେଇ ଗୋଟିଏ ଆଶ୍ରୟସ୍ଥଳ ଗାଁର ଇଷ୍ଟଦେବ ନୀଳମାଧବ ମନ୍ଦିରର ବେଢ଼ା ଭିତରେ, ବେଢ଼ା ଚାରିପଟେ । ଆଉ ଏକ ଲୟରେ ଘାଇଁ ଘାଇଁ ଚକ୍ରି ଖାଇ ବିକଟାଳ ନାଦ ସହିତ ଗ୍ରାମ ପରିକ୍ରମା କରୁଥିବା ସେଇ ଭୟଙ୍କର ଉଡ଼ନ୍ତା ଦୁର୍ଗଟାକୁ ଅନେଇ ସମସ୍ତେ ଏକାବେଳକେ ହାଉଳି ଖାଉଥାନ୍ତି, ‘‘ଆରେ ବାଜିଲା ତ—ଉ ! ବାଜିଲା ତ—ଉ ! ଏଇ ବାଜିଲା ମିଶ୍ରଘର ଡେଙ୍ଗା ନଡ଼ିଆ ଗଛରେ । ଆରେ ଆରେ—ଖସିଗଲା ତ—ଉ ! ହାଁ ହାଁ ବାଜିଲା ବାଜିଲା ପଟ୍ଟନାଇକଙ୍କ କୋଠା ଦିହରେ ବାଜିଲା ତ—ଉ । ହେ ଭଗବାନ ! ହେ ନୀଳମାଧବ ! —ବାଜିଲା ତ.... ଉ ।’’

 

କିନ୍ତୁ, ନାଃ—ଉଡ଼ାଜାହାଜଟା—ଜେଟ୍‌ ବିମାନଟା—ଗୋଟାଏ ସମ୍ପୂର୍ଣ୍ଣ ବିଦେଶୀ ରଙ୍ଗ, ବିଦେଶୀ ପତାକାର ପଟାପଟା ଛିଟଛିଟକା ରଙ୍ଗ ଆଉ ଝରକା କାଚ ଭିତରୁ ଗୁଡ଼ାଏ ଗୋରା ଗୋରା ବିଦେଶୀ ମୁହଭଳି ଦିଶୁଥିବା ସେସବୁ କି ଅଦ୍ଭୁତ ବିଚିତ୍ର ଯାତ୍ରୀମାନଙ୍କୁ ନିଜ ଗର୍ଭରେ ଧରିଥିବା ଅବସ୍ଥାରେ ବଡ଼ ଅସହାୟ ବଡ଼ ଭାରାକ୍ରାନ୍ତ ଅବସ୍ଥାରେ ଧଇଁସଇଁ ହେଇ ଖାଲି ଚକ୍‌କର ପରେ ଚକ୍‌କର କାଟି ଚାଲିଥାଏ ଗାଁ ଚାରିପାଖେ । ନା ଉଡ଼ିପଳାଉଥାଏ, ନା ଖସି ପଡ଼ୁଥାଏ । ସେତେବେଳକୁ ନୀଳମାଧବଙ୍କ ମନ୍ଦିର ବେଢ଼ା ଭିତରେ ଆଉ ବେଢ଼ା ବାହାରେ ହାଉହାଉ ରାଉରାଉ ହଉଥିବା ମଣିଷ ଗୁଡ଼ାଙ୍କ ଭିତରେ ଖାଲି ଗୋଟାଏ କୋକୁଆଭୟ ପ୍ରବେଶ କରି ସାରି ନଥାଏ—ପ୍ରଗାଢ଼ ଭୟ ସହିତ ଏକପ୍ରକାର ପ୍ରଗାଢ଼ ଉତ୍ତେଜନା ଉଦ୍ରେକ ହୋଇ ଯେପରି ସଚରାଚର ମାନବ ବା ମାନବେତର ପ୍ରାଣୀଜଗତକୁ ସେ ଉତ୍ତେଜନା ହଠାତ୍‌ ରୂପାନ୍ତରିତ କରିପକାଏ କେଉଁ ଏକ ଆଧିଭୌତିକ ଅବସ୍ଥାକୁ ଏବଂ ଏହି ଅବସ୍ଥାହିଁ ଶେଷରେ ପ୍ରସ୍ତୁତ କରିପକାଏ ମଣିଷର ମନକୁ ବା ପ୍ରାଣୀର ପ୍ରାଣକୁ ଏକ ଚରମ ପରିସମାପ୍ତିର ଶେଷ ସିଦ୍ଧାନ୍ତକୁ ଶେଷରେ ନିର୍ଭୟରେ ଗ୍ରହଣ କରିନେବାକୁ—ଉକୁନ୍ଦ୍ରା ନାମକ ସେଇ ଛୋଟିଆ ନଈକୂଳିଆ ଗାଁଟିର ସମବେତ ଗ୍ରାମବାସୀମାନେ ଇତି ମଧ୍ୟରେ ପରସ୍ପରକୁ ସାମୂହିକ ଭାବେ ସେଇ ଶେଷ ସିଦ୍ଧାନ୍ତ ଦିଗରେ ଆଗେଇ ନେଇ ଚାଲିଥାନ୍ତି ବେଶ୍‌ ଦ୍ରୁତ ଗତିରେ ।

 

‘‘ଦେଖିଲ, ଦେଖିଲ ! କ’ଣ କହୁଥିଲି ମୁଁ ଆଜି ସକାଳେ ! ଓହୋ, ହେ ନୀଳମାଧବ ଠାକୁରେ—ଧର୍ମ ଅଛି, ଧର୍ମ ଅଛନ୍ତି ତେବେ ଆମ ଏଇଠି, ଏଇ ଅଞ୍ଚଳରେ... ଏଇ ଗାଁରେ ... ଏଇ ମନ୍ଦିରରେ । ଯାହା କହୁଥିଲି ଫଳିଗଲା... ଫଳିଗଲା ଗୋଟାପଣେ…….’’

 

‘‘କିନ୍ତୁ ତମେ ତ ଏକଥା କହି ନଥିଲ—ତମେ କହିଥିଲ ଯଦି ଗ୍ରାମବାସୀମାନେ ଏକାବେଳକେ ସମସ୍ୱରରେ........କିନ୍ତୁ ଏ ତ ଅଚାନକ ବ୍ୟାପାର । କାହୁଁ ଅଇଲା ଏ ଦାନବ—ଉଡ଼ି ଆସିଲା ଛାଁ କୁ । ଏ ତ ଆମର ଏବାଟେ ନୀତି ଗଲା ଆଇଲାବାଲା ଜାହାଜ ନୁହଁ ।’’

 

‘‘ନିତି ହଉ କି ଅନିତି ହଉ, ଅଇଲା ତ । ତମେ ପରା କହୁଥେଲ—ହଉ ଗୋଟାଏ ଦୁର୍ଘଟଣା । ପଡ଼ୁ ଗୋଟାଏ ଏଠି ବ୍ୟୋମଜାନ ଶୂନ୍ୟରୁ.........କହୁନଥିଲ ?’’

 

‘‘କିନ୍ତୁ ମୁଁ କହିଚି—ଗାଁ ଉପରେ ନପଡ଼ୁ—ପଡ଼ୁ ପଛକେ ଗହୀର ବିଲରେ—କି ନଈବାଲିରେ କି କଲେଜ ପିଲାଙ୍କ ଖେଳପଡ଼ିଆରେ ।’’

 

‘‘ସେଇ କଲେଜ ତ ସବୁ ସାଇଲା—କିଏ କହୁଥେଲା ଏଠି ଏ ପଲ୍ଲୀଗାଁରେ ବଜ୍ଜାରିଆଙ୍କ ଆଖଡ଼ା ଖୋଲି ଏ ତାମସା ଭିଆଇବାକୁ ? କି ଦରକାର ଥିଲା ? ଏବେ ପାଅ । ଯୋଉ ଅଧର୍ମ ବ୍ୟାପିଲାଣି ଏ ସଂସାରରେ, ଏ ମୂଲକରେ, ଏବେ ପାଅ । ମର ସମସ୍ତେ । ଏ ଉଡ଼ାଜାହାଜ ନିଶ୍ଚେ ପଡ଼ିବ ତମ ମୁଣ୍ଡ ଉପରେ ଆଉ କ୍ଷଣକେ । ମରିବ ସମସ୍ତେ.......ମରିବ ସମସ୍ତେ । ଏଇ ବାଜିଲା ତ ମିଶ୍ରସାଇ ନଡ଼ିଆ ଗଛରେ...’’

 

କିନ୍ତୁ ନା । ବିଦେଶୀ ଜେଟ୍‌ ବିମାନଟାର ପାଇଲଟ୍‌ ଏତେ ଗରହୁସିଆର ନୁହେଁ ନିଶ୍ଚେ । ମିଶ୍ରଘର ନଡ଼ିଆ ଗଛ ବା ପଟ୍ଟନାୟକଙ୍କ ଦୋମହଲା କୋଠାଠୁଁ ମାତ୍ର କେଇ ଇଞ୍ଚ ଉଚ୍ଚରେ ଉଡ଼ିଯାଉଥିଲେ ମଧ୍ୟ ଉଡ଼ାଜାହାଜର ରୁମଟିଏ ମଧ୍ୟ ସେ ପର୍ଯ୍ୟନ୍ତ ଛୁଉଁ ନଥାଏ ତଳର କୌଣସି ପ୍ରତିବନ୍ଧକକୁ । ଘାଉଁକିନା ଆସୁଥାଏ ଘାଉଁକିନା ଉଡ଼ି ବାହାରି ଯାଉଥାଏ ସାମନାର ଯେକୌଣସି ପ୍ରତିବନ୍ଧକରେ ଉପରେ ଉପରେ । କିନ୍ତୁ ନାଁ ଗାଁ ଛାଡ଼ି ବାହାରି ଯାଉଥାଏ ନା ଧକ୍‌କା ଖାଇ ଖସି ପଡ଼ୁଥାଏ । ଖାଲି ଘାଇଁ ଘାଇଁ ଚକ୍‌କର—ସତେ କି ବନ୍ଧନରେ ପଡ଼ିସାରିଥାଏ । କିଏ ଯେମିତି ଗୁଣିକରି ବାନ୍ଧିପକେଇଥାଏ, ଛନ୍ଦି ପକେଇଥାଏ ସେ ବିରାଟ ଉଡ଼ନ୍ତା ପାହାଡ଼ ଭଳି ଚଢ଼େଇଟାକୁ ! ଓଃ ବାପଲୋ, କି ରାବ, କି ଚିତ୍କାର । କିନ୍ତୁ ମୁକୁଳି ପାରୁନଥାଏ ।

 

‘‘ଅଧର୍ମ ବ୍ୟାପିଛି ହଁ—କିନ୍ତୁ କିଏ କରୁଚି ଏ ଅଧର୍ମ ? ଆମେ ତ ନୋହୁଁ । ଆମ ଉକୁନ୍ଦ୍ରାବାଲାଏ ଅଧର୍ମ କ’ଣ ଜାଣନ୍ତି ଭଲା ! ଏ ଗାଁର ଜଣେ ଦିଜଣଙ୍କୁ ଛାଡ଼ିଦେଲେ—ସେଇ ମିଶ୍ରଘର ସେଇ ପଟ୍ଟନାୟକ ଘରକୁ ଛାଡ଼ିଦେଲେ—ବାକି ଏଠି ଅଛନ୍ତି କିଏ କହିଲ ଅଧର୍ମ କରିବାକୁ । କଅଣ ଦିନମାନ ପର କ୍ଷେତରେ ହେତା ଲାଗି ସଞ୍ଜକୁ ଭାତ ଗଣ୍ଡିଏ ଖାଇବାକୁ କହନ୍ତି ଅଧର୍ମ ? ସେଇ ଭାତଗଣ୍ଡିଏ ତ ମିଳୁନି ଏଇଲେ ଲୋକଙ୍କୁ । ଏଥେରେ ଅଧର୍ମ ଆସୁଚି କୋଉଠୁ ? ଆମ ମୁଣ୍ଡ ଉପରେ ଏ ବିପତ୍ତି ପଡ଼ିଲା କାହିଁକି ହେ ବାବୁ ?’’

 

‘‘ଆହେ ଅଧର୍ମ ସମସ୍ତେ କରନ୍ତି ନାହିଁ—କରନ୍ତି ଜଣେ ଅଧେ । ଭୋଗନ୍ତି ସମସ୍ତେ । ଏଇ ହେଲା ଧର୍ମତତ୍ତ୍ୱ । ଯଦି ଏ ଗାଁରେ ଦି’ଜଣ ଅଧର୍ମ କଲେ ସାରା ଗାଁବାଲା ତାକୁ ନମୁଣ୍ଡେଇବେ ବୋଲି ଭାବିଚ ? କାହିଁକି ! ଏଇ ଦେଖିଲ, ଦେଖିଲ—ଶଳା ପାଇଲଟ୍‌ଟା ମଦ ଖାଇଚି ନା କଅଣ-। ଆରେ ଆରେ—ଏ ତ ପୂରା ଯେମିତି ତିଆରି ହେଲାଣି ଓହ୍ଲେଇ ପଡ଼ିବ ବୋଲି ସିଧା ବାଉରୀ ସାଇ, ମାନେ ହରିଜନ ସାଇ କୁଡ଼ିଆ ଗୁଡ଼ାକର ମୁଣ୍ଡ ଉପରେ କି କଅଣ ! ଗଲା ଗଲା ଗଲା—ଏଇଲେ ତ ଭାସୁକିନା ନିଆଁ ଉଠିବ ସେଠୁ । ଜଳିଯିବ, ପୋଡ଼ିଯିବ... ଗଲା, ଗଲା, ଗଲା ତ ସେ ସାଇଟା ନା କଅଣ !’’

 

କିନ୍ତୁ ନା, ଜେଟ୍‌ ବିମାନ ଇତିମଧ୍ୟରେ ସତକୁ ସତ ତଳକୁ ଝାମ୍ପ ମାଇଲାଭଳି ଥରେ ଖସିଆସିଥିଲେ ମଧ୍ୟ ପୁଣି ଉଠିଗଲା ଉପରକୁ । ସମ୍ଭବତଃ ଯେଉଁ ସ୍ଥାନଟାକୁ ଲକ୍ଷ୍ୟ କରି ଓହ୍ଲାଇ ପଡ଼ିବ ବୋଲି ଭାବି ନେଇଥିଲା—ସେଟା ଅଖାଡ଼ୁଆ ଦେଖି ପୁଣି ଉଠିଗଲା ଉପରକୁ । ଏଇ ଅବସରରେ ଗୋଟାଏ ଭୀଷଣ କୋଳାହଳ ଶୁଣାଗଲା ମନ୍ଦିର ବେଢ଼ା ବାହାରୁ, ଆଉ ସାଙ୍ଗେ ସାଙ୍ଗେ ପଞ୍ଝାଏ ଲୋକ ଧାଇଁଯାଇଥିଲେ ହରିଜନ ସାଇଆଡ଼େ । କିନ୍ତୁ ଉଡ଼ାଜାହାଜଟା ଗୁଡ଼ିଭଳି ଗୋଟାଏ ଗୋତ୍‌ ଖାଇ ଉପରକୁ ଉଠିଯିବାକ୍ଷଣି ଅଟକିଗଲେ ସେ ପଂଝାକ ।

 

‘‘ଗଲା ଯାଃ—ଭାବିଥିଲୁ ପଡ଼ିଗଲା ନିଶ୍ଚେ !’’

 

‘‘କିନ୍ତୁ ଗଲା କୁଆଡ଼େ ? ହେଇତ ଲେଉଟିଲା—ଓହୋ, କି ଗର୍ଜନ ଲୋ ବୋଉ !’’

 

‘‘ତାକୁ କିଏ ବାନ୍ଧି ଦେଇଚି ନିଶ୍ଚେ ! ମନ୍ତ୍ର କରିଚି । ନ ହେଲେ ଦେଖୁନ ପୁଣି କେମିତି ଘୂରିଲାଣି ଶାଗୁଣା ପ୍ରାୟେ ।’’

 

‘‘କେହି ବାନ୍ଧି ନାହାନ୍ତି—ବାନ୍ଧିଥିଲେ ବାନ୍ଧିଥିବେ ନୀଳମାଧବ ଠାକୁର । ହିମାଳୟର ମହାତ୍ମା କହିଚନ୍ତି ପରା—ଏ ଏକ ଅଦ୍ଭୁତ ଠାକୁର । ସାରା ଜଗତରେ ନାହାନ୍ତି ଏମିତି ଠାକୁର । ନହେଲେ ହିମାଳୟରୁ ମହାତ୍ମାମାନେ କାହିଁକି ଆସନ୍ତି ଏଠିକି କହୁନ ?’’

 

‘‘ସେ ଯାହା ପାରେ ତା ହଉ—ଯଦି ଏ ଜନ୍ତୁ ଏଠି ପଡ଼େ ହଜାରେ ମୁଣ୍ଡ ଖାଇବ ନିଶ୍ଚେ-। ନୀଳମାଧବ କ’ଣ ଚାହୁଁଚନ୍ତି ଏଇଆ ? ଆମେ ମରିବା—ଆମ ମୁଣ୍ଡ ଉପରେ ଉଡ଼ାଜାହାଜ ପଡ଼ିବ ?’’

 

‘‘ସେ କଅଣ ଚାହୁଁଚନ୍ତି ତମେ କଅଣ ଜାଣ—ସେ ଯଦି ଚାହୁଁଥାନ୍ତି ଏଠି ଗୋଟାଏ ଉଡ଼ାଜାହାଜ ପଡ଼ୁ—ଧନ ରତ୍ନ ହୀରାନୀଳା ସ୍ୱର୍ଗରୁ ଖସିପଡ଼ୁ—ଉକୁନ୍ଦ୍ରା ଗାଁର ଦରିଦ୍ର ଲୋକଙ୍କୁ ସେ ଧନ ପରାପତ ହଉ—ଦାରିଦ୍ର୍ୟ ଘୁଞ୍ଚୁ—ଗରିବ ହଟୁ....’’

 

‘‘କାହିଁକି ନଚାହୁଁଥିବେ ସେଇଆ ? ପାଞ୍ଚବରଷ ହେଲାଣି—କିରାଣୀ ଚାକିରୀଟିଏ କଲି ସିନା । ଏଠୁ କାହିଁ ପଚିଶ ମାଇଲ ଦୂର ସହରରେ । କି ମହରଗ ଜାଗା । କଅଣ ଖାଏ କଣ ପିଏ । ସୋମବାର ସକାଳୁ ଯାଏ ଯେ ଆସୁଆସୁ ଶନିବାର ରାତି ଅଧ । ଆମ କଥା କିଏ ବୁଝେ ? ଖଣ୍ଡିଏ ଟ୍ରାଞ୍ଜିଷ୍ଟର ରେଡ଼ିଓ ପରା କରିପାରିଲିନାହିଁ ବୋଲି ଆମ ଘରେ କି କେଲେଙ୍କେରି କହୁଥିଲି ତୁମକୁ ଆଜି ବଡ଼ ସକାଳେ । ନୀଳମାଧବ ଏବେ ମୋ ଗୁହାରି ଶୁଣି ଏ ବ୍ୟବସ୍ଥା ନ କରୁଚନ୍ତି ବୋଲି କହିବା କେମିତି ? ମୋର ତ ମନେହେଉଚି…...’’

 

ହଠାତ୍‌ ଏକ ପ୍ରଳୟଙ୍କାରୀ ଶବ୍ଦ ସହିତ କି ଭୀଷଣ ଆଉ ଏକ ପ୍ରକାର ରାବରେ ସମଗ୍ର ଅଞ୍ଚଳଟି ଥରିଉଠିଲା ଓ ପ୍ରାୟ ସେହିପରି ହଠାତ୍‌ ଚତୁର୍ଦ୍ଦିଗ ନିସ୍ତବ୍‌ଧ ହୋଇଗଲା ମଧ୍ୟ ।

 

‘‘ଆରେ ପଡ଼ିଗଲା ପଡ଼ିଗଲା । କଲେଜ ଖେଳପଡ଼ିଆରେ ପଡ଼ିଗଲା...... ପଡ଼ିଗଲା…...’’

 

ଆଉ ମୁହୂର୍ତ୍ତକ ଭିତରେ ଶହ ଶହ ଲୋକ ଉକୁନ୍ଦ୍ରା ନାମଧାରୀ ସେଇ ନଈକୂଳିଆ ପଲ୍ଲୀଗ୍ରାମଟିର ଆବାଳ ବୃଦ୍ଧବନିତା—ଗାଁର ଇଷ୍ଟଦେବତା ନୀଳମାଧବ ମନ୍ଦିର ପ୍ରାଙ୍ଗଣ ପରିତ୍ୟାଗ କରି ଧାଇଁବାକୁ ଆରମ୍ଭ କଲେ ସେଇ ଗୋଟିଏ ଦିଗରେ—ରାମଲୀଳା ତୋଟା ପାଖ ଛୋଟ ଖୋଲାଜାଗା ବା କଲେଜ ପଡ଼ିଆରେ ଖସିପଡ଼ି ହୁତ୍‌ହୁତ୍‌ ହେଇ ଜଳି ଯାଉଥିବା ସେଇ ବିସ୍ମୟକର ବସ୍ତୁର ପାହାଡ଼ଟା ଆଡ଼କୁ ।

 

କିନ୍ତୁ ଘଟଣାସ୍ଥଳରେ ଉପନୀତ ଢେର୍‌ ପୂର୍ବରୁ ଜଣେ କିଏ ଚିତ୍କାର କରି ଉଠିଲା—

 

‘‘ଆରେ ହେ । ଗୋଟାଏ ଟ୍ରାଞ୍ଜିଷ୍ଟରଟାଏ ନା କଅଣଟାଏ ମ ।’’ ଅଟକିଗଲା ଓ ପ୍ରକୃତରେ ସେଇ ବର୍ଣ୍ଣନାତ୍ମକ ଚିତ୍କାର ଅନୁଯାୟୀ ମୁକ୍ତ କୃଷିକ୍ଷେତ ଉପରେ ପଡ଼ିଯାଇଥିବା ପଦାର୍ଥ ଉପରେ ଅଜାଡ଼ି ହୋଇ ପଡ଼ିଲା ।

 

ଏହାର କିଛି ସମୟ ପରେ ଅଦୂରରୁ ଆଉ ଏକ ଉତ୍ସାହଜନକ ଆହ୍ୱାନ ଶୁଣାଗଲା–‘‘ଆରେ କାଙ୍ଗାଳଗୁଡ଼ାକ—ସେଇଠି କାହିଁକି ଧରାପରା ହଉଚ ଭଲା । ହେଇ ଦେଖୁନ । ତୋଟା ଭିତରଯାକ... ମୋ ବାପଲୋ । ଏତ ପୂରାପୂରି ଆମେରିକାନ ଜିନିଷ-ଖାଣ୍ଟି ଆମେରିକାନ୍‌—ଅର୍ଥ ନୂଆ ରେଡ଼ିଓ । ଟେପ୍‌ରେକର୍ଡ଼ର । କ୍ୟାମେରା । ଭ୍ୟାନିଟି ବ୍ୟାଗ । ଶାଢ଼ୀ, ଘଡ଼ି, ଆଉ ମୋ ବାପଲୋ ସୁନା ନା କଅଣ ସେଗୁଡ଼ାକ !’’

 

ଅଧାବାଟରେ, ମୁକ୍ତ ଚାଷକ୍ଷେତରେ ପଡ଼ିଯାଇଥିବା ଗୋଟାଏ ଚୂନ୍‌ଭୁତ୍‌ ଟ୍ରାଞ୍ଜିଷ୍ଟର ରେଡ଼ିଓକୁ ନେଇ ଧରାପରା ହେଉଥିବା ଜନତା ଏଥର ଉଠିପଡ଼ି ଧାଇଁବାକୁ ଲାଗିଲେ ରାମଲୀଳା ତୋଟା ଭିତରକୁ । ଖରାଦିନ, ତୋଟାରେ ଆମ୍ବ ପାଚିବା ବେଳ ହେବାର ଯଥେଷ୍ଟ ପୂର୍ବରୁ ଅଧାଡ଼ୁଆ କୋଇଲିପାରେଡ଼ା କି ସତ ସତ ଅବେଳରେ ପାଚି ଝଡ଼ି ଯାଇଥିବା ଆମ୍ବକୁ ନେଇ ଗାଈଜଗୁଆଳ ପିଲାମାନେ ଯେପରି ଧରାପରା ହୁଅନ୍ତି, ଉକୁନ୍ଦ୍ରା ଗାଁ ଓ ଆଖପାଖର ଅଧିବାସୀମାନେ ସେଦିନ ଦିପହର ଗୋଟାକଯାକ ସେମିତି ଧରାପରା ହଉଥାନ୍ତି ରାମଲୀଳା ତୋଟା ଭିତରେ ।

 

ଅଦୂରରେ, ତୋଟା କଡ଼କୁ ଲାଗି ଗୋଟିଏ ଛୋଟ ଅପ୍ରଶସ୍ତ ଖୋଲା ପଡ଼ିଆ ବା କଲେଜ ପଡ଼ିଆ ଦାଢ଼କୁ, ଥଣ୍ଟ ତଳକୁ ଆଉ ଲାଞ୍ଜ ଉପରକୁ କରି ମୁହଁମାଡ଼ି ପଡ଼ିଯାଇଥିବା ବିରାଟକାୟ ଜେଟ୍‌ ବିମାନଟା ସେଦିନ ଦିପହରେ ମାତ୍ର କେଇଘଣ୍ଟା ଭିତରେ ପୋଡ଼ି ପାଉଁଶ ହୋଇସାରିଥାଏ । ବିମାନରେ ଥିବା ସମସ୍ତ ପାସେଞ୍ଜର ଏକ ସମୂହ ଚିତାଗ୍ନିରେ ଜଳିଯାଇ ସାରିଥାନ୍ତି ବହୁତବେଳୁ । ଜଳନ୍ତା ବିମାନର ଚତୁଃପାର୍ଶ୍ୱରେ ଠାଏ ଠାଏ କଅଣ ସେଗୁଡ଼ାକ ପଡ଼ିଥାଏ କେଜାଣି—ସେଥିମଧ୍ୟରୁ ଗୋଟିଏ ଜିନିଷ ଦିଶୁଥାଏ ଅତି ଭୟଙ୍କର; ତଥାପି ଅତି ଆକର୍ଷଣୀୟ ମଧ୍ୟ-। ଭୟଙ୍କର ଜିନିଷଟା ଗୋଟିଏ ଦରପୋଡ଼ା ମଣିଷର ଅବଶିଷ୍ଟାଂଶ ନିଶ୍ଚୟ । କିନ୍ତୁ ଆକର୍ଷଣୀୟ ବସ୍ତୁଟା ଥିଲା ସେଇ ମଣିଷର ଗୋଟାଏ ହାତ । ସମ୍ଭବତଃ ସେଇ ହାତରେ ତଥାପି ଧୃତ ହୋଇଥିବା ପଦାର୍ଥଟିକୁ ଲକ୍ଷ୍ୟ କରି ଜନୈକ ଗ୍ରାମବାସୀ ତୋଟା ଭିତରୁ ସବୁରି ଅଲକ୍ଷ୍ୟରେ ପ୍ରକୃତ ଘଟଣାସ୍ଥଳକୁ ଧାଇଁ ଆସିବାମାତ୍ରେ ତା ପାଟି ଆଫା ଖାଇଗଲା—

 

‘‘ବ......ବ…...ବନ୍ଧୁକ ଲୋ ବୋଉ !’’

 

ଇତିମଧ୍ୟରେ ତୋଟା ଭିତରୁ ଅଣ୍ଟି, କାନି, ମୁଣି, ଟୋକେଇରେ ସ୍ୱର୍ଗରୁ ବର୍ଷି ଯାଇଥିବା ଅସଂଖ୍ୟ ବିଦେଶୀ ସମ୍ପତ୍ତି ସଂଗ୍ରହ କରିସାରିଥିବା ଜନତା ତୋଟାରୁ ବାହାରି ପଡ଼ିଥିଲା ଏବଂ ପ୍ରକୃତ ଘଟଣାସ୍ଥଳରେ ଘଟିଯାଇଥିବା ମହାଭୟଙ୍କର କରୁଣ ଦୃଶ୍ୟଟିକୁ ସ୍ୱଚକ୍ଷୁରେ ଦେଖିଦେଇ ମୂକ ପାଲଟିଲା ଭଳି ସ୍ତବ୍‌ଧ ହୋଇ ରହିଯାଇଥିଲା । ସେତିକି ବେଳେ ପୁଣି ଥରେ ଶୁଣାଗଲା—

 

‘‘ହାଇଜାଙ୍କି…....ଏ ନିଶ୍ଚେ ହାଇଜାଙ୍କି........ଏଇ ଦେଖ ବନ୍ଧୁକ.......ଏଇ ଲୋକର କାମ ଏ.......ଏଇ ସେଇ ହାଇଜାକର୍‌........ଏଇ…….ଏଇ…….

 

କେହି ବୁଝିପାରିଲେ ନାହିଁ ।

 

ବୁଝିବା ଅବସ୍ଥାରେ ନ ଥିଲେ କେହି ।

 

ଦିନକ ପରେ ବୁଝାପଡ଼ିଗଲା ସବୁ ।

 

ପୁଲିସ୍‌ ଆସିଲା ।

 

ଗାଁର ଅନ୍ଦିକନ୍ଦି ଧୂନ୍ଦାଳି ଯାବତ୍‌ ବିଦେଶୀ ଜିନିଷ ଜବତ କରାଯାଉଥିଲାବେଳେ ପ୍ରକୃତ ବିଷୟ ବୁଝାଇଦେଲେ ସେମାନେ—

 

‘‘ଯୋଉ ଲୋକ ବନ୍ଧୁକ ଧରି ପୋଡ଼ିମଲା ସେଇ ଏ କାଣ୍ଡର ମୂଳ । ଜାହାଜରେ ତିନିଶ ଲୋକ ଥିଲେ । ଏ ପାଗଳା ହଠାତ୍‌ ପାଇଲଟ୍‌ ବେକମୂଳେ ପିସ୍ତଲଟାକୁ ଚାପି ବାରମ୍ବାର ରଡ଼ି ପକେଇଲା—‘ଚାଲ୍‌ ସେଇଠିକି ଯୋଉଠି ଭଗବାନ ଅଛନ୍ତି’ । ପାଇଲଟ୍‌ ବୁଦ୍ଧିବାଟ ନପାଇ ଇଣ୍ଡିଆକୁ ଉଡ଼ିଆସିଲା । ଇଣ୍ଡିଆ, ମାନେ ଆମ ଦେଶରେ ଭଗବାନ କୋଉଠି ବିଚରା ପାଇଲଟ୍‌ ଭାବି ପାରିଲାନାହିଁ । ହଠାତ୍ ଉଡ଼ୁ ଉଡ଼ୁ ହାଇଜାକ୍‌ର କହିଲା—‘ଓହ୍ଲା ! ଓହ୍ଲା ଏଇଠି । ’ ପାଇଲଟ୍‌ ବହୁତ ଚେଷ୍ଟା କଲା—କିନ୍ତୁ ହେଲା ନାଇଁ । ତମ ଗାଁ ଠାକୁର ନୀଳମାଧବ ପ୍ରତ୍ୟକ୍ଷ ଠାକୁର ନିଶ୍ଚେ । ତମ ଗାଁବାଲାଙ୍କ ଉପରେ ରେଡ଼ିଓ, ଟେପ୍‌ରେକର୍ଡ଼ର, ସୁନା ରୂପା ଅଜାଡ଼ି ଦେଲେ । କିନ୍ତୁ ବିଧର୍ମୀକୁ ଧର୍ମକ୍ଷେତ୍ର ଜୀଅନ୍ତାରେ ଛୁଆଁଇ ଦେଲେନାହିଁ । ହଁ, ବାହାରକର ଏଥର ଆଉ କୋଉଠି କଅଣ କିଏ ପୂରେଇଚ । ବାହାର କରିବ ନା ଦେଖିବ ଏଇନେ......

 

ବନ୍ଧୁକଧାରୀ ପୁଲିସ୍‌ ଠାକୁର ନୀଳମାଧବଙ୍କ ସମେତ ସାରା ଗାଁଟାକୁ କବ୍‌ଜା କରି ରଖିଥାନ୍ତି ତଥାପି ।

Image

 

ମୂଲ୍ୟବାନ୍‌ ଦିନ

 

ସେଗୁଡ଼ିକ ଥିଲା ମୋ ଜୀବନର ଅତ୍ୟନ୍ତ ମୂଲ୍ୟବାନ୍‌ ଦିନ । ହଳରେ ଯୋଚା ହୋଇଥିବା ବଳଦକୁ ମାଲିକ ବାରମ୍ୱାର ପିଟିବା ପରି ପିଟୁଥିଲେ ମତେ ସେମାନେ । ମୋ ନାଙ୍ଗୁଡ଼କୁ ମୋଡ଼ିଦେଉଥିଲେ ଆଉ ମଝିରେ ମଝିରେ ପାଞ୍ଚଣ ଢିଅ ମଧ୍ୟ କଷି କଷି ମାରୁଥିଲେ ଭୋକିଲା ଖଙ୍କା ପେଟର ନରମା ଜାଗାରେ । ଆଉ ପ୍ରତିଥର ଅନ୍ତବୁଜୁଳା ଭିତରୁ ‘ଅଙ୍କ୍‌’ କିନା ଶବ୍ଦଟାଏ ବାହାରି ମୋ ଛାତିବାଟେ ପଶି କଣ୍ଠସ୍ୱରରେ ଏକ ଅଭିଶାପରେ ପରିଣତ ହେବା ପୂର୍ବରୁ ମୋ ସ୍ତ୍ରୀ ସେ ଅଭିଶାପକୁ ଖଣ୍ଡନ କରିବା ଉଦ୍ଦେଶ୍ୟରେ ଠାକୁରଙ୍କ ଘରକୁ ପଶିଯାଉଥିଲେ ଓ ତାଙ୍କର ଇଷ୍ଟଦେବ-ଦେବୀମାନଙ୍କୁ ଶୁଣେଇ ଶୁଣେଇ ପ୍ରାର୍ଥନା କରୁଥିଲେ—

 

‘‘ନା ପ୍ରଭୁ, ନା ! ତାଙ୍କ ତୁଣ୍ଡ ସୁତୁଣ୍ଡ ନହେଉ । ଅମୁକ ବାବୁଙ୍କର କିଛି କ୍ଷତି ନହଉ । ତାଙ୍କ ଆଗ ଗୋଡ଼ରେ କଣ୍ଟା ନବାଜୁ । ତାଙ୍କ ସ୍ତ୍ରୀଙ୍କର କାଚ ବଜ୍ର ହଉ । ତାଙ୍କ ପିଲେ ଦୀର୍ଘଜୀବୀ ହୁଅନ୍ତୁ । ସୁଖରେ ରହନ୍ତୁ ।’’

 

‘‘ତେବେ ମୋ ସ୍ତ୍ରୀ ହାତରୁ କାଚ ଝଡ଼ିପଡ଼ୁ—ମୋ ପିଲେ ଅଳ୍ପାୟୁଷ ହୁଅନ୍ତୁ—ଆମର ସୁଖ…....’’ ମୁଁ ରାଗିଯାଏ । ହାତ ପାହାନ୍ତିରେ କାଚଗ୍ଲାସ୍, କପ୍ ପ୍ଲେଟ୍‌, ଯାହା ମିଳେ ସେଗୁଡ଼ାକ ମନଇଚ୍ଛା ଫୋପାଡ଼େ, ଭାଙ୍ଗେ । ପ୍ରଚଣ୍ଡ କ୍ରୋଧରେ ନିଜ ଛାତିକୁ ଗାଉଁ ଗାଉଁ ବିଧାମାରେ ।

 

ସ୍ତ୍ରୀ ଠାକୁରଘରୁ ଧାଇଁ ଆସନ୍ତି । ମୋ ହାତ ଧରି ପକାନ୍ତି । ମୋତେ କୁଣ୍ଢେଇ ଧରିନିଅନ୍ତି । ଥରେ ଥରେ ମୋ ହାତର ବଜ୍ରମାଡ଼ ପଡ଼େ ମଧ୍ୟ ତାଙ୍କ ଉପରେ ।

 

କିନ୍ତୁ ଆହା ମୋ ଭାରତୀୟ ନାରୀ ! ବିଚାରୀ କେଡ଼େ ଧୈର୍ଯ୍ୟବତୀ, କେଡ଼େ ସହନଶୀଳା ସତରେ । ମୋ ପରି ହଳୁଆ ବଳଦର ବଜ୍ର ନାତକୁ ଦିନ ପରେ ଦିନ, ରାତି ପରେ ରାତି ପଛେ ସମ୍ଭାଳି ନେବ ସେ—କିନ୍ତୁ ମୋ ମାର୍କିଷ୍ଟ୍‌ ତତ୍ତ୍ୱରେ ଆଦୌ ରାଜି ହେବ ନାହିଁ ସେ ।

 

‘‘ତମ ଠାକୁରଙ୍କୁ ଧିକ୍‌ !’’ ରଡ଼ି କରି ଘର ଛାତ ଫଟେଇ ଦିଏ ମୁଁ, ‘‘ସେ ବୁରୋକ୍ରାଟ୍‌-ନାଇଣ୍ଟିନ୍‌ଥ ସେଞ୍ଚୁରି କଲୋନିଆଲିଷ୍ଟ୍‌ ଗୋଲାମମାନଙ୍କର ଯୁଗ ଏ ଯାଏ ଖତମ ହୋଇନାହିଁ ସ୍ୱାଧୀନ ଭାରତରେ, ଶାନ୍ତି !’’ ମୁଁ ଚିତ୍କାର କରେ ।

 

ମୋ ସ୍ତ୍ରୀ ଶାନ୍ତି—ଶାନ୍ତିର ପ୍ରତିମୂର୍ତ୍ତି, ସାକ୍ଷାତ୍ ଦେବୀଟିଏ ନିଶ୍ଚୟ ! କିନ୍ତୁ ବିଚାରୀ କିଛି ବୁଝିପାରେ ନାହିଁ ମୋର ସେ ଚିତ୍କାରରୁ । ବିଂଶ ଶତାବ୍ଦୀର ପଚାଶ ଦଶକରେ ଭାରତର ସ୍କୁଲ୍‌ କଲେଜ୍‌ ଗୁଡ଼ିକରେ ଯେଉଁ କାମଚଳା ଶିକ୍ଷାର ସିଲାବସଗୁଡ଼ିକ ପ୍ରଚଳିତ ଥିଲା ତାରି ପ୍ରୋଜେକ୍ଟ ସେ-। ବିଚାରୀ ନା ବୁଝିଛି ଗାନ୍ଧୀ, ନା ଧର୍ମ, ନା ବିଜ୍ଞାନ ନା କିଛି । ପୃଥିବୀ ଉପରେ ଦୁଇଦୁଇଟା ବିଶ୍ୱଯୁଦ୍ଧ ଘୂର୍ଣ୍ଣିବାତ୍ୟା ଭଳି ବୋହିଯାଇଥିଲେ ମଧ୍ୟ ଧାର୍ମିକ ଭାରତୀୟ ନାରୀର ହୃଦୟ ‘ଜୀର୍ଣ୍ଣତରୀ’, ସରିତ ଇବ ଗଭୀର ନୀର । ହେ ମାଧବ, ତ୍ୱମସି ସଂପ୍ରତି କର୍ଣ୍ଣଧାର’ ରୀତିରେ ଖଣ୍ଡିଏ ଭଙ୍ଗା ଦଦରା ନୌକା ଗଭୀର ନଦୀରେ ତଥାପି ଭାସୁଥିବା ପରି ଭାସମାନ । ମାଧବ ଅର୍ଥାତ୍ ଶାନ୍ତିର ଠାକୁରମାନେ ଏ ଦେଶଟାକୁ ତଥାପି ଚଳାଉଥାନ୍ତି, ତଥାପି ଶାନ୍ତିର ହୃଦୟ ନୌକାର କର୍ଣ୍ଣଧାର ହୋଇ ଠିଆ ହୋଇଥାନ୍ତି ସେମାନେ—ସନ୍ଦେହ ନଥାଏ କିଛି ସେ ତତ୍ତ୍ୱରେ ମୋର ।

 

ସେତେବେଳକୁ ପ୍ରାୟ ଛ’ ମାସ ହେବ ମୁଁ ମୋ ଚାକିରିରୁ ଛୁଟିନେଇ ବୁଲିଲିଣି ସହର ରାସ୍ତାରେ । ଦରମା ନାହିଁ । ସାମାନ୍ୟ ସଞ୍ଚୟ ଥାଏ ଜି.ପି. ଏଫ୍‌.ରେ । ସେଇ ସଞ୍ଚୟ ଗଣ୍ଡାକ ମାତ୍ର ସମ୍ୱଳ ସେତେବଳେ ମୋର । ଦିନଗୁଡ଼ାକ ବିତି ଯାଉଥାଏ ସେକ୍ରେଟେରିଏଟ୍‌ ଧାଁଧପଡ଼ରେ । ନୂଆ ସରକାର । ନୂଆ ମନ୍ତ୍ରୀ । ଦିନମାନ ସେଇ ମନ୍ତ୍ରୀଙ୍କ ଅନୁସରଣରେ । ରାତିମାନ—ଆତ୍ମ କଥୋପକଥନରେ । ସେଇ ଗୋଟିଏ ପ୍ରଶ୍ନ—ଦୋଷ କ’ଣ ? ସେଇ ଗୋଟିଏ ଉତ୍ତର—ମାଧବ ଅସନ୍ତୁଷ୍ଟ !

 

ଦିନେ ଦିନେ ରାତି ଅଧରେ ମୁଁ କାନଫଟା ଚିତ୍କାର କରି ଉଠୁଥିଲି, ‘‘ୟୁ ବ୍ଲଡ଼ି ମାଧବ ! ଦି ଗଡ଼୍‌ସ୍‌ ଅଫ୍‌ ଦି ବ୍ୟୁରୋକ୍ରାଟ୍‌ସ୍ !’’

 

ଶେଯରୁ ଡେଇଁପଡ଼ି ଧାଇଁ ଆସୁଥିଲି ଶାନ୍ତିର ଠାକୁର ଘର ପର୍ଯ୍ୟନ୍ତ । କିନ୍ତୁ ସେଇଠାରେଇ ଅଟକି ଯାଉଥିଲି ମୁଁ—ସେଇ ଠାକୁରଘର ଦୁଆରବନ୍ଧ ନିକଟରେ । କାରଣ କୌଣସି ଅଜ୍ଞାତ ଭୟ ଅଥବା ଆଉ କିଛି ହଠାତ୍ ଗ୍ରାସ କରି ନେଉଥିଲା ମତେ ମୋର ଅଜାଣତରେ । ଶାନ୍ତିର ଠାକୁରମାନଙ୍କୁ ଅବଶ୍ୟ ଆଦୌ ଭୟ କରେନାହିଁ ମୁଁ କସ୍ମିନ୍‌କାଳେ । ମୋର ଏକମାତ୍ର ଭୟ ଶାନ୍ତିକୁ । ତାର ଧର୍ମ, ଧାର୍ମିକତା, ଯୁଗଯୁଗର ପାରମ୍ପରିକ ବିଶ୍ୱାସ ଓ ଭୟକୁ ଗୋଟାଏ ମୁହୂର୍ତ୍ତରେ ଉତ୍ତେଜନାରେ ଟୋକେଇରେ ପୂରେଇ ନଳାରେ ଫୋପାଡ଼ି ଦେଇ ଆସିବାକୁ ମତେ ଯେତେ ଡର ଲାଗେନାଇଁ—ତାଠୁଁ ବେଶି ଡରଲାଗେ ଶାନ୍ତିକୁ । ଚିନ୍ତାରେ ପଡ଼ିଯାଏ ମୁଁ । ‘ଯଦି ଏଥିଲାଗି ଶାନ୍ତିକୁ ହରାଇବାକୁ ପଡ଼ିବ ମତେ ?’ ପଚାରେ ମୁଁ ନିଜକୁ । ମୋ ପାଦ ଠାକିଯାଏ-। ହାତ ମୁଠା ମୁଠା ହେଇଯାଏ । ଠାକୁର ଘରର ଇଲେକ୍‌ଟ୍ରିକ୍‌ ସୁଇଚ୍‌ଟାକୁ ଟିପି ଅସହ୍ୟ ଅନ୍ଧାରକୁ ତଡ଼ିଦେଇ ଆଲୋକିତ କରିଦିଏ ମୁଁ ଘରଟାକୁ । ଇଲେ୍କ୍‌ଟ୍ରିକ ଆଲୁଅରେ ଠାକୁରଘରଟା ମୁହୂର୍ତ୍ତକେ ଉଦ୍ଭାସିତ ହୋଇଉଠେ । ଶାନ୍ତିର ସଭକ୍ତିରକ୍ଷିତ ଠାକୁରମାନଙ୍କର କାଚ ବନ୍ଧେଇ ଫଟୋଗୁଡ଼ିକ ଚିକ୍‌ଚିକ୍‌ କରିଉଠେ । ସେଇ ଚିକ୍‌ଚିକ ଭିତରୁ ଶାନ୍ତିର ମାଧବମାନେ ମୁରୁକେଇ ହସିବାକୁ ଆରମ୍ଭ କରନ୍ତି ସେତେବଳେ । ତା ସହିତ ଗୋଟାଏ ଦିଇଟା ବିଲାତିଆଳୁ ରଙ୍ଗର ଚୁଟିଆ ମୂଷା ମଧ୍ୟ ଖପ୍‌ଖାପ ଡିଆଁମାରି ପଳାନ୍ତି ମୋ ଗୋଡ଼ସନ୍ଧିରେ । ସେମାନଙ୍କର ପଳାୟନ ଢଙ୍ଗ ଆଖିରେ ପଡ଼ିବାମାତ୍ରେ ମୋ ଅନ୍ତରର କ୍ରୋଧ ଅବଶ୍ୟ ତତ୍‌କ୍ଷଣାତ୍ ବହିର୍ମୁଖୀ ହୋଇଯାଏ । ମୁଁ ହସିଦିଏ । ଶାନ୍ତିର ଠାକୁରମାନଙ୍କର ହସକୁ ଭ୍ରୂକ୍ଷେପ ନ କରି ମୁଁ ଅବଶ୍ୟ ମାତିଯାଏ ମୋ ନିଜ ହସରେ । ଏହି ଅବସରରେ ଦେଖେ—ମୋ ହସରେ ଚମକି ଉଠି ବସିଥିବା ଶାନ୍ତି ଆସି ହାଜର ମୋ ସମ୍ମୁଖରେ ।

 

‘‘ତମେ ପୁଣି ସେମାନଙ୍କର ଅନିଷ୍ଟ ଚିନ୍ତା କରୁଚ । ଏ ରାତିଅଧରେ ?’’ ମୋ ହାତକୁ ଆସ୍ତେ କବଳିତ କରିନେଇ ସାରି ପଚାରେ ସେ ତାର ସେଇ ଅବୋଧ୍ୟ ରହସ୍ୟମୟ ଢଙ୍ଗରେ ।

 

‘‘ଆଇ ସାଲ୍‌ ଡେଷ୍ଟ୍ରୟ ଦେମ ! ଆନ୍‌ହିଲେଟ୍‌ ଦେମ୍‌…....’’ ଶାନ୍ତି ହାତରୁ ମୋ ହାତଟାକୁ ଛିଞ୍ଚାଡ଼ି ଦେବାପାଇଁ ଚେଷ୍ଟା କରେ ମୁଁ । କିନ୍ତୁ ପାରେନା । ମୋ ଶରୀର ଓ ମନର ଅସମ୍ଭବ ଶକ୍ତି ଓ ସଂକଳ୍ପ ହଠାତ୍ କ୍ଷୀଣ ହୋଇଆସେ । ଶାନ୍ତିର ଦୁର୍ବଳ ଶରୀରଟାକୁ ଏକମାତ୍ର ଆଶ୍ରୟସ୍ଥଳ ମନେକରି ମୁଁ ତାକୁ କୁଣ୍ଢେଇ ଧରେ । ଜଡ଼ିଯାଏ ତା ଛାତିରେ—କ୍ଷୀରଖିଆ ଛୋଟ ପିଲାଟିଏ ପରି । ଶାନ୍ତି ମୋ ମୁଣ୍ଡବାଳକୁ ଆଉଁଷିଦିଏ । ଛୋଟ କ୍ଷୀରଖିଆ ପିଲାଙ୍କୁ ଗେଲ କଲାପରି ମୋତେ ଗେଲ କରେ । ଛୋଟ ପିଲାଙ୍କୁ ପହିଲି ପହିଲି ଶବ୍ଦ ଶିଖେଇଲାଭଳି ମତେ ଶିଖାଏ—‘‘କାହାରି ଅନିଷ୍ଟ ଚିନ୍ତା କରିବା ଆମର ଉଚିତ ନୁହେଁ ! ଧୈର୍ଯ୍ୟଧର । ସହ୍ୟ କର । ଭଗବାନ ଅଛନ୍ତି ! ନିଶ୍ଚେ ଅଛନ୍ତି ! ସେଇ ବୁଝିବେ....’’

 

ଶାନ୍ତି ମୁହଁରୁ ଭଗବାନ ଶବ୍ଦ ଶୁଣିବାମାତ୍ରେ ମୋ ଦେହରେ ପୁଣିଥରେ ଶକ୍ତି ସଞ୍ଚରି ଯାଏ । ତାର ହାଡ଼ୁଆ ଛାତିରୁ ମୁହଁ ଟେକି ମୁଁ ପୁଣି ଚାହେଁ ତାର ସେଇ ମୂଷିକ ବିକ୍ରୀଡ଼ିତ ଠାକୁରଗୁଡ଼ାଙ୍କ ମୁହଁକୁ । ସେମାନଙ୍କ ହସ ସେତେବେଳକୁ ଆଉ ପ୍ରକାରେ ଦିଶିବାକୁ ଆରମ୍ଭ କରିଥାଏ ।

 

‘‘ତା ମାନେ କାଲି ସକାଳେ ମତେ ପୁଣି ଯିବାକୁ ପଡ଼ିବ ସେଇ ସେକ୍ରେଟେରିଏଟ୍‌—ସେଇ ମନ୍ତ୍ରୀଙ୍କ ଅଫିସକୁ । ପୁଣିଥରେ ବୁଝେଇବାକୁ ହବ ମୂଳରୁ ଯେ ମୁଁ ନିର୍ଦ୍ଦୋଷ ଇତ୍ୟାଦି ?’’

 

ମୋ ପ୍ରଶ୍ନରେ ଶାନ୍ତି ହସେ ନାହିଁ, ବରଂ ଆଶ୍ଚର୍ଯ୍ୟ ହୋଇଯାଏ । ପଚାରେ ‘‘ସେଠିକି ଯିବାକୁ କିଏ କହୁଚି ତମକୁ ? କୋଉ ମନ୍ତ୍ରୀ ବୁଝିବେ—ବୁଝିପାରିବେ ତମ କଥା ? ତମର ଯଦି ଏତେ ବୁଝେଇବାର ଇଚ୍ଛା ତେବେ ଯାଉନ କିଆଁ ଲୋକଙ୍କ ପାଖକୁ !’’

 

‘‘କୋଉ ଲୋକ ?’’ ଶାନ୍ତି ମୁହଁକୁ ମାଧବଙ୍କ ନାଁ ଛଡ଼ା ଅନ୍ୟ ଏକ ନାମ ଶୁଣି ଚମକିପଡ଼େ ମୁଁ ।

 

‘‘ଯୋଉ ଲୋକେ ଭୋଟ୍‌ ଦେଇ ମନ୍ତ୍ରୀ ଗଢ଼ନ୍ତି ସେଇ ଲୋକ—ଯାଉନ କିଆଁ ସେମାନଙ୍କ ପାଖକୁ ! ତୁମର ବେଳ ଆସିଗଲା । ତମ ଦେହି ସରକାରୀ ଗୋଲାମି ଚାକିରି ଆଉ ହବନାଇଁ—ବୁଝୁନ କେମିତି ଏ କଥା !’’

 

ଶାନ୍ତି ମୁହଁରୁ ଏ ତତ୍ତ୍ୱ ସ୍ୱପ୍ନରେ ସୁଦ୍ଧା ଶୁଣିବି ବୋଲି ଆଶା କରି ନଥାଏ ମୁଁ । ଭାରତରେ କୌଣସି ମଧ୍ୟବିତ୍ତ ପରିବାରର ସ୍ତ୍ରୀ ତାର ଅର୍ଜନ୍ତା ସ୍ୱାମୀକୁ ଏପରି ଉପଦେଶ ଦେବା ସମ୍ଭବ—ଭାବି ପାରେନାହିଁ ମୁଁ । ବୋଧହୁଏ ସେଇଥିପାଇଁ କଥାଟିକୁ ପରିଷ୍କାର କରିଦେବା ଉଦ୍ଦେଶ୍ୟରେ ପଚାରିଲି ସେ ନିର୍ବୋଧ ପ୍ରଶ୍ନଟିକୁ ସେଦିନ ରାତିଅଧରେ ମୁଁ ।

‘‘ଭାରତରେ ଲୋକ କାହାନ୍ତି ଶାନ୍ତି ? ପୁଣି ଇଣ୍ଟେଲେକଚୁଆଲମାନେ ଯେଭଳି ଏକ୍‌ସପ୍ଲଏଟ୍‌ କରିଚାଲିଛନ୍ତି ଏ ଲୋକଙ୍କୁ ସେଥିରେ କୋଉ ଲୋକ ଶୁଣିବ ଆମ ପରି ଧପ୍‌ପାବାଜ୍‌ମାନଙ୍କ କାନକୁହାକୁ ?’’

‘‘ଲୋକ ଅଛନ୍ତି !’’ ଶାନ୍ତି ତା ଛାତି ଉପରୁ ଆସ୍ତେ କରି କାଢ଼ିଦେଲା ମତେ ଓ ମା’ମାନେ ଛୋଟ ପିଲାଙ୍କୁ ତଳେ ଠିଆକରି ଚାଲି ଶିଖାଇଲାଭଳି ଢଙ୍ଗରେ କହିଲା, ‘‘ତମେ ଦେଖିନା ଲୋକଙ୍କୁ-। ମୋର ଭିକାରିମାନଙ୍କୁ ଚିହ୍ନ ତମେ ?’’ ପଚାରିଲା ସେ ।

ଅନେକ ବର୍ଷ ଧରି ଆମ ଘର ଆଗରେ ଭିକାରିମାନଙ୍କର ଭେଳା ଦେଖି ଆସିଥିଲି ମୁଁ । ଏ ଭେଳାକୁ ମୁଁ ପୂର୍ବେ ବିରକ୍ତ ହେଉଥିଲି ଅବଶ୍ୟ । କିନ୍ତୁ ଆଜିକାଲି ଚାକିରୀରୁ ଦୀର୍ଘଦିନ ଅବ୍ୟାହତି ନେଇ ସେକ୍ରେଟେରୀଏଟ୍‌ ଧାଁଧପଡ଼ ମଝିରେ ଥରେ ଥରେ ରାସ୍ତାକଡ଼କୁ ବହୁ ସମୟ ଧରି ଅନାଇବା ଏକପ୍ରକାର ଅଭ୍ୟାସରେ ପଡ଼ି ଆସୁଥାଏ ମୋର । ବିଶେଷତଃ ଦୁଇନମ୍ୱର ୟୁନିଟ୍‌ର ମାଛହାଟ ପାଖରେ, ହନୁମାନ ମନ୍ଦିର ସାମନାରେ ସେଇ ରାସ୍ତାକଡ଼ ଝଙ୍କାଳିଆ ଗଛଗୁଡ଼ାକତଳେ ପଲାକରି ରହୁଥିବା ପଂଝାଏ ଭିକାରିଙ୍କ ବସ୍ତି ଉପରେ ଆଖି ପଡ଼ିଯାଏ ମୋର ଏବେ ଛାଏଁ ଛାଏଁ । ତାର ପ୍ରଧାନ ଆକର୍ଷଣ ଭିକାରି ନୁହଁନ୍ତି—ଗୋଟିଏ ଭାଲୁ ! କେହି ଗୋଟିଏ ଭିକାରି ଦମ୍ପତି ଏକ ଖେଳ-ଭାଲୁ ବାନ୍ଧିଥାନ୍ତି ସେଠି । ସେଇ ଭାଲୁଖେଳ ଦେଖିବାକୁ ମୁହୂର୍ତ୍ତେ ଅଟକିଯିବା ଭିତରେ ଗୋଟିଏ ଅଦ୍‌ଭୁତ ସଂସାର ଆବିଷ୍କାର କରିଥିଲି ମୁଁ । ସାମାନ୍ୟ ଅନୁସନ୍ଧାନ ଉତ୍ତାରେ ବୁଝିନେଇଥିଲି ବ୍ୟାପାରଟାକୁ ମଧ୍ୟ ।

‘‘କି ବାବୁ ! ଆସିଗଲ !’’ ଗୋଟିଏ ସ୍ତ୍ରୀଲୋକର ସ୍ୱର ପ୍ରଥମେ ଚମକେଇ ଦେଇଥିଲା ମତେ ସେଇ ମାଛହାଟ ସାମନା ଭିକାରି ପଲ୍ଲୀରେ ।

ଅବାକ୍ ହୋଇ ସ୍ତ୍ରୀଲୋକଟିକୁ ଅନାଉ ଅନାଉ ଆସି ଯୁଟିଯାଇଥିଲେ ଆଉ କେତେ ଜଣ ସ୍ତ୍ରୀ, ପୁରୁଷ, ଶିଶୁ, ସୁସ୍ଥ, ଅକର୍ମଣ୍ୟ ଆଉ କୁଷ୍ଠରୋଗୀ ମଧ୍ୟ ।

ମୋର ଅବାକ୍‌ ହେବାର କାରଣ—ସେମାନେ ମତେ ଚିହ୍ନିଥିଲେ; ଅଥଚ କାହାରିକୁ ଚିହ୍ନି ନଥିଲି ମୁଁ । ଜୀବନରେ ପ୍ରଥମଥର ପାଇଁ ସେସବୁ ମୁହଁ ଦେଖୁଥିଲି ଅବା ମୁଁ । ଏହିପରି ଆଖିରେ ସେମାନଙ୍କୁ ଚାହିଁବା ମଝିରେ ଜଣ ଜଣ କରି ସମସ୍ତଙ୍କ ମୁହଁରୁ ଶୁଣିବାକୁ ପାଇଥିଲି ମୋର ପରିଚୟ–

‘‘ତମ ଘରଟା ହେଇ ସେ ବଜାର—ନୂଆ ବଜାରରେ ନୁହଁ ନା ବାବୁ !’’

‘‘ତମ ଘରେ ଗୋଟିଏ ବିଲାତି କୁକୁର ନାହିଁ ନା ବାବୁ—ଏକା ଡିଆଁକେ ପିଣ୍ଡାରୁ ଆସି ପଡ଼ିବ ଯେ ସିଧା ଫାଟକ ଉପରେ !’’

‘‘ତମ ଗାଡ଼ି କାହିଁଗଲା ବାବୁ—ଖାଲି ପାଦରେ ଚାଲୁଛ ଯେ !

‘‘ତମ ସାନ ଝିଅଟା ଭାରି କାନ୍ଦୁରୀଟାଏ—ବଡ଼ ଝିଅଙ୍କ ମା’ଭଳି ସିନିହ—ପାଠ ପଢ଼ୁଚି ନା ବଡ଼ କଲେଜରେ ବାବୁ !’’

ମତେ ଭଲକରି ଚିହ୍ନିଥିଲେ ସେମାନେ, ଆଉ ତାର କାରଣ ଥିଲା ଶାନ୍ତି ନିଶ୍ଚୟ—ଜାଣିପାରିଥିଲି ମୁଁ ।

 

କିନ୍ତୁ ସେ ଅଚିହ୍ନା ମୁହଁମାନଙ୍କ ଭିତରୁ କେବଳ ଭାଲୁଟିଏ ଛଡ଼ା ଆଉ କାହାରି ମୁହଁକୁ ଚାହିଁ ଚିହ୍ନି ପାରିନଥିଲି ମୁଁ ।

 

ପ୍ରାୟ ପନ୍ଦର ମିନିଟ୍‌ ପର୍ଯ୍ୟନ୍ତ ସେଇ ଅଚିହ୍ନା ଲୋକଙ୍କ ମେଳରେ ମୋ ପିଲାଦିନର ଚିହ୍ନା ଭାଲୁ-ଖେଳ ଟିକିଏ ଦେଖିସାରି ବାହାରି ଯାଇଥିଲି ସେଦିନ ମୁଁ ମୋ କାମରେ । ତେବେ ଫେରିବା ପୂର୍ବରୁ ଜଣେ ଅଚିହ୍ନା ଭିକାରିର ପଦେ କଥା ବାଜିଥିଲା ମୋ କାନରେ । ଲୋକଟା ଡେରି ହୋଇ ବସିଥାଏ ପଥର ଖଣ୍ଡେ ପରି ଗୋଟିଏ ଗଛକୁ । ଭାଲୁ-ଖେଳ ଦେଖିସାରି ମୁଁ ଚାଲିଯାଉଛି ଦେଖି ଡାକିଲା ସେ ମତେ ସେଇ ଗଛମୂଳୁ । କହିଲା, ‘‘ବାବୁ ! ମା’ଙ୍କୁ କହିଦବ, ଆଉ ଏ ମଙ୍ଗଳବାର ଯାଇ ପାରିବିନାଇଁ ମୁଁ ! ରୋଗ ବଢ଼ିଗଲା । ଉଠିବା ସମ୍ଭବନୁହଁ ଆଉ !’’

 

ଲୋକଟାକୁ ଅନେଇ ଦେଖିଲି । କୁଷ୍ଠରୋଗୀଟାଏ ନିଶ୍ଚୟ । ବ୍ୟାଧିର ମାତ୍ରା ଅତି ଭୟଙ୍କର ନୁହେଁ । କିନ୍ତୁ କୌଣସି କାରଣରୁ ଚଳତ୍ ଶକ୍ତି ରହିତ ସେ ।

 

ଲୋକଟାକୁ ବେଶି ସମୟ ଅନାଇବା ସମ୍ଭବ ନଥିଲା ସେତେବେଳେ । ଶାନ୍ତି ପ୍ରତି ତା’ର ବାର୍ତ୍ତାକୁ ମନେ ରଖିବାକୁ ଚେଷ୍ଟା କରିନଥିଲି ମୁଁ । ଭାଲୁଖେଳ ଦେଖିସାରି ତରବର ହେଇ ଚାଲିଯାଇଥିଲି ମୁଁ ସେକ୍ରେଟେରୀଏଟ୍‌କୁ ମନ୍ତ୍ରୀଙ୍କ ଦରବାରକୁ ।

 

କିନ୍ତୁ ସେଦିନ ରାତିରେ ଶାନ୍ତି ମୁହଁରୁ ତାର ଭିକାରିମାନଙ୍କ କଥା ଶୁଣୁଶୁଣୁ ମନେ ପଡ଼ିଯାଇଥିଲା ମୋର ସେ ଦୃଶ୍ୟଟା ।

 

‘‘ତମର ସେ ଭିକାରିମାନଙ୍କୁ ଚିହ୍ନେ ମୁଁ…....’’, ଏକ ପ୍ରକାର ତାଚ୍ଛଲ୍ୟ ପ୍ରକାଶ ପାଇଥିଲା ସମ୍ଭବତଃ ମୋ ସ୍ୱରରେ ସେତେବେଳେ । ଆଉ ସେ ତାଚ୍ଛଲ୍ୟକୁ ସଂପୂର୍ଣ୍ଣରୂପ ଦେବାପାଇଁ କହିଥିଲି ମଧ୍ୟ ଆହୁରି ପଦେ, ‘‘ସେଇ କୁଷ୍ଠରୋଗୀ—ଯେ ଆସେ ପ୍ରତି ମଙ୍ଗଳବାର—ସେଇମାନେ ନା ! ସେଇମାନେ ଭୋଟ୍‌ ଦେବେ ଆମକୁ !’’

ତାପରେ ଆଉ ପଦେ ଯୋଗ କରିଥିଲି ମଧ୍ୟ ମୁଁ—

‘‘ଜାଣ ଶାନ୍ତି ! ସେ ଲୋକଟା ପଡ଼ିଚି ବର୍ତ୍ତମାନ ଗୋଟିଏ ଗଛମୂଳେ—ଦୁଇନମ୍ୱର ମାଛହାଟ ପାଖ ହନୁମାନ ମନ୍ଦିର ସାମନାରେ । ତମ ପାଇଁ ପଠେଇଥିଲା ଖବର—ମଙ୍ଗଳବାରଦିନ ଆଉ ଆସି ପାରିବନାଇଁ ସେ ଏଠିକି ଭିକ ନବାକୁ !’’

ମତେ ଚାଲି ଶିଖୁଥିବା ଛୋଟ ପିଲାଙ୍କ ପରି ଛାଡ଼ି ଦେଇଥିଲା ତଳେ ଟିକିଏ ପୂର୍ବରୁ ଶାନ୍ତି । ବର୍ତ୍ତମାନ ମୋର ଖିଲ୍‌ଖିଲ୍‌ ହସ ଶୁଣି ଖୁସି ହେବା ପରିବର୍ତ୍ତେ ହଠାତ୍ କାନ୍ଦି ଉଠିଲା ସେ ।

ଶିଶୁଟିଏ ତା ମା’ର ଦୁଃଖ ଦେଖି ମଧ୍ୟ ନ ବୁଝି ପାରିଲା ପରି ସାମାନ୍ୟ ଆଶ୍ଚର୍ଯ୍ୟ ହୋଇଗଲି ମୁଁ । ଶାନ୍ତିର ହାତ ଧରି ପକେଇ ଅବୋଧ ଶିଶୁପରି ପଚାରିଲି, ‘‘କଅଣ ହେଲା ! କାନ୍ଦୁଚ କାହିଁକି ଶାନ୍ତି ! ତମ କଥା ଶୁଣିବି ବୋଲି ମୁଁ ତ ମନେ ମନେ ସ୍ଥିର କରିନେଇଚି.......ମୁଁ ଯିବି ଲୋକଙ୍କ ପାଖକୁ…... !’’

‘‘ଲୋକଙ୍କ ପାଖକୁ ତମେ ଯାଇ ପାରିବନାହିଁ ଆଦୌ !’’ ଛୋଟ ପିଲାଙ୍କୁ ଦଣ୍ଡ ଦେଲାପରି ମତେ ଛାଡ଼ି ଦେଇଉଠି ଚାଲିଗଲା ସେ । ଅଳ୍ପ ସମୟ ପରେ ତାର କଇଁ କଇଁ କାନ୍ଦ କାନରେ ପଡ଼ିଲା ମୋର ।

ରାତି ଅଧରେ ବିନା କାରଣରେ କିମ୍ୱା କେଉଁ ଦୁର୍ବୋଧ୍ୟ ଅସହ୍ୟ ଦୁଃଖରେ ସ୍ତ୍ରୀଲୋକଟିଏ ଅନ୍ଧାରକୁ ମୁହଁକରି ଏକାକିନୀ ହୋଇ କାନ୍ଦୁଥିବା ଦୃଶ୍ୟ ମୋ ଦେହରେ ଯାଏ ନା ଆଦୌ ।

 

‘‘ବନ୍ଦକର !’’ ଠାକୁରଘର ଦୁଆରବନ୍ଧ ତଳ ଚଟାଣରୁ ଉଠିପଡ଼ି ମୁଁ ଧସିଗଲି ସେଇ ଦିଗକୁ ଯେଉଁଠି ଠିଆହୋଇଥିଲା ସେ—ମୋ ସ୍ତ୍ରୀ—ଶାନ୍ତି ।

 

ସେଦିନ ରାତିର ବାକିତକ ସେମିତି କାନ୍ଦି କାନ୍ଦି ଚାଲିଗଲା ଆମର । ଶାନ୍ତି କାନ୍ଦୁଥିଲା । ତା ସହିତ ମୁଁ ମଧ୍ୟ । ସେଇ କାନ୍ଦ ମଝିରେ ମଝିରେ ଶାନ୍ତିର ସ୍ୱର ଶୁଣାଯାଏ ମତେ । ଆଉ ମୋର କାନ୍ଦ ବଢ଼ୁଥାଏ ।

 

‘‘ତମେ ଜାଣନା—ଅନେକ ମଙ୍ଗଳବାର ଗଲାଣି ଏ ଭିତରେ’’ କୋହ ଚାପି ବହୁ କଷ୍ଟରେ କହୁଥାଏ ସେ, ‘‘ପ୍ରତିଦିନ ଅପେକ୍ଷା କରିଚି ମୁଁ ତାଙ୍କୁ !’’

 

‘‘କିନ୍ତୁ କିଏ ସେ ?’’ ପ୍ରଥମରୁ ବିରକ୍ତି, ଆଶ୍ଚର୍ଯ୍ୟ ଓ ଅସ୍ୱସ୍ତି ଅନୁଭବ କରି ଦାବୀ କରୁଥାଏ ମୁଁ ଜାଣିବାକୁ ସେ ଲୋକଟା ସହିତ ମୋ ସ୍ତ୍ରୀର ପରିଚୟକୁ । ଅତି ରୂଢ଼ କର୍କଶ ଭାଷାରେ ପଚାରିଲି ମୁଁ ତେଣୁ, ‘‘କେହି ତମର ବନ୍ଧୁ ବାନ୍ଧବ, ଚିହ୍ନା ପରିଚ.......ସେ କୁଷ୍ଠ ରୋଗୀଟା ଶାନ୍ତି ?’’

 

‘‘ମୋର ନୁହେଁ—ତମର ତମର…....’’ ଅନନୁଭୂତ ବ୍ୟଥା ଆଉ ଏ ସଂସାରର ଅଭୂତପୂର୍ବ ଜ୍ୱାଳାରେ ବ୍ୟଥିତ, ଜର୍ଜରିତ ହୋଇ ଉଠୁଥାଏ ତାର ସ୍ୱର ସେତେବେଳେ ଯେତେବେଳେ ସେ କହିଲା ଶେଷରେ, ‘‘ଜଣେ ଅତି ଜ୍ଞାନୀ ଲୋକ ସେ—ଅତି ସାଧୁ ସଚ୍ଚୋଟ ଲୋକ ସେ । ଜାଣ ! ପ୍ରଥମଥର ଯୋଉ ମଙ୍ଗଳବାର ସେ ଏଠିକି ଆସିଥିଲେ ମତେ ତାଙ୍କ ରୋଗ ବିଷୟ କହିଥିଲେ ସେ । ଇଞ୍ଜେକ୍‌ସନ ନବାପାଇଁ ପ୍ରତି ହପ୍ତାରେ ପାଞ୍ଚସୁଉକା ପଇସା ଦରକାର ପଡ଼ୁଥିଲା ତାଙ୍କର । କିନ୍ତୁ ମୋ କାନକୁ ଶୁଭିଲା ପଚିଶ ଟଙ୍କା । ଘରୁ ପଚିଶଟି ଟଙ୍କା ନେଇ ବଢ଼େଇ ଦେଇଥିଲି ତାଙ୍କ ହାତକୁ !’’

 

‘‘ପଚିଶ ଟଙ୍କା—ଗୋଟାଏ ଭିକାରିକୁ ପଚିଶ ଟଙ୍କା ଦେଇଦେଲ ତୁମେ ?’’ ଜଣେ ସରକାରୀ ଚାକିରିଆର ସଦାକାର୍ପଣ୍ୟସୁଲଭ ନିମ୍ନଚିନ୍ତା ମତେ ତଥାପି ଆକ୍ରାନ୍ତ କରିଥାଏ ।

 

‘‘ନା—ଶୁଣନା ଟିକିଏ ଧୈର୍ଯ୍ୟ ଧରି—’’ ଶାନ୍ତିର କୋହ ବଢ଼ିଗଲା ସେଇଠୁ ଓ ସାରାରାତି ଧରି ସେ କୋହ ବଢ଼ି ଚାଲିଲା । ତଥାପି ଶୁଣେଇଥିଲା ମତେ ତାର ଭିକାରିମାନଙ୍କର କାହାଣୀ ଶାନ୍ତି ସେ ରାତିରେ, ସେଇ ଜନନୀ-ସୁଲଭ ଭାଷାରେ ।

 

‘‘ଲୋକଟି ହିନ୍ଦୁ ନୁହେଁ, ମୁସଲମାନ । ଗରିବ ଘରର ପିଲା ନୁହେଁ । ବେଶ୍‌ ଚଳୁଥିଲା ସେ—ମିସ୍ତ୍ରୀ କାମ କରି । ରୋଗ ଧରିବାବେଳକୁ ଦିନକୁ କୋଡ଼ିଏ ଟଙ୍କା ପର୍ଯ୍ୟନ୍ତ ମଜୁରୀ ପାଉଥିଲା ସେ । କିନ୍ତୁ ହଠାତ୍ ଅସହାୟ ଭିକାରିଟିଏ କରିଦେଲା ତାକୁ ସେ ରୋଗ । ସେଇ ରୋଗରେ ଅନ୍ତତଃ ଚାରିଚାରିଥର ଭୋଟ୍‌ ଦେଇ ଆସିଥିଲା ସେ ତା ଜୀବନରେ । ଆଉ ପ୍ରତିଥର ଭୋଟ୍‌ ଦେବା ପୂର୍ବରୁ ତାକୁ ପ୍ରତିଶ୍ରୁତି ଦିଆଯାଉଥିଲା…...’’

 

ଶାନ୍ତିର ସ୍ୱର ଭାଙ୍ଗି ଆସୁଥିଲା…..

 

‘‘ସମସ୍ତେ କହିଲେ ତାକୁ—ଶେଷରେ ତମେ ବି । ଯୋଉ ମଙ୍ଗଳବାର ଦିନ ସେ ଆସିପାରିନଥିଲା, ସେଦିନ ଅନ୍ୟ ଜଣେ ଭିକାରି ଆସିଥିଲା ଆମ ଦାଣ୍ଡକୁ । ମୋ ହାତକୁ ଦଶଟି ଟଙ୍କା ବଢ଼େଇ ଦେଇ କହିଲା—ମା, ମହମ୍ମଦ ଅଲ୍ଲୀ ବୁଢ଼ା ସୁକୁସୁକୁ ହଉଚି । ମତେ ଡାକିଲା—କହିଲା, ତତେ ଭଗବାନଙ୍କ ଦ୍ୱାହି, ଏ ଟଙ୍କା ନେ, ଫେରେଇଦବୁ । ମା’କୁ କହିବୁ—ମହମ୍ମଦ ଅଲ୍ଲୀ ବେଇମାନୀ କରିନାଇଁ ଏ ଜୀବନରେ । ଯୋଉ ରୋଗ ଭଲ କରିବାକୁ ମା’ ଏ ଟଙ୍କା ଦେଇଥିଲେ, ସେ ରୋଗ ମୋ ସାଥିରେ ବେଇମାନୀ କଲା । ଇଞ୍ଜେକସନ୍‌ ଶେଷ ହବା ପୂର୍ବରୁ ମତେ ଶେଷ କରିଦେଲା ସେ ବେଇମାନ ରୋଗ । ଏ ଦଶଟା ଟଙ୍କା ନେ—ମା’କୁ ଫେରେଇଦବୁ—ଆଉ କୋଉ ରୋଗୀ, ଦୁଃଖୀରଙ୍କିଙ୍କ କାମରେ ଯେବେ…...’’

 

ମୋ ସ୍ତ୍ରୀର ଗଳା ରୁଦ୍ଧହୋଇ ଯାଇଥିଲା । ଗଭୀର ରାତି ସେଇ ଶୂନ୍ୟତାକୁ ଆସ୍ତେ ଆସ୍ତେ ପୂରଣ କରିବାକୁ ବସିଥିଲା ଅନ୍ୟ ଏକ ସ୍ୱର ଓ ଭାବର କାନ୍ଦରେ । ସେ ସ୍ୱର ଓ ଭାବ ଥିଲା ମୋର ସେଦିନ ରାତିରେ ମୂଳରୁ ମୂଳରୁ ।

Image

 

Unknown

ସେକ୍‌ସ ଧର୍ମ

 

ରାତି ଅଧରେ, ବିଶେଷତଃ ଖରାଦିନେ, ନାକରେ ହଠାତ୍ ଅହେତୁକ ବାସ୍ନା ବାଜିଗଲେ ମନ ଯେମିତି ଉଚ୍ଚାଟ ହୋଇଉଠେ । ପ୍ରେମ ସେହିଭଳି ଅହେତୁକଭାବେ ମଣିଷ ଛାତିରେ ବାଜେ ଓ ତତ୍‌କ୍ଷଣାତ୍ ମଣିଷ ପାଗଳ ହୋଇଯାଏ । ଏ ପ୍ରକାର ପାଗଳାମି ପାଇଁ ମଣିଷ ଜୀବନରେ କୌଣସି ବୟସସୀମା ନାହିଁ, ଏ ତ ନିଶ୍ଚିତ କଥା । ତେବେ ଏଥିପାଇଁ ବାରରୁ ଅଠର ଏକ ନିର୍ଦ୍ଦିଷ୍ଟ ବୟସସୀମା ବୋଲି ଧରି ନିଆଯାଇ ପାରେ ।

 

ମୋର ଘନିଷ୍ଠ ବନ୍ଧୁ ଶୋଭେଶ ଜଣେ ପକ୍‌କା ଗୃହସ୍ଥୀ ଲୋକ । ତା ବୟସ ବର୍ତ୍ତମାନ ଅଠଚାଳିଶ ବା ଅଣଚାଶ ଚାଲିଲେ ଚାଲୁଥାଇପାରେ । ଘରବାଡ଼ି ଧନସମ୍ପତ୍ତି କାର୍‌ ଫ୍ରିଜ୍‌ ଫୋନ୍‌ ପ୍ରଭୃତି ବାହ୍ୟାଡ଼ମ୍ୱର ଶୋଭେଶ ପକ୍ଷରେ ବିଶେଷ କଷ୍ଟଲବ୍‌ଧ ହୋଇଥିଲା ପରି ମନେହୁଏ ନାହିଁ । ସହରରେ ଶୋଭେଶର ଦୁଇଟା ଅତି ବଡ଼ ବଡ଼ ଘର ଅଛି ବୋଲି ଇନକମ୍‌ଟ୍ୟାକସବାଲା କୋଡ଼ିଏବର୍ଷ ତଳୁ ବୁଝି ରଖିଛନ୍ତି ତାଙ୍କ ଖାତାପତ୍ରରେ । କିନ୍ତୁ ପ୍ରକୃତପକ୍ଷେ ଶୋଭେଶର ଘରସଂଖ୍ୟା ଆହୁରି ବେଶି । କେହି କେହି କହନ୍ତି—ଶଳାଟା ଭାରି ସିଆଣା ! ବାପର ଜମିଦାରି ଥିଲା ଯେ ସରକାର ସିନା ଜମିଦାରି ଉଚ୍ଛେଦ କରି ଦେଲା—କିନ୍ତୁ ଶୋଭେଶ ତ ଜମିଦାର ନୁହେଁ–ଜିମାଦାର । ଏ ଦେଶରେ ଅନ୍ତତଃ ଦଶଜଣ ଧନ କୁବେରଙ୍କ ବିଧବା ପତ୍ନୀମାନେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ଅନ୍ତେ ଶୋଭେଶକୁ ନିଯୁକ୍ତ କରିଛନ୍ତି ତାଙ୍କ ସ୍ୱାମୀଙ୍କ ସମ୍ପତ୍ତିର ଟ୍ରଷ୍ଟି ବା ଜିମାଦାରରୂପେ । ଏହା ପରେ କୋଉ ସରକାର ଶୋଭେଶ ଜିମାଦାର୍‌ର କୋଉ ଜମି କି କୋଉ ଦାରୀକୁ ଧରିବ ଧରୁଥାଉ ଏବେ ।

 

ଅବଶ୍ୟ ଏଗୁଡ଼ାକ ସବୁ ବାହ୍ୟ । ଜମିବାଡ଼ି ଧନସମ୍ପତ୍ତିର ସମସ୍ତ ବାହ୍ୟାଡ଼ମ୍ୱର ସତ୍ତ୍ୱେ ଶୋଭେଶ ବିଚରା ଗୋଟିଏ ଅତି ଭଲ ମଣିଷ । ତାର ସବୁଠୁଁ ଭଲଗୁଣ ହେଲା—ଫ୍ରାଙ୍କ୍‌ନେସ୍‌ । ବାହାରକୁ ଅତି ଚତୁର, ବ୍ୟବସାୟିକ ଓ ପ୍ରବଳ ବୁଦ୍ଧିଜୀବୀ ଭଳି ତାକତରକରେ କଥା କହିଲାବାଲା ମଣିଷଟିଏ ହେଲେ ମଧ୍ୟ ଗୋଟାଏ ଗୋଟାଏ ବେଳେ ଲୋକଟା ତା ଦେହରେ ଖଞ୍ଜା ହେଇଥିବା ଅନ୍ୱେଷଣ ଛିଦ୍ର ବା ‘କି ହୋଲ୍‌’ଟି କୋଉଠି ଅବସ୍ଥିତ ତାହା ଦେଖେଇ ଦେବାକୁ ପଶ୍ଚାତ୍‌ପଦ ହୁଏନାହିଁ । ସେତିକିବେଳେ ତା ମୁହଁରୁ କେତେକ ଅଲୌକିକ ଆତ୍ମଜୀବନୀ ମୂଳକ ଘଟଣାର ବିଷ୍ଫୋରଣ ଶୁଣିବାକୁ ମିଳେ । ଏହି ଘଟଣା ଗୁଡ଼ିକ ଅଧିକାଂଶ ତାକୁ ବାରରୁ ଅଠର ବର୍ଷ ଚାଲୁଥିବା ବେଳର ଘଟଣା ବୋଲି ସେ କହେ । ଆଉ ଏଗୁଡ଼ିକ ସବୁ ସେକ୍‌ସ ନୁହେଁ—ଧର୍ମସଂପର୍କୀୟ ବୋଲି ସେ ଦାବୀ କରେ । ଏହି ହେତୁ ଅନେକ ସାଧାରଣ କୈଶୋର ସୁଲଭ ଚପଳତାଯୁକ୍ତ ଘଟଣା ଶୋଭେଶ ମୁହଁରୁ ଅଲୌକିକ ଅଲୌକିକ ଶୁଭେ ମଧ୍ୟ । ତେବେ ସେ ଯାହା ହେଉନା କାହିଁକି, ଶୋଭେଶ ଯେ ଗୋଟିଏ ଭଲମଣିଷ ଆଉ ତାର ଏକାଧିକ କୋଠାବାଡ଼ି, ଗାଡ଼ି, ସ୍ତ୍ରୀ ବା ରକ୍ଷିତାଙ୍କ ପରେ ସେ ଯେ ଦିନେ ହଠାତ୍ ବାବାଜୀ ନ ହେଲେ ବି ଏକ ବଡ଼ଧରଣର ଦେଶସେବକ ଭଳି ତାର ସବୁ ବାହ୍ୟାଡ଼ମ୍ୱରକୁ ଫୋପାଡ଼ି ଫୁପୁଡ଼ି ଦେଇ ନଙ୍ଗଳା ହୋଇ ଘରୁ ବାହାରିପଡ଼ିବ ଏଭଳି ଆଶଙ୍କା ନକରିବାକୁ ଚାରା ନଥାଏ ।

 

ଆଉ, ଅନତିବିଳମ୍ୱ ପୂର୍ବରୁ ଆମର ସେ ଆଶଙ୍କା ଅକ୍ଷରେ ଅକ୍ଷରେ ସତ୍ୟ ପ୍ରମାଣିତ ହୋଇଗଲା ମଧ୍ୟ ।

 

‘‘ହାଲୋ... କିଏ ମିଃ... କହୁଚନ୍ତି ? ଆଚ୍ଛା ଶୋଭେଶ ବାବୁ ଆପଣଙ୍କ ଆଡ଼େ... ? ନା-? ତେବେ ! ଆଃ...’’

 

ଏ ତ ଗଲା ଓଡ଼ିଆରେ, ଏହା ପରେ ବଙ୍ଗଳାରେ, ହିନ୍ଦିରେ ଏପରିକି ତେଲୁଗୁ ଭାଷାରେ, ପୁଣି ଅତି ମଧୁର ଆଉ ଆତୁର ନାରୀ କଣ୍ଠରେ ଅନ୍ତତଃ ସାତ ଆଠଟି ଟେଲିଫୋନ୍‌ କଲ୍‌ ଅଳ୍ପଅଳ୍ପ ସମୟ ବ୍ୟବଧାନରେ ପାଇଗଲା ପରେ ବ୍ୟାପାରଟା ସମ୍ପର୍କରେ ଆଉ କି ସନ୍ଦେହ କରାଯାଇପାରିଥାନ୍ତା କହନ୍ତୁ ତ ! ଶୋଭେଶ ଯେ ସତକୁ ସତ ଗୋଟାଏ କିଛି ଅଲୌକିକ କାଣ୍ଡ କରି ବସିଲା ତା ପିଲାଦିନ ପରି ପୁଣି ଥରେ, ଏ ବୟସରେ, ଏକଥା ତା ନିଜ ଲୋକମାନେ ସନ୍ଦେହ କଲେ କରନ୍ତୁ, ନକଲେ ନକରନ୍ତୁ, ଅନ୍ତତଃ ମୁଁ ଜାଣିସାରିଥିଲି ସବୁ କଥା ସେତେବେଳକୁ; କିନ୍ତୁ ମୋ ମନରେ ଆଉ କେବଳ ଗୋଟିଏ ପ୍ରକାର ଦ୍ୱିଧା ସେପର୍ଯ୍ୟନ୍ତ ଅସମାହିତ ହୋଇ ରହିଯାଉଥିଲା । ଶୋଭେଶର ସ୍ତ୍ରୀ, ନାରୀବନ୍ଧୁ ବା ରକ୍ଷିତା—ଯାହା କୁହନ୍ତୁ ସେମାନଙ୍କୁ—ସେମାନେ ଯେତେବେଳେ ଟେଲିଫୋନ୍‌ ଜରିଆାରେ ମତେ ପୁନର୍ବାର ଡାକି ଜଣାଇଦେଲେ ଯେ ଘଟଣା ଆହୁରି ଗୁରୁତର—ଶୋଭେଶର ଗାଡ଼ି ଗୋଟିଏ ଜଙ୍ଗଲ ପାଖରୁ ମିଳିଛି ଓ ଗାଡ଼ି ଭିତରେ ଲାଗିଛି ରକ୍ତର ଦାଗ—ଧୀରେ ଧୀରେ ମୋ ମନରୁ ସେ ଦ୍ୱିଧା ମଧ୍ୟ ଉତୁରିଗଲା । ଆଉ, ମୁଁ ନିଜକୁ ନିଜେ ଏଥର ପ୍ରବୋଧ ଦେବା ଅବସ୍ଥାକୁ ଆସିଗଲି । ନିଜକୁ ନିଜେ କହିଲି—‘‘ବୁଝିଗଲି—ସେଇ ପାଗଳାମି—ଥ୍ୟାଙ୍କ୍‌ ଗଡ଼୍‌ ସୁଇସାଇଡ଼୍‌ ତେବେ ନୁହେଁ ।’’

 

କିନ୍ତୁ ନାଁ ଶୋଭେଶ୍‌ ଆଖର ସୁଇସାଇଡ଼୍‌ ହିଁ କରିଥିଲା—ସୁଇସାଇଡ଼୍‌, ଅର୍ଥାତ୍ ଆତ୍ମହତ୍ୟା । ତାର ଏପ୍ରକାର ଅପକର୍ମ ପାଇଁ ଶୋଭେଶର ସେଇ ପିଲାଦିନର ପ୍ରେମ—ପାଗଳାମୀ ହିଁ ପ୍ରକୃତରେ ଯୋଗାଇଦେଇଥିଲା ତାକୁ ସେ ଭୟଙ୍କରୀ ପ୍ରେରଣା ।

 

ଶୋଭେଶର ସ୍ତ୍ରୀ ଓ ବହୁସଂଖ୍ୟକ ରକ୍ଷିତାମାନଙ୍କଠାରୁ ଓଡ଼ିଆ, ବଙ୍ଗଳା, ହିନ୍ଦି, ତେଲୁଗୁ ପ୍ରଭୃତି ନାନା ଜାତିର ଭାଷା ସମ୍ୱଳିତ ଟେଲିଫୋନ୍‌କଲ୍‌ ଗୁଡ଼ାକ ପାଇବାର ବହୁବର୍ଷ ପରେ ମୁଁ ସସ୍ତ୍ରୀକ ପୁରୀ ଶ୍ରୀମନ୍ଦିରରୁ ଠାକୁର ଦର୍ଶନ ସାରି ବାହାରୁଛି—ହଠାତ୍ ମୋ ଆଖିରେ ପଡ଼ିଗଲା ଗୋଟିଏ ଅଦ୍ଭୁତ ଦୃଶ୍ୟ । ସ୍ତ୍ରୀଙ୍କୁ ଡାକି ମୁଁ ତତ୍‌କ୍ଷଣାତ୍ ଦେଖେଇ ଦେଲି ସେ ଦୃଶ୍ୟଟିକୁ ଓ କହିଲି–‘‘ଦେଖିଲ ଦେଖିଲ—ସେ କୁଷ୍ଠରୋଗୀ ବୁଢ଼ାବୁଢ଼ୀ ହଳକ କେଡ଼େ ପ୍ରେମରେ ବସିଚନ୍ତି !’’

 

ସ୍ତ୍ରୀ ମଧ୍ୟ ଚମକି ପଡ଼ିଲା ପରି ସେ ଅଦ୍ଭୁତ ଦୃଶ୍ୟଟିକୁ ଦେଖୁଦେଖୁ ମୋ ହାତକୁ ଧରି ପକେଇ କହିଲେ—‘‘ଆହା, ଭଗବାନଙ୍କର କି ଲୀଳା ! ଏଣେ ରୋଗ ଦେଇଛନ୍ତି ତେଣେ ପ୍ରେମ ଦେଇଛନ୍ତି......ହେ ସତେ ମ ! କି ସୁନ୍ଦର ଯୁଗଳ ମୂର୍ତ୍ତିଭଳି ଦିଶୁଛନ୍ତି—ହା ଭଗବାନ…..’’

 

ଆଉ ସେତିକିରେ ସ୍ତ୍ରୀଙ୍କ ସ୍ୱର ସକସକ ଶୁଣାଗଲା । ମଣିଷର ଦୁର୍ଭାଗ୍ୟ, ବିଶେଷତଃ ଭଲ ମଣିଷଙ୍କ ଦୁର୍ଭାଗ୍ୟ ଦେଖିଲେ ସେ ବରାବର ଏଇଭଳି ସହାନୁଭୂତି ପ୍ରଦର୍ଶନ କରୁ କରୁ ମହମପରି ତରଳିଯାନ୍ତି, ଭାଙ୍ଗି ବି ପଡ଼ନ୍ତି ।

 

ତାଙ୍କୁ ଏପରି ଅବସ୍ଥାରେ ପ୍ରବୋଧ ଦେବାପାଇଁ ଏକମାତ୍ର ରାସ୍ତା—ଘଟଣାସ୍ଥଳରୁ ବାଟ ଭାଙ୍ଗି ଚାଲିବା ଓ ଭଗବାନଙ୍କର ଅନ୍ୟ ସାଧାରଣ ଲୀଳା ପ୍ରତି ଧ୍ୟାନ ଆକର୍ଷଣ କରିଦେବା ।

 

ମୁଁ ପ୍ରାୟ ସେଇ ମତଲବରେ ଟିକିଏ ଦୂରରେ ଥିବା ଶଙ୍ଖ, ମାଳିଦୋକାନ ଗୁଡ଼ାକ ଆଡ଼କୁ ବାଟ ଭାଙ୍ଗୁଥିଲି । କିନ୍ତୁ ହଠାତ୍ ମୋର ସହଧର୍ମିଣୀଙ୍କର ଆତଙ୍କିତ ଚାପା ସ୍ୱର ମତେ ସ୍ଥାଣୁ କରିଦେଲା—‘‘ଦେଖ ଦେଖ—ହେ ଦେଖୁଚ ! ଏତ ତମ ସାଙ୍ଗ ସେଇ ଶୋଭେଶ ନା କଣ—ଦେଖିଲ ଦେଖିଲ !’’

 

ଆରେ ! ଆରେ ! —କହୁ କହୁ ମୋର ସ୍ଥାଣୁତ୍ୱ ଏକ ଦୃଶ୍ୟମାନ ସ୍ନାୟବିକତାରେ ପରିଣତ ହୋଇଗଲା ।

 

‘‘ଆୟ ଶୋଭେଶ........ଆୟ ଶୋଭେଶ……’’ ସେତେବେଳକୁ ସ୍ଥାନ କାଳ ପାତ୍ର ଭୁଲି ମୁଁ ବଡ଼ଦାଣ୍ଡ ମଝିରେ ଏକ ଦୃଶ୍ୟ ରଚନା କରିସାରିଥିଲି ପ୍ରାୟ । କାରଣ ବଡ଼ଦାଣ୍ଡରେ କୌଣସି କୁଷ୍ଠରୋଗୀକୁ କୌଣସି ଭଦ୍ରଲୋକ କେବେ ଏଭଳି ଗୋଡ଼ାଇବା ଓ ରୋଗୀ ବିଚରା ଭୟରେ ପଛେଇ ପଛେଇ ଯାଉ ଯାଉ ଇଂରେଜୀରେ ‘‘ଷ୍ଟେ, ଷ୍ଟେ ଦେୟାର୍‌—ଡୋଣ୍ଟ୍‌.......ଡୋଣ୍ଟ୍‌ ଟଚ୍‌ ମି ୟୁ ଇଡ଼ିଅଟ୍‌’’ ଶୋଧି ଶୋଧି ଆପଣା ମର୍ଯ୍ୟାଦା ଆପେ ଆପେ ରଖିବାକୁ ଚେଷ୍ଟା କରୁଥିବା ଦୃଶ୍ୟ ଗଲା ହଜାରେ ବର୍ଷ ଭିତରେ ଥରେ ବି ଘଟିଥିବ କି ନଥିବ ।

 

ଏଇ ଅବସରରେ ମୋର ଧର୍ମପତ୍ନୀ ଶୋଭେଶ୍‌ର ସେଇ ହତଭାଗିନୀ ନାରୀବନ୍ଧୁଟି ସହିତ ବେଶ୍‌ କିଛି ଆତ୍ମୀୟତା ଜମେଇ ନେଇଥିଲେ ଅବଶ୍ୟ, ଏବଂ ସଂସାରରେ ସବୁ ଗୃହସ୍ଥମାନେ ଯେପରି ନିଜ ପତ୍ନୀ ଜରିଆାରେ ପର ଘରର ସବୁ ଖବର, ସବୁ ଛିଦ୍ର ଶୁଣିବାକୁ ପାଇଥାନ୍ତି, ଅବିକଳ ସେଇ ରୀତିରେ ଭିତିରି ଘଟଣାଟି ମୁଁ ଢେର୍‌ ଡେରିରେ ପ୍ରାପ୍ତ ହୋଇଥିଲି । ସେଦିନ ବଡ଼ଦାଣ୍ଡରେ ଅବଶ୍ୟ ସେ କୁଷ୍ଠରୋଗୀକୁ ଶୋଭେଶ ବୋଲି ଚିହ୍ନଟ କରିବା ପାଇଁ ମୁଁ ଯେଉଁ ନିର୍ମମ ପ୍ରଚେଷ୍ଟାଟି ଚଳେଇଥିଲି ସେଥିରେ ପାଶ୍‌ କରିବା ତ ଦୂରର କଥା, ଓଲଟା ଢେର୍‌ ଅପମାନ ପାଇ ଯାଇଥିଲି । କାରଣ ଶୋଭେଶ ତ ଧରାଛୁଆଁ ଦେଲାନାହିଁ, ଓଲଟି କେତେଜଣ ଯୁବକ ମତେ ଟିଟିକାର୍‌ ମାରି କହିବାର ଶୁଣା ଯାଇଥିଲା—‘‘ଶଳା ବାୟା, କୁଷ୍ଠରୋଗୀକୁ ନାଁ ପଚାରୁଚି—ବେଶ୍ୟାକୁ ଜାତି ପଚାରୁଚି !’’

 

ସେଦିନ ରାତିରେ, ଗୋଟିଏ ନିରୋଳା ବେଳ ଦେଖି ପତ୍ନୀ କହିଲେ, ‘‘ତମ ସାଙ୍ଗ ଶୋଭେଶ ବାବୁ ଜଣେ ସନ୍ଥ.......ଜଣେ ଅତି ବଡ଼ ସନ୍ଥ ସେ !’’

 

କହୁ କହୁ ତାଙ୍କ ଆଖିରୁ ଲୁହ ବୋହି ଆସିଲା, ଆଉ ମୁଁ ବୁଝିନେଲି ସେ ଯାହା କହୁଥାନ୍ତି ଥଟ୍ଟା ନୁହେଁ—ପ୍ରଗାଢ଼ ଧାର୍ମିକ ଭାବାବେଗର ଭାଷା ସେଗୁଡ଼ାକ ।

 

ତଥାପି, ଦିନର ଅପମାନ ମନେପକେଇ ମୁଁ ଅନ୍ୟ ଦିଗକୁ ଚାହିଁ ପ୍ରତିବାଦ କଲି–‘‘ସନ୍ଥ ! ହୁଁ–ଭାରି ସନ୍ଥ ଶଳାଟା ! ତାର ତ ଭାରତବର୍ଷ ଗୋଟାକଯାକ ସବୁ ସହରରେ ଗୋଟାଏ ଗୋଟାଏ ଘର—ଗୋଟାଏ ଗୋଟାଏ ରକ୍ଷିତା…... ! କୁଷ୍ଠ ଭୋଗୁଛନ୍ତି ସନ୍ଥ ମହାରାଜ... ଉଁ ସନ୍ଥ ମହାରାଜ-!’’

 

‘‘ସାରା ପୃଥିବୀରେ ସନ୍ଥ ସେଇମାନେ ଯେଉଁମାନେ ପ୍ରକୃତରେ ଜାଣନ୍ତି ପାପର ସ୍ୱରୂପ...’’ ଧାର୍ମିକ ଭାବାବେଗବଶତଃ ସ୍ତ୍ରୀଙ୍କର ସ୍ୱର ଗୁମ୍‌ସୁମ୍ ଶୁଣାଯାଉଥାଏ ।

 

‘‘ପାପର ସ୍ୱରୂପହିଁ ପାପ—’’ ମୁଁ ଚିହିଙ୍କି ଉଠିଲି ।

 

‘‘ପାପର ସ୍ୱରୂପ ପାପ ନୁହେଁ—ଅହଂକାର ! ସନ୍ଥମାନେ ହିଁ ଜାଣନ୍ତି କ’ଣ ସେ ଜିନିଷ ଯାହା ନାଁ ଅହଙ୍କାର । ତମ ସାଙ୍ଗ ଶୋଭେଶ ବାବୁଙ୍କ ଅସଲ ଅହଙ୍କାର ନଥିଲା ତାଙ୍କ କୋଠାବାଡ଼ି ଓ ରକ୍ଷିତାଙ୍କ ସଂଖ୍ୟାରେ । ସେଇଟା ଥିଲା ଅସଲରେ ତାଙ୍କ ପିଲାଦିନର ଗୋଟାଏ ପ୍ରକୃତ ଘଟଣାରେ । ସେ ଯୋଉ କୁଷ୍ଠରୋଗିଣୀଟିକୁ ଦେଖିଲ ସେଇ ପ୍ରକୃତରେ ତାଙ୍କ ସ୍ତ୍ରୀ—ବୁଝିଲ !’’

 

‘‘ମାନେ ?’’ ମୁଁ ଏଥର ସିଧା ମୋ ସ୍ତ୍ରୀଙ୍କ ଆଖିରେ ଆଖି ନମିଳାଇ ରହିପାରିଲି ନାହିଁ । ପଚାରିଲି, ‘‘ଶୋଭେଶ ଗୋଟାଏ କୁଷ୍ଠରୋଗିଣୀକୁ ଜାଣିଶୁଣି ବାହା ହେଇଥିଲା ନା କଅଣ !’’

 

‘‘ନା—’’ ଏକ ତୀକ୍ଷ୍‌ଣ ନୈତିବାଚକ ଶବ୍ଦ ଏଭଳି ଦାମ୍ଭିକ ସ୍ପଷ୍ଟୋକ୍ତି ସହିତ କୌଣସି ସ୍ତ୍ରୀଲୋକ ତୁଣ୍ଡରୁ ମୁଁ ଜୀବନରେ କେବେ ଶୁଣିଥିଲି ବୋଲି ମନେ ହୁଏନା । କିନ୍ତୁ ଅବିକଳ ସେଇ ଧରଣର ନେତିବାଚକତା ସହିତ ମଧ୍ୟ ସେ ସ୍ୱର ମିଳେଇ ପୁଣି କହିଲେ, ‘‘ହଁ ଜାଣିଶୁଣି ବାହାହେବା ଭଳି ଅହଙ୍କାର ନଥିଲେ ଶୋଭେଶ ସନ୍ଥ ପାଲଟିଥାନ୍ତେ ପୁଣି କିପରି ?’’ ମୋର ମୁଣ୍ଡ ବିଗିଡ଼ି ଆସୁଥିଲା ।

 

‘‘କୋଉକୁ ପାଇଲ ଏସବୁ ବାଜେ ଖବର—କିଏ କହିଲା ?’’ ମୁଁ ଅସ୍ଥିର ହୋଇ ପଡ଼ୁଥିଲି । ସକାଳେ ଶୋଭେଶକୁ ବଡ଼ଦାଣ୍ଡରେ ଗୋଡ଼େଇବା ବେଳର ସ୍ନାୟବିକତା ମତେ ସତେକି ପୁଣି ଗ୍ରାସି ଆସୁଥିଲା ।

 

‘‘ଯେଉଁ କୁଷ୍ଠରୋଗିଣୀ—ଶୋଭେଶର ସବା ପ୍ରଥମ ପ୍ରେମିକା ମତେ କହିଛି, ସବୁ କହିଚି—ଜାଣ ? ସେ ଝିଅଟି ଶୋଭେଶର ନିଜ ମାଉସୀ । ବାର ଚଉଦବର୍ଷ ବୟସରେ ଦୁହେଁ ପଡ଼ିଗଲେ ପ୍ରେମରେ । ଏ କଥା ଜଣା ପଡ଼ିଗଲା ପରେ ଦିହିଙ୍କି ଅଲଗା ଅଲଗା କରିଦିଆଗଲା । ବର୍ଷ କେତେଟା ପରେ ଶୋଭେଶର ମାଉସୀ ଆସି ରହିବାର ଦେଖାଗଲା ଗୋଟାଏ କୁଷ୍ଠାଶ୍ରମରେ-। ଶୋଭେଶ ଗଲା ସହରକୁ ପାଠ ପଢ଼ି ଧନ ଅର୍ଜିବାକୁ, କିନ୍ତୁ ପରିଣତି ହେଲା ଏଇଆ । ଦିନେ କୁଷ୍ଠାଶ୍ରମରେ ପହଞ୍ଚି ଶୋଭେଶ ତା ମାଉସୀକୁ ଚିହ୍ନା ଦେଲା । କହିଲା—‘ବହୁତ ଡେରି ହୋଇଗଲା-। ମୋର ଭାରି ଡର ଥିଲା ଏଇ ରୋଗଟାକୁ । କିନ୍ତୁ ମୁଁ ଦେଖିଲି ‘ସେ’ ରୋଗ ‘ୟା’ ଠୁଁ ବଡ଼ । ପ୍ରକୃତ ବଡ଼ ରୋଗ ସେ—ୟେ ନୁହେଁ ! ଆ—ଯିବା !’’

 

‘‘ଶଳା—ବାୟା ! ପାଗଳା !’’ ମୁଁ ସମ୍ଭାଳି ପାରିଲି ନାହିଁ ମଣିଷର ଏଭଳି ଆତ୍ମହତ୍ୟାର ଜଘନ୍ୟ ଦୃଶ୍ୟକୁ ।

 

‘‘କିନ୍ତୁ ସେମାନେ ସୁଖୀ—ନିଜ ଆଖିରେ ପରା ଦେଖି ଆସିଲ ବଡ଼ଦାଣ୍ଡରେ ତାଙ୍କର ସାଙ୍ଗ ହୋଇ ବସିବାର ସେ ଦୃଶ୍ୟକୁ ! ସୁଖର ପ୍ରମାଣ ଆଉ କ’ଣ କି ?’’

 

ମୋର ଧର୍ମପତ୍ନୀଙ୍କର ସନାତନ ଧର୍ମର ସେ କଥା ଗୁଡ଼ାକ ମତେ ଭାରି ଅସୁଖ ଲାଗୁଥିଲେ ମଧ୍ୟ ଶୋଭେଶ ପ୍ରତି ମୋର ବୁଝାମଣା କ୍ରମେ ପରିଷ୍କାର ହୋଇଆସୁଥିଲା ।

 

‘‘ଆଃ—ଏଇଆ ତେବେ ସେ କହୁଥିଲା—ଯାହା ସେକ୍‌ସ କି ଧର୍ମ ଜାଣି ହେଉ ନଥିଲା..’’ ମୁଁ ଭାବିଚାଲିଥିଲି ଶୋଭେଶର ଅତୀତ କଥା—ମଣିଷର ଭବିଷ୍ୟତ କଥା ।

Image

 

କ୍ଲାସ୍‌ମେଟ୍‌

 

ମନ୍ତ୍ରୀଙ୍କ ଟୁର୍‌ ପ୍ରୋଗ୍ରାମ୍‌ଟାକୁ ଧରି ପାନଦୋକାନୀ କଣ୍ଡୁରୀ ବାରମ୍ୱାର ଗୋଟାଏ ସୁଖସ୍ୱପ୍ନ ଦେଖିଚାଲିଲା । ଯେତେ କଲେଜ୍‌ପିଲା, ଯେତେ ଓକିଲ ବା ଅଧ୍ୟାପକ, ଯେତେ ରାଜନୀତି କଲାବାଲା ଲୋକ ତା ଦୋକାନକୁ ଆସୁଥିଲେ ସମସ୍ତଙ୍କୁ ସେଇ ପଦେ କଥାରେ ସେ ସ୍ତମ୍ଭୀଭୂତ କରିଦେଲା—‘‘ସେ କିଏ ଜାଣ ? ମୋ କ୍ଲାସ୍‌ମେଟ୍‌ ! ପଅରଦିନ ଆସୁଚନ୍ତି ପରା ? ରହ ଦେଖିବ–ଗାଡ଼ି ଏଇଠି ଅଟକିବ । ଏଇ ଦୋକାନ ସାମ୍ନାରେ ମନ୍ତ୍ରୀଙ୍କ ଗାଡ଼ି ଅଟକିବ । ୟେସ୍‌, ଅଟକିବ ।’’

 

କଣ୍ଡୁରୀ ଜଣେ ଭଲ ପ୍ରକୃତିର ମଣିଷ । ବୟସ ବେଶି ନୁହେଁ; ଖୁବ୍‌ ବେଶିରେ ଚାଳିଶ ବା ପଇଁଚାଳିଶ । କିନ୍ତୁ କଣ୍ଡୁରୀର କୌଣସି ଗୋଟିଏ ଉଚ୍ଚାଭିଳାଷ ଅପୂର୍ଣ୍ଣ ରହିଯାଇଥିଲା ସମ୍ଭବତଃ-। ସେଇ କାରଣରୁ ଲୋକଟା ଭାରି ଗପୁଡ଼ି । ଏମିତି ଗପେ ଯେ ତା କଥା ଶୁଣିଲେ ମନେହେବ ସେଟା ଗୋଟାଏ ଟାଉଟର୍‌, ନହେଲେ ପାଗଳ ।

 

କଣ୍ଡୁରୀର ମୁଖ୍ୟ ଗରାଖ କଲେଜପିଲେ । ଛୋଟ ସହରର କେନ୍ଦ୍ରଠାରୁ ଢେର୍‌ ଦୂରରେ କଲେଜଟା । କିନ୍ତୁ ଏତେ ଦୂରରୁ ମଧ୍ୟ କଲେଜ ପିଲେ ପାନ ଖାଇବାକୁ ଆସନ୍ତି ସେଇ ଗୋଟିଏ ଦୋକାନକୁ—କଣ୍ଡୁରୀ ଦୋକାନକୁ । କଣ୍ଡୁରୀ ପିଲାଙ୍କୁ ଆଦର କରେ । ଭଲମନ୍ଦ ପଚାରେ । ପାଠପଢ଼ା ବିଷୟରେ ତଦାରଖ କରେ । କଲେଜର କୋଉ କୋଉ ମାଷ୍ଟ୍ରେ ଭଲ ପଢ଼ାନ୍ତି, କିଏ କୁଣ୍ଡାଦେଇ ପାଠ ପଢ଼ିଥିବାରୁ କ୍ଲାସ୍‌ରେ ଅପମାନ ପାଆନ୍ତି, କିଏ ରାଜନୀତି କରନ୍ତି ବା କିଏ ଝିଅପିଲାଙ୍କ ପଛରେ ଗୋଡ଼ାନ୍ତି, କଲେଜ ବିଷୟରେ ସବୁ ହାଲ କଣ୍ଡୁରୀ ବୁଝେ, ତାକୁ ସବୁ ଜଣା ।

 

ଖାଲି କଲେଜ ବିଷୟ ନୁହେଁ; ସ୍ଥାନୀୟ କଚେରୀ, ଡାକ୍ତରଖାନା, ବ୍ୟାଙ୍କ୍‌, ବିଜୁଳି, ବିଭାଗ, ଜନସ୍ୱାସ୍ଥ୍ୟ ବିଭାଗ, କୃଷି ଅଫିସ୍‌, ସମବାୟ ଅଫିସ୍‌, ପ୍ରଭୃତି ସବୁ ଅଫିସ୍‌ର ଛୋଟବଡ଼ ହାକିମଙ୍କ ଚରିତ୍ର ପଞ୍ଜିକା କଣ୍ଡୁରୀର ମୁହେଁ ମୁହେଁ । ବିଶେଷତଃ ଅଫିସର୍‌ମାନଙ୍କ ଭିତରୁ କିଏ କୋଉ ଦଳର, ଅର୍ଥାତ୍ କାହାର ରାଜନୈତିକ କାର୍ଯ୍ୟକଳାପ କେଉଁ ରାଜନୀତିଦଳକୁ କିଭଳି ସୁହାଏ କଣ୍ଡୁରୀକୁ ଖୁବ୍‌ ଜଣା । ଖାଲି ସେତିକ ନୁହେଁ; କୋଉ କୋଉ ଅଫିସର୍‌ କୋଉ କୋଉ ମନ୍ତ୍ରୀଙ୍କ ପାଖଲୋକ, କୋଉ କୋଉ ମନ୍ତ୍ରୀ କି ଏମ୍‌.ପି, ଏମ୍‌.ଏଲ୍‌.ଏ.ଙ୍କ ଭିତରେ ଫଟାଫଟି କି ମଠାମଠି କେତେ ଗଭୀର ଏ ବିଷୟରେ ମଧ୍ୟ କଣ୍ଡୁରୀର ବୁଝାମଣା ବେଶ୍‌ ତୀକ୍ଷ୍‌ଣ ।

 

ଏଇସବୁ ବିଷୟକୁ ନେଇ କଣ୍ଡୁରୀ ପାନଦୋକାନଟି ସ୍ଥାନୀୟ ଛୋଟ ସହରଟି ଭିତରେ ଗୋଟିଏ ଅତି ସକ୍ରିୟ ରାଜନୈତିକ ଚିନ୍ତନ କେନ୍ଦ୍ରରୂପେ ପରିଚିତ । କିନ୍ତୁ କଣ୍ଡୁରୀ ଲୋକଟି ରାଜନୀତିରେ ନଥାଏ ବା ତାର କୌଣସି ରାଜନୈତିକ ଅଭିଳାଷ ନଥାଏ, ଏହା ସ୍ୱତଃସିଦ୍ଧ । କାରଣ ବିଗତ ଦୁଇ ତିନିଟା ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି, ଏନ୍‌.ଏ.ସି. ବା ସାଧାରଣ ନିର୍ବାଚନରେ କଣ୍ଡୁରୀକୁ ବିଭିନ୍ନ ରାଜନୈତିକ ଦଳରୁ ନାନା ‘ଅଫର୍‌’ ଆସିଥିଲେ ସୁଦ୍ଧା ସେ ନିଜ ଦୋକାନ ଖଣ୍ଡକ ଛାଡ଼ି କୁଆଡ଼େ ହେଲେ ପଶିଯିବାର ଚିନ୍ତା କେବେହେଲେ କରିପାରିନାହିଁ, ଏକଥା ସମସ୍ତେ ଜାଣନ୍ତି । ତେଣୁ କଣ୍ଡୁରୀ ଲୋକଟାର ଅପୂର୍ଣ୍ଣ ଉଚ୍ଚାଭିଳାଷ ଯେ ଅର୍ଡ଼ିନାରି ଲୋକଙ୍କ ଉଚ୍ଚାଭିଳାଷ ପରି ପୂରାପୂରି ରାଜନୈତିକ, ତା ଛଡ଼ା ଆଉ କିଛି ନୁହେଁ—ଏକଥା ଭାବି ହୁଏନାହିଁ । ତଥାପି ଗପୁଡ଼ି ଲୋକଟାର ଗପସପ କଥାବାର୍ତ୍ତାରୁ ଖାଲି ରାଜନୀତି ଛଡ଼ା ଆଉ ବେଶି କିଛି ଗହୀରିଆ ନୀତି ବା ତତ୍ତ୍ୱ ଅଥବା ଉଚ୍ଚାକାଙ୍‌କ୍ଷାର କୌଣସି ସୂଚନା ସେପର୍ଯ୍ୟନ୍ତ କେହିହେଲେ ମଧ୍ୟ ଧରିପାରି ନାହାନ୍ତି । ଆଉ ଏଇ ଅବସରରେ କଣ୍ଡୁରୀ ପାନ ଦୋକାନୀର ଜଣେ କ୍ଲାସମେଟ୍‌-ମନ୍ତ୍ରୀଙ୍କ ଶୁଭାଗମନ ଘଟିବାକୁ ଥାଏ ମାତ୍ର ଦିନଟିଏ ପରେ ସେଇ ଛୋଟ ସହରଟିକୁ ।

 

ସେଦିନ ସନ୍ଧ୍ୟାରେ କଣ୍ଡୁରୀ ବହୁ କଲେଜ ପିଲାଙ୍କୁ ‘ମନ୍ତ୍ରୀ ମୋ କ୍ଲାସ୍‌ମେଟ୍‌’ ବୋଲି ଏତେ ଗର୍ବର ସହିତ ଏଭଳି ମାର୍ମିକ ଭାବେ ଫଳେଇ ଫଳେଇ କହି ଲାଗିଲା ଯେ, ପରଦିନ ସକାଳକୁ ସ୍ଥାନୀୟ ଆଇନ ଓ ଶୃଙ୍ଖଳା କର୍ତ୍ତୃପକ୍ଷକଙ୍କ ମହଲରେ ବିଷୟଟିର ଗୁରୁତ୍ୱ ସମ୍ୱନ୍ଧରେ ଏକ ଆଲୋଚନାର ସୂତ୍ରପାତ ହୋଇଗଲା । ସବ୍‌ଡ଼ିଭିଜନ୍‌ ଅଫିସର୍‌, ପୁଲିସ୍‌ ଓ ଗୁଇନ୍ଦା ଅଫିସର୍‌ମାନଙ୍କୁ ଫୋନ୍‌ରେ ଡାକି ସତର୍କ କଲାପରି କହିଲେ, ‘‘ଶୁଣୁଛି ବିରୋଧୀ ଦଳ ପକ୍ଷରୁ ଗୋଟାଏ ମସୁଧା ଚାଲିଛି । କିଏ ଗୋଟାଏ କଣ୍ଡୁରୀ ପାନଦୋକାନ କରିଛି ଜାଣନ୍ତି ? ମନ୍ତ୍ରୀଙ୍କ ଗାଡ଼ି ସେଠି ଅଟକାଇବାର ଯୋଜନା ଅଛି । ବୁଝନ୍ତୁ ତ ! ସେ ଲୋକଟା ଛାତ୍ରଙ୍କୁ ମତାଉଚି ଗାଡ଼ି ଅଟକାଇବା ପାଇଁ ।’’

 

ପୁଲିସ୍‌ ଗୁଇନ୍ଦା ଅଳ୍ପ ସମୟ ଉତ୍ତାରେ କଚେରି ଛକପାଖ କଣ୍ଡୁରୀ ପାନଦୋକାନ ପାଖେ ପହଞ୍ଚିଗଲେ । ସେତେବେଳକୁ କେତେଜଣ ଯୁବକ ସାବଳରେ ଗାତ ଖୋଳିବା ଆରମ୍ଭ କରିଦେଇଥିଲେ । ଗୁଇନ୍ଦା ପାନଦୋକାନକୁ ପାନ କିଣିବା ବାହାନାରେ ଆୟୋଜନର ସାମଗ୍ରୀଗୁଡ଼ିକ ପ୍ରତି ନିଜର ପକାଇବାକ୍ଷଣି ବ୍ୟାପାରଟିକୁ ଅନୁମାନ କରିନେଲେ । ଯୁବକମାନଙ୍କ ଭିତରେ ଚାଲିଥିବା କଥାବାର୍ତ୍ତାରୁ ତାଙ୍କର ଧାରଣା ସ୍ପଷ୍ଟ ହୋଇଗଲା । କିନ୍ତୁ ଗୋଟିଏ ବିଷୟରେ ସେ ତଥାପି କିଛି ବୁଝିପାରୁନଥିଲେ । ମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ତାଙ୍କ ଗସ୍ତର କାର୍ଯ୍ୟକ୍ରମ ବହିର୍ଭୂତଭାବେ ଯେଉଁ ସ୍ୱାଗତ ସମ୍ୱର୍ଦ୍ଧନାର ଆୟୋଜନ ଆରମ୍ଭ ହୋଇଥିଲା ତାର କର୍ତ୍ତା କିଏ—କଣ୍ଡୁରୀ ? ନା ଅନ୍ୟ କେହି ? ଏହି କାରଣରୁ ପୁଲିସ୍‌ ଗୁଇନ୍ଦା ଦୀର୍ଘ ସମୟ ଧରି ପାନଦୋକାନ ଆଖପାଖରେ ଘୂରାଫେରା କରିଲାଗିଲେ ଓ ଯୁବକମାନଙ୍କ ଅସଲ ମତଲବ ଠଉର କରିବାରେ ମନୋନିବେଶ କଲେ । ଏହା ପରେ ସେ ସିଧା ଚାଲିଲେ ସବ୍‌ଡ଼ିଭିଜନାଲ୍‌ ଅଫିସର୍‌ଙ୍କ ଅଫିସକୁ ।

 

ସେଦିନ ସନ୍ଧ୍ୟା ସୁଦ୍ଧା କଣ୍ଡୁରୀ ପାନ ଦୋକାନଠାରୁ ମାତ୍ର କେଇଫୁଟ ଦୂରରେ, ମେନ୍‌ରୋଡ଼୍‌ ଉପରେ, ଗୋଟିଏ ତୋରଣ ନିର୍ମାଣ କାର୍ଯ୍ୟ ବେଶ୍ କିଛି ଆଗେଇ ଯାଇ ସାରିଥିଲା । ଆଡ଼ମ୍ୱରରୁ ଜଣାପଡ଼ୁଥିଲା ସେଭଳି ବ୍ୟୟବରାଦ ଯେ ବିରୋଧୀ ଦଳ ପକ୍ଷରୁ କାହିଁକି କରାଗଲା ତାର ଉଦ୍ଦେଶ୍ୟ ଆଦୌ ବୁଝିହେଉ ନଥିଲା । କସ୍ମିନ୍‌କାଳେ କୌଣସିଠାରେ କୌଣସି ରାଜନୈତିକ ବିରୋଧୀଦଳ ପକ୍ଷରୁ ଜଣେ ମନ୍ତ୍ରୀଙ୍କୁ ଅଫିସିଆଲ୍‌ ଗସ୍ତବେଳେ ସମ୍ୱର୍ଦ୍ଧନା ଦିଆଯିବା ଲାଗି ତୋରଣ ନିର୍ମାଣ କରାଯିବାର ନଜିର୍‌ କେଉଁଠି ଅଛି—କର୍ତ୍ତୃପକ୍ଷ ଏଇ ଚିନ୍ତାରେ ହିଁ କାଳଯାପନ କଲେ ସେଦିନ ରାତିରେ । ଏସ.ଡି.ଓ. ଜିଲ୍ଲାପାଳଙ୍କୁ ଘନ ଘନ ଟେଲିଫୋନ୍‌ କରିଥିଲେ ସେ ରାତିରେ । ସରକାରୀ ଦଳର ସ୍ଥାନୀୟ ନେତୃବୃନ୍ଦ ଏମ୍‌.ଏଲ୍‌.ଏ, ଏମ୍‌.ପି. ମଧ୍ୟ ଜିଲ୍ଲାପାଳ, ଏସ୍‌.ଡି.ଓ. ଓ ପୁଲିସ୍‌ କର୍ତ୍ତୃପକ୍ଷଙ୍କ ସହିତ ବିରୋଧୀ ଦଳର ସନ୍ଦେହଜନକ କାର୍ଯ୍ୟକ୍ରମ ସମ୍ପର୍କରେ ତନାଘନା ଆଲୋଚନାରେ ବ୍ୟାପୃତ ରହିଲେ ବହୁତ ରାତିଯାକେ ।

 

ପରଦିନ ସକାଳକୁ କଣ୍ଡୁରୀ ପାନଦୋକାନ ପାଖରେ ମନ୍ତ୍ରୀଙ୍କ ସମ୍ୱର୍ଦ୍ଧନା ଉଦ୍ଦେଶ୍ୟରେ ନିର୍ମିତ ହୋଇଥିବା ବେସରକାରୀ ବା ବିରୋଧୀ ଦଳର ସୁସଜ୍ଜିତ ତୋରଣଟିକୁ ଘେରି ବହୁ ଯୁବକ ସପ୍ରଂଶସ ଦୃଷ୍ଟିରେ ଅନାଇ ରହିଥିବାବେଳେ ଗୋଟିଏ ପୁଲିସ ଜିପ୍‌ ଅନତି ଦୂରରେ ଅଟକିଗଲା । ଦୁଇଜଣ ଅଫିସର୍‌ ଜିପ୍‌ରୁ ଓହ୍ଲାଇଲେ । ସେମାନେ ଘଟଣାସ୍ଥଳରେ ଉପସ୍ଥିତ ଯୁବକମାନଙ୍କର ଅପରିଚିତ ନୁହଁନ୍ତି; ତେଣୁ ହସିହସି ସେମାନେ ଯୁବକମାନଙ୍କ ନିକଟକୁ ଅଗ୍ରସର ହେବାକୁ ଲାଗିଲେ-

 

‘‘ଆଃ, କେଡ଼େ ଚମତ୍କାର ଗେଟ୍‌ !’’ ସିନିୟର ଅଫିସର୍‌ ଜଣକ ତାଙ୍କର ହସଖୁସିଆ ମିଜାଜ୍ ପାଇଁ ଟାଉନ୍‌ରେ ଅତ୍ୟନ୍ତ ଲୋକପ୍ରିୟ ହୋଇପାରିଥିବା ହେତୁ ସମ୍ଭବତଃ ଉପସ୍ଥିତ ଯୁବକମାନଙ୍କୁ ସମ୍ୱୋଧନ କରି କହିଲେ, ‘‘ଏ ତ ଦିଶୁଛି କଟକରେ ଦଶହରାକୁ ଚାନ୍ଦିନୀଚଉକ ଛକପାଖ ଗେଟ୍‌ ଭଳି । ଏତେ ଟଙ୍କା କେଉଁଠୁ ଆସିଲା ? କିଏ ଦେଲା ? ଏଠି ତ ମନ୍ତ୍ରୀଙ୍କୁ ସମ୍ୱର୍ଦ୍ଧନା ପାଇଁ କୌଣସି ପ୍ରୋଗ୍ରାମ୍‌ ନାହିଁ ? କ’ଣ ପିଲାମାନେ, ଏ କି ପାଲା ଆରମ୍ଭ ହୋଇଗଲା-?’’

 

ରାତିଯାକ ଅନିଦ୍ରା ରହି ତୋରଣ ନିର୍ମାଣ କାର୍ଯ୍ୟ ତଦାରଖ କରୁଥିବା କର୍ମୀ ଯୁବକମାନଙ୍କ ମଧ୍ୟରୁ କେତେଜଣ ପୁଲିସ୍‌ ଅଫିସର୍‌ଙ୍କ ମତଲବ ଠଉର କରିପାରିଥିଲେ ନିଶ୍ଚୟ । ଅଫିସରଙ୍କର ହସଖୁସିଆ ପ୍ରଶ୍ନର ଜବାବ୍ ଦେବାପାଇଁ ସେମାନଙ୍କ ଭିତରୁ କେହି ପ୍ରଥମେ ଆଗଭର ନ ହେଉଥିଲେ ମଧ୍ୟ ଜଣେ ନିତାନ୍ତ ଅନିଚ୍ଛୁକତାବଶତଃ ଜବାବ୍‌ ଦେବାର ଶୁଣାଗଲା, ‘‘ମନ୍ତ୍ରୀ ଏଠି ସମ୍ୱର୍ଦ୍ଧନା ନେବେ କି ନ ନେବେ ସେକଥା ସେତେବେଳେ ଦେଖାଯିବ—ଏତେବେଳେ କାହିଁକି ?’’ ପରେ ପରେ ଆଉ ଏକ ସ୍ୱରରୁ କିଞ୍ଚିତ ବିଦ୍ରୂପୋକ୍ତି ସତେକି ପ୍ରକାଶ ପାଇଗଲା, ‘‘ଏ ଗେଟ୍‌ର ନାଁ କଅଣ ଜାଣନ୍ତି ? ଦଶହରା ଗେଟ୍‌ ନୁହେଁ—ଫ୍ରେଣ୍ଡସିପ୍‌ ଗେଟ୍‌ । ଏଠି ଗୋଟାଏ ବିରାଟ ବନ୍ଧୁ ମିଳନ ହବ ଆଜି—ଦେଖିବେ ଥାଆନ୍ତୁ ।’’

 

ପୁଲିସ ଅଫିସର୍‌ଙ୍କ ହସ ହସ ମୁହଁଟି ସାମାନ୍ୟ ଗମ୍ଭୀର ହୋଇ ଆସିଲା । ସହକର୍ମୀ ଅଫିସର୍‌ଙ୍କୁ ଅନାଇ ସେ କଅଣ ଟିକିଏ ବିଡ଼ିବିଡ଼ି ହେଲେ । ଏହା ପରେ ଦୁହେଁ ଫେରିଆସିଲେ ଜିପ୍‌ ପାଖକୁ ।

 

ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ସେଦିନ ଅପରାହ୍ନ ଦୁଇଟାରେ ମନ୍ତ୍ରୀ ରାଜଧାନୀ ଛାଡ଼ିବାର କଥା । ବାଟରେ ବିଭିନ୍ନ କାର୍ଯ୍ୟକ୍ରମ ଅନ୍ତେ ସ୍ଥାନୀୟ ସବ୍‌ଡ଼ିଭିଜନାଲ୍‌ ହେଡ଼୍‌ କ୍ୱାଟରରେ ଅନ୍ୟୂନ ଛଟା ସୁଦ୍ଧା ପହଞ୍ଚିବା ପରେ ପ୍ରଥମେ କଚେରି ଛକରେ ଗାନ୍ଧି ମୂର୍ତ୍ତି ଗଳାରେ ମାଲ୍ୟଦାନ, ତାପରେ ଗୋଟିଏ କୃଷି ପ୍ରଦର୍ଶନୀ ଉଦ୍‌ଘାଟନ, ଏହାପରେ ଏକ ସାଧାରଣ ସଭାରେ ଭାଷଣ ଏବଂ ତାହା ପରେ କର୍ମୀସମ୍ମିଳନୀ, ବ୍ୟତୀତ ଆଉ କୋତୋଟି ଛୋଟବଡ଼ ପ୍ରଶାସନିକ ସମସ୍ୟାର ସମାଧାନ ନିମିତ୍ତ ଡାକବଙ୍ଗଳାରେ ରାତ୍ରି ଉଜ୍ଜାପନହିଁ ଥିଲା ତାଙ୍କର ମୁଖ୍ୟ କାର୍ଯ୍ୟକ୍ରମ ।

 

କିନ୍ତୁ, ଚଳିତ ବର୍ଷଟି ଥିଲା ମନ୍ତ୍ରୀମାନଙ୍କ ପକ୍ଷରେ ଏକ ଅସୁବିଧାଜନକ ବର୍ଷ । ବିଗତ ଚାରୋଟି ବର୍ଷର ଦୀର୍ଘ ସୁସୁପ୍ତି ଉତ୍ତାରେ ବିରୋଧୀ ପକ୍ଷ ସେଇମାତ୍ର ମୁଣ୍ଡ ଟେକି ଚତୁଃପାର୍ଶ୍ୱକୁ ଲକ୍ଷ୍ୟ କରିବା ଆରମ୍ଭ କରିଥାନ୍ତି । ‘ଖବରକାଗଜରେ ଆଗାମୀ ସାଧାରଣ ନିର୍ବାଚନର ସମ୍ଭାବ୍ୟ ସମୟକାଳ ସଂପର୍କରେ ଏକାଧିକ ସୂଚନା ସେମାନଙ୍କର ନିଦ୍ରାଭଙ୍ଗର କାରଣ ଥିଲା ନିଶ୍ଚୟ । ତେଣୁ ମନ୍ତ୍ରୀମାନଙ୍କ ଗସ୍ତକାଳୀନ କାର୍ଯ୍ୟକ୍ରମ ସହିତ ବିରୋଧୀଦଳ ଗୁଡ଼ିକ ପକ୍ଷରୁ ସେମାନଙ୍କୁ ହଲାପଟା କରିବାପାଇଁ ନାନାବିଧ କାର୍ଯ୍ୟକ୍ରମ ସମକାଳୀନ ଭାବେ କାର୍ଯ୍ୟକାରୀ ହେବା ମଧ୍ୟ ସ୍ୱାଭାବିକ । ଏହି କାରଣରୁ ମନ୍ତ୍ରୀମାନଙ୍କ ଗସ୍ତକାଳୀନ କାର୍ଯ୍ୟକ୍ରମଗୁଡ଼ିକୁ ସୁଚାରୁରୂପେ ପରିଚାଳିତ କରିବାପାଇଁ ସ୍ଥାନୀୟ ପ୍ରଶାସନିକ ବ୍ୟବସ୍ଥା ପକ୍ଷରୁ ପୁଲିସବାହିନୀର ଯଥେଷ୍ଟ ଉପଯୋଗ ହେତୁ ସମୟଟି ଥିଲା କିଞ୍ଚିତ୍‌ ଅସୁବିଧାଜନକ ।

 

ସେଦିନ ସନ୍ଧ୍ୟା ପାଞ୍ଚଟା ସୁଦ୍ଧା ସହରର କେନ୍ଦ୍ରାଞ୍ଚଳଠାରୁ ଅଳ୍ପ ଦୂର କଣ୍ଡୁରୀ ପାନଦୋକାନ ପାଖରେ କିଛି କିଛି ଲୋକ ରାସ୍ତା କଡ଼ରେ ଦୁଇଧାଡ଼ି ଦୋକାନଗୁଡ଼ିକର ପିଣ୍ଡାରେ ଜମିବାକୁ ଆରମ୍ଭ କରିଥାଆନ୍ତି । ଘଣ୍ଟାଏ ପୂର୍ବରୁ ପୁଲିସ ଗାଡ଼ିର ଯା’ଆସ ସହିତ ଉଚ୍ଚ ପ୍ରଶାସନିକ ଅଫିସରମାନେ ମଧ୍ୟ ଅଞ୍ଚଳକୁ ପର୍ଯ୍ୟବେକ୍ଷଣ କରିବା ଲକ୍ଷ୍ୟରେ ନିଜନିଜ ଜିପ୍‌ରେ କିଛି ବାଟ ଆଗକୁ ଯାଇ ପୁଣି ଫେରିଆସୁଥାନ୍ତି । ଏ ସବୁ ମଝିରେ କଣ୍ଡୁରୀର ବ୍ୟବସାୟ ବେଶ୍‌ ଜମିଲା ପରି ମନେହେଉଥାଏ । ଦିନଯାକ ପାନ ଭାଙ୍ଗି ଭାଙ୍ଗି ତା ହାତ ଗୋଡ଼ରେ ଏତେ ଚୂନ, ଖଇର ବୋଳିହୋଇଥାଏ ଯେ ଦିଶୁଥାଏ ଲାଲ୍‌ କଟ୍‌ କଟ୍‌—ସତେକି ରକ୍ତାକ୍ତ । କିନ୍ତୁ, ଯେତେ କାର୍ଯ୍ୟବ୍ୟସ୍ତତା ସର୍ତ୍ତେ ତାର ଗପ ବନ୍ଦ ହେବାର ନୁହେଁ । ତାର ଦୃଷ୍ଟି ଥାଏ ସବୁ ଆଡ଼କୁ । ପ୍ରତ୍ୟେକଟି ଦୃଶ୍ୟ ଉପରେ ଟିପ୍‌ପଣୀ କରୁଥାଏ ସେ ଏତେ ବିଚକ୍ଷଣ ଭାବେ ଯେ, ଶୁଣିଲା ଲୋକ ନହସି ରହିପାରିବ ନାହିଁ । କିନ୍ତୁ ଏସବୁ ସର୍ତ୍ତେ ଗୋଟିଏ ପ୍ରଶ୍ନ ମଝିରେ ମଝିରେ ପଚାରି ଦେଉଥାଏ କଣ୍ଡୁରୀ ତାର ପରିଚିତ ବା ଅପରିଚିତ ଯେ କେହି ଗରାଖକୁ–

 

‘‘ସେ କିଏ ଜାଣ ?’’

 

‘‘କିଏ ?’’

 

‘‘ଏଇ ଯେ ଆସୁଛନ୍ତି......ମୋ କ୍ଲାସମେଟ୍‌ ଯେ ! ଗାଡ଼ି ଅଟକିବ ନାଇଁ ?’’

 

ସମୟ ପାଖେଇ ଆସୁଥାଏ । ଜନ ସମାଗମ ବେଶ୍‌ ବଢ଼ି ଗଲାଣି । ରାସ୍ତାର ଦୁଇ କଡ଼ରେ ଲାଠିଧାରୀ ପୁଲିସ୍ ଠିଆହୋଇଗଲେଣି । ଯାନବାହନ ନିୟନ୍ତ୍ରଣ କରିବା ପାଇଁ ରାସ୍ତା ଅବରୋଧ କରୁଥିବା ଜନତାକୁ ଆଡ଼େଇ ଗାଡ଼ି ଯିବା ପାଇଁ ରାସ୍ତା ସଫା କରୁଥାଏ ପୁଲିସ । ସେଇ ଅବସରରେ ତୋରଣ ନିକଟରେ ସମବେତ ହୋଇଥିବା ଯୁବକମାନଙ୍କ ପକ୍ଷରୁ ଗୋଟିଏ ଧ୍ୱନି ଶୁଣାଗଲା ପ୍ରଥମଥର ପାଇଁ, ‘‘ଗାଡ଼ି ଅଟକିବ—ଜରୁର୍‌ ଅଟକିବ !’’

 

ସେହି ସମୟରେ ମନ୍ତ୍ରୀଙ୍କ ଆଗମନକୁ ଅପେକ୍ଷା କରୁଥିବା ଜିଲ୍ଲାପାଳଙ୍କୁ କେହି ଜଣେ ଖବର ଦେଲା—‘ବିରୋଧୀଦଳ ପକ୍ଷରୁ ପ୍ରଚୁର ସୋଡ଼ାବୋତଲ ଆଜି ସଂଗ୍ରହ କରାଯାଇଛି ସହରର ବିଭିନ୍ନ ଦୋକାନରୁ । ସେମାନେ ମନ୍ତ୍ରୀଙ୍କ ଗାଡ଼ି ଅଟକାଇବେ । ଯଦି ଗାଡ଼ି ନଅଟକେ ତେବେ ଭୟଙ୍କର କାଣ୍ଡ ଘଟିଯିବାର ଆଶଙ୍କା ।’’

 

‘‘କିନ୍ତୁ କାହିଁକି ?’’ ଜିଲ୍ଲାପାଳ ଗଲା ଚବିଶ ଘଣ୍ଟା ଭିତରେ ବାରମ୍ୱାର ଏଇ ପ୍ରଶ୍ନଟିକୁ ପଚାରିଥିଲେ ତାଙ୍କର ଅଧସ୍ତନ ସମସ୍ତ ସଂପୃକ୍ତ ପ୍ରଶାସନିକ ଅଫିସର୍‌ ସମେତ ପୁଲିସକୁ । ତାର ଉତ୍ତରରେ ସେ ଯାହା ଶୁଣୁଥିଲେ ସେଥିରେ ତାଙ୍କର ବିସ୍ମୟ କ୍ରମଶଃ ପ୍ରଗାଢ଼ ଧୈର୍ଯ୍ୟଚ୍ୟୂତି ଓ ଶେଷରେ କ୍ରୋଧରେହିଁ ପର୍ଯ୍ୟବସିତ ହୋଇସାରିଥିଲା ।

 

‘‘ଦି ଫୁଲ୍‌ସ୍‌ !’’ ପାଖରେ ଠିଆହୋଇଥିବା ଜନୈକ ଅଫିସରଙ୍କୁ ଇସାରା ଦେଇ ଜିଲ୍ଲାପାଳ ନିକଟକୁ ଡାକିଲେ ଓ ଲୋକଟି ନଇଁପଡ଼ିବାରୁ ତାର କାନରେ କହିଲେ ‘‘ସେ ପାନଦୋକାନୀକୁ ଆରେଷ୍ଟ କରିନେବା ଉଚିତ ଥିଲା । ବର୍ତ୍ତମାନ ହେବ ?’’

 

‘‘ନୋ ସାର୍‌ !’’ ଅଫିସର ଜଣକ ଏଥର ଜିଲ୍ଲାପାଳଙ୍କ କାନ ପାଖକୁ ନିଜ ମୁହଁ ନେଇ ଅତି ନରମ କଣ୍ଠରେ କହିଲେ, ‘‘ଘଟଣାସ୍ଥଳରୁ ମୁଁ ବର୍ତ୍ତମାନ ଆସିଲି । ତା ଚାରିପାଖେ ଲୋକ ଘେରି ରହିଛନ୍ତି ।’’

 

‘‘ବଟ୍‌ ହୁ ଆର୍ ଦେ.... କିଏ ସେଗୁଡ଼ାକ ?’’—ଜିଲ୍ଲାପାଳ ଆଉ ଗଳା ଚାପି ନ ପାରି ରୁକ୍ଷ କଣ୍ଠରେ ପଚାରିଲେ ।

 

‘‘ଦି ଅପୋଜିସନ୍‌......ବିରୋଧୀ ଦଳର ଏ ଏକ ଅଦ୍ଭୁତ ଚକ୍ରାନ୍ତ ସାର୍‌ !’’ ନଇଁ ପଡ଼ିବା ଅବସ୍ଥାରୁ ସଳଖେଇ ଯାଇ ଅଫିସର୍‌ ପୁଣି ଥରେ ସ୍ଥାନୀୟ ସମସ୍ୟା ଉପରେ ଟିପ୍‌ପଣୀ କରିଚାଲିଲେ ।

 

‘‘ଓକେ, ଷ୍ଟପ୍‌ ଇଟ୍‌’’......ଜିଲ୍ଲାପାଳ ଅନ୍ୟ ଆଡ଼କୁ ମୁହଁ ବୁଲେଇ ଦେଇ ବସିବାର ଉପକ୍ରମ କରୁଥିଲେ ଓ ସେଇ ଅବସରରେ ସେ ଶୁଣିବାକୁ ପାଇଲେ—

 

‘‘ଆଜି ଫାୟାରିଂ ଅର୍ଡ଼ର ପର୍ଯ୍ୟନ୍ତ କଥା ଯାଇପାରେ, ସାର୍‌ ! ଦ ଅପୋଜିସନ୍‌ ଅଲ୍‌ମୋଷ୍ଟ୍‌ ବେଗ୍‌ସ୍‌ ଇଟ୍‌ ପାଥେଟିକାଲି.......ତାଙ୍କର ଦରକାର ଫାୟାରିଂ !’’

 

ଏହା ପରେ ଘଟଣାସ୍ଥଳ ପରିଦର୍ଶନ କରିବା ପାଇଁ ଜିଲ୍ଲାପାଳ ନିଜେ ବାହାରିଗଲେ । ହାତ ଘଡ଼ିକୁ ଅନାଇଁ ସେ ଦେଖିଥିଲେ ସନ୍ଧ୍ୟା ଛ’ ବାଜିବାକୁ ଆଉ ମୋଟେ ପାଞ୍ଚ ମିନିଟ୍‌ । କିନ୍ତୁ ଏଥି ପୂର୍ବରୁ ସେ ଖବର ପାଇସାରିଥିଲେ ମନ୍ତ୍ରୀଙ୍କ ଗସ୍ତକ୍ରମ ପ୍ରାୟ ଏକଘଣ୍ଟା ଡେରି ହୋଇଯାଇପାରେ ।

 

ପ୍ରାୟ ସାତଟା ସୁଦ୍ଧା ସହର ଉପକଣ୍ଠରେ ଗୋଟାଏ ପରେ ଗୋଟାଏ ହୋଇ ପ୍ରାୟ ଦଶବାରଟା କାର୍‌ ଓ ଜିପ୍‌ ଗଛ ଆଢ଼ୁଆାଳରୁ ନଜରକୁ ଆସିବାମାତ୍ରେ ଗୋଟିଏ ବିରାଟ ବିସ୍ଫୋରଣର ଶବ୍ଦ ଶୁଣାଗଲା । କିନ୍ତୁ ସେଟା ଥିଲା ସ୍ୱାଗତ ଧ୍ୱନି । ବିଭାଘରେ ବରର ଆଗମନୀ ସମ୍ୱାଦ କନ୍ୟାପକ୍ଷରୁ ବମ୍ୱାଜି ଧ୍ୱନିଦ୍ୱାରା ଶୁଣାଇଦେଲା ପରି ଏକ ଆଗୁଆ ସମ୍ୱାଦ ମାତ୍ର । କିନ୍ତୁ ସେ ଶବ୍ଦ ଶୁଣାଯିବା ପରେ ତୋରଣ ପାଖରେ ରାସ୍ତା ସାଫ୍‌ କରୁଥିବା ପୁଲିସ୍‌ଙ୍କ ସମସ୍ୟା ହଠାତ୍‌ ଜଟିଳତର ହୋଇଉଠିଲା ପରି ମନେହେଲା ।

 

ଦଳେ ଯୁବକ ହଠାତ୍ ପୁଲିସ୍‌ କର୍ଡ଼ନ ଭାଙ୍ଗି ମଝିକୁ ପଳାଇ ଆସିଲେ ଓ ଧ୍ୱନି ଆରମ୍ଭ କରିଦେଲେ—

 

‘‘ବନ୍ଧୁ ମିଳନ ଜରୁର୍‌ ହବ ।’’

 

‘‘ମନ୍ତ୍ରୀଙ୍କ ଗାଡ଼ି ଜରୁର ଅଟକିବ ।’’

 

ଉପସ୍ଥିତ ଦର୍ଶକମାନଙ୍କ ମଧ୍ୟରେ ପ୍ରଥମେ ଏଇ ଧ୍ୱନିଯୋଗୁ ଗୋଟିଏ ଉଚ୍ଛ୍ୱସିତ ହାସ୍ୟରୋଳ ସୃଷ୍ଟି ହୋଇଗଲା । ଏପରିକି ଏ ହାସ୍ୟରୋଳରେ ଲାଠିଧାରୀ ପୁଲିସ୍‌ମାନେ ମଧ୍ୟ ସହଯୋଗ କଲାପରି ପରସ୍ପର ‘ମୁହଁକୁ ଚାହାଁଚୁହିଁ ହେଶି ହସିପକେଇଲେ । କିନ୍ତୁ ମୁହୂର୍ତ୍ତକ ଭିତରେ ପରିସ୍ଥିତି ସଂପୂର୍ଣ୍ଣ ବଦଳିଗଲା । ମନ୍ତ୍ରୀଙ୍କ ଲାଲ୍‌ବତୀଦିଆ ଗାଡ଼ି ଆଗେଆଗେ ଆସୁଥିବା ପୁଲିସ୍‌ଗାଡ଼ିଟି ସିଧା ରାସ୍ତା ଅବରୋଧକାରୀ ଯୁବକଙ୍କଠାରୁ ଇଞ୍ଚେ ତଫାତ୍‌ରେ ଅଟକିଗଲା । ପଛେ ପଛେ ମନ୍ତ୍ରୀଙ୍କ ଗାଡ଼ି । ତା ପଛକୁ ଆହୁରି ଆହୁରି ଗାଡ଼ି । ଏଇ ଅବସରରେ ମନ୍ତ୍ରୀଙ୍କ ଗାଡ଼ିର ଦୁଇପାଖେ ଦୁଇଦଳ ଲୋକ ଚାପି ହୋଇଗଲେ । ସେମାନେ ଚିତ୍କାର କରୁଥାନ୍ତି । କଅଣ କହୁଥାନ୍ତି କିଏ ଜାଣେ ? କିନ୍ତୁ ମନ୍ତ୍ରୀଙ୍କ କାନରେ ବାରମ୍ୱାର ଗୋଟାଏ ଦୁଇଟା ପଦ ବାଜୁଥାଏ—ବନ୍ଧୁ ମିଳନ... କ୍ଲାସ୍‌ମେଟ୍‌... କଣ୍ଡୁରୀ.. ଏହିପରି । ମନ୍ତ୍ରୀ ବିମୂଢ଼ ଅବସ୍ଥାରେ ଗାଡ଼ିରୁ ବାହାରିପଡ଼ିବାକୁ ଡୋର୍‌ ଲକ୍‌ଟାକୁ ଖୋଲିଦେବାକୁ ହାଣ୍ଡଲ୍‌ ଉପରକୁ ହାତ ନେଉଥିଲେ । କିନ୍ତୁ ଗାଡ଼ି ଉପରେ ହଠାତ୍ ଗୋଟାଏ ଢେଲା ବା ବୋତଲ ପଡ଼ିବାର ଶବ୍ଦ ଶୁଣି ତାଙ୍କ ହାତ ଅଟକିଗଲା ।

 

ସେତେବେଳକୁ ଲାଠି ଚାର୍ଜ ଚାଲୁ ହୋଇ ଯାଇଥାଏ । କିନ୍ତୁ ତାର କୌଣସି ପ୍ରଭାବ ମନ୍ତ୍ରୀଙ୍କ ଗାଡ଼ିର ସ୍ଥାଣୁତା ଉପରେ କାର୍ଯ୍ୟକାରୀ ନ ହେଉଥିବା ଦେଖି ମନ୍ତ୍ରୀ ଆତଙ୍କିତ ହୋଇ ଉଠିଲେ । ତାଙ୍କ ନିକଟରେ ବସିଥିବା କେହି ଜଣେ ପୁଲିସ୍‌ ଓ ମ୍ୟାଜିଷ୍ଟ୍ରେଟ୍‌ଙ୍କ ନିର୍ବୋଧତା ପ୍ରତି ଆଙ୍ଗୁଳି ପ୍ରଦର୍ଶନ କରି ଅତି ଉଚ୍ଚ ସ୍ୱରରେ ଚିତ୍କାର କରି ଉଠିଲେ, ‘‘ଫାୟାର୍‌ ! ଫାୟାର୍‌.. ୟୁ ଇଡ଼ିଅଟ୍‌ସ୍‌ ! ଓପନ୍‌ ଫାୟାର୍‌—କ୍ୱିକ୍‌ !’’

 

ଏହାର କେଇ ମୁହୂର୍ତ୍ତ ପରେ ସତକୁ ସତ ପୁଲିସ୍ ବନ୍ଧୁକର ଆଓ୍ୱାଜ୍ ଶୁଣାଗଲା । ସଙ୍ଗେସଙ୍ଗେ ରାସ୍ତା ମଧ୍ୟ ସଫା ହୋଇଗଲା । ମନ୍ତ୍ରୀଙ୍କ ଗାଡ଼ି ସାମନା ପୁଲିସ୍‌ ଜିପ୍‌ ଦ୍ରୁତ ଗତିରେ ଆଗେଇଲା । ପଛେ ପଛେ ମନ୍ତ୍ରୀଙ୍କ ଗାଡ଼ି ।

 

ଡାକବଙ୍ଗଳାରେ ପହଞ୍ଚି ମନ୍ତ୍ରୀ ଜିଲ୍ଲାପାଳଙ୍କୁ ହିଁ ପ୍ରଥମେ ଖୋଜିଲେ । କିନ୍ତୁ କେହି ଜଣେ ଖବର ଦେଲା—ଜିଲ୍ଲାପାଳ ଗୁରୁତରଭାବେ ଆହତ । ଏହାପରେ ମନ୍ତ୍ରୀଙ୍କ ପାଖକୁ ସମ୍ୱାଦ ପହଞ୍ଚିଲା ଯଥାରୀତି । ଫାୟାରିଂରେ ପାଞ୍ଚଜଣ ଗୁରୁତର ଆହତ ଓ ଜଣେ ଲୋକର ମୃତ୍ୟୁ ଖବର ନେଇ ଅବଶେଷରେ ପହଞ୍ଚିଲେ ଏସ୍‌.ଡି.ଓ ।

 

‘‘ସେଇ ଲୋକଟା ଅବଶେଷରେ ମଲା, ସାର୍‌ !’’ ଏସ୍‌.ଡି.ଓ ଗମ୍ଭୀରଭାବେ ସମ୍ପାଦଟି ପରିବେଷଣ କରିବା ସହିତ ମନ୍ତବ୍ୟ ଦେଲେ, ‘‘ସବୁ ନାଟର ଗୋବର୍ଦ୍ଧନ—ଆପଣଙ୍କ କ୍ଲାସ୍‌ମେଟ୍‌ ସେ କୁଆଡ଼େ ! କିନ୍ତୁ ଅପୋଜିସନ୍‌କୁ ଗୋଟିଏ ବଡ଼ ଭିକ୍‌ଟ୍ରି ଦେଇ ଚାଲିଗଲା ସେ ଷ୍ଟୁପିଡ଼୍‌ ଲୋକଟା ସାର୍‌ ।’’

 

ଅପୋଜିସନ୍‌ର ଭିକ୍‌ଟ୍ରି ମନ୍ତବ୍ୟଟା ମନ୍ତ୍ରୀଙ୍କ ହୃଦୟକୁ ଶୂଳ ପରି ବିଦ୍ଧ କରିଦେଲା, କିନ୍ତୁ ସେ ବହୁ କଷ୍ଟକରି ପ୍ରକୃତିସ୍ଥ ହେଲେ । ପରେ ପରେ ତାଙ୍କ ମନରେ ପୁନର୍ବାର ସେଇ ପ୍ରଶ୍ନଟା ମୁଣ୍ଡ ଟେକିଲା—‘‘କିଏ ? ମୋ କ୍ଲାସ୍‌ମେଟ୍‌ ? କ’ଣ ତା ନାଁ ?’’ ମନ୍ତ୍ରୀ ପୁନର୍ବାର ନିଜର ବିସ୍ମୟ ପ୍ରକାଶ କଲେ । ଗତ ଚବିଶ ଘଣ୍ଟା ଭିତରେ ବହୁବାର ବହୁ ସରକାରୀ ବେସରକାରୀ ସୂତ୍ରରୁ ଏଇ ସମ୍ୱାଦଟା ପାଇ ମଧ୍ୟ ସେ ଆଦୌ ଠଉର କରି ପାରୁନଥିଲେ ଲୋକଟାକୁ ବା ତା ସମ୍ପର୍କୀୟ କୌଣସି ସ୍ମୃତିକୁ ।

 

ସେଦିନର କୃଷି ପ୍ରଦର୍ଶନୀ, ସାଧାରଣ ସଭା ଓଗେର୍‌ ମନ୍ତ୍ରୀଙ୍କ ଯାବତୀୟ କାର୍ଯ୍ୟକ୍ରମ ବାତିଲ୍‌ ହୋଇ ସାରିଥିଲା । ଗଗନ ପବନ ଗୋଟିଏ ଚିତ୍କାରରେ କ୍ରମଶଃ ମୁଖରିତ ହୋଇଉଠୁଥିଲା ସେ ରାତିରେ—‘‘ଶହୀଦ କଣ୍ଡୁରୀ ସ୍ୱାଇଁ ଅମର ରହେ.......ଶହୀଦ କଣ୍ଡୁରୀ ସ୍ୱାଇଁ ଅମର ରହେ !’’ ଅପୋଜିସନ୍‌ର ଭିକ୍‌ଟ୍ରି ପ୍ରସେସନ୍‌ ମାର୍ଚ୍ଚ କରୁଥିଲା ।

 

କିନ୍ତୁ କିଏ ଏ କଣ୍ଡୁରୀ ସ୍ୱାଇଁ ଯେ ଶହୀଦ ହେଇଗଲା ?

 

ସାରା ରାତି ମନ୍ତ୍ରୀ ଗଭୀର ଚିନ୍ତାରେ ଡୁବିରହିଲେ ।

 

ପରଦିନ ବଡ଼ ବଡ଼ ଅକ୍ଷରରେ ଶହୀଦ କଣ୍ଡୁରୀ ସ୍ୱାଇଁଙ୍କ ଗଭୀର ବେଦନାଦାୟକ ମୃତ୍ୟୁ ଓ ସରକାରଙ୍କ ନିର୍ମମ ପାଶବିକ ପ୍ରଶାସନିକ କଳର ଦମନଲୀଳାର ସବିଶେଷ ବିବରଣୀ ସହ ପୁଲିସ ଗୁଳିର ଶିକାର ବ୍ୟକ୍ତିର ଫଟୋ ଖବରକାଗଜମାନଙ୍କରେ ପ୍ରକାଶିତ ହୋଇଗଲା । ବିଶେଷତଃ ଅପୋଜିସନ୍‌ର ଖବରକାଗଜରେ ଦୁର୍ଘଟଣାଟାକୁ ବହୁ ପ୍ରକାରେ ଅତିରଂଜିତ କରାଯାଇ ସରକାର ବିରୁଦ୍ଧରେ ଏକ ବିରାଟ ଆନ୍ଦୋଳନ ପାଇଁ ଆହ୍ୱାନ ଦିଆଯାଇଥିଲା ।

 

ମନ୍ତ୍ରୀ ନିରାପଦରେ ରାଜଧାନୀକୁ ଫେରିଯାଇଥିଲେ ଓ ତାଙ୍କ ଟେବୁଲ୍‌ ଉପରେ ରଖାଯାଇଥିବା ଖବରକାଗଜରୁ ସର୍ବପ୍ରଥମେ ଶହୀଦ କଣ୍ଡୁରୀ ସ୍ୱାଇଁଙ୍କର ଫଟୋଗ୍ରାଫ୍‌ଟିକୁ ଦେଖିବାକୁ ପାଇଲେ । ଫଟୋଟିକୁ ଦେଖି ମନ୍ତ୍ରୀ ଚମକିଉଠିଲେ । କିନ୍ତୁ ଏହାପରେ ହଠାତ୍ ଗୋଟାଏ ହୋ ହୋ ହସରେ ମନ୍ତ୍ରୀଙ୍କ ରେସିଡ଼େନ୍‌ସିଆଲ୍‌ ଅଫିସ୍‌ଟି ଥରହର ହୋଇଗଲା । ପରମୁହୂର୍ତ୍ତରେ ଗଭୀର ନିସ୍ତବ୍‌ଧତା ଭିତରେ ପୁଣି ସବୁଆଡ଼ ଡୁବିଗଲା ।

 

ଅତ୍ୟନ୍ତ ଗମ୍ଭୀର ଓ ଅମାୟିକ କଣ୍ଠ ସ୍ୱରଟିଏ ସେଇ ନିସ୍ତବ୍‌ଧ ଗର୍ଭରୁ ପୁଣି ଆତ୍ମପ୍ରକାଶକଲା । ପାଖରେ ଠିଆହୋଇଥିବା ପି.ଏ.ଙ୍କୁ ସମ୍ୱୋଧନ କରି ମନ୍ତ୍ରୀ କହିଲେ, ‘‘ଲେଖ–ଯାହା କହୁଚି ଲେଖ ।’’

 

ପି.ଏ. କାଗଜ କଲମ ସଜାଡ଼ୁ ସଜାଡ଼ୁ ମନ୍ତ୍ରୀ କହିଚାଲିଲେ—‘‘ସ୍ୱର୍ଗତ କଣ୍ଡୁରୀ ସ୍ୱାଇଁ ତାଙ୍କ ବାଲ୍ୟକାଳରେ ଜଣେ ନିତାନ୍ତ ନିର୍ବୋଧ ବାଳକରୂପେ ଆଖ୍ୟାୟିତ ହୋଇଥିଲେ । ଆମେ ସତରେ ଏକାଠି ପଢ଼ୁଥିଲୁ । ସେ ମୋର ପ୍ରାଥମିକ ସ୍କୁଲ୍‌ର କ୍ଲାସମେଟ୍‌ । ସେତେବେଳେ ଦେଶରେ ସ୍ୱାଧୀନତା ସଂଗ୍ରାମ ଚାଲିଥିଲା । ବଡ଼ବଡ଼ ଲୋକେ ସ୍ୱାଧୀନତା ସଂଗ୍ରାମରେ ମିଶିଥିଲେ । କେତେକ ଫାଶୀ ପାଉଥିଲେ । ପୁଲିସ୍ ଗୁଳିରେ ମରୁଥିଲେ । ସେମାନଙ୍କୁ ଶହୀଦ କୁହାଯାଉଥିଲା । ଥରେ ଆମ କ୍ଲାସ୍‌ରେ ମାଷ୍ଟ୍ରେ ଗୋଟିଏ କବିତା ବୁଝୋଉଥିଲେ । କି କବିତା ମୋର ମନେନାଇଁ । କିନ୍ତୁ ସେଥିରେ ଶହୀଦ ଶବ୍ଦ ଥିଲା । ତାହା ଆମ ପକ୍ଷେ ଦୁର୍ବୋଧ୍ୟ ଥିଲା । ତେଣୁ ମାଷ୍ଟ୍ରେ ଶହୀଦ ଭଗତ ସିଂ, ଶହୀଦ ଖୁଦୀରାମ, ବାଘା ଯତୀନ୍‌ଙ୍କ ଜୀବନୀ ଠିକେଠିକେ କହିଗଲେ । ଏସବୁ କହି ସାରିଲା ପରେ ମାଷ୍ଟ୍ରେ ଆମ ସମସ୍ତଙ୍କୁ ଅନାଇଲେ । ଆମେ ଦେଖିଲୁ ମୋଟା ମୋଟା ଚଷମା କାଚ ଭିତରେ ବୁଢ଼ା ମାଷ୍ଟ୍ରେ କାହିଁକି କେଜାଣି କାନ୍ଦୁଥାନ୍ତି । ଆମକୁ କିନ୍ତୁ କାନ୍ଦ ମାଡ଼ୁ ନଥାଏ । ତଥାପି ଆମେ ସମସ୍ତେ ଭୋ ଭୋ ହୋଇ କାନ୍ଦିଲୁ । ମାଷ୍ଟ୍ରେ ନିଜ ଆଖିରୁ ଲୁହ ପୋଛିଲେ । ଆମେ ବି ଆଖିରୁ ଲୁହ ପୋଛିଲୁ । ଏହାପରେ ମାଷ୍ଟ୍ରେ ଆମ ଆଡ଼କୁ କଟମଟ କରି ଚାହିଁଲେ । ସମସ୍ତଙ୍କ ଆଡ଼କୁ ଆଙ୍ଗୁଠି ଦେଖେଇ ରାଗିଲାଭଳି ପଚାରିଲେ, ଏଥର କହ, କିଏ ତମଭିତରୁ ଶହୀଦ ହବ ? କହ କହ—କିଏ କିଏ ଶହୀଦ ହବାକୁ ଇଚ୍ଛା କରୁଚ କହ । ହାତଟେକ—ଆମେ ଡରିଗଲୁ । କେହି ହାତ ଟେକିଲୁନାଇଁ । କିନ୍ତୁ ନା, ସଭା ପଛବେଞ୍ଚରେ ଜଣେ ପିଲା ହାତ ଟେକିଥିଲା । ସେ ଏଇ କଣ୍ଡୁରୀ ସ୍ୱାଇଁ !’’

 

‘‘କାରଣ ଆଜ୍ଞା ?’’ ପି.ଏ. ଚମକି ପଡ଼ିଲା ପରି କାଗଜରୁ ମୁହଁଟେକି ଚାହିଁଲେ ।

 

କିନ୍ତୁ ସେତେବେଳକୁ ମନ୍ତ୍ରୀ ସଂପୂର୍ଣ୍ଣ ଅନ୍ୟମନସ୍କ ହୋଇ ଝରକା ବାହାରକୁ ଅନାଇ ରହିଥିଲେ ।

Image

 

ହିଟ୍‌ଲର୍‌

 

ହିଟ୍‌ଲର୍‌ ଓରଫ୍‌ ହିଟ୍ଟୁ ଗୋଟିଏ ପ୍ରକାରିଆ ପିଲା । ତା’ ବାପା ଜଣେ ସାଧାରଣ ଚାଷୀ, କିନ୍ତୁ ହିଟ୍ଟୁର ଚାଷବାସରେ ମନ ନଥିଲା । ଗାଁ ମାଇନର ସ୍କୁଲରୁ ପାସ୍ କରିଗଲା ପରେ ହିଟ୍ଟୁ ଦିନାକେତେ ଗାଁ ପାଖ ବଜାରରେ ସଞ୍ଜେସକାଳେ ବୁଲାବୁଲି କରିବାର ଦେଖାଗଲା । ତାର ଅଳ୍ପଦିନ ପରେ ହିଟ୍ଟୁକୁ ଲୋକେ ଦେଖିଲେ ଦଳେ ଲଫଙ୍ଗା ଟୋକାଙ୍କ ମେଳରେ । ଏ ଟୋକା ଦଳର ମୁଖ୍ୟକାମ ସେତେବେଳେ ଥିଲା ବଜାର ଛକ ଉପରେ କୌଣସି ଚା’ଦୋକାନରେ ବସି ବସ୍‌ଯାତ୍ରୀଙ୍କ ଚାଲିଚଳଣ ଉପରେ ଦୃଷ୍ଟି ରଖିବା ଓ ସ୍ଥାନୀୟ ରାଜନୀତି ଚର୍ଚ୍ଚା କରିବା । ବସଯାତ୍ରୀଙ୍କ ଉପରେ ଟୋକାଦଳର ଆଖି ରହିବାର କାରଣ ସାଧାରଣତଃ ଏକ ନୁହେଁ, ବହୁବିଧ । ଆବହମାନକାଳରୁ ମଣିଷ ପରିଚିତ ମୁହଁ ଛଡ଼ା ଅପରିଚିତ ମୁହଁ—ସ୍ତ୍ରୀ ପୁରୁଷ ନିର୍ବିଶେଷରେ—ଦେଖିବାକୁ ସର୍ବଦା ଲାଳାୟିତ । ଏଭଳି ଅସଂଖ୍ୟ ଅପରିଚିତ ମୁହଁ ଦେଖିବାର ସୁଯୋଗ ବସ୍‌ଷ୍ଟାଣ୍ଡ, ରେଳଷ୍ଟେସନ, ସହର ବଜାର ବା ଗାଁହାଟ ହେବା ତ ସ୍ୱାଭାବିକ । କିନ୍ତୁ ହିଟ୍ଟୁ ଓ ତା’ ଦଳର ଟୋକାମାନେ କେବଳ ଅପରିଚିତ ମଣିଷଙ୍କ ମୁହଁ ଦେଖିବାକୁ ସେତେଦୂର ଲାଳାୟିତ ନଥିଲେ । ସେମାନେ ଏକ ନିର୍ଦ୍ଦିଷ୍ଟ ଅପରିଚିତ ମଣିଷ ସଂପ୍ରଦାୟର ଅନ୍ୱେଷଣରେ ରହିଲାପରି ଲାଗୁଥିଲା ।

 

‘ହିଟ୍ଟୁ ବାବୁ’ ବଜାରର ଚା’ ଦୋକାନୀ ଟୋକାମାନଙ୍କର ଟୁପ୍‌ଟାପ୍‌ କଥାବାର୍ତ୍ତା ଓ ଆଖିଠାରକୁ ବହୁଦିନ ନଜର କଲା ପରେ ଦିନେ ପ୍ରକାଶ୍ୟରେ ନିଜର ସନ୍ଦେହ ପ୍ରକାଶ କରିଥିଲା ଏହିପରି କେତୋଟି ପ୍ରଶ୍ନରେ, ‘‘କାହାକୁ ଅନିଷା କରିଚ କିଓ ? ରଘୁସ୍ମଗ୍‌ଲର୍‌ର ଲୋକଙ୍କୁ ?’’

 

‘‘ନାଇଁ—’’ ହିଟ୍ଟୁ ତା ଦଳର ଟୋକାଙ୍କୁ ଆଖିମାରିଦେଲା ।

 

ଅଳ୍ପ ସମୟ ପରେ ଟୋକାମାନେ ଚା’ ଦୋକାନ ଛାଡ଼ି ଉଠିଗଲେ ।

 

ଏହାର ଦିନ କେତେକ ଉତ୍ତାରେ ଗାଁରେ ଏକ ଖଣ୍ଡିଆ ପିଣ୍ଡା ସଂଲଗ୍ନ ଚାଳଘର ଭିତରୁ କଳାଗାଉଣା ଶୁଣି ଲୋକେ ବିସ୍ମିତ ହେଲେ । କେହି କେହି ପ୍ରକାଶ୍ୟରେ ପ୍ରଶ୍ନ କଲେ—‘‘କିରେ ହିଟ୍ଟୁ, ଏଟା କ’ଣ ବାଜୁଚି କିରେ ?’’

 

‘ଟେପ୍‌ରେକର୍ଡ଼ର !’ ହିଟ୍ଟୁର ଜବାବ ସ୍ପଷ୍ଟ ଓ ବ୍ୟବସାୟାତ୍ମିକ, ‘‘କିଣିବ ? ଗୋଟା ହଜାରେ ଟଙ୍କା । ଭଲ ଜାପାନୀ ଜିନିଷ । ବଡ଼ କଷ୍ଟରେ ମିଳିଲା । ରଘୁ ସ୍ମଗଲର୍‌ ବିକୁଚି ସାଢ଼େ ସାତଶ’ରେ । କିନ୍ତୁ ତା ପତ୍ତା ପାଇବା ମୁସ୍କିଲ ।’’

 

ହିଟ୍ଟୁର ଟେପରେକର୍ଡ଼ର, ଟ୍ରାଞ୍ଜିଷ୍ଟର ରେଡ଼ିଓ, କ୍ୟାମେରା, ଟେରିଲିନ୍‌ ଶାଢ଼ି, କସ୍‌ମେଟିକସ୍ ଓ ଅନ୍ୟାନ୍ୟ ବସ୍ତୁ ଜଗତର ଆକର୍ଷଣ କ୍ରମଶଃ ଗାଁର ଧନୀ-ଦରିଦ୍ର ସବୁ ଶ୍ରେଣୀର ଲୋକଙ୍କୁ ଅତିକ୍ରମ କରି କେଉଁ ଅଦୃଶ୍ୟ କ୍ରେତାମାନଙ୍କ କ୍ରୟଶକ୍ତି ଅନ୍ତର୍ଗତ ହେଲା ତାହା କେହି ଜାଣିବାକୁ ଇଚ୍ଛା କରି ନ ଥିଲେ ଆଉ ।

 

ହିଟ୍ଟୁର ନାମମାତ୍ରଚାଷୀ ବାପଟି ବିଚରା ପୂର୍ବପରି ଲିପ୍ତ ରହିଥାଏ ଚାଷାବାସରେ । ବାଟଘାଟରେ କେହି ଯଦି ତାକୁ ପଚାରେ, ‘‘ରାଉତେ ! ପୁଅ ତ ଖୁବ୍‌ ପାରିଗଲା—ଆଉ କାହିଁକି ଏ କଷ୍ଟ ଏ ବୟସରେ ହୋ ?’’ ତେବେ ରାଉତଙ୍କଠୁଁ ପ୍ରାୟ ଏହିପରି ଜବାବ ମିଳୁଥିଲା—‘‘ପାରିଲା ଆଉ କ’ଣ ? ପିଲାଟା କେମିତି ଶୁଖି ଗଲାଣି ଦେଖୁନା । କ’ଣ କମି ଧାଁଧପଡ଼ ଛେଚକୁଟ ବଣିଜ କାମ ! ବଣିଜ ବେପାର ବଡ଼ ନିଗିଧା କାମ । କ’ଣ ଚାଷବାସ କି ବୁଣ କାଟ !’’

 

ହିଟ୍ଟୁର ବାପା ସାମାନ୍ୟ ଚାଷୀଟିଏ ହେଲେ ମଧ୍ୟ ତାର ବୁଝାମଣା କିଛି କମ୍ ନୁହେଁ । ତା ପୁଅ ହିଟ୍ଟୁ ଯେ କୌଳିକ ଚାଷବାସ ଛାଡ଼ି ଗୋଡ଼ ପୂରେଇଚି ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ—ଏଥିରେ ସାଧାରଣ ଲୋକଙ୍କ ପରି ଅସନ୍ତୁଷ୍ଟ ନୁହେଁ ସେ, ବରଂ ଖୁସି । ଯୁଗ ପରିବର୍ତ୍ତନ ସାଥିରେ ପାଦ ମିଳେଇ ଚାଲିବାକୁ ଇଚ୍ଛା କରିଚି ସେ ତା ନିଜ ଯୁବାକାଳରୁ । ଏହି କାରଣରୁ ତ ଗଲା କୋଡ଼ିଏ-ବାଇଶି ବର୍ଷ ତଳେ ହିଟ୍ଟୁ ଜନ୍ମବେଳକୁ, ଏକୋଇଶିଆ ଦିନ ପିଲାର ନାଁଦିଆବେଳକୁ ଝାଙ୍କ ଛିଣ୍ଡେଇ ଦେଇଥିଲା ସେ ଗାଁର ପୁରୋହିତ ପଣ୍ଡିତଙ୍କ ସାଥିରେ । ପୁରୋହିତ କୋଷ୍ଠୀ ଦେଖି ପିଲାଟିର ନାଁ ହରିହର ରଖିବାକୁ କହୁଥିଲେ । କିନ୍ତୁ ସେକଥା ନୋହିଲା । ନିଜ ପୁଅ ନା ହରି, ରାମ, ଶାମ, ଗୋବିନ୍ଦ ପରିବର୍ତ୍ତେ ହିଟ୍‌ଲର୍‌ ରହିବ ବୋଲି ଜିଦ୍‌ଧରି ବସିଗଲା ହିଟ୍ଟୁର ବାପ ।

 

ପଣ୍ଡିତେ ପୂଜା ଅଧାରେ ତମତମ ହୋଇ ପ୍ରଶ୍ନକଲେ—‘ଆହେ ହିଟ୍‌ଲର୍‌ ଗୋଟାଏ କି ନାଁ ? କୋଉ ଠାକୁରଙ୍କ ନା ଏ ? ଏ ଶବ୍ଦର ଅର୍ଥ କଣ ? କି ଧାତୁରୁ ଜାତ ଏ ଶବ୍ଦ ? ’

 

‘ଆଜ୍ଞା ମୋରି ଧାତୁରୁ ଜାତ ପରା—’ହିଟ୍ଟୁର ବାପ ବୋକା ବନେଇ ଛାଡ଼ିଲା ସେଦିନ ପଣ୍ଡିତ ବିଚରାକୁ ସବୁରି ଆଗରେ ।

 

ପଣ୍ଡିତେ ଗରଗର ହେଲେ । ହିଟ୍ଟୁର ନାଁ ହିଟ୍‌ଲର୍‌ ରହିଲା ସେଦିନୁଁ, ଯଦିଚ କୋଷ୍ଠୀମତେ ହିଟ୍ଟୁ ଆଉ ହରିହର ଏକ ଓ ଅଭିନ୍ନ ବୋଲି ପଣ୍ଡିତେ ବୁଝାଇ ଦେଲେ ସମସ୍ତଙ୍କୁ ।

 

ଅବଶ୍ୟ ହିଟ୍ଟୁର ନାଁ ହିଟ୍‌ଲର୍‌ ହବାରେ ହିଟ୍ଟୁ ବାପର ଆଧୁନିକ ରୁଚି ଏକାନ୍ତ ଆଧୁନିକ—ୟା ଭାବି ନ ଥିଲେ କେହି । କାରଣ ସେତେବେଳକା ପୃଥିବୀରେ ହିଟଲର, ଚର୍ଚ୍ଚିଲ, ଷ୍ଟାଲିନ୍‌ ଭଳି ଅନେକ ବିଦେଶୀ ଲୋକଙ୍କ ନାଁ ଏପରି କି ବିଦେଶର ଜାଗା ନାଁ—ଜର୍ମାନୀ, ଜାପାନୀ ପ୍ରଭୃତି ଦେଶର ଗାଁ ଗଣ୍ଡାକୁ ପଶି ଆସିଥିଲା ବହୁ ଆଗରୁ । ହିଟୁ ଜନ୍ମର ଚଉଦ-ପନ୍ଦରବର୍ଷ ତଳୁ ଦ୍ୱିତୀୟ ବିଶ୍ୱଯୁଦ୍ଧର ଶେଷ ପ୍ରକୋପ ଭୋଗି ସାରିଥିଲା ଏ ପୃଥ୍ୱୀ । ହିଟ୍ଟୁ ଏଇ ମହାଯୁଦ୍ଧ ପରବର୍ତ୍ତୀ ଯୁଗର ମଣିଷ—ଅନ୍ତତଃ ଏତିକି ବେଶ୍‌ ଭଲ ବୁଝାପଡ଼େ ତା ନାଁରୁ ।

 

ରଘୁ ସ୍ମଗଲର୍‌ ସାଥିରେ ହିଟ୍ଟୁର ପରିଚୟ କେଉଁସୂତ୍ରରେ କିଭଳି ଘଟିଥିଲା କେଜାଣି ? ତେବେ ବର୍ଷ କେତେଟା ଭିତରେ ରଘୁ ସ୍ମଗଲର୍‌ ନା ପରିବର୍ତ୍ତେ ହିଟ୍ଟୁର ନାଁ ଶୁଣାଗଲା ବହୁ ତୁଣ୍ଡରୁ । ଅବଶ୍ୟ ହିଟ୍ଟୁ କେବଳ ସ୍ମଗଲିଂ ବ୍ୟବସାୟରେ ମୁହଁ ପୋତି ପଡ଼ିଗଲା ନାହିଁ ବେଶିଦିନ । କ୍ରମଶଃ ପକ୍‌କା ବ୍ୟବସାୟ ବାଣିଜ୍ୟ କ୍ଷେତ୍ରକୁ ଗୋଡ଼ ପୂରେଇଲା ସେ । ବର୍ଷ କେତେଟା ଭିତରେ ହିଟ୍ଟୁର ସିମେଣ୍ଟ ଏଜେନ୍‌ସି, ସାର ଏଜେନସିର ସାଇନବୋର୍ଡ଼ ଗାଁ ପାଖ ବଜାର ଛକ ଉପରେ ମୁଣ୍ଡଟେକି ଚାହିଁବାର ଦେଖାଗଲା ସବୁରି ମୁହଁକୁ ।

 

ହିଟ୍ଟୁର ବାପ ତଥାପି ହଳଧରି ଯା’ଆସ କରୁଥାଏ ନିଜର କ୍ଷେତବାଡ଼ିକୁ । ତେବେ ସେ ଆଉ ଆଜିକାଲି ନାମମାତ୍ର ଚାଷୀତଳେ ନାଁ ଲେଖାଉନାହିଁ ଗ୍ରାମପଞ୍ଚାୟତ ଅଫିସ ଖାତା ବହିରେ । କିମ୍ୱା ଗାଁର ସେ ପୁରୁଣା ଖଣ୍ଡିଆ ପିଣ୍ଡାଘର ଖଣ୍ଡକ ନୁହେଁ ଆଉ ତାର ବାସସ୍ଥାନ, ଯେଉଁଠି ବର୍ଷ କେତେଟା ତଳେ ନୂଆ କରି କଳଗାଉଣା ଶୁଣି ଲୋକେ ବିସ୍ମିତ ହେଉଥିଲେ । ଏବେ ସେଠି ମସ୍ତ କୋଠା, ଦୋ’ମହଲା କୋଠା । ଆଉ ଦିନରାତି ଚଉପହର ସେ ଘର ଛାତ ଉପରେ ଖଞ୍ଜା ହେଇଥିବା ଗୋଟାଏ ଚୁଙ୍ଗାରୁ ଶୁଣାଯାଉଚି କେତେ ରକମ ଗାଉଣା । ଖଣ୍ଡମଣ୍ଡଳ କମ୍ପୁଚି ସେଥିରେ-

 

ହିଟ୍ଟୁର ସାଙ୍ଗସାଥୀ ଆଉ ନାହାନ୍ତି ସେ ପୂର୍ବର ଅଭେକା ଟୋକ ପଞ୍ଝାକ । ଏବେ ହିଟ୍ଟୁକୁ ଦେଖିଲେ ବି.ଡି.ଓ, ଥାନାବାବୁ, ଡାକ୍ତର, ଏମ୍‌.ଏଲ.ଏ. ପର୍ଯ୍ୟନ୍ତ ସଲାମ କରନ୍ତି ଦୂରରୁ । ସେମାନଙ୍କୁ ନିଜ ଘରକୁ ନିମନ୍ତ୍ରଣ କରିଆଣେ ହିଟ୍ଟୁ । ଖିଆପିଆ ଖୁସିବାସି ବସଉଠ ହେଉ ହେଉ ବଢ଼େ ମଣିଷ ମଣିଷଙ୍କ ସଦ୍‌ଭାବ । ଜମେ ଭାବଦୋସ୍ତି । ଏ କ୍ଷେତ୍ରରେ ହିଟ୍ଟୁର ବନ୍ଧୁବାନ୍ଧବଙ୍କ ଭିତରେ ବି.ଡି.ଓ, ଥାନାବାବୁ, ଡାକ୍ତର, ଏମ୍‌.ଏଲ.ଏ. ଗଣା ହେବାଟା ନୂଆକଥା କିଛି ନୁହେଁ ନିଶ୍ଚୟ-

 

କିନ୍ତୁ ଏସବୁ ସତ୍ତ୍ୱେ ହିଟ୍ଟୁର ଶତ୍ରୁମାନେ ମଧ୍ୟ ଏ ଭିତରେ ସଂଖ୍ୟାରେ କିଛି ଯେ ନ ବଢ଼ିଛନ୍ତି ନୁହେଁ । ବହୁବର୍ଷ ତଳେ ବଜାର ଉପରେ ଯୋଉ ଚା’ ଦୋକାନରେ ବସି ହିଟ୍ଟୁ ଓ ତାର ପୁରୁଣା ସାଥୀମାନେ ଛକରେ ଅଟକୁଥିବା ଯାତ୍ରୀବାହୀ ବସ୍‌ଗୁଡ଼ାକୁ ଅନୁସନ୍ଧାନ କରି ସେଥିରୁ ଅପରିଚିତ ରଘୁ ସ୍ମଗଲର ବା ତା’ ସଂପ୍ରଦାୟର ଲୋକଙ୍କ ସ୍ୱରୂପ ଅନ୍ୱେଷଣରେ କାଳାତିପାତ କରୁଥିଲେ, ସେଇ ଚା’ଦୋକାନୀର ଚାହାଣି ଏବେ ମଧ୍ୟ ବିରକ୍ତିକର ମନେହୁଏ ହିଟ୍ଟୁକୁ ।

 

‘‘ଆଜ୍ଞା, ଏ ଶଳା କପିଳା ନାୟକ ଚା’ଦୋକାନୀକୁ କେମିତି ଜବତ କରି ହ’ନ୍ତା ନାଇଁ ଟିକିଏ !’’ ଦିନେ ହିଟ୍ଟୁ କଥା ଲହସରେ ପକେଇଦେଲା କାନରେ ଏତିକି ଥାନା ବାବୁଙ୍କର ।

 

ଆଶ୍ଚର୍ଯ୍ୟ ହେଲେ ଥାନାବାବୁ । ପଚାରିଲେ, ‘‘କଣ ଆଜ୍ଞା ? ଆପଣ ଡରୁଛନ୍ତି ଗୋଟାଏ ସାମାନ୍ୟ ଚା’ ଦୋକାନୀକୁ ?’’

 

ହିଟ୍ଟୁ ହସିଦିଏ । ଥାନାବାବୁଙ୍କ ଆଡ଼କୁ ବୋତଲେ ପୁରୁଣା ସ୍ମଗଲ ମାଲ ଠେଲି ଦଉ ଦଉ ଜିଭ କାମୁଡ଼ି ପକେଇ କହେ, ‘‘ଡର ମୋର ଏକା ଆପଣମାନଙ୍କୁ, ନ ହେଲେ ଆଉ କାହାକୁ ?’’

 

ଏହାର ଦିନ କେତେକ ପରେ କପିଳା ନାହାକ ତାର ବହୁଦିନର ପୁରୁଣା ଚା’ ଦୋକାନର ଧଡ଼ା ନଉଠେଇ ଦିନାକେତେ କୁଆଡ଼େ ଯେ ଉଭାନ ହେଲା କେହି ଜାଣି ପାରିଲେ ନାହିଁ । ହିଟ୍ଟୁର ଲୋକେ ବଜାର ଉପରେ କହିବୁଲିଲେ—‘‘ଶଳା କପିଳା ନାହାକ ନଢ଼ିବାକୁ ମୁଣ୍ଡ ପାଇଲା ନାଇଁ ଯେ ତାଳପକାଉଥିଲା ଏକାବେଳକେ ହିଟ୍‌ଲର ସାଥିରେ । ଗଲା, ଏଥର ଚାରିପାଞ୍ଜିରୁ ଗଲା । ଏଥର ବାହାର, ଆଉ କିଏ ଅଛ କେଉଁଠି ନଢ଼ିବାକୁ ଯେବେ ଇଚ୍ଛା ହିଟ୍‌ଲର ସାଥିରେ—ଆସ’ ବାହାର ।’’

 

କେହି ବାହାରିଲେ ନାହିଁ ।

 

ଦିନ କେତେଟା ଅଜାତଶତ୍ରୁ ଅବସ୍ଥାରେ ହିଟ୍‌ଲର୍‌ ନିଜର ନୂଆ କରି କିଣା ଯାଇଥିବା ଡିଜେଲ ଜିପ୍‌ରେ ବସି ବୁଲାବୁଲି କରିବାର ଦେଖାଗଲା ।

 

କିନ୍ତୁ ବେଶିଦିନ ନୁହେଁ । ଦିନେ ହିଟ୍ଟୁର କେହି ଜଣେ ବିଶ୍ୱସ୍ତ ଅନୁଚର ଧଇଁସଇଁ ହୋଇ ଆସି ପହଞ୍ଚିଲା ଆଉ ଖଣ୍ଡେ ମୋଡ଼ା ମକଚା ଛାପା ଅକ୍ଷରର କାଗଜ ତା ହାତକୁ ବଢ଼େଇ ଦେଇ ଅତ୍ୟନ୍ତ ଭୟଭୀତ ସ୍ୱରରେ କହିଲା, ‘କଥା ସରିଗଲା-’’

 

ହିଟ୍ଟୁ ଚମକିପଡ଼ିଲା । ଲୋଚାକୋଚା କାଗଜ ଖଣ୍ଡକୁ କଅଣ ମନେ କଲା କେଜାଣି ଆଗ ହାତରୁ ଛିଞ୍ଚାଡ଼ି ପକେଇଲା । ସେଇଠୁ ଡାକପକେଇଲା—ମାର ମାର, ପିଟ ପିଟ ।

 

ଘରର ଚାକରବାକର ପିଲାଝିଲା ଯେ ଯେଉଁଠି ଥିଲେ ଧାଇଁ ଆସିଲେ । ସମସ୍ତେ ମନେକଲେ—ସାପ ପଶିଚି ନିଶ୍ଚେ । ତେଣୁ ଚାକରମାନେ ଠୋଙ୍ଗାବାଡ଼ି ଧରି ଧାଇଁ ଆସିଲେ ବାବୁଙ୍କ ଶୋଇବାଘର ପର୍ଯ୍ୟନ୍ତ । କିନ୍ତୁ ସେତେବେଳେକୁ ହିଟ୍ଟୁର ଅହେତୁକ ଭୟ କିଞ୍ଚିତ କମିଯାଇ ତହିଁରୁ ପ୍ରଚଣ୍ଡ କ୍ରୋଧାଗ୍ନି ଜାତ ହୋଇ ସାରିଥାଏ । ଚାକରବାକରମାନଙ୍କୁ ଛାନିଆଁ କରିଦେଲା ଭଳି ହିଟ୍ଟୁ ସେତେବେଳେକୁ କାଳିଶି ପରି ନାଚୁଥାଏ । ତା’ ପାଟିରୁ ଫେଣ ବାହାରିବା ଦେଖି ଘରଲୋକ ସମସ୍ତେ ମନେକରିନେଲେ ଯେ ସାପ ନିଶ୍ଚେ ଦଂଶି ସାରିଲାଣି ବାବୁଙ୍କୁ । ହିଟ୍ଟୁର ବୁଢ଼ା ବାପ ତାର ଚାଷୀସୁଲଭ ଢଙ୍ଗରେ ପାଞ୍ଚଣ ଖଣ୍ଡିଏ ଧରି ଘରର ଅନ୍ଦିକନ୍ଦି ଖୋଜୁଥାଏ ସାପଟା ଗଲା କୁଆଡ଼େ ବୋଲି । ପିଲାପିଲିଙ୍କ କାନ୍ଦବୋବାଳି ଉଠିଗଲାଣି ସେତେବେଳେକୁ କାହିଁ କେତେ ଉଚ୍ଚକୁ ।

 

ହଠାତ୍ ପହଞ୍ଚିଗଲେ ବି.ଡି.ଓ ବାବୁ ।

 

ହିଟ୍ଟୁର ରଡ଼ି ଉପରମହଲାରୁ ବେଶ୍‌ ଶୁଭୁଥାଏ ଗାଁଦାଣ୍ଡକୁ । ବି.ଡି.ଓ. ଗାଡ଼ିରୁ ଓହ୍ଲାଉ ଓହ୍ଲାଉ କିଏ ଜଣେ ଧାଇଁଆସି କୁଣ୍ଢେଇ ପକାଇଲା ତାଙ୍କୁ । ଖବର ଦେଲା—ବାବୁଙ୍କୁ ସର୍ପ ଦଂଶିଦେଲା ଆଜ୍ଞା ! ପୁରୁଖା ଚାକିରିଆ ମୁହୂର୍ତ୍ତକେ ଠଉର କରିନେଲେ ବ୍ୟାପାରଟା ।

 

‘‘ଉଠବେ, କାଗଜଖଣ୍ଡକୁ ଏତେ ଡର ଯାହାର ସେ କି ନେତା ହବ ଏ ଦେଶର !’’ କହୁ କହୁ ଶିଡ଼ି ପାହାଚରେ ଉଠିଆସିଲେ ବି.ଡି.ଓ ବାବୁ ହିଟ୍ଟୁର ବେଡ଼୍‌ରୁମ୍‌କୁ ସିଧାସଳଖ ।

 

‘‘ଦେଖେଇଁ ସେ କାଗଜ, କଅଣ ବାହାରିଚି ସେଥିରେ ପଢ଼େ ମୁଁ—’’ ହିଟ୍ଟୁକୁ ତଟସ୍ଥ କରିଦେଇ ବି.ଡି.ଓ ବାବୁ କାଗଜଖଣ୍ଡକୁ କେଳା ସାପ ଧଇଲା ମାର୍ଗେ ଉଠେଇ ନେଲେ ତଳୁ ଓ ସାପର ବିଷଦାନ୍ତ ପରୀକ୍ଷା କଲାପରି ପରୀକ୍ଷା କରିନେଲେ ଆଖିପିଛଡାକେ ।

 

‘‘ଧ୍ୟାତ୍—’’ କାଗଜଟାକୁ ଧଣ୍ଡସାପ ଭଳି ଅତ୍ୟନ୍ତ ବେଖାତିରରେ ଫିଙ୍ଗି ଦେଉଦେଉ ପରିବାରର ପୁରୁଣା ବନ୍ଧୁ ବି.ଡି.ଓ ବାବୁଙ୍କ କଣ୍ଠରୁ ଯେଉଁ ଭାଷା ବାହାରିଲା ତାକୁ ଅନ୍ୟ କେହି ବୁଝନ୍ତୁ ନବୁଝନ୍ତୁ ହିଟ୍ଟୁ, ବୁଝିପାରିଲା ଖୁବ୍‌ ।

 

ଘଟଣାଟା ସେପରି ବିପଜ୍ଜନକ ନୁହେଁ, ସମ୍ଭବତଃ ଏତିକି ବୁଝେଇଦେବାପାଇଁ ବି.ଡି.ଓ. କହିଲେ—‘ହିଟ୍ଟୁବାବୁ, ଆପଣ ଜଣେ ଲକ୍ଷପତି । ଏଇ ସାମାନ୍ୟ କାଗଜରେ ନାଁ ବାହାରିଚି ବୋଲି ଏତେ ଭୟ ଆପଣଙ୍କର ? ଆପଣ ଜାଣନ୍ତି ଏ ଦେଶର କୋଟିପତି ବିରଳା, ଡାଲମିଆଁଙ୍କ ନାଁରେ କି କି କଥା ନ ବାହାରେ ଦେଶର ବଡ଼ ବଡ଼ କାଗଜରେ । ଦେଶର ବଡ଼ ବଡ଼ ନେତାଙ୍କୁ ନେଇ କି କି କୁତ୍ସିତ କଥା ନ ବାହାର କରୁଛନ୍ତି ନିତି ଖବରକାଗଜବାଲାଏ ତାଙ୍କ କାଗଜରେ । ଏଟା କିବା କାଗଜ କିବା ଖବର ଏ ଏଥିରେ ଏତେ ଛାନିଆ ଆପଣ ! ଧ୍ୟାତ୍, ହବ ନାଇଁ ଆଉ ।’’

 

ହିଟ୍ଟୁର ଫେଣୁଆ ମୁହଁରେ ଇଷତ୍ ଆଶ୍ୱସ୍ତିର ହସ ଦେଖାଗଲା । କିନ୍ତୁ ସେ କିଛି ନୁହେଁ । ଲୋକଟାର ନିଃଶ୍ୱାସ ମାରିବା ଢଙ୍ଗରୁ ଯାହା ଧରିହେଉଥିଲା ସେଥିରୁ ବେଶି କିଛି ଭଲ ଜଣାଗଲା ନାହିଁ ।

 

ରାତି ବଢ଼ିଲା । ଘର ଲୋକେ ଶୋଇବାକୁ ବାହାରିଲେ । ବି.ଡି.ଓ. ଆଉ ଟିକିଏ ଡେରି ପର୍ଯ୍ୟନ୍ତ ରହି ବାହାରିଗଲେ । ହିଟ୍ଟୁ କିନ୍ତୁ ସେଦିନ ରାତି ଗୋଟାକଯାକ ଶେଯରେ ପଡ଼ି ଛଟପଟ ହେଲା ।

 

ଏହା ପରେ ପ୍ରାୟ ହପ୍ତାକ ପର୍ଯ୍ୟନ୍ତ ନାନା ବ୍ୟବସାୟ ଧନ୍ଦା ଘେନି ହିଟ୍ଟୁ ବ୍ୟସ୍ତ ରହିଲା । ଆଠଦିନ ଦିନ ବଡ଼ି ଭୋର୍‌ରୁ ହିଟ୍ଟୁ ମୁହଁରୁ ପୁଣି ଫେଣ ବାହାରିବା ଦେଖାଗଲା । କିନ୍ତୁ ପୂର୍ବପରି ହିଟ୍ଟୁର ଗର୍ଜନ ତର୍ଜନ କେହି ଶୁଣିଲେ ନାହିଁ । ଲୋକଟାର ସ୍ୱର ଗଲା ହପ୍ତାକ ଭିତରେ ବହୁତ ବଦଳି ଯାଇଥିଲା । କଥା କହିଲାବେଳେ ଗୋଟାଏ ଫସ୍‌ଫସ୍‌ ଆଓ୍ୱାଜ୍ ବାହାରୁଥିଲା ତା ତଣ୍ଟିରୁ । ସତେ କି ବିଷଜ୍ୱାଳାରେ ତଣ୍ଟି ପରଦା ଫାଟି ଫାଟି ଯାଉଥିଲା ଦିନକୁ ଦିନ ।

 

ହପ୍ତାକ ତଳର ବିଷପ୍ରକୋପ କମୁନକମୁଣୁ ତା’ ଉପରେ ଆଉ ଏକ ଡୋଜ୍‌ ଆସି ପଡ଼ିଲା ସେଦିନ ବଡ଼ି ଭୋର୍‌ରୁ ।

 

‘‘ଆଜ୍ଞା ! ଗାଧୁଆ ତୁଠରେ ମାଇପେ କ’ଣ କୁହାକୁହି ହଉଚନ୍ତି ଜାଣିଲେଣି ?’’ ସେଦିନ ସକାଳୁ ଗୋଧି ପଲେଇ, ହିଟ୍ଟୁର ନମ୍ୱର ଓ୍ୱାନ୍‌ ଲୋକ, କାନରେ କହିଦେଇ ଗଲା ତାର, ‘‘ଧନୀ ଲୋକେ ଧର୍ମକୁ ନ ଡରିଲେ କଅଣ ହେବ—ତାଙ୍କର କାଗଜକୁ ଡର । ଆପଣ ଏତେ କଅଣ ଡରୁଚନ୍ତି ମ କାଗଜକୁ । ଲୋକେ ହସୁଚନ୍ତି ।’’

 

‘‘ଲୋକେ ହସୁଚନ୍ତି ?’’ ହିଟ୍ଟୁର ତଣ୍ଟି ପେଡ଼ିରୁ ଅବିକଳ ଏକ ଗୋଖର ସାପର ସୁ ସୁ ଭଳି ଶୁଣାଗଲା ଗୋଟାଏ ସ୍ୱର, ‘‘ଖବରକାଗଜ ଧରିଚି ଧର୍ମକୁ—ନାଇଁ ? ସେଥିରେ ଯାହା ବାହାରେ ସବୁ ସତ, ସବୁ ଧର୍ମ ? ସେ ଲୋକଟା ଏଇ ହପ୍ତାକ ଭିତରେ ମୋଠୁ କେତେ ନେଇ ସାରିଲାଣି ଜାଣ ?’’

 

ଗୋଧି ପଲାଇ, ହିଟ୍ଟୁର ନମ୍ୱର ଓ୍ୱାନ୍‌ ଲୋକ, ସେଇ ମାତ୍ର ଖବର ପାଇଲା ତା’ ମାଲିକର ଅସଲ ଦୁଶ୍ଚିନ୍ତା ବିଷୟରେ । ହିଟଲର ବଦ୍‌ନାମକୁ ଡରେ ନାଇଁ, ଡରେ ବଦ୍‌ନାମର ଚଢ଼ା ବଜାରଦରକୁ—ଏତିକି ବୁଝିଗଲା ପରେ ଗୋଧି ପଲେଇ ମାଇଲା ଗୋଟାଏ ହେଣ୍ଡି । କହିଲା–‘‘ରେଟ୍‌ ଖସିପଡ଼ିବ ଆଜ୍ଞା ! ଆପଣ ଜାଣୁ ଜାଣୁ ବଢ଼ୋଉଚନ୍ତି ସବୁ ଦର । ଏ ଗାଁଗଣ୍ଡାରେ ସାର ସିମେଣ୍ଟର ଭାଉ ସିନା ବଢ଼ିବ, ଚାହିଦା ଅଛି ତାର, ଖବର ଦର ବଢ଼େଇଲେ କାହିଁକି ଆପଣ ? କିଏ ଚାହୁଁଚି ଏ ଗାଁରେ କାହାର ଖବର ?’’

 

ଗୋଧି ପଲେଇ ମୁଣ୍ଡରେ ହାତ ଦେଇ ବସି ପଡ଼ିଲା । କହିଲା, ‘‘ଆରେ ବାପରେ ! ଟଙ୍କା ଶହେରେ ଯାହା ପାଆନ୍ତେ ଆପଣ ଦେଇ ପକେଇଲେ ପାଞ୍ଚ ହଜାର !’’

 

ହିଟ୍‌ଲର୍‌ ଫେଣୁଆ ମୁହଁରେ ହପ୍ତାକ ଅନ୍ତରରେ ଦ୍ୱିତୀୟବାର ଦେଖାଗଲା ଇଷତ୍ ହସର ଗାର ।

 

‘‘ଖବର ଦର ଖସେଇ ପାରିବୁ ଗୋଧି ?’’ ପୂର୍ବର ଖସଖସିଆ ସ୍ୱରରେ ପଚାରିଲା ହିଟ୍‌ଲର୍‌, ଆଉ ତଣ୍ଟି ଝାଡ଼ି କହିଲା ବି, ‘‘କିନ୍ତୁ ଖବରଦାର, ଏ ଖବରର ଭାଉ ଯେମିତି ନ ବଳି ପଡ଼େ ପୂର୍ବ ଭାଉକୁ । କାମ ଏପରି ହେବ ଯେମିତି ଫାଇଲ ଉପରେ କାମ ହୁଏ ସରକାରୀ ଅଫିସ୍‌ରେ—ପରିଷ୍କାର ।’’

 

ଗୋଧି ପଲେଇ ଉଠି ବସିଲା । ଯିବା ପୂର୍ବରୁ ମାଲିକଙ୍କୁ ଜୁହାର ହୋଇ କହିଲା, ‘‘ଗୋଧି ପଲେଇର ସବୁ କାମ ନିଚିପର । ଖାଲି ଥାନାବାବୁଙ୍କୁ ସମ୍ଭାଳିବେ ଆପଣ ।’’

 

ସେଦିନ ରାତି ପହରକ ଭିତରେ ଗୋଧି ପଲେଇ ଅତି ନିଷ୍ଠାପର ଭାବରେ ତାର କର୍ତ୍ତବ୍ୟ ସମ୍ପାଦନ କରିଥିବା ସମ୍ୱାଦ ପହଞ୍ଚିଲା ହିଟ୍‌ଲର୍‌ କାନରେ । କିନ୍ତୁ ପରଦିନ ସକାଳକୁ ଗୋଧି ପଲେଇ ଧଇଁସଇଁ ହେଇ ଆସି ପହଞ୍ଚିଗଲା ଆଉ କହିଲା, ‘‘ଆଜ୍ଞା, ଗାଧୁଆ ତୁଠରେ ମାଇପେ କ’ଣ ଏମିତି କଥାବାର୍ତ୍ତା ହଉଚନ୍ତି !’’

 

‘‘କଅଣ ?’’ ଚମକିପଡ଼ିଲା ହିଟ୍‌ଲର୍‌ ।

 

‘‘କହୁଚନ୍ତି ନଈବାଲିରେ ମାଇପୀଟାଏ କାଲି ରାତିରେ ମରିପଡ଼ିଚି । ତା’ ଦିହଯାକ ଖଣ୍ଡିଆ ଦଣ୍ଡିଆଁ । ହେଟାବାଘ ସମ୍ଭବ ଖାଇଚି । ହେଲେ ଗୋଟାଏ ଅସୁବିଧା ଲକ୍ଷଣ ଦେଖାଯାଉଚି-।’’

 

‘‘କଅଣ ?’’ ହିଟ୍ଟୁର ପାଟି କଡ଼ରେ ଅଳ୍ପ ଟିକିଏ ଫେଣ ଦେଖାଗଲାଣି ସେତେବେଳକୁ ।

 

‘‘ବେସ୍ତ ହୁଅନ୍ତୁ ନାଇଁ ଆଜ୍ଞା ।’’ ହିଟଲର୍‌ର ପାଟିରେ ଫେଣ ଦେଖି ନିଜ ପାଟି ପୋଛି ପକେଇଲା ଗୋଧି ତା ହାତ ନେଡ଼ିରେ, ଆଉ କହିଲା, ‘‘ଖାଲି ଥାନା ବାବୁଙ୍କୁ ଧଇଲେ ହବନାଇଁ ଆଜ୍ଞା—ଟିକିଏ ଧରିପକାନ୍ତୁ ଡାକ୍ତରଙ୍କୁ ଆଉ ସରପଞ୍ଚଙ୍କୁ । ମାଇପେ କହୁଚନ୍ତି ହେଟାବାଘ ମଣିଷ ମାରିବ ସିନା, ବାଲି ଭରିବ ନାଇଁ ମଲା ମଣିଷର ଅଥାନଥାନରେ ।’’

 

‘‘କଅଣ ? ବାଲି ? ଅଥାନରେ ?’’

 

‘‘ଆଜ୍ଞା ! ସେଇଥିପାଇଁ ତ କହୁଚି କଥା ଅଇଛିକା ରହିଲାଣି ଯାଇ ଡାକ୍ତରଙ୍କ ହାତରେ । ଯଦି ଡାକ୍ତର ନଶୁଣିବେ ତେବେ ସରପଞ୍ଚ, ନହେଲେ ତାଙ୍କ ଓପରକୁ....’’

 

‘‘ଚୋପ୍‌ବେ ।’’ ହିଟଲର୍‌ର ଗୋଟାଏ ଚାପୁଡ଼ାରେ ଗୋଧି ପଲେଇ ଗଡ଼ିପଡ଼ିଲା ଚଉକି ଉପରୁ । ମୂର୍ଖ ଅପରିଚ୍ଛନ୍ନ ଲୋକଟାକୁ ଆଉ ଗୋଟାଏ ଘୁଷି ଦେବା ପେଇଁ ହିଟ୍ଟୁର ହାତ ମୁଠା ମୁଠା ହେଇଆସୁଥିଲା । କିନ୍ତୁ ସେତିକିବେଳେ ପହଞ୍ଚିଗଲା ବି.ଡି.ଓ.ଙ୍କ ଜିପ୍‌ । ଜଣେ ଲୋକ ଦଉଡ଼ି ଆସି କହିଲା-

 

‘‘ପଳାଅ ଶୀଘ୍ର ପଳାଅ । ଖବର ପହଞ୍ଚିଲାଣି—ତେଣେ ଦଶଖଣ୍ଡ ପଞ୍ଚାୟତରେ ମିଟିଂ ବସିଗଲାଣି । ଶୁଣାଯାଉଚି ହଜାର ହଜାର ସଜ ହେଉଚନ୍ତି—ମାଡ଼ି ଆସିବେ କୋଉକ୍ଷିଣା ।’’

 

ହିଟ୍ଟୁ ଗୋଟାଏ ଖେପାରେ ଆଗ ବଳିଗଲା ସେ ଲୋକଟାକୁ ଆଉ ଆଖି ପିଛଡାକେ ଯାଇ ବସିପଡ଼ିଲା ଜିପ୍‌ରେ ବି.ଡି.ଓ.ଙ୍କର । ଗାଁ ରାସ୍ତାରେ ଧୂଳି ଉଡ଼େଇ କୁଆଡ଼େ ଅଦୃଶ୍ୟ ହୋଇଗଲା ସେ ଗାଡ଼ିଟା । ଖବର ଅନୁସାରେ ଦଶଖଣ୍ଡ ପଞ୍ଚାୟତର ଉତ୍ତ୍ୟକ୍ତ ଲୋକମାନେ ଠେଙ୍ଗାବାଡ଼ି, ସାବଳ, ଗଇଁତି ଧରି ହିଟ୍ଟୁ ସ୍ମଗଲ୍‌ର କୋଠାକୁ ସତକୁ ସତ ଘେରାଉ କଲାବେଳକୁ ସେଦିନ ସନ୍ଧ୍ୟା ନୁହେଁ, ତା’ପରଦିନ ଗାଧୁଆବେଳ ହେଇ ଯାଇଥିଲା ।

 

ଯାହା ଘଟିଲା ତାକୁ ସ୍ଥାନୀୟ ଶିକ୍ଷିତ ଲୋକେ କହିଲେ, ‘‘ଫଲ ଅଫ୍‌ ବର୍ଲିନ—ବର୍ଲିନର ପତନ ।’’ କେହି କେହି ମଧ୍ୟ କହିଲେ—ଫ୍ରେଞ୍ଚ୍ ରିଭଲ୍ୟୁସନ ବା ଅକ୍ଟୋବର ରିଭଲ୍ୟୁସନ ।

 

କିନ୍ତୁ ସ୍ଥାନୀୟ ଘଟଣାର ଚିତ୍ର ଯେତେ ଐତିହାସିକ ଗୁରୁତ୍ୱପୂର୍ଣ୍ଣ ହେଲେ ମଧ୍ୟ ଇତିହାସ ସ୍ଥାନରେ ଯେତେ ନଥାଏ ସେତେ ଥାଏ କାଳରେ । ଇତିହାସର ଏଇ କାଳ ପକ୍ଷପାତିତାକୁ ସମସ୍ତଙ୍କ ଅପେକ୍ଷା ସମ୍ଭବତଃ ବେଶି ଧରିପାରୁଥିଲା ହିଟ୍ଟୁ ସ୍ମଗଲର ନିଜେ ।

 

ସେଦିନ ଜଣେ ଗାଉଁଲି ଖବରକାଗଜର ପ୍ରତିନିଧିଙ୍କ ପତ୍ନୀଙ୍କ ରେପ୍‌ ଓ ମର୍ଡ଼ର କେସ୍‌ ମକଦ୍ଦମା ସଂକ୍ରାନ୍ତରେ ହିଟ୍ଟୁକୁ ଗିରଫ କରାଯାଇ ଜେରାକରାଯାଉଥାଏ ଥାନାରେ ।

 

ଗୋଡ଼ ଉପରେ ଗୋଡ଼ ପକେଇ କପେ ଚା ପିଇବା ଅବସ୍ଥାରେ ଲୋକଟିର ଷ୍ଟେଟମେଣ୍ଟ ରେକର୍ଡ଼ କରିଚାଲିଥାନ୍ତି ଥାନାବାବୁ—

 

‘‘ମୋର ଜାତକ ନାମ ହରିହର । କିନ୍ତୁ ମତେ ସମସ୍ତେ ଚିହ୍ନନ୍ତି କିଏ ମୁଁ । ମୁଁ ହରିହର ନୁହେଁ—ହିଟଲର୍‌ । ମତେ ଯଦି ଲୋକେ ଏ ନାରେ ନଚିହ୍ନିଥାନ୍ତେ ତେବେ ଅଇଛିକା ମୋ ବାପ ପରି ନାମମାତ୍ର ଚାଷୀଟିଏ ହେଇଥାନ୍ତି ମୁଁ । ଆମ ସମୟରେ ଗାଁର ଧନୀ ଜମିଦାର ପିଲାମାନେ ଖୁବ୍‌ ଫେସନ୍‌ କରୁଥିଲେ । ନୂଆ ନୂଆ ଢଙ୍ଗରେ ଜାମାକୁର୍ତ୍ତା ପିନ୍ଧୁଥିଲେ । ଆମର ଜାମାକୁର୍ତ୍ତା ନ ଥିଲା । ବୋଧହୁଏ ସେଇଥିପାଇଁ ବାପା ମୋର ମତେ ଏଇ ନାଁଟା ପିନ୍ଧେଇ ଦେଇଥିଲେ—ହିଟ୍‌ଲର । ହିଟ୍‌ଲର କିଏ ମତେ ଜଣାନାଇଁ । କିନ୍ତୁ ମୁଁ ଜାଣେ ସେ ଗୋଟାଏ ସମୟ । ବଡ଼ ବଢ଼ିଆ ସମୟ । ପୂର୍ବର ଧନୀ ମରୁଥିଲେ । ତାଙ୍କ ଧନ, ତାଙ୍କ କ୍ଷମତା ମାଟିରେ ପଡ଼ିଲାମାତ୍ରେ ଯେ ଗୋଟେଇନେଲା ସେ ଉଠିଲା ଉପରକୁ । ଆମ ଗାଁଠୁଁ ଚାଳିଶ ମାଇଲ ଦୂରରେ ସେତେବେଳେ ତିଆରି ହେଉଥିଲା ବନ୍ଦର । ରଘୁ ସ୍ମଗଲର ସେତେବେଳେ ଉଠୁଥାଏ ଉପରକୁ । ମୁଁ ପାଠପଢ଼ା ଛାଡ଼ିଦେଲି । ଧଇଲି ମୋ ଗୁରୁ ରଘୁ ସ୍ମଗଲର୍‌ର ପୟର । ସେ ମତେ ବତେଇଲେ ଧନର ମାହାତ୍ମ୍ୟ-। ସେତିକିବେଳେ ଆରମ୍ଭ ହଉଥାଏ ଦେଶରେ ପଞ୍ଚାୟତ ଶାସନ । ବି.ଡି.ଓ. ବାବୁଙ୍କ କରାମତି ଆମେ ଦେଖିଲୁ । ବି.ଡି.ଓ. ବତାଇଲେ କ୍ଷମତାର ମାହାତ୍ମ୍ୟ । ଏହା ସାଙ୍ଗକୁ ଆସିଲା ରାଜନୀତି ଗାଁଗହଳକୁ । ଧନ, କ୍ଷମତା ଏକାଠି ହେଲେ ହୁଏ ରାଜନୀତି—ଶୀଘ୍ର ବୁଝିପାରିଲି ମୁଁ ।’’

 

ହିଟ୍ଟୁର ଅଯଥା ଲମ୍ୱା ଷ୍ଟେଟ୍‌ମେଣ୍ଟକୁ ଯଥାସମ୍ଭବ ସଂକ୍ଷିପ୍ତ କରିବାକୁ ଇଚ୍ଛା କରି ଥାନାବାବୁ କଲମ ଟେକିଲେ କାଗଜ ଉପରୁ । ପଚାରିଲେ, ‘‘କିନ୍ତୁ ଆମ ପଚାରିବା କଥା, ଆପଣ ଏ କାମରେ ଗୋଡ଼ ପୂରେଇଲେ କାହିଁକି ?’’

 

ଗୋଡ଼ ଉପରେ ପଡ଼ିଥିବା ଗୋଡ଼କୁ ବଦଳ କରି ଦେଇ, ଚା’ କପ୍‌ ଫନ୍ଦ ଉପରେ ଥାନା ବାବୁଙ୍କୁ ଚାହିଁ ହିଟ୍ଟୁ କହିଲା, ‘‘ବି.ଡି.ଓ.ଙ୍କ ଯୋଗୁଁ । ସେ କହିଲେ ଖବରକାଗଜରେ ନାଁ ବାହାରିଲେ ଡରିବାର କିଛିନାଇଁ । ନିତି ବଡ଼ ବଡ଼ ନେତା ବଡ଼ବଡ଼ ଧନକୁବେରଙ୍କ ନାଁରେ କୁତ୍ସା ବାହାରୁଚି ଖବରକାଗଜରେ । ସେମାନେ ଡରନ୍ତି ନାଇଁ । ବି.ଡି.ଓ ଡର ଛଡ଼େଇଦେଲେ । କିନ୍ତୁ ଶତ୍ରୁତା ? କୁତ୍ସାକୁ ନ ଡରିଲେ ବି ଶତ୍ରୁତାକୁ ସହ୍ୟ କରି ପାରିବ ନାହିଁ କେବେ ହିଟ୍‌ଲର ।’’

 

ହିଟ୍ଟୁର ଏ ଜବାବ ଶୁଣି ଥାନାବାବୁ ହୋ ହୋ ହେଇ ହସି ଉଠିଲେ । ତାଙ୍କ ହସର କାରଣ ହିଟ୍ଟୁ ବୁଝିପାରିଲା ନାହିଁ—ଚା’ କପ୍‌କୁ ଟେବୁଲ ଉପରେ ରଖି ବଡ଼ ବଡ଼ ଆଖିରେ ଚାହିଁଲା ସେ ଚାରିଆଡ଼କୁ । ହଠାତ୍ ଟେବୁଲ ଉପରେ ପଡ଼ିଥିବା ଖଣ୍ଡେ ଇଂରେଜୀ ଖବରକାଗଜ ଉପରେ ସ୍ଥିର ହେଲା ଶେଷରେ ତା’ ଦୃଷ୍ଟି । ହିଟ୍ଟୁ ଇଂରେଜୀ ପଢ଼ି ଜାଣି ନାହିଁ । ତେଣୁ କୌତୂହଳବଶତଃ ଥାନାବାବୁଙ୍କୁ ପଚାରିଲା—‘‘ଆଜ୍ଞା, ଏଥେରେ ବାହାରିଚି କି ଆମ ଖବର ?’’

 

‘‘ବାହାରିଚି—’’

 

‘‘କଅଣ ?’’

 

‘‘ସବୁ—ତେବେ ତମ ନାଁ ନାଇଁ ।’’

 

‘‘ଆଉ ତେବେ ?’’

 

‘‘ବଡ଼ ବଡ଼ ନେତାଙ୍କ ବିବୃତି ଏଇ ଘଟଣା ଉପରେ ।’’

 

ହିଟ୍ଟୁର ମୁହଁ କଳାକାଠ ପଡ଼ିଲା । ତା ମୁହଁରୁ ପୁଣି ଫେଣ ବାହାରି ଆସିଲା ରାଗରେ । କହିଲା—‘‘କିନ୍ତୁ ଏ ଘଟଣାତ ମୋର—ଟଙ୍କା......ସେମାନେ କିଏ ? ମୋ ନାଁ ଏଥିରେ ନାଇଁ ? ସତ ?’’

 

ଥାନାବାବୁ ଏଥର ଆହୁରି ବଡ଼ ଜୋର୍‌ରେ ହସିଉଠିଲେ । ତାଙ୍କ ହସରେ ଥାନା ଘରର କାନ୍ଥ ଦୁଲିକିଉଠିଲା । ଶେଷରେ ହସ ଥମିବା ପରେ ତାଙ୍କର ସ୍ୱର ଶୁଣାଗଲା—‘‘ଶତ୍ରୁ ଏକା ତମର ନାହାନ୍ତି ହିଟ୍‌ଲର ! ତମ ଘଟଣା, ତମ ଟଙ୍କା ଉପରେ ବହୁ ବଡ଼ ବଡ଼ ଶତ୍ରୁ ପରସ୍ପର ବିରୁଦ୍ଧରେ ଯୁଝୁଛନ୍ତି ବର୍ତ୍ତମାନ । ତମ ଘଟଣା ସେ ଯୁଦ୍ଧରେ ହଜିଯିବ ଖୁବ୍ ଶୀଘ୍ର । ଥୟ ଧର । ଚା ପିଅ ।’’

Image

 

ଖାରବେଳ

 

ଦୁଇହଜାର ବର୍ଷର ସେଇ ପୁରୁଣା ଗୁମ୍ଫାଗୁଡ଼ିକ ଗୁମ୍ଫାଭଳିତ ଦିଶୁ ନଥିଲା । ସତେ ଯେପରି ଗୁଡ଼ିଏ ପାକୁଆ ପାଟି ଭିତରୁ ପଂଝାଏ ମୁହଁ ହସି ହସି ପଚାରୁଥିଲେ ସେ ଅଦ୍ଭୁତ ପ୍ରଶ୍ନ—ହେ ! କୋକାକୋଲା କମ୍ପାନୀ ସତେ ଉଠିଯିବ ଇଣ୍ଡିଆରୁ ?

 

ହାତୀଗୁମ୍ଫାର ହାତୀ ପେଟ ତଳେ ସେଇ ଯୋଉ ବଙ୍କାଢ଼ଙ୍କା ଯାଦୁରା ଚିହ୍ନଗୁଡ଼ାକୁ ଅନେଇ ଜଣେ ବିଦେଶୀ ପର୍ଯ୍ୟଟକ କାନ ପାଖରେ ଜଣେ ଓଡ଼ିଆ ଗାଇଡ଼୍ ଖୁବ୍‌ ବଡ଼ ପାଟିରେ ଇଂରେଜୀରେ ବୁଝାଇ ଲାଗିଥିଲା—‘‘ଖାରବେଳ ଗ୍ରେଟ୍‌ କିଂ । ମେଡ଼୍‌ ହିଜ୍ ହର୍ଷେସ୍‌ ଆଣ୍ଡ ଏଲିଫ୍ୟାଣ୍ଟସ୍ ଡ୍ରିଙ୍କ୍‌ ଓ୍ୱାଟର ଫ୍ରମ ଦି ଗ୍ୟାଞ୍ଜେଜ୍‌ । ନୋ—ନଟ୍‌ ଓ୍ୱନିଲ ଦ୍ୟାଟ୍‌, ମେଡ଼୍‌ ପୁଷ୍ୟମିତ୍ର—ଦି ଗ୍ରେଟ୍‌ କିଂ ଅଫ୍‌ ବିହାର ଓ୍ୱାସ୍‌ ହିଜ୍‌ (ଖାରବେଳଜ୍‌) ଫିଟ୍‌ ଉଇଥ୍‌ ଦି ଓ୍ୱାଟର ଅଫ୍‌ ଗ୍ୟାଞ୍ଜେଜ ଠୁ । ଦ୍ୟାଟ୍‌ ଖାରବେଳ ଦି ଗ୍ରେଟ୍‌ କିଂ ଓ୍ୱାଜ୍‌ ରିଏଲି ଏ ଗ୍ରେଟ୍‌ ଓରିଆ କିଂ ସାର୍‌ !’’

 

କିନ୍ତୁ ବିଦେଶୀ ପର୍ଯ୍ୟଟକଙ୍କ କାନରେ ସେ ଶବ୍ଦଗୁଡ଼ିକ ସେତେବେଳେ ପଡ଼ୁଥିଲା କି ନା କିଏ ଜାଣେ !

 

ସେମାନେ ଯେଉଁଠି ଠିଆହୋଇ ଖାରବେଳଙ୍କର କୀର୍ତ୍ତି ପାଠର ତର୍ଜମା ଚଳାଇଥିଲେ ତାର ଅନ୍ୟ ପାଖ ପାହାଡ଼ରୁ ଗୋଟିଏ ବିଚିତ୍ର ଶବ୍ଦ ଅନବରତ ଶୁଣାଯାଉଥିଲା । ସତେ ଯେପରି କୌଣସି ଟେଲିଗ୍ରାଫ୍‌ ଯନ୍ତ୍ରଟିରେ ଲଗାତର କିଟ୍‌ କିଟ୍‌ କିଟ୍‌ କିଟ୍‌ କରି କଅଣ ସବୁ ସମ୍ୱାଦ ଅଜସ୍ର ପରିମାଣରେ ଅଜାଡ଼ି ଚାଲିଥିଲା ।

 

‘‘ହ୍ୱାଟ୍‌ସ ଦାଟ୍‌ ! ଏନି ଟେଲିଗ୍ରାଫ୍‌ ଅଫିସ୍‌ ହିଅର୍‌ ?’’

 

ଗାଇଡ଼୍‌ର ଧ୍ୟାନ ତଥାପି ଭାଙ୍ଗି ନଥିଲା । ସେ ତାର ସମ୍ୱାଦ ସେହିପରି ଅଜାଡ଼ି ଚାଲିଥିଲା—

 

‘‘ଓରିଆ ମ୍ୟୁଜିକ୍‌ ! ଭେରି ସୁଇଟ୍‌ ସାର ! ଏ ବେଗର୍‌ ସିଙ୍ଗିଙ୍ଗ୍‌ ଜଗନ୍ନାଥ ଭଜନ । ଦ୍ୟାଟ୍‌ ମ୍ୟୁଜିକ୍‌—ହିଜ୍‌ ରାମତାଳି ସାର !’’

 

ବିଦେଶୀ ପର୍ଯ୍ୟଟକ ସେତେବେଳକୁ ହାତୀଗୁମ୍ଫାରୁ ବ୍ୟାଘ୍ରଗୁମ୍ଫା ଅଭିମୁଖେ ଆରମ୍ଭ କରିଥିଲେ ତାଙ୍କ ଯାତ୍ରା । ଅବିଳମ୍ୱେ ସର୍ପଗୁମ୍ଫା ଅତିକ୍ରମ କରି ପର୍ଯ୍ୟଟକ ତାଙ୍କର ସ୍ୱାଭାବିକ ହୃଷ୍ଟ ଚାଲିରେ ଗାଇଡ଼କୁ ଯଥେଷ୍ଟ ପଛରେ ପକେଇ ଦେଇ ପାହାଡ଼ର ଶୀର୍ଷରେ ପହଞ୍ଚି ଯାଇଥିଲେ ଓ ସେଠୁ ଚତୁଃପାର୍ଶ୍ୱର ସେଇ ଦିଗନ୍ତ ବିସ୍ତାରୀ ମୁକ୍ତ ଅଞ୍ଚଳକୁ ଚଳୁକଲା ପରି କେତେବାର ଆଚମନ କରିସାରି ଆଗେଇଯାଇଥିଲେ ।

 

ରାଣୀ ଗୁମ୍ଫାର ସେଇ ମନୋରମ ପ୍ରାଙ୍ଗଣରେ ବେଶ୍‌ ଯାତ୍ରୀଭିଡ଼ ଜମିଥାଏ ସେତେବେଳେ । ସେମାନେ ସମସ୍ତେ ଭାରତୀୟ । ଅଧିକାଂଶ ରାଜ୍ୟ ବାହାରର । ଗାଇଡ଼ମାନେ ବୁଝେଇ ଚାଲିଥାନ୍ତି ଯେଝା ଯେଝା ଭାଷାରେ—

 

‘‘ଏ ରାଣୀ ଗୁମ୍ଫା । ଏଠି ମହାରାଜା ଖାରବେଳଙ୍କ ମହାରାଣୀ ତପସ୍ୟା କରୁଥିଲେ । ଏ ପଟେ ରାଣୀ ତପସ୍ୟା କରୁଥିଲେ, ଆରପଟେ ରଜା ତପସ୍ୟା କରୁଥିଲେ । ଖାରବେଳ ଜୈନ ଥିଲେ କି ନା ! କଠୋର ତପସ୍ୟା କରି ରାଜାରାଣୀ ଦେହ ତ୍ୟାଗ କରିଥିଲେ । ହଁ, ଅବଶ୍ୟ ଏ ଗୋଟାଏ ଥିଓରି, ଆଉ ଗୋଟାଏ ଥିଓରି ଏବେ ବାହାରିଚି ଏଇ ଅଳ୍ପଦନି ହବ । ଏଠାକାର ଜଣେ ଓଡ଼ିଆ ନାଟ୍ୟ ଗବେଷକ କହୁଛନ୍ତି—ଏ ରାଣୀଗୁମ୍ଫା, ଗୁମ୍ଫାଫୁମ୍ଫା କିଛି ନୁହ ପ୍ରକୃତରେ । ଗୋଟାଏ ଦ୍ୱିତଳ ଷ୍ଟେଜ ଜାଣ ଏ । ଏଠି ଦିହଜାର ବର୍ଷ ତଳେ ନାଟକ ହଉଥିଲା—ନାଟକ । ଡବଲ ଟାଇଆର୍‌ ଷ୍ଟେଜ ସେ କାଳର ଏ । ଭାରି ଆଡ଼ଭାନସ ଥିଲା ଏ ଜାତି । ଦେଖୁନାହାନ୍ତି—ଦିହଜାର ବର୍ଷ ତଳେ କି ଆଧୁନିକ ଜିନିଷ ଚିନ୍ତା କରିଥିଲେ ସେମାନେ । ଦିନ୍‌ ନାଟକ ଚାଲିଥିଲା ଏଠି ସେତେବେଳେ । ଦର୍ଶକମାନେ ଏଇଠି ବସୁଥିଲେ—ହେଇଟି ଏଇଠି ! ଆଉ ହେଇ ସେଠି ଚାଲିଥାଏ ନାଟକ । ଆପଣ ଆଶ୍ଚର୍ଯ୍ୟ ହେବେ—ଭରତ ମୁନି ଯେ ଆମ ଭାରତୀୟ ନାଟ୍ୟ ପରମ୍ପରାର ବାପ, ତାଙ୍କ ଶାସ୍ତ୍ରରେ ଯାହା ମାପ ଦିଆ ହେଇଚି ଷ୍ଟେଜ୍‌ର, ବରାବର ସେଇ ମାପରେ ତିଆରି ଏ ଷ୍ଟେଜ୍‌ । ଓଡ଼ିଆମାନେ ଭାରି ବିଳାସୀ ଜାତି ଆଜ୍ଞା । ଦେଖୁନାହାନ୍ତି କ’ଣ କରିଚନ୍ତି ଏଠି–ଏ ପାହାଡ଼ ଗୋଟାକ ଯାକ । ଗୋଟାଏ ବିରାଟ ପ୍ୟାଲେସ୍‌ ବୁଝିଲେ ହୁଏ ।

 

ସେତେବେଳକୁ ବିଦେଶୀ ପର୍ଯ୍ୟଟକ ତାଙ୍କ ଗାଇଡ଼୍‌ଠାରୁ ରାଣୀଗୁମ୍ଫାର ସେଇ ବିଚିତ୍ର ସୌନ୍ଦର୍ଯ୍ୟର ତାତ୍ପର୍ଯ୍ୟ ସହ ନୂଆ-ପୁରୁଣା ତତ୍ତ୍ୱଗୁଡ଼ିକୁ ବୁଝି ନେଇ ସାରିଥାନ୍ତି ଓ ସ୍ୱାଭାବିକ ତରବରିଆ ଚାଲିରେ ପୁଣି ଥରେ ଗାଇଡ଼୍‌କୁ ପଛରେ ପକେଇ ଦେଇ ଆଗେଇ ଚାଲିଥାନ୍ତି ସେ ।

 

ମୋଟେ ପାଞ୍ଚ ଛ ବର୍ଷର ପିଲାଟି ଚା’ ଦୋକାନରେ ଚାକିରି କରିଥିବା ଯୋଗୁ ହେଉ ବା ତାର ଜନ୍ମଗତ ଗୁଣରୁ ହେଉ, ବେ୍‌ଶ ଫୁର୍ତ୍ତି ଆଉ ଭାରି ଖୁରୁସୁଣିଆ ଦେଖାଯାଉଥାଏ । ତାର ଛାମୁ ଦାନ୍ତ ଦୁଇଟା ସେଇ ସଦ୍ୟ ପଡ଼ିଥିବା ହେତୁ ତା ମୁହଁ ଆହୁରି ସୁନ୍ଦରିଆ ଦିଶୁଥାଏ ମଧ୍ୟ । ବୋଧହୁଏ ସେଇ କାରଣରୁ ଚାଦୋକାନରେ ଭିଡ଼ ଭିତରେ ସେ ପିଲା ଉପରେ ଚପଟ ପଡ଼ୁଥାଏ ବହୁତ ।

 

‘‘ଆରେ, ଗୋପୀ ! କିରେ ଦେଲୁ ସେଠି ଚା—‘‘ମାଲିକ ବରାବର ପାଟି ଗୋଟାଏ ଗୋଟାଏ କରୁଥାଏ ଦୋକାନ ଭିତରୁ, ଆଉ ସେ ପାଟି ଶୁଣିଲା ମାତ୍ରେ ଗୋପୀର ଫୁର୍ତ୍ତି ବଢ଼ିଯାଉଥାଏ କେଇଗୁଣ ।

 

କିନ୍ତୁ, ଗରାଖମାନଙ୍କ ବଦ୍‌ଗୁଣ ! ଗୋପୀର ଆଁ ମେଲେଇ ଜଣେ ପରଦେଶୀ ଭଦ୍ର ମହିଳା ତାର ଭଙ୍ଗାଦାନ୍ତକୁ ପର୍ଯ୍ୟବେକ୍ଷଣ କରୁଥାନ୍ତି ବହୁତ ବେଳୁ । ତାପରେ କଅଣ ଭାବି ପିଲାଟିକୁ ପଚାରୁଥାନ୍ତି କେତେ ଅବାନ୍ତର ପ୍ରଶ୍ନ—ଘର ଏଇଠି ? ବାପ ମା ଅଛନ୍ତି ଏଠି ? ତେବେ ରହୁଚୁ କୋଉଠି ? ଏ ଦୋକାନୀ କ’ଣ ତୋର ବନ୍ଧୁବାନ୍ଧବ ? ଆଚ୍ଛା, ଚାକିରିରେ ଅଛୁ ? ଦରମା ? ହୁଁ ?

 

ଗୋପୀ ପାଇଁ ସେ ପ୍ରଶ୍ନଗୁଡ଼ାକ କିଛି ନୂଆ ନୁହେଁ । ଗଲା ଛ’ମାସ ଧରି ଏମିତି କେତେ ପ୍ରଶ୍ନର ଉତ୍ତର ଗଡ଼ ଗଡ଼ ହେଇ ଦେଇ ଶିଖିଲାଣି ସେ—ଘର ଏଠୁ ପଚିଶ ମାଇଲ । ହଁ, ବାପ ଅଛି; ମା ଅଛି, ଭାଇ ଭଉଣୀ ଅଛନ୍ତି । ମାସକେ ଥରେ ଯାଏ ଘରକୁ । ବସ୍‌ରେ ବସିକରି ଯାଏ । ଏଇଠୁ ବସ୍‌ ଧରେ । ନାଇଁମ—ଏ ଦୋକାନୀ ମୋର ବନ୍ଧୁ ବାନ୍ଧବ ନୁହନ୍ତି । ଭଲଲୋକ । ତାଙ୍କୁ ଭାଇ ବୋଲି ଡାକେ । ତେବେ ଆମେ ତ ଚାକିରିଆ ଲୋକ ଆଜ୍ଞା । କେତେବେଳେ କୋଉ ଭୁଲ୍‌ ହେଲେ ମାଡ଼ ଗୋଟାଏ ଅଧେ ବାଜିଯାଏ ପିଠିରେ । କାନ୍ଦେନାଇଁ ଜମାରୁ । କାନ୍ଦିବି କାଇଁକି ମ ? କାନ୍ଦିଲେ କ’ଣ ଦରମା ମିଳିବ କି ? ନାଇଁ, କନ୍ଦାକଟା ନାଇଁ । ମୁଁ କ’ଣ ପିଲା କି ? ବସ୍‌ରେ ବସିଲେ ତ ଏଇ ଘଣ୍ଟାକେ ଯାଇ ଘରେ !

 

ଭଦ୍ରମହିଳା ପିଲାଟିର ଗଡ଼ ଗଡ଼ କଥା କେତେ ବା ବୁଝୁଥାନ୍ତି ତାଙ୍କୁ ଜଣା । କିନ୍ତୁ ପିଲାଟି ପ୍ରତି ତାଙ୍କର ଆଗ୍ରହ ଆହୁରି ବଢ଼ିଯାଇଥାଏ ନିଶ୍ଚେ ଇତି ମଧ୍ୟରେ । ସାଙ୍ଗ ସାଥିରେ ଆସିଥିବା ଅନ୍ୟାନ୍ୟ ପରଦେଶୀ ପର୍ଯ୍ୟଟକଙ୍କୁ ଗୋପୀ ସାଥିରେ ପରିଚୟ କରିଦେବା ଉଦ୍ଦେଶ୍ୟରେ ସେ ତାକୁ ପ୍ରାୟ କୋଳେଇ ନେଇ ସାରିଥାନ୍ତି । ପିଠିରେ ହାତ ବୁଲେଇ ଆଣି ଆଖି ଛଳ ଛଳ କରି ବାରମ୍ୱାର ସେ ସେଇ ପ୍ରଶ୍ନଗୁଡ଼ାକ ତାକୁ ପୁଣି ପୁଣି ପଚାରୁଥାନ୍ତି—

 

‘‘ବାପ ମା ଅଛନ୍ତି ? ଘର ଏଠୁ ପଚିଶ ମାଇଲ ? ଏକା ଚାଲିଯାଉଚୁ ବସ୍‌ରେ ? ଦେଖେଇଁ ତୋ ଆଁ ! ଏ ଦାନ୍ତ ଯୋଡ଼ାକ ତୋର ପଡ଼ିଲା କେବେ କିରେ ବାବୁ ଗୋପୀ ? ହଁ, ତୁ ତେବେ ଚାକିରି କରୁଚୁ ପରେ ଏଠି ! ଓହୋ, ରାତିରେ କୋଉଠି ଶୋଉଚୁରେ ବାବା ! ତୋର ମା କୋଳ ମନେ ପଡ଼େ ନାଇଁକିରେ ଧନମଣି ? ହାୟରେ—ମଣିଷ, ଏଇଦିନୁ ତୁ ଏ ରୂପ ଧଇଲୁ । କୋଉ ମା ବାପ ସେ ଯାହାଙ୍କ ଛାତି ଫାଟି ଯାଉନାଇଁ ରାତିରେ—ଏ ଭଳି ପିଲାକୁ ଛାତି ପାଖରୁ ଛାଡ଼ିଦେଲେ ଏଠିକି । ଏ ନିର୍ଜନ ଅପନ୍ତରା ଇତିହାସର ବିଜେସ୍ଥଳୀ—ଏଠି ରାତିରେ ଏବେ ବି ବ୍ୟାଘ୍ର ଗର୍ଜ୍ଜନ କରେ ବୋଲି କହୁ ନଥିଲା ସେ ଗାଇଡ଼୍ ?’’

 

‘‘ରାତିରେ ? ରାତିରେ ଏଠି କିଛି ବିପଦ ନାଇଁମ । ଦେଖୁନ ଚାରିଆଡ଼କୁ-’’ ସର୍ଭିସ ମଝିରେ ଏଣେତେଣେ ଚା କପ୍‌ ଧରି ଧାଁଧପଡ଼ କରୁକରୁ ଗୋପୀ ଆଉଜି ପଡ଼ୁଥାଏ ଟିକିଏ ଟିକିଏ ପରଦେଶୀ ଭଦ୍ରମହିଳାଙ୍କ ଉପରକୁ, ଆଉ ବୁଝେଇ ଦଉଥାଏ ମଧ୍ୟ-‘‘ବିପଦ କଣ ? ଏ ପରା ଠାକୁରଙ୍କ ଜାଗା । ମୁନି ଋଷିମାନେ ପୂଜା କରୁଥିଲେ ଆଗେ । ହିଂସା ନାହିଁ ଏଠି । ହିଂସା କୋଉଠୁ ଆସିବ ? ଠାକୁରଙ୍କ ଜାଗା ଏ । ମତେ ରାତିରେ ଡର ମାଡ଼େ ନାଇଁ । ବାଘ ଫାଘ କିଛି ଏଠି ନାଇଁମ—ମିଛ । ତମକୁ ଡରେଇବାକୁ ସେମିତି କହୁଚନ୍ତି ନା ! ତେବେ ମିରିଗ ଅଛନ୍ତି, ମୟୂର ଅଛନ୍ତି । ରାତିରେ ବାହାରନ୍ତି । ଜହ୍ନ ରାତିରେ ଭାରି ମଜା କରନ୍ତି ନା ।’’

 

ଗୋପୀର ଏଇ ଗୁଡ଼ୁରୁ ଗୁଡ଼ୁରୁ ଗପସପ ଆଉ ତା ଖୁରୁସୁଣିଆ ଚେହେରା ଯୋଗୁ ଦର୍ଶକମାନେ ବେଶ୍‌ ଉପଭୋଗ କରୁଥାନ୍ତି ସେମାନଙ୍କର ଚା’ ଜଳଖିଆ । କିନ୍ତୁ ଯୋଉ ପରଦେଶୀ ମହିଳାଟି ଗୋପୀ ସମ୍ପର୍କରେ ମୂଳରୁ ଆଗ୍ରହୀ ହୋଇଉଠିଥାନ୍ତି ତାଙ୍କ ଆଖିରେ ଜକେଇ ଆସିଥିବା ଲୁହ ଶୁଖି ନଥାଏ ସେଯାକେ । ଗୋପୀର ପ୍ରତ୍ୟେକଟି କଥା, ଚାଲି ଆଉ ହସ ଭିତରୁ କି ଦୁଃଖର ଆଭାସ ଦେଖୁଥାନ୍ତି ସେ କେଜାଣି, ତାଙ୍କ ଆଖି କଣରେ ଜକେଇ ଯାଇଥିବା ଲୁହ ଗଡ଼ିପଡ଼ୁଥାଏ ମଧ୍ୟ ଲମ୍ୱା ଧାର ଯୋଡ଼ିଏ ହେଇ ନାକ ଭିତରେ ଭିତରେ ।

 

‘‘ଗୋପୀ ! ବାପାଟା ପରା, ମୋ ଧନ ପରା—ରାତିରେ ଏଣେ ତେଣେ ବାହାରିବୁ ନାଇଁଟି । ଏ ଜାଗା କେଡ଼େ ବିଷମ ଦେଖୁଚୁଟି । ଦେଖିଲୁ ସେ ଗୁଂଫାଗୁଡ଼ାକୁ—ପାକୁଆ ବୁଢ଼ାଙ୍କ ଭଳି କେମିତି ଚାହିଁଚନ୍ତି ଆଁ କରି ତଳଆଡ଼େ ! ଭାରି ଶୋଷିଲା ଭୋକିଲା । ତନ୍ତ୍ର ମନ୍ତ୍ର ଜଡ଼ିବୁଟି ସବୁ ଜଣା ସେଗୁଡ଼ାଙ୍କୁ । ସେ ଗୁମ୍ଫାଫୁମ୍ଫା ଭିତରକୁ ଯିବୁ ନାଇଁଟି କେବେ ରାତିରେ କାହା ସାଙ୍ଗରେ-! ଏଠି କୋଉଠି ଶୋଉଚୁରେ ଧନ କାହା ପାଖରେ ରାତିରେ ।’’

 

ଗୋପୀ ତାର ଭଙ୍ଗା ଦାନ୍ତ ଭିତରୁ ହସୁଥାଏ କିରିକିରି ବିନା କାରଣରେ । ଝପଟି ଯାଉଥାଏ ଖାଲି ଅଇଁଠା ଚା’ଗିଲାସଗୁଡ଼ାକୁ ଉଠେଇ ନେଇ ଦୋକାନ ଭିତରକୁ । ଝପଟି ଆସୁଥାଏ ବହେ ବହେ ତାତିଲା ତାତିଲା ଚାଭର୍ତ୍ତି ଗିଲାସ ଏକା ସାଙ୍ଗେ ଦି ହାତରେ ଧରି ଗରାଖ—ଦର୍ଶକମାନଙ୍କ ଭିଡ଼ ଭିତରକୁ । ତାରି ମଝିରେ ପୁଣି ଟିକିଏ ଲାଗି ଆସୁଥାଏ ସେ ତାର ହିତାକାଂକ୍ଷିଣୀ ସ୍ତ୍ରୀଲୋକଟି ଆଡ଼କୁ, ଆଉ ସତେ କି ତାକୁ କଅଣ କହିଲେ ସେ ଡରିଯିବ ଆଉ ତା ଆଖିରୁ ବେଶି ବେଶି ଲୁହ ଝରି ପଡ଼ିବ ଏତକ ବୁଝିନେଇ ସାରିଥାଏ ଗୋପୀ ସେତେବେଳକୁ ।

 

‘‘ରାତିରେ ? କୋଉଠି ଶୁଏ ମୁଁ ପଚାରୁଚଟି !’’ କିର କିର୍‌ ହେଇ ହସି ପକେଇ ଗୋପୀ ଆସ୍ତେକିନା ସ୍ତ୍ରୀଲୋକଟିର କାନ ପାଖରେ ମୁହଁ ଗୁଞ୍ଜି କହି ଦଉଥାଏ, ‘‘ମୁଁ ପରା ଶୁଏ ସେଇ ଗୁମ୍ଫା ଭିତରେ । ହେଇ ଦେଖୁନ ସେଠି—ହାତୀଗୁଂଫା, ତା ପାଖକୁ ବାଘ ଗୁଂଫା, ତା ପାଖକୁ କଅଣ କହିଲ ? ସାପ ଗୁଂଫା ପରା ! ସେ ଚଉତରା ଦେଖୁଚଟି ହେଇ ସେଠି ? ହାତୀ ଗୁଂଫା ଆଗରେ ଯୋଉ ଗଛମ—ହେଇ ସେ ଉପରେ । ଓଃ ଭାରି ପବନ ବି ସେଠି ଖରାଦିନେ । ସେଇଠି ଶୁଏ । ମନହେଲେ ଗୁଂଫାରେ ବି ଶୁଏ । ଡର ମାଡ଼େ ନାଇଁ ମତେ ।’’

 

‘‘ଏଁ ? ଗୁମ୍ଫାରେ ଶୋଉଚୁ—ତୁ ବୋଲି ବକଟେନାକୁ ପିଲା ?’’ —ଦର୍ଶକ ପର୍ଯ୍ୟଟକମାନଙ୍କ ଭିତରୁ କେହି କେହି ଉପରେ ପଡ଼ି ଗୋପୀର ବାହାଦୁରୀ କଥାକୁ କାନ ଦଉଦଉ ଅଧେ ଆଶ୍ଚର୍ଯ୍ୟରେ ଅଧେ ଅବିଶ୍ୱାସ ମିଶା ବିରକ୍ତିରେ କହି ଦିଅନ୍ତି ସେତେବେଳେ ‘‘ଗାଲୁଆ ମିଛୁଆଟାଏ କିରେ ! ଏଇଦିନୁ ମିଛ କହିଲୁଣି—ନା ? ଗୁମ୍ଫାରେ ଶୋଉଚୁ ତୁ ରାତିରେ—ଏଁ ? ପଚାରିବି ଏଇଲେ ତୋ ମାଲିକକୁ—ସତ କହୁଚୁ କି ମିଛ କହୁଚୁ ଦେଖିବା ଏଇଲେ ?’’

 

‘‘ପଚାରୁନ ।’’ —ଗୋପୀର ହସ ହସ ମୁହଁ ଆହୁରି ଉଜ୍ଜ୍ୱଳ ହୋଇ ଉଠେ ସେତେବେଳେ, ‘‘ପଚାରୁନ । ସତ ତ । ରାତିରେ ମୁଁ ସେଇଠି ଯାଇ ଶୁଏ । ଏକା । ମତେ ଡରଫର କିଛି ନାଇଁ । ଆମେ ଓଡ଼ିଆ ଲୋକ—ଜାଣିଚ ନା ? ଆମେ କାହାକୁ ଡରୁନାଇଁ । ତମକୁ ଏକଥା କହି ନାହାନ୍ତି କେହି ଏଯାକେ ? ଖାରବେଳ ରଜା ଆମର କେମିତି ସାହସୀ ରଜା ଥିଲେ ଜାଣିଚ ନା ? ହାତୀ ଘୋଡ଼ାଙ୍କୁ ନେଇ ପାଣି ପିଓଉଥିଲେ—ତେଣେ ଗୋଟିଏ ନଈ ଅଛି, ତା ନା ଗଙ୍ଗା ନଦୀ—ଜାଣିଚନା—ହଁ ସେଠେଇଁ ପାଣି ପିଏଇ ଦେଇଥିଲେ ସମସ୍ତଙ୍କୁ ସେ ।’’

 

ଗୋପୀର ପ୍ରଗଳ୍‌ଭତା ବଢ଼ିଉଠୁଥାଏ । କିନ୍ତୁ ଆଶ୍ଚର୍ଯ୍ୟର କଥା ତାର ସେ ପ୍ରଗଳ୍‌ଭତା ଯେତିକି ଯେତିକି ବଢ଼ୁଥାଏ ଦର୍ଶକ ଗରାଖମାନଙ୍କର ମୁହଁ ସେତିକି ସେତିକି ଶୁଖି ଶୁଖି ଆସୁଥାଏ । ଏପରିକି ସେଇ ଭଦ୍ରମହିଳାଙ୍କ ଓଦା ଆଖି ମଧ୍ୟ ଯଥେଷ୍ଟ ଶୁଖି ଶୁଖି ଆସୁଥାଏ ସେତେବେଳେ । ଶେଷରେ ସେ ଦଳକ ଗରାଖ-ଦର୍ଶକ ଦୋକାନରୁ ଉଠିଲେ ଆଉ ଅଦୂରରେ ଅପେକ୍ଷା କରିଥିବା ଯାତ୍ରୀବାହୀ ବସ୍‌ ଆଡ଼କୁ ବାହାରିଗଲେ ।

 

ଏତେବେଳ ପର୍ଯ୍ୟନ୍ତ ଟିକିଏ ଦୂରଛଡ଼ା ହେଇ ଠିଆ ହେଇଥାନ୍ତି ବିଦେଶୀ ପର୍ଯ୍ୟଟକ ଜଣକ—ଦୋକାନ ଆଢ଼ୁଆଳରେ । ହାତରେ ଥଣ୍ଡା କୋକାକୋଲା ବୋତଲଟିଏ ଧରି ଅନଉଥାନ୍ତି ସେ ଚତୁର୍ଦ୍ଦିଗକୁ କୋଉ ଆଖିରେ କିଏ ଜାଣେ । ତାଙ୍କ ପାଖରେ କୋକାକୋଲା ବୋତଲଟିଏ ଧରି ଠିଆହୋଇଥାଏ ମଧ୍ୟ ଗାଇଡ଼ ନିଜେ ଓ ଇଂରେଜୀରେ ତର୍ଜମା କରି ବୁଝେଇ ଚାଲିଥାଏ କ’ଣ ସବୁ ଗଡ଼ଗଡ଼ ହେଇ କିଏ ଜାଣେ !

 

‘‘ଦ୍ୟାଟ୍‌ ଅର୍ଚ୍ଚିନ୍‌ । ଆଇ ଲାଇକ୍‌ ହିମ୍‌ ଭେରି ମଚ୍‌—ଡୋଣ୍ଟ୍‌ ନୋ ହ୍ୱାଇ !’’ କୋକାକୋଲାର ଷ୍ଟ୍ର ତଳୁ ଗୋଟିଏ ଲମ୍ୱା ଢୋକ ଥଣ୍ଡା ପାନୀୟ ଶୋଷି ନଉନଉ ବିଦେଶୀଙ୍କ ଆଖି ଚତୁର୍ଦ୍ଦିଗରୁ ଘୁରିଆସି ପୁଣି ଲାଖିଯାଉଥାଏ ସେଇଠି—ସେଇ ଚା’ ଦୋକାନ ଟୋକା ଗୋପୀ ଉପରେ ।

 

‘‘ଓ୍ୱାଣ୍ଟ୍‌ ଟୁ ଆଡ଼ପଟ୍‌ ? ଆଇ କ୍ୟାନ୍‌ ଆରେଞ୍ଜ୍‌ ଇନ୍‌ ଦ୍ୟାଟ୍‌ କେସ୍‌ ।’’ ଗାଇଡ଼୍‌ର କୋକାକୋଲା ବୋତଲଟି ସେତେବେଳକୁ ଶୁଖି ଶୁଖି ଆସୁଥାଏ ।

 

‘‘ଆରେଞ୍ଜ ହ୍ୱାଟ୍‌ ?’’ ଆଶ୍ଚର୍ଯ୍ୟ ହେଇ ବିଦେଶୀ ପରିବ୍ରାଜକଙ୍କ ଆଖି ବୁଲିଗଲା ଗାଇଡ଼୍‌ର ଲମ୍ୱା ପାତିଆ ମୁହଁଟା ଆଡ଼କୁ ହଠାତ୍ ।

 

‘‘ଫରେନରସ୍‌ ଆଡ଼ପଟ୍‌ ଲଟ୍‌ ଅଫ୍‌ ଓରିଆ ଅରଫାନ୍‌ସ୍‌ ନାଓ ଏ ଡେଜ୍‌ ସାର୍ । ଇଟ୍‌ସ ପସିବଲ୍‌ ! କ୍ୱାଇଟ୍‌ ପସିବଲ୍‌ ! ଲେଟ୍‌ ମି ସି ଦେନ୍‌ ।’’

 

ଗୋପୀର ମାଲିକ ଦୋକାନୀଟି ସେତେବେଳକୁ ଦୋକାନ ବାହାରକୁ ଆସି ନୂଆ ଗରାଖଙ୍କ ବାଟକୁ ଅନିସା କରୁଥାଏ । ଗାଇଡ଼୍‌ ହାତ ଠାରି ତାକୁ ଡାକି ସାରିଥାଏ ପାଖକୁ ।

 

‘‘ନୋ-ଡୋଣ୍ଟ୍‌ ଡୋଣ୍ଟ୍‌......’’ ତରବର ହେଇ କୋକାକୋଲାର ଅଧାପିଆ ବୋତଲଟାକୁ କେଉଁଠି ରଖିବ ନ ଜାଣି ପାରି ବିଦେଶୀ ପରିବ୍ରାଜକ ଏଣିକି ତେଣିକି ଚାହୁଁ ଚାହୁଁ କହିଲେ, ‘‘ଇଟସ୍‌ ଟେରିବଲ୍‌ ! ଉଇ ମଷ୍ଟ ଗୋ ।’’

 

ଡେଙ୍ଗା ଗୋରା ବଦ୍‌ରାଗୀ ଆଉ ଅନ୍ୟମନସ୍କ ଲୋକଟାର ପଛେ ପଛେ ଗାଡ଼ି ପର୍ଯ୍ୟନ୍ତ ଗୋଡ଼େଇ ଯାଉ ଯାଉ ଗାଇଡ଼୍‌ର ମୁଣ୍ଡରେ କେତେ କ’ଣ ଦୁଶ୍ଚିନ୍ତା ପଶି ସାରିଥିଲା ସେତେବେଳେ କିଏ ଜାଣେ !

 

ଗାଡ଼ି ଭିତରେ ବସିଗଲା ପରେ ଟିକିଏ ସାହସ ଆସିଯିବାରୁ ଗାଇଡ଼୍‌ର ପାଟିରୁ ବାହାରିଲା କଥା ପଦେ—

 

‘‘ଏକ୍‌ସକ୍ୟୁଜ୍‌ ମି-ଆଇ ଥଟ୍‌…...’’

 

‘‘ନୋବଡ଼ି ଥିଙ୍କସ ଏନିଥିଙ୍ଗ ହିଅର୍‌ ମିଷ୍ଟର ଗାଇଡ଼୍‌ !’’ ବଦ୍‌ରାଗୀ ବିଦେଶୀ ପରିବ୍ରାଜକଟି ଆଉ ଚୁପ୍‌ ରହି ପାରିବ ନାହିଁ ଜାଣି କହିଲା—‘‘ଆଇ ହାଭ ଫିନିସଡ଼ ମାଇଁ ଟୁର୍‌ ଅଫ୍‌ ଇଣ୍ଡିଆ—ଏ ପ୍ରେଟି ମଡ଼ର୍ଣ୍ଣ ଆନସିଏଣ୍ଟ କଣ୍ଟ୍ରି ହୋୟାର୍‌ କେଭସ ଗ୍ରୋ ଇନ ଦି ମାଉଥସ୍‌ ଅଫ୍‌ ପ୍ରେଟି ମଡ଼ର୍ଣ୍ଣ ଚିଲଡ଼୍ରେନ !’’

 

ପରିବ୍ରାଜକର ଗାଡ଼ି ଭିତରୁ ଗାଇଡ଼୍‌ର ଆଖିରେ ଖଣ୍ଡଗିରିର ଗୁମ୍ଫାଗୁଡ଼ିକ ତଥାପି ନାଚୁଥାଏ ଗୁଡ଼ିଏ ପାକୁଆ ମୁହଁର ପାନଚୋବା ପାଟିପରି । ତାରି ଭିତରୁ ପାଞ୍ଚ ବର୍ଷର ପିଲା ଗୋପୀର ଦାନ୍ତଭଙ୍ଗା ପାଟିର ଗୁମ୍ଫା ଆଁ କରି ଦେଖୁଥାଏ ସେମାନଙ୍କୁ ।

 

କେହି ଜଣେ ପରଦେଶୀ ପର୍ଯ୍ୟଟକ ବଡ଼ ପାଟିରେ ପଚାରୁଥାଏ—‘‘ହେ ! କୋକାକୋଲା କମ୍ପାନୀ ସତେ ଉଠିଯିବ ଇଣ୍ଡିଆରୁ ?’’ ଗୋପୀ ହସୁଥାଏ । ମହାରାଜ ଐର ମହାମେଘବାହନ ଖାରବେଳଙ୍କ ପିଲାଦିନର ହସଟିଏ ପରି ବୀରତ୍ୱପୂର୍ଣ୍ଣ ହସଟିଏ ହୁଏତ ସେ ।

Image

 

Unknown

ଆଧୁନିକ ରାକ୍ଷସ

 

ସହରର ଶିଶୁଉଦ୍ୟାନରେ ସେଦିନ ସନ୍ଧ୍ୟାରେ ପିଲାମାନଙ୍କର ବିକଳ ଆର୍ତ୍ତନାଦରୁ କେବଳ ଏତିକି ବୁଝିସମଝି ହେଉଥିଲା—‘‘ମନିକୁ ରାକ୍ଷସ ଗିଳିଦେଲା—’’

 

ପିଲାମାନଙ୍କର ଚିତ୍କାରରେ ଆଖପାଖ ଘରୁ, ସରକାରୀ କ୍ୱାଟର୍ସରୁ ଲୋକେ ବାହାରି ଆସିଲେ । ସରକାରୀ ଅଫିସ ଫେରନ୍ତା ପଂଝାପଂଝା କିରାଣୀ, ପିଅନ, ଦୁଇଚାରିଜଣ ଛୋଟ ମଝିଲା ଓ ଅତି ବଡ଼ ଅଫିସର ଏବଂ ଅସଂଖ୍ୟ ପଥଚାରୀ ମଧ୍ୟ ଆକୃଷ୍ଟ ହୋଇ ଧାଇଁଆସିଲେ । ଅଳ୍ପ ସମୟ ପାଇଁ ସ୍ଥାନଟା ଲୋକାରଣ୍ୟ ହୋଇ ଅବଶେଷରେ ସବୁ ଶୂନ୍‌ଶାନ୍‌ ପଡ଼ିଯିବା ବ୍ୟତୀତ ଆଉ କ’ଣ ବା ଆଶା କରାଯାଇଥାନ୍ତା ସେପରି ବାଳଖିଳ୍ୟ ଉପାଖ୍ୟାନରୁ । ଲୋକେ ହସିଲେ । କେହି କେହି ବିରକ୍ତ ହୋଇ ପିଲାଙ୍କୁ ଗାଳିଦେଲେ ଓ ଆକଟ କରି କହିଲେ—.

‘‘ହେ ଚଗଲାଗୁଡ଼ାକ ହ୍ୟାପ୍‌ । ଆଉ କିଛି ଖେଳ ଖେଳିବାକୁ ନାହିଁ ତମର । ବାଳୁଙ୍ଗା ବଦ୍‌ମାସ କୋଉଠିକାର । ରଡ଼ି ପକେଇଚ କ’ଣ ନା ମନିକୁ ରାକ୍ଷସ ଗିଳିଦେଲା । ହଇରେ, ଆଜିକାଲି ରାକ୍ଷସ ଅଛନ୍ତି ଆଉ ? ଦିନ ଦିପହରେ ହୁରି ପକେଇଚନ୍ତି ହ୍ୟାପେ—ଗିଳିପକେଇଲା, ଗିଳିପକେଇଲା !’’

 

ସେତେବେଳକୁ ଅବଶ୍ୟ ଦିନ ଦିପହର ନୁହେଁ—ପ୍ରକୃତରେ ମୁହଁସଞ୍ଜ ହୋଇଯାଇ ସାରିଥିଲା । ସହରର ରାସ୍ତାକଡ଼ ବିଜୁଳିବତିଗୁଡ଼ିକରେ ସେଇମାତ୍ର ଆଲୁଅ ଜଳି ଉଠୁଥିଲା । ପିଲାମାନେ ଶିଶୁଉଦ୍ୟାନ ଛାଡ଼ି ବାହାରେ ଜମିଥାନ୍ତି ଓ ଲୋକଙ୍କ ହସ ଆଉ ଗାଳିମନ୍ଦ ଶୁଣି ମଧ୍ୟ ଚୁପ୍‌ ପଡ଼ିପାରୁ ନ ଥାନ୍ତି । ସେମାନଙ୍କ ମୁହଁଗୁଡ଼ାକ ଦିଶୁଥାଏ କଳାକାଠ । ସେମାନଙ୍କ ଆଖିଗୁଡ଼ାକ ଏତେ ଡିମାଡ଼ିମା ଆଉ ଗୋଲ ଗୋଲ ଆକୃତି ଧରି ନେଇଥାଏ ଯେ ପଂଝାଏ ଜଗନ୍ନାଥ ମୂର୍ତ୍ତି ଶିଶୁଉଦ୍ୟାନକୁ ଅନେଇ, ହେଇ ହେଇ—ଗଲା ଗଲା—ଖାଇଲା ଖାଇଲା—ଗିଳିଲା ଗିଳିଲା’ କହୁଥିବାବେଳେ ଦୃଶ୍ୟଟା ଯେମିତି ଭୟଙ୍କର ଅଥଚ ହାସ୍ୟକର ଦିଶନ୍ତା, ପ୍ରାୟ ସେଇ ଅବସ୍ଥା ।

 

ଏ ଘଟଣା ଉତ୍ତାରେ ଦିନ କେତେଟା ଶିଶୁଉଦ୍ୟାନ ଅଞ୍ଚଳ ପ୍ରାୟ ନିରୁପଦ୍ରୁବଭାବେ କଟିଯିବାର ଜଣାଯାଇଥିଲା । ତେବେ ପ୍ରତିଦିନ ସ୍କୁଲ ଛୁଟିହେବା ପରେ ପିଲାମାନେ ପୂର୍ବେ ଯେଭଳି ଶିଶୁଉଦ୍ୟାନରେ ପ୍ରବଳ କୋଳାହଳପୂର୍ବକ ଦୈନନ୍ଦିନ ଖେଳକୌତୁକରେ ମାତି ଅଞ୍ଚଳଟିକୁ ଜୀବନ୍ତ କରି ରଖୁଥିଲେ, ସେଭଳି ସ୍ୱରଶବ୍ଦ ଆଉ ଶୁଣାଗଲା ନାହିଁ । ଶିଶୁଉଦ୍ୟାନର ଦୋଳି, ସି-ସ, ସ୍ଳାଇଡ଼ ପ୍ରଭୃତି ଯାବତୀୟ ଖେଳ ଉପକରଣଗୁଡ଼ିକ ଏଣିକି ଏତେଦୂର ଅବ୍ୟବହୃତ ହୋଇପଡ଼ିଲା ଯେ ଉଦ୍ୟାନରକ୍ଷକ ବାଧ୍ୟ ହୋଇ ସେସବୁ ଉପକରଣର ସଦ୍‌ବ୍ୟବହାରାର୍ଥେ କେତେକ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ମନସ୍ଥକଲେ । କ୍ରମଶଃ ସହରର ଶିଶୁଉଦ୍ୟାନଟି ଏକ ଯୁବାଯୁବତୀ ଚିତ୍ତବିନୋଦନ କେନ୍ଦ୍ରରେ ପରିଣତ ହେବାପରି ମନେହେବାକୁ ଲାଗିଲା ।

 

କିନ୍ତୁ ଉଦ୍ୟାନରକ୍ଷକଙ୍କର ଏ ପଦକ୍ଷେପଦ୍ୱାରା ସମସ୍ୟାର କୌଣସି ସ୍ଥାୟୀ ପ୍ରତିକାର କରାଯାଇପାରିଥିଲା କି ନା ଏ ସମ୍ପର୍କରେ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ କାହାରି କାହାରି ମାନସିକ ଦ୍ୱନ୍ଦ୍ୱ ତଥାପି ହୁଏତ ନିର୍ବାପିତ ହୋଇପାରିନଥିଲା । ସମ୍ଭବତଃ ସେହି କାରଣରୁ ପ୍ରାକ୍ତନ ଶିଶୁଉଦ୍ୟାନ ଅଥବା ଅଧୁନାତନ ଯୁବ-ଯୁବତୀ ଚିତ୍ତବିନୋଦନ କେନ୍ଦ୍ରରେ ସେଦିନ ପୁଣି ଏକ ହଇଚଇ ଆରମ୍ଭ ହୋଇ ଅତ୍ୟନ୍ତ ଅସ୍ୱାଭାବିକଭାବେ ନଗରର ଆଞ୍ଚଳିକ ଶାନ୍ତି ବ୍ୟାହତ ହେଲା ।

 

‘‘ସୁଷମା—ହାୟ ହାୟ—ସୁଷମାକୁ ରାକ୍ଷସ ରେପ୍‌ କରୁଛି, ରେପ୍‌ କରୁଚି.......ଧାଇଁଆସ, ଧାଇଁଆସ….’’, ଏହିପରି ଆର୍ତ୍ତନାଦରେ ଅଞ୍ଚଳଟି ପ୍ରକମ୍ପିତ ହୋଇଉଠିଲା । ଏ ଆର୍ତ୍ତନାଦ ଶୁଣି ପୂର୍ବଥର ପରି ଆଖପାଖ ଘରୁ, ସରକାରୀ କ୍ୱାଟର୍ସରୁ ଲୋକେ ଗଦାହୋଇପଡ଼ିଲେ । ଏହା ବ୍ୟତୀତ ଅଫିସ ଫେରନ୍ତା ପଂଝା ପଂଝା କିରାଣୀ, ପିଅନ ଓ ଛୋଟ ବଡ଼ ଅଫିସର୍‌ ସମେତ ଆହୁରି ଅନେକ ଦର୍ଶକ ମଧ୍ୟ ଘେରିଗଲେ । କିଛି ସମୟ ପରେ ଏକଦଳ ପୁଲିସ ସହିତ ସ୍ୱୟଂ ଥାନାବାବୁ ମଧ୍ୟ ହାଜର ହୋଇଗଲେ ଘଟଣାସ୍ଥଳରେ ।

 

କିନ୍ତୁ ନା ସୁଷମା ନା କୌଣସି ରାକ୍ଷସ, ଦର୍ଶନ ନପାଇ ଉପସ୍ଥିତ ଦର୍ଶକ ସମେତ ପୁଲିସ ମଧ୍ୟ ସହରର ଯୁବା ଯୁବତୀଙ୍କ ଉଦ୍ଦେଶ୍ୟରେ କେଇପଦ ବୀଭତ୍ସ ଆକାଶବାଣୀ ପ୍ରୟୋଗ ବ୍ୟତୀତ କେଉଁ ପ୍ରତିକାର ବା ବିଧାନ କରିପାରିଥାନ୍ତେ ଆଉ ?

 

ତେବେ ସେ ଯାହା ହେଉନା କାହିଁକି, ସୁଷମା-ରେପ୍‌ ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ ଯେ ଏକ ସମୟସାପେକ୍ଷ ବ୍ୟାପାର ଏହା ଅନ୍ୟ କେହି ହୃଦୟଙ୍ଗମ ନକଲେ ମଧ୍ୟ, ସହରର ଯୁବକ ଯୁବତୀମାନେ ଖୁବ୍‌ ହୃଦୟଙ୍ଗମ କରିପାରିଥିଲେ ସେଦିନ । ଫଳତଃ, ଶିଶୁଉଦ୍ୟାନ ବା ଯୁବାଯୁବତୀ ଚିତ୍ତବିନୋଦନ କେନ୍ଦ୍ରଟି ଅଚିରେ ଏକ ନିର୍ଜନ ଶ୍ମଶାନବତ୍ ଦୃଶ୍ୟ ହେବାକୁ ବସିଥିଲା ପରଦିନଠାରୁ ।

 

ତଥାପି, ଇତିମଧ୍ୟରେ ଉଦ୍ୟାନରକ୍ଷକଙ୍କ ପକ୍ଷରୁ ଅନ୍ୟ ଏକ ନୂତନ ଉଦ୍ୟମ ମଧ୍ୟ ଆରମ୍ଭ କରାଯାଇଥିବା ପରି ମନେହେଉଥିଲା ।

 

ଗତ କେତେବର୍ଷ ଧରି କେତେକ ବାର୍ଦ୍ଧକ୍ୟଭତ୍ତା ଦାବିକାରୀ ସ୍ଥବିର ଓ ବୃଦ୍ଧବ୍ୟକ୍ତି ସହରର ମୁଖ୍ୟ ଶାସକଙ୍କ ସମ୍ମୁଖରେ ବାରମ୍ୱାର ଉପସ୍ଥିତ ହୋଇ ନିଜର ଦୁଃଖ ଓ ଦୂରବସ୍ଥା ଜ୍ଞାପନପୂର୍ବକ ସରକାରୀ ସାହାଯ୍ୟ ଭିକ୍ଷା କରୁଥିଲେ । ଅନ୍ୟାନ୍ୟ ଦାବିଗୁଡ଼ିକ ଭିତରେ ସେମାନେ ମୁଖ୍ୟ ଶାସକଙ୍କୁ ନଗରାଞ୍ଚଳରେ ଏକ ଖଣ୍ଡ ପ୍ରଶସ୍ତ ଭୂମି ମଧ୍ୟ ଯାଚଜ୍ଞା କରିଥିଲେ ଓ ତହିଁରେ ପାଶ୍ଚାତ୍ୟ ଢଙ୍ଗରେ ଏକ ବାର୍ଦ୍ଧକ୍ୟ ଶିବିର ନିର୍ମାଣ କରାଇବା ଲାଗି ଯଥେଷ୍ଟ ଜିଗର କରିଥିଲେ ମଧ୍ୟ-। ମୁଖ୍ୟ ଶାସକ ଗତ କେତେବର୍ଷ ଧରି ଏହି ସ୍ଥବିରମାନଙ୍କର ଥଇଥାନ ଲାଗି ଅନେକ ପ୍ରତିଶ୍ରୁତି ଦେଇଆସୁଥିଲେ ମଧ୍ୟ କୌଣସି କାରଣରୁ ନିଜର ପ୍ରତିଶ୍ରୁତି ପାଳନରେ ଅପାରଗତାର ପ୍ରମାଣ ବହନ କରୁଥିବା ସତ୍ତ୍ୱେ ସେ ଦିଗରେ କୌଣସି ପଦକ୍ଷେପ କରିପାରିନଥିଲେ ।

 

ନଗରର ଶିଶୁଉଦ୍ୟାନରେ ସୁଷମା-ରେପ୍‌ ଘଟଣା ସମ୍ୱାଦପତ୍ରରେ ପ୍ରକାଶିତ ହେବା ପରେ ପରେ ଉଦ୍ୟାନରକ୍ଷକଙ୍କ ପକ୍ଷରୁ ଆଗତ ପ୍ରସ୍ତାବଟିର ପକ୍ଷ ବହନ କରି ସେଦିନ କେତେକ ବୃଦ୍ଧବ୍ୟକ୍ତି ମୁଖ୍ୟ ଶାସକଙ୍କ ଦରବାରରେ ପହଞ୍ଚି ଯାଇଥିଲେ ଓ ମୁଖ୍ୟଶାସକ ନଗରର ସ୍ଥବିରଙ୍କ ପାଇଁ ଅନ୍ୟ କିଛି ବ୍ୟବସ୍ଥା କରିବା ସମ୍ଭବ ନହେଲେ ଅନ୍ତତଃ ରାକ୍ଷସ ପ୍ରପୀଡ଼ିତ ସ୍ଥାନଟିକୁ ବୃଦ୍ଧାବସ୍ଥା ଉପଯୋଗୀ ଏକ ବାନପ୍ରସ୍ଥାଶ୍ରମରେ ପରିଣତ କରାଯାଉ ବୋଲି ଜିଦ୍‌ ଧରି ବସିଲେ ।

 

‘‘ଆପଣମାନେ କ’ଣ ରାକ୍ଷସ ଭୟରେ ପ୍ରପୀଡ଼ିତ ନୁହନ୍ତି ?’’ ମୁଖ୍ୟ ଶାସକଙ୍କ ହସ ହସ ପ୍ରଶ୍ନଟାକୁ ବୃଦ୍ଧଲୋକେ ଅବଶ୍ୟ ପୂର୍ବରୁ ଆଶଙ୍କା କରିପାରିଥିଲେ ।

 

‘‘ରାକ୍ଷସ ?’’ ବୃଦ୍ଧମାନଙ୍କର ସମ୍ମିଳିତ ହସ ମୁଖ୍ୟଶାସକଙ୍କୁ ସେଦିନ କିଭଳି ଶୁଣାଯାଇଥିଲା କେଜାଣି ।

 

ଏହା ପରେ ନଗରର ଶିଶୁଉଦ୍ୟାନଟିର ଏକ ଆଶ୍ଚର୍ଯ୍ୟଜନକ ରୂପାନ୍ତର ଘଟିବ ବୋଲି ଉଦ୍ୟାନ ରକ୍ଷକ ଯେଉଁପରି ଆଶା କରିଥିଲେ ତାହାହିଁ ପରିଣତ ହୋଇଥିଲା ବାସ୍ତବରେ । ରାକ୍ଷସଭୟପ୍ରପୀଡ଼ିତ ଶ୍ମଶାନବତ୍ ନିର୍ଜନ ଉଦ୍ୟାନଟି ପୁନର୍ବାର ଉଜ୍ଜୀବୀତ ହୋଇଉଠିଲା……ଶିଶୁ ବା ଯୁବକ ଯୁବତୀଙ୍କ କୋଳାହଳ ପରିବର୍ତ୍ତେ ଦଳେ ବୃଦ୍ଧ ବୃଦ୍ଧାଙ୍କର ଗମ୍ଭୀର ଅଥଚ ମାଧୂର୍ଯ୍ୟବନ୍ତ ଉପସ୍ଥିତିରେ ।

 

ସମ୍ପ୍ରତି ନଗର ମଧ୍ୟସ୍ଥ ପ୍ରାକ୍ତନ ଶିଶୁଉଦ୍ୟାନର ଏ ରୂପାନ୍ତର ଯୋଗୁଁ ସ୍ଥାନୀୟ ଲୋକେ ଯେ ରାକ୍ଷସତ୍ରାସରୁ ରକ୍ଷାପାଇ ସ୍ୱଚ୍ଛନ୍ଦରେ ଚଳପ୍ରଚଳ ହୋଇାପାରିବେ ଓ ଏଣିକି ସ୍ଥାନଟି ଆବାଳବୃଦ୍ଧବନିତା ସମସ୍ତଙ୍କର ବ୍ୟବହାର ଉପଯୋଗୀ ଏକ ନିରାପଦ ତଥା ରମଣୀୟ ସ୍ଥାନରୂପେ ପରିଗଣିତ ହୋଇପାରିବ, ଏପରି ଆଶା କରିବାରେ ଅସ୍ୱାଭାବିକତା ବା ଥିଲା କଅଣ ? ନଗରର ଶିଶୁଉଦ୍ୟାନ ଅଞ୍ଚଳରେ ଏଣିକି ଏକ ବିଧିବଦ୍ଧ ବୃଦ୍ଧୋଦ୍ୟାନ ସକାଳୁ ସଞ୍ଜ ପର୍ଯ୍ୟନ୍ତ, ଏପରିକି ଦିନେ ଦିନେ ମଧ୍ୟରାତ୍ର ପର୍ଯ୍ୟନ୍ତ ରୀତିମତ୍ କୋଳାହଳମୟ ହୋଇଉଠିବା ଦୃଷ୍ଟିରୁ ସ୍ଥାନୀୟ ଲୋକେ, ବିଶେଷତଃ ନଗରର ରାକ୍ଷସଭୟାଳୁ ନାଗରିକଗଣ କ୍ରମଶଃ ଆଶ୍ୱସ୍ତ ଅନୁଭବ କଲେ । ଅନ୍ତତଃ ବର୍ଷଟିଏ ସମୟ ଅତ୍ୟନ୍ତ ସୁରୁଖୁରୁରେ ଅତିବାହିତ ହୋଇଗଲା ପରେ ତେଣିକି ନଗରର ଭୟାଳୁତମ ନାଗରିକ ପକ୍ଷରେ ମଧ୍ୟ ଏ ଅଞ୍ଚଳର ଶାନ୍ତିସୁରକ୍ଷା ସମ୍ୱନ୍ଧେ କୌଣସି ଦୁଶ୍ଚିନ୍ତା ପୋଷଣର ସାମାନ୍ୟତମ ଯୁ ନଥିଲା ଆଉ । ସମ୍ଭବତଃ ଏଇ ସୁଯୋଗର ସଦୁପଯୋଗ ଲାଗି ଏଥିମଧ୍ୟରେ ମଧ୍ୟେ ମଧ୍ୟେ ନଗରର ମୁଖ୍ୟଶାସକଙ୍କ ପ୍ରଧାନ ବିରୋଧୀଦଳର ଦଳପତି ସଦଳବଳେ ଓ ଏକାନ୍ତ ନିର୍ଭୟରେ ପ୍ରବେଶ କରୁଥିଲେ ଉଦ୍ୟାନ ମଧ୍ୟରେ ଏବଂ ସାମ୍ପ୍ରତିକ ବହୁବହୁ ରାଜନୈତିକ ସମସ୍ୟା ଭିତରୁ ସର୍ବୋତ୍କୃଷ୍ଟ ଅର୍ଥାତ୍ ଦରଦାମ ବୃଦ୍ଧି, ଅଥବା ୧୦+୨+୩, ଅଥବା ତତୁଲ୍ୟ ଅନ୍ୟଏକ ସମସ୍ୟା ଅର୍ଥାତ୍ ଦେଶରେ ନାରୀଧର୍ଷଣଜନିତ ଅପରାଧର ମାତ୍ରାବୃଦ୍ଧି ସମ୍ପର୍କରେ ଏକାଧିକ ଆଲୋଚନାଚକ୍ରମାନ ଚଳାଇ ନେବାର କେତେକ ମସୁଧା ମଧ୍ୟ କରିସାରିଥିଲେ ।

 

କିନ୍ତୁ ବିରୋଧୀ ଦଳର ଏ ମସୁଧାକୁ ଅଚିରେ ପଣ୍ଡ କରିଦେବା ଉଦ୍ଦେଶ୍ୟରେ ହେଉ ବା ଅନ୍ୟ କୌଣସି ପ୍ରାକୃତିକ ଅଥବା ଅପ୍ରାକୃତିକ କାରଣରୁ ହେଉ, ଦିନେ ଠିକ୍‌ ସୂର୍ଯ୍ୟାସ୍ତ ସମୟରେ ରାକ୍ଷସର ପୁନରାବିର୍ଭାବ ଘଟିଲା—ନଗରର ଏଇ କେନ୍ଦ୍ରସ୍ଥଳ ବା ଅଧୁନା ବୃଦ୍ଧୋଦ୍ୟାନ ନାମରେ ନାମିତ ସ୍ଥାନଟିର ଚୌହଦୀ ଅନ୍ତର୍ଗତ ବୃକ୍ଷଲତାଗୁଡ଼ିକର ଅନ୍ତରାଳରେ ।

 

‘‘ରାକ୍ଷସ ! ରାକ୍ଷସ ! …....’’ ବୃଦ୍ଧୋଦ୍ୟାନର ବୃଦ୍ଧବୃଦ୍ଧାଙ୍କର ସମ୍ମିଳିତ କୋଳାହଳ ଉପରେ ସେଦିନ ଅନ୍ୟ ଏକ ଆତଙ୍କବାଣୀ, କାହାର କେଜାଣି, ଏପରି ଭୟଙ୍କର ଭାବେ ଆରୋହଣ କରି ନିକଟସ୍ଥ ଅଞ୍ଚଳକୁ ଆଚ୍ଛନ୍ନ କରି ବସିଲା ଯେ ସ୍ୱଳ୍ପସମୟ ପାଇଁ ଆଖପାଖ ଅଞ୍ଚଳରେ ଏକ ବିଚିତ୍ର ସ୍ତବ୍‌ଧତା ବିରାଜମାନ କରିବା ବ୍ୟତୀତ ହଠାତ୍ କୌଣସି ଆଶୁ ପ୍ରତିକ୍ରିୟା ପ୍ରକାଶର କୌଣସି ସୂଚନା ପରିଦୃଷ୍ଟ ହେଲାନାହିଁ । ଫଳତଃ ବୃଦ୍ଧୋଦ୍ୟାନର ପରିସୀମା ମଧ୍ୟରେ ଆବଦ୍ଧ ଅଧିକାଂଶ ଅସହାୟ ଅବସରବିନୋଦନକାରୀ ନରନାରୀ ରାକ୍ଷସର ପ୍ରତ୍ୟକ୍ଷ ଆୟତ୍ତାଧୀନ ଭାବେ ଅନ୍ୟୂନ ଦଶ ପନ୍ଦର ମିନିଟ୍‌ ଘାଣ୍ଟିଚକଟି ହୋଇଯିବା ଭିତରେ ପ୍ରାୟ ଦଶ ପନ୍ଦର ଜଣ ବୃଦ୍ଧବୃଦ୍ଧାଙ୍କ ସମେତ୍ କେତୋଟି ଶିଶୁ ଓ ଗୋଟିଏ ଯୋଡ଼ିଏ ବୁଲା କୁକୁର ମଧ୍ୟ ମୁମୂର୍ଷୁ ବା ମୃତ ଅବସ୍ଥାରେ ଭୂପତିତ ହୋଇଥିବା ସମ୍ୱାଦ ପରେ ନଗରବାସୀଙ୍କ କର୍ଣ୍ଣଗୋଚର ହେବା ବ୍ୟତୀତ ଗତ୍ୟନ୍ତର ବା ଥିଲା କାହିଁ ?

 

ଏହି ଦୁର୍ଘଟଣାର ଅବ୍ୟବହିତ ପରେ ଉଦ୍ୟାନରକ୍ଷକଙ୍କ ଏକ ସୁପରିକଳ୍ପିତ ଏବଂ ସୁନିର୍ଦ୍ଦିଷ୍ଟ ପ୍ରସ୍ତାବ ନଗରର ମୁଖ୍ୟଶାସକଙ୍କ ବିଚରାର୍ଥେ ଆନୀତ ହୋଇଥିବା ସମ୍ୱାଦର ସତ୍ୟତା ପରୀକ୍ଷା ଲାଗି ନଗରବାସୀମାନେ ଉତ୍କଣ୍ଠିତ ହୋଇ ବସିରହିଥିଲେ । କେହି କେହି ପ୍ରସ୍ତାବଟିକୁ ସାଦରେ ସମର୍ଥନ କରି ଛକଜାଗାମାନଙ୍କରେ କ୍ଷୁଦ୍ର କ୍ଷୁଦ୍ର ଆଲୋଚନାଗୋଷ୍ଠୀ ଜରିଆରେ ମତାମତ ପ୍ରଦାନ କରିବାରେ ଲାଗିଲେ ଓ ମୁକ୍ତକଣ୍ଠରେ କହୁଥିଲେ, ‘‘ଠିକ୍‌ ଠିକ୍‌—ଜାଗାଟାକୁ ଗୋଟାଏ ଶ୍ମଶାନ କରିବା ଛଡ଼ା ଅନ୍ୟ କୌଣସି ମହତ୍ କାର୍ଯ୍ୟରେ ଲଗାଯାଇନପାରେ । ଉଦ୍ୟାନରକ୍ଷକଙ୍କ ମହତ୍ ପ୍ରସ୍ତାବକୁ ମୁଖ୍ୟଶାସକ ଯେ ନିଶ୍ଚୟ ସ୍ୱୀକୃତି ଦେବେ—ଏହା ନିଃସନ୍ଦେହରେ କୁହାଯାଇପାରେ । ଯେଉଁଠି ରାକ୍ଷସର ପ୍ରାଦୁର୍ଭାବ ଏତେ ପ୍ରବଳ ଯେ ପିଲେ ଖେଳି ପାରିଲେ ନାହିଁ, ଟୋକାଟୋକୀ ଚଳିପାରିଲେ ନାହିଁ, ବୁଢ଼ାବୁଢ଼ୀ ଦଳାଚକଟାରେ ମଲେ—ସେ ଜାଗାଟାକୁ ରାକ୍ଷସ, ଦୈତ୍ୟ, ଅସୁର, ଭୂତପ୍ରେତଙ୍କ ଲାଗି ଉତ୍ସର୍ଗ କରିବା ବ୍ୟତୀତ ଅନ୍ୟ କ’ଣ ବା କରାଯାଇପାରେ !’’

 

ନଗରର ଛକମୁଣ୍ଡରେ ଏହିପରି ଆଲୋଚନା ଚାଲୁଥିବାବେଳେ ମୁଖ୍ୟଶାସକ ସଂପୃକ୍ତ ଫାଇଲ୍‌ ଉପରେ ଏକ କିମ୍ଭୂତ ଅର୍ଡ଼ର ଦେଇ ନିମ୍ନରେ ନିଜର ସଇମୋହର ଦରଜ କରିସାରିଥିଲେ–

 

‘‘ଉଲ୍ଲିଖିତ ଶିଶୁଉଦ୍ୟାନଟିକୁ ରାକ୍ଷସଙ୍କୁ ବିକ୍ରୀସୂତ୍ରରେ ପ୍ରଦାନ କରିଦିଆଯାଉ ।’’

 

ମୁଖ୍ୟଶାସକଙ୍କ ଉପରୋକ୍ତ ଆଦେଶନାମା ଅଚିରେ କାର୍ଯ୍ୟକାରୀ କରାଯାଇଥିଲା ।

 

ଦିନ କେତେକ ଅନ୍ତରରେ ସହରର ଶିଶୁଉଦ୍ୟାନ ଅନ୍ତରାଳରେ କେତେକ ଇଟା ବାଲି ସିମେଣ୍ଟ୍‌ ଓ ଛଡ଼ ପରିବହନକାରୀ ଟ୍ରକ୍‌ର ଅବାରିତ ଚଳପ୍ରଚଳ ଲକ୍ଷ୍ୟକରି ପାରିଥିଲେ ସ୍ଥାନୀୟ ଲୋକେ ।

 

ପ୍ରାୟ ଦୁଇବର୍ଷ ଅନ୍ତରରେ ଏକ ସୁରମ୍ୟ ଅଟ୍ଟାଳିକା ଓ ତତ୍‌ସଂଲଗ୍ନ ଦଶଏକରବ୍ୟାପୀ ପୁଷ୍ପବାଟିକାର ଆବିର୍ଭାବ ହେତୁ ସ୍ଥାନୀୟ ଲୋକେ କୌତୂହଳବଶତଃ ଏ ସମ୍ପତ୍ତିର ଯଥାର୍ଥ ମାଲିକଙ୍କର ପରିଚୟ ପାଇବା ନିମିତ୍ତ ବ୍ୟାକୁଳ ହୋଇଉଠିଥିଲେ ।

 

କିନ୍ତୁ ସେମାନଙ୍କର କୌତୂହଳ କସ୍ମିନ୍‌କାଳେ ନିର୍ବାପିତ ନହେଲା ପରି ଅଟ୍ଟାଳିକା ସମ୍ମୁଖସ୍ଥ ହତା ଫାଟକ ଖୁଣ୍ଟରେ ଏକ ମାର୍ବଲ ଫଳକରେ ଅଦ୍ଭୁତ ନାମୋଲ୍ଲେଖଟିଏ ସମସ୍ତଙ୍କର ଦୃଷ୍ଟିଗୋଚର ହେଉଥିଲା । ସେଥିରେ ଲେଖାଥିଲା—‘‘...ଅବସରପ୍ରାପ୍ତ X, Y, Z,’’

Image

 

ଜାଲ୍‌ ଇଣ୍ଟରଭ୍ୟୁ

 

ପୂର୍ବାହ୍ନ ଏଗାରଟାରୁ ଅପରାହ୍ନ ସାଢ଼େଚାରି ଯାକେ ସେଦିନ ଯେଉଁ ବିରାଟ ଇଣ୍ଟର୍‌ଭ୍ୟୁ ପର୍ବଟା ଚାଲିଥିଲା ତାର ପରିସମାପ୍ତି ହୋଇ ଫଳ ବାହାରିବା ବେଳକୁ ସନ୍ଧ୍ୟା ଛ’ ।

 

‘‘ସାର୍‌, ପ୍ରାର୍ଥୀମାନଙ୍କୁ କହିଦେବାକି ଫଳାଫଳଟା ?’’ ସାନ ଅଫିସର୍‌ ଅତି ସନ୍ତର୍ପଣରେ ବଡ଼ ଅଫିସର୍‌ଙ୍କ ମୁଖମଣ୍ଡଳର କୌଣସି ଏକ ପରିଚିତ କୁଞ୍ଚକୁଞ୍ଚିଆ ରେଖାକୁ ବହୁ ଦିଗରୁ ପରୀକ୍ଷା ନିରୀକ୍ଷା କରିସାରି ଭରସି କରି ପଚାରୁଥାନ୍ତି ସେଇମାତ୍ର । କିନ୍ତୁ ଠିକ୍‌ ସେତିକିବେଳେ ବଡ଼ ଅଫିସର୍‌ଙ୍କ ଡେସ୍କ୍‌ କଡ଼ପଟକୁ ରଖାଯାଇଥିବା ଟେଲିଫୋନ୍‌ଟା ବାଜି ଉଠିଲା, ଆଉ ପରମୁହୂର୍ତ୍ତରେ ବଡ଼ ଅଫିସର୍‌ଙ୍କ ମୁଖମଣ୍ଡଳର ରେଖାଙ୍କିତ ଭାବସମୁଦ୍ରରେ ଏକ ପ୍ରଗାଢ଼ ଲହରୀ ଉଦବେଳିତ ହୋଇଉଠିଲା ।

 

ସାନ ଅଫିସର୍‌ ଶଙ୍କିଗଲେ । ଆଉ ସେହିପରି ଶଙ୍କିତ ଅବସ୍ଥାରେ ବଡ଼ ଅଫିସର୍‌ଙ୍କ ଟେଲିଫୋନ୍ କଥାବାର୍ତ୍ତା ଶୁଣୁ ଶୁଣୁ ସ୍ଥାଣୁ ପାଲଟିଗଲେ । କଥାବାର୍ତ୍ତାର ବାହ୍ୟ ରୂପଟି ଥିଲା ଏହିପରି-

 

‘‘..............’’

 

‘‘ୟେସ୍‌ ସାର୍‌.... ହଁ ସାର୍‌... ନିଶ୍ଚୟ ସାର୍‌...’’

 

‘‘.......’’

 

ୟେସ୍‌ ସାର୍‌, ହଁ ସାର୍‌.... ପ୍ରାୟ ଚାଳିଶ କ୍ୟାଣ୍ଡିଡ଼େଟ୍‌ ସାର୍‌....’’

 

‘‘.............’’

 

ୟେସ୍ ସାର୍, ହଁ ସାର୍.....କାମ ଠିକ୍ ଠିକ୍ ଚାଲିଲା ସାର୍.....’’

 

‘‘..............’’

 

‘‘ୟେସ୍‌ ସାର୍, ହଁ ସାର୍, ମିସନ୍ ଆକଂପ୍ଳିସ୍ଡ଼୍‌.......ମାନେ....’’

 

‘‘.............’’

 

‘‘ୟେସ୍ ସାର୍‌, ହଁ ସାର, ସମସ୍ତେ ଫେଲ୍‌.... କଟିଗଲେ..... କଂପଲିଟ୍‌ ଲିଷ୍ଟରୁ କେହି ଜଣେହେଲେ ବି ଯୋଗ୍ୟ...’’

 

‘‘...............’’

 

‘‘ୟେସ୍‌ ସାର୍‌, ହଁ ସାର୍‌, ପ୍ରଶ୍ନ ଯଥାରୀତି ପଚରାଗଲା । ବଡ଼ ସିମ୍ପ୍ଲ କୋଶ୍ଚିନ୍‌ ସାର୍‌.... କେହି ସାଟିସ୍‌ଫାୟ କରିପାରିଲେନାଇଁ ଆମକୁ…...’’

 

‘‘...........’’

 

‘‘ୟେସ୍ ସାର୍.........ଗୋଟାଏ ବୋର୍ଡ଼ କରାଯାଇଥିଲା.......ବୋର୍ଡ଼ରେ ମୁଁ ତ ଡାଇରେକ୍ଟର୍‌ଭାବେ ଚେୟାର୍‌ମ୍ୟାନ୍‌ ସାର୍‌, ତାଛଡ଼ା ଆମ ଅଫିସ୍‌ର ଜେନେରାଲ୍‌ ସେକ୍ରେଟେରୀ, ଫାଇନାନସ୍‌, ଅଫିସର୍‌ ଆଉ ଦୁଇଜଣ କ୍ଲାସ୍ ଟୁ ଅଫିସର୍‌ ସାର୍‌…….’’

 

‘‘..........’’

 

‘‘ୟେସ୍‌ ସାର୍‌........ୟେଏସ୍‌ ସାଆଆର୍‌.......ହି ହି ହି........ସମସ୍ତେ କଟିଗଲେ—ଅଲ ଦି ଫର୍ଟି ଆଣ୍ଡ୍‌ ଅଡ଼୍‌ କ୍ୟାଣ୍ଡିଡ଼େଟ୍‌ସ୍‌........ଆଃ, ସବୁଗୁଡ଼ିକ ଗାଉଁଲିଲୋକ ସାର୍‌..... ମାଇଁ ଗଡ଼୍‌ ! କି କରୁଣ ମୁହଁଗୁଡ଼ାଏ ସାର୍‌... ନୋ ନୋ ସାର୍‌, ନୋ ନୋ, ନେଭର୍‌ ! ଏସବୁ ବ୍ୟାପାରରେ ଦୟାମାୟା ଗୋଟାଏ କଅଣ ସାର୍ ?’’

 

‘‘............’’

 

‘‘ୟେସ୍‌ ସାର୍‌, ହଁ ସାର୍‌.... ଚାଳିଶରୁ ଅନ୍ତତଃ କୋଡ଼ିଏ ବାଇଶି ଆଦିବାସୀ ହରିଜନ କ୍ୟାଣ୍ଡିଡ଼େଟ୍‌ ଥିଲେ ସାର୍‌...’’

 

‘‘.............’’

 

‘‘କିନ୍ତୁ ସାର୍‌, ନୋ ନୋ ସାର୍‌.......ନଟ୍‌ ଏ ସିଙ୍ଗଲ୍‌ ଓ୍ୱାନ୍‌.......ଜଣେ ହେଲେ କେହି ସାଟିସ୍‌ଫାୟ କରିପାରିଲେ ନାଇଁ ବୋର୍ଡ଼କୁ ଯେ । ସାର୍‌ ? କଅଣ କହିଲେ ସାର୍‌ ? କନ୍ଦାକଟା ? ହା ହା ହା... ପରୀକ୍ଷା ସାମନାରେ କନ୍ଦାକଟା ଆଉ କ’ଣ ? ତେବେ, ୟେସ୍‌ ସାର୍‌... ଗୋଟାଏ କାଳିଆ ହେଇ ବସନ୍ତମୁହାଁ ଲୋକ, ବୟସ ୩୦ । ୩୬ କି ବେଶି ବି ହେଇପାରେ... କାନ୍ଦିଲା, ଖୁବ୍‌ କନ୍ଦାକଟା କଲା ବୋର୍ଡ଼ ଆଗରେ । କହିଲା…....’’

 

‘‘.........’’

 

‘‘ୟେସ୍‌ ସାର……..ହରିଜନ ସମ୍ପ୍ରଦାୟର ଲୋକଟା.......ବଡ଼ ପ୍ୟାଥେଟିକ୍‌ ଚେହେରା ଯେ... କହିଲା କୁଆଡ଼େ ଚଉଦଥର.......ୟେସ୍‌ ସାର୍‌ ଚ.......ଉ.......ଦ, ମାନେ ଫୋଟିନ୍‌ ଟାଇମସ୍ ସେ ଆପିଅର୍ କଲାଣି ଇଣ୍ଟରଭ୍ୟୁରେ... ନା ସାର୍‌, ଆମ ଅଫିସ୍‌ରେ ନୁହେଁ... ବିଭିନ୍ନ ଅଫିସ୍‌ରେ ତା ନାଁ ଏମ୍ପ୍ଲୟମେଣ୍ଟ ଏକ୍‌ସଚେଞ୍ଜରୁ ଚଉଦଥର ରେକମେଣ୍ଡ ହେଇସାରିଲାଣି ସାର୍‌ । କିନ୍ତୁ ହାଃ ହାଃ... ଚାକିରି କାହିଁ ସାର୍‌ ? ଚାକିରୀ କାହିଁ ? ବିଚରା କାନ୍ଦିଲା ଖୁବ୍‌, ଆଉ କହିଲା—ବୋଧହୁଏ ଏମ୍ପ୍ଲୟମେଣ୍ଟ୍‌ରୁ ଆଉ ପଠାଯିବ ନାଇଁ ତା ନାଁ ଏହା ପରେ....’’

 

‘‘..............’’

 

‘‘ହାଃ, ହାଃ, ହାଃ.... ଆଉ କାହିଁକି କହୁଚନ୍ତି ସାର୍‌ ! ବଡ଼ ପ୍ୟାଥେଟିକ୍‌, ବଡ଼ ହାରାସିଂ ଏସବୁ କାମ ସାର୍‌ ! କିନ୍ତୁ କ’ଣ କରାଯିବ ସାର୍‌ ? ଆମକୁ ଏକ୍‌ଜିକ୍ୟୁଟ୍‌ କରିବାକୁଇ ପଡ଼ିବ । ଏତ ଆମ ଚାକିରୀର ନିୟମ ସାର୍‌ । ଚାଳିଶ ଛାଡ଼ି ଆଜି ଶହେ କ୍ୟାଣ୍ଡିଡ଼େଟ୍‌ ଆସିଥିଲେ ମଧ୍ୟ ସମସ୍ତେ କଟିଥାନ୍ତେ, ସାର୍‌ । ଆମ ବୋର୍ଡ଼...’’

 

‘‘.............’’

 

‘‘ନୋ ସାର୍‌, ନୋ ସାର୍‌.....ଆମ ବୋର୍ଡ଼ର କେବଳ ମୁଁ ଆଉ ଆମ ସେକ୍ରେଟେରୀଙ୍କ ଛଡ଼ା କେହି ଜାଣନ୍ତି ନାଇଁ... ସବୁ ସିକ୍ରେଟ୍‌.... ଆବସଲ୍ୟୁଟ୍‌ ସିକ୍ରେସି ସାର୍‌.....’’

 

‘‘..............’’

 

‘‘ୟେସ୍‌ ସାର୍‌, ଥ୍ୟାଙ୍କୟୁ ସାର୍‌, ନମସ୍କାର ।’’

 

ଏହା ପରେ ଟେଲିଫୋନ୍‌ ରିସିଭର୍‌ଟାକୁ କ୍ରାଡ଼ଲ୍‌ ଉପରେ ଦୁମ୍‌ କରି ଥୋଇଦେଇ ଉଠିପଡ଼ିଲେ ବଡ଼ ହାକିମ । ତାଙ୍କ ମୁଖମଣ୍ଡଳରେ ବର୍ତ୍ତମାନ ପ୍ରଗାଢ଼ ଆଶ୍ୱସ୍ତି ଫେରି ଆସିବାର କଥା-। କିନ୍ତୁ କୌଣସି କାରଣରୁ ଲୋକଟାର ମୁହଁ ଉପରେ ଗୋଟାଏ ବୁଢ଼ିଆଣୀ ବସା ବାନ୍ଧିଲା ଭଳି ଗୁଡ଼ାଏ ସରୁ ମୋଟ ରେଖା ଏକ ନିର୍ଦ୍ଦିଷ୍ଟ ପ୍ୟାଟର୍ଣ୍ଣରେ ଆବିର୍ଭୂତ ହୋଇସାରିଥିବା ଦେଖି ସାନ ଅଫିସର୍‌ ଚମକିପଡ଼ିଲେ ।

 

‘‘ନରେନ୍‌ ବାବୁ !’’ ବଡ଼ ହାକିମ ଅର୍ଥାତ୍ ବୋର୍ଡ଼ର ଡାଇରେକ୍ଟର ସାର ଦିନ ଭିତରେ ସେଇ ମାତ୍ର ପ୍ରଥମକରି ସାନ ହାକିମ ଅର୍ଥାତ୍ ବୋର୍ଡ଼ର ସାଧାରଣ ସମ୍ପାଦକଙ୍କ ନାଁ ଧରି ଅତି ଅନ୍ତରଙ୍ଗ ସ୍ୱରରେ କ’ଣ କହିବା ପାଇଁ ଚେଷ୍ଟାକରି ଆସୁଥିଲେ ସମ୍ଭବତଃ । କିନ୍ତୁ ପରମୁହୂର୍ତ୍ତରେ ତାଙ୍କ ସ୍ୱରର ଅନ୍ତରଙ୍ଗତା ପରିବର୍ତ୍ତେ ବହିରଙ୍ଗତାହିଁ ଆପଣାକୁ ଜାହିର କରି ବସିଲା—‘‘କିପ୍‌ ଦିସ୍‌ ଆଜ୍‌ ଏ କ୍ଲୋଜ୍‌ଲି ଗାର୍ଡ଼େଡ଼୍‌ ସିକ୍ରେଟ୍‌—କାରଣ ମିନିଷ୍ଟରଙ୍କ କ୍ୟାଣ୍ଡିଡ଼େଟ୍‌ଟିର ନାଁ ଯଦି ନେକ୍‌ଷ୍ଟ ଇଣ୍ଟରଭ୍ୟୁକୁ ନ ଆସେ ଏମ୍ପ୍ଲୟମେଣ୍ଟ୍‌ ଏକ୍‌ସଚେଞ୍ଜରୁ, ତେବେ ଆମକୁ ପୁଣିଥରେ ରିଜେକ୍ଟ କରିବାରେ ପଡ଼ିବଇ ପଡ଼ିବ ଏଣ୍ଟାୟାର୍‌ ଲିଷ୍ଟକୁ । ଆଉ ହଁ—ଆପଣ ତରବର ହ’ନ୍ତୁନାହିଁ ଆଜିର ରେଜଲ୍‌ଟ ଡିକ୍ଲେୟାର କରିଦେବାକୁ । ରେଜଲ୍‌ଟ ତ ବାହାରିବଇ ବାହାରିବ । ଲେଟ୍‌ ଅସ୍‌ ଟେକ୍‌ ଏ ଓ୍ୱିକସ୍ ଟାଇମ୍‌ ଫର୍‌ ଦ୍ୟାଟ୍‌ । ତେବେ ଆପଣ କାଲି ଫାଷ୍ଟ୍‌ ଆଓ୍ୱାରରେ ଲୋକାଲ୍‌ ଏମ୍ପ୍ଲୟମେଣ୍ଟ୍‌ ଏକ୍‌ସଚେଞ୍ଜକୁ ଲେଖିଦିଅନ୍ତୁ—ଆଉ ଥରେ ଆଉ ଏକ ବ୍ୟାଚ୍ ନାଁ ପଠେଇବାକୁ—ବୁଝିଲେ ତ ?’’

 

ଅଫିସର୍‌ ସାଧାରଣ ସମ୍ପାଦକ ନରେନ୍‌ ସାମନ୍ତରାୟ ତାଙ୍କ ଉପର ହାକିମ ବୋର୍ଡ଼ର ଡାଇରେକ୍ଟରଙ୍କ ମୁହଁ ଉପରେ ଉଦୟ ହୋଇ ସାରିଥିବା ସେଇ ବୁଢ଼ିଆଣୀଟି ବସିଛି କେଉଁଠି କେବଳ ସେଇଆକୁ ନିରୀକ୍ଷଣ କରୁ କରୁ ଅତ୍ୟନ୍ତ ଅସତର୍କ ହୋଇ କହି ପକାଇଲେ—‘‘ସାର୍‌ କେବଳ ଏମ୍ପ୍ଲୟମେଣ୍ଟକୁ ଲେଖିଲେ କିଛି ହେବ ନାହିଁ । ମନ୍ତ୍ରୀଙ୍କୁ କହିବାକୁ ହବ, ତାଙ୍କ କ୍ୟାଣ୍ଡିଡ଼େଟ୍‌ର ନାଁ ଯେ କୌଣସି ପ୍ରକାରେ ଏଥରକର ଲିଷ୍ଟରେ ସେ ପୂରାନ୍ତୁ, ନଚେତ୍...’’

 

‘‘ନଚେତ୍ ?’’ ନରେନ୍‌ର ଉପର ହାକିମଙ୍କ ମୁହଁ ଉପରେ ଆବିର୍ଭୂତ ଜାଲର କର୍ତ୍ତା ବା କର୍ତ୍ତ୍ରୀ ବୁଢ଼ିଆଣୀଟି ହଠାତ୍ ସେତିକିବେଳେ ତାଙ୍କର ବାଁ ଆଖି ଚଷମା କାଚତଳୁ ନରେନ୍‌ର ମୁହଁ ଉପରକୁ ସିଧା ଡେଇଁପଡ଼ିଲା ଓ ତତ୍‌କ୍ଷଣାତ୍‌ ନରେନ୍‌ ଅନୁଭବ କଲା ତା ନିଜ ମୁହଁ ଉପରେ ଚଟାପଟ୍‌ ଚଟାପଟ୍‌ ଏକ ସୂକ୍ଷ୍ମ ବୁଢ଼ିଆଣୀ ଜାଲର ବୟନ ।

 

‘‘ନଚେତ୍.......ନଚେତ୍ ଏ ଅଫିସିଆଲ ସିକ୍ରେସି ଆଉ ରକ୍ଷା କରିବା ସମ୍ଭବ ହେବ ନାହିଁ ସାର୍‌ ! ଆପଣ ଦେଖନ୍ତୁ, ମାତ୍ର ଜଣେ କ୍ୟାଣ୍ଡିଡ଼େଟ୍‌ର ନାଁ ଲିଷ୍ଟରେ ନାହିଁ ବୋଲି ଆମକୁ ବାରମ୍ୱାର ରିଜେକ୍ଟ କରିବାକୁ ପଡ଼ୁଚି ଚାଳିଶ ପଚାଶ କ୍ୟାଣ୍ଡିଡ଼େଟ୍‌ଙ୍କୁ । ଏ କାମ ଘୋର ଅଧର୍ମ... ମହାପାପ ସାର୍‌ ! ଚାଳିଶ ଲୋକଙ୍କ ନିଃଶ୍ୱାସ ଆଜି ଦିନସାରା ଆମ ଉପରେ ପଡ଼ିସାରିଚି ସାର୍‌ । ବିଶେଷତଃ ସେ କଳା, ବସନ୍ତମୁହାଁ, ଧେଡ଼େଙ୍ଗା ହରିଜନ ଲୋକଟା—ଯେ ଚଉଦ ଥର କଟି ସାରିଲାଣି ସାର୍‌–ଚଉଦଟା ଇଣ୍ଟରଭ୍ୟୁରେ—ଆମ ଅଫିସ୍‌ର ଏ ଯୋଉ ଟ୍ରିକ୍‌ ଆମେ ପ୍ରୟୋଗ କଲେ, ସେମିତି ଚଉଦଟା ଅଫିସରେ ତାକୁ ଚଉଦଥର ଚିଟ୍‌ କରାଗଲା ପରେ—ସେ ଲୋକର ମୁହଁ, ଆଖି କାନ୍ଦ, ନିଃଶ୍ୱାସ—ସବୁକୁ ମାର୍କ କରିଥିବେ ନିଶ୍ଚୟ ଆପଣ... ସାର୍‌ ! ସେ ନିଃଶ୍ୱାସ ପଡ଼ିଯିବ ଆମ ଉପରେ ସାର୍‌...’’

 

‘‘ପଡ଼ୁ-’’ ନରେନ୍‌ର ଉପର ହାକିମ ତାଙ୍କର ଦିନକର କାମ ଶେଷ କରି ଘର ମୁହାଁ ଧରି ଆସିବା ଯୋଗୁ କିମ୍ୱା ଅନ୍ୟ କୌଣସି କାରଣରୁ ଟିକିଏ ଲାଇଟ୍‌ ମୁଡ଼୍‌ରେ ହସଟିଏ ହସିଲେ ଆଉ କହିଲେ, ‘‘ସାମାନ୍ୟ ପିଅନ ପୋଷ୍ଟଟାଏ ତ ନା ଆଉ କ’ଣ ! ଗୋଟାଏ ପିଅନ୍‌ର ନିଶ୍ୱାସରେ ଏମିତି କେତେ ଆଉ ତାତି ଥିବ ନରେନ୍ ବାବୁ ! ଆପଣ ଡରୁଚନ୍ତି ବୃଥାରେ । ତେବେ ଯଦି ସେ ନିଃଶ୍ୱାସରେ ତାତି ଥିବ ପ୍ରକୃତରେ ତେବେ ସେ ତାତି ପଡ଼ିବ ମନ୍ତ୍ରୀଙ୍କ ଉପରେ !’’

 

‘‘ନୋ ସାର୍‌—ଅନ୍ତତଃ ଆଜିର ଇଣ୍ଟରଭ୍ୟୁର ସମ୍ମିଳିତ ନିଶ୍ୱାସ ପଡ଼ିବ ସମସ୍ତଙ୍କ ଉପରେ ନୁହେଁ, ଆପଣଙ୍କ ଉପରେ, ମୋ ଉପରେ, ଆମ ଉପରେ ସାର୍‌ !’’ ନରେନ୍ ତା ପକେଟରୁ ଖଣ୍ଡେ ଝାଳ ଜୁଡ଼ୁବୁଡ଼ୁ, ଓଦା ଆଉ ଦୁର୍ଗନ୍ଧିଆ ରୁମାଲ୍‌ ଟାଣି ଆଣିଲା ଓ ଦିନକ ଭିତରେ ସହସ୍ରାଧିକ ଥର ପାଇଁ ନିଜର ଝାଳୁଆ ମୁହଁକୁ ପୋଛି ଆଣୁ ଆଣୁ କହିଲା—‘‘ଆପଣ ଆଉ ମୁଁ ନିଜ ନିଜ ଭିତରେ କରିଛୁ ଏ ଷଡ଼ଯନ୍ତ୍ର ସାର୍‌ ! ଏଥିରେ ମନ୍ତ୍ରୀ ନାହାନ୍ତି । ସେ ତ ନିର୍ଦ୍ଦୋଷ, ସଚ୍ଚୋଟ । ତାଙ୍କୁ ମନ୍ତ୍ରୀମଣ୍ଡଳର ସବୁଠୁଁ ସାଧୁ ଅନେଷ୍ଟ୍‌ ଲୋକ ବୋଲି ଜାଣନ୍ତି ସମସ୍ତେ—ସେ କାହିଁକି ରହିବେ ଏଥିରେ ? ଇଣ୍ଟରଭ୍ୟୁ ଆରମ୍ଭରୁ ତାଙ୍କ ପ୍ରାଇଭେଟ୍‌ ସେକ୍ରେଟେରୀ ଖାଲି ଏତିକି କହିଥିଲେ ଆମକୁ ଫୋନ୍‌ ଉପରେ—ଅମୁକ ଲୋକ ଆଡ଼ହକ୍‌ ବେସିସ୍‌ରେ ପିଅନ ପୋଷ୍ଟରେ ଅଛି ଅଲ୍‌ରେଡ଼ି ଆପଣଙ୍କ ଅଫିସ୍‌ରେ, ଆଉ ଦେଖନ୍ତୁ ଏମ୍ପ୍ଲୟମେଣ୍ଟ୍‌ ଏକ୍‌ସଚେଞ୍ଜ୍‌ ତା ନାଁ ପଠାଇ ପାରିନାହିଁ ଆଜିର ଇଣ୍ଟରଭ୍ୟୁକୁ—ବାସ୍‌ ଏତିକି । କିନ୍ତୁ ଏହା ପରେ ଚାଳିଶଜଣ ଲୋକଙ୍କୁ ଏଲିମିନେଟ୍‌ କରିବାର ଦାୟିତ୍ୱ ପଡ଼ିଗଲା ଆମ ଉପରେ ।’’

 

‘‘ଓଃ, ସେଗୁଡ଼ାକ ବିଷୟରେ ଚିନ୍ତା କରନ୍ତୁ ନା ଏତେ—ଯା’ନ୍ତୁ, ଗାଧୁଆପାଧୁଆ କରିବେ... ଯଦି ପାରନ୍ତି ଲିଙ୍ଗରାଜ ଦର୍ଶନ ମଧ୍ୟ କରି ଆସନ୍ତୁ ଆଜି ସନ୍ଧ୍ୟାରେ !’’ ବୋର୍ଡ଼ର ଡାଇରେକ୍ଟର ଏହିପରି ପ୍ରବୋଧ ଦେଉ ଦେଉ ନରେନ୍‌ର ମୁହଁକୁ ନିଷ୍ଠାର ସହିତ ଥରେ ଅନାଇ ଦେଇ ଚମକିପଡ଼ିଲେ ଆଉ କହିଲେ, ‘‘ମାଇଁ ଗଡ଼୍ ! ନରେନ୍‌ ! ତମ ମୁହଁରେ ଗୋଟାଏ ବୁଢ଼ିଆଣୀ ବସା ବାନ୍ଧି ଚାଲିଚି ଯେ !’’

 

ନରେନ୍ ଆଉଥରେ ଜୋର୍‌ କରି ମୁହଁକୁ ରୁମାଲ୍‌ରେ ଘଷିପକେଇ କହିଲା, ‘‘ସାର୍‌, ଏ ବୁଢ଼ିଆଣୀ ଆପଣଙ୍କ ମୁହଁରୁଇ ଡେଇଁଚି ମୋ ଉପରକୁ । ଆଚ୍ଛା କୁହନ୍ତୁତ ସାର୍, ସେ କୋଶ୍ଚିନ୍‌ଟା ଆପଣଙ୍କ ମୁଣ୍ଡକୁ ଜୁଟିଲା କେମିତି ଏତେ ସହଜରେ ! ବଡ଼ ଆପ୍ରୋପ୍ରିଏଟ୍‌ କୋଶ୍ଚିନ୍‌ ସାର୍‌ ! ଦେଖିଲେ ନା—ଚାଳିଶଟାଯାକ ଲୋକ କେମିତି ସେଇ ଏକା ପ୍ରକାର ଭୁଲ୍‌ କରିଗଲେ । ଟେଲିଫୋନ୍‌ ରିସିଭର୍‌ଟାକୁ କେମିତି ଧରିବାକୁ ହବ କେହି ଜାଣନ୍ତି ନାହିଁ ସାର୍ ! ଆଶ୍ଚର୍ଯ୍ୟ ! କିଏ ଇଅର୍‌ପିସ୍‌କୁ ମୁହଁ ପାଖରେ ତ କିଏ ମାଉଥ୍‌ଅର୍ଗାନ୍‌ ବଜାଇଲା ଭଳି ହାଣ୍ଡଲ୍‌ ପାଖକୁ ମୁହଁରେ ଦେଇ... ହାଃ ହାଃ ହାଃ.......ହୋଃ ହୋଃ ହୋଃ......କି କ୍ରୁଏଲ୍‌ !’’

 

‘‘କ୍ରୁଏଲ୍‌ ନୁହଁ ନରେନ୍‌…....’’, ବର୍ଷିଆନ୍‌ ବୋର୍ଡ଼ ଡାଇରେକ୍ଟର ନିଜର ବ୍ରିଫ୍‌କେସ୍‌ରେ କାଗଜପତ୍ର ଭର୍ତ୍ତି କରି ସଜାଡ଼ୁ ସଜାଡ଼ୁ ନରେନ୍‌ର ପିଲାଳିଆ ମୁହଁ ପ୍ରତି ସସ୍ନେହ ଦୃଷ୍ଟି ଥରଟିଏ ନିକ୍ଷେପ କରି କହିଲେ—

 

‘‘ରିଏଲିଟି ଏହାକୁ ହିଁ କୁହାଯାଏ । ଗଣତନ୍ତ୍ରରେ ତମେ ନିଷ୍ଠୁର ହୋଇପାରିବ ନାହିଁ ନରେନ୍‌ । ସେ କାଳିଆ ବସନ୍ତମୁହାଁ ଧେଡ଼େରା ହରିଜନ ଲୋକଟାକୁ ତମେ କଦାପି ସତ୍ୟକଥା କହି ପାରିବ ନାହିଁ । କହି ପାରିବ ନାଇଁ ଯେ—‘‘ଆବେ ହେ କାଳିଆ.......ଯା ପଳା ଏଠୁ, ପଳାରେ ଶଳା । ଏଠି ମାତ୍ର ଗୋଟାଏ ପୋଷ୍ଟ୍‌ । ସେ ପୁଣି ପିଅନ୍‌ ପୋଷ୍ଟ । ଆହୁରି ପୁଣି ସେ ପୋଷ୍ଟରେ ମନ୍ତ୍ରୀର ନିଜ ଭଣଜା ରହିଲାଣି ତିନିମାସ । ଆମେ ସେଇ ଲୋକର ଚାକିରୀକୁ କେମିତି ସ୍ଥାୟୀ କରିବୁ ସେଥିପାଇଁ ମଗେଇଥିଲୁ ନାଁ ତାଲିକା ଏକ୍‌ସଚେଞ୍ଜରୁ । କିନ୍ତୁ ଦେଖ ମଜା ! ଏମ୍ପ୍ଲୟମେଣ୍ଟ ଏକ୍‌ସଚେଞ୍ଜ ମନ୍ତ୍ରୀର ଭଣଜା ନାଁ ନ ପଠେଇ ପଠୋଉଚି ତୋ ନାଁ—ମାନେ ଯେ ଚଉଦଥର ଫେଲ୍‌ ମାରିଲାଣି ତାରି ନାଁ ! ଆରେ ହେ କାଳିଆ, ବସନ୍ତମୁହାଁ ହରିଜନ ଟୋକା, ଯା ଯାଃ । ନାହିଁ ଯଦି ନଯିବୁ ତେବେ ଉତ୍ତର ଦେ ଆମର ବ୍ରହ୍ମରାକ୍ଷସ ପ୍ରଶ୍ନର । ପ୍ରଶ୍ନଟା ହେଲା—ମନେକର ତୁ ଏ ଅଫିସ୍‌ର ଦରଓ୍ୱାନ୍‌ ପୋଷ୍ଟରେ ନିଯୁକ୍ତ ହୋଇଥିବା ପିଅନ । ମନେକର ଆଜି ରାତିରେ ଏ ଅଫିସ୍‌ରେ ଚୋର ପଶିଲା—ତୁ କଅଣ କରିବୁ ? ଫୋନ୍‌ କରିବୁ ତ ମୋ ପାଖକୁ କି ପୁଲିସ୍‌କୁ—ନା କ’ଣ ? ଆଚ୍ଛା, କଲୁ କଲୁ ରିଂ କଲୁ ପୁଲିସ୍‌ ଷ୍ଟେସନ୍‌କୁ । କର ଦେଖିବା, ତତେ ଫୋନ୍‌ କରି ଆସେ କି ନାଇଁ—ଦେଖା ତୋ ବିଦ୍ୟାବୁଦ୍ଧି । ଏମିତି ତ କହି ପାରନ୍ତେ ନାହିଁ ଆମେ ତାକୁ, ଖାଲି ପଚାରିଲେ—ତମେ ଗାଁରେ ଥାଅ ? ଗାଁରେ ଫୋନ୍‌ ଅଛି ? ଗାଁରେ ଘରେ ଚୋର ପଶିଲେ ତମେ ସିନା ପାଟିତୁଣ୍ଡ କର । ଏଠି କିନ୍ତୁ ଫୋନ୍‌ କରି ପୁଲିସକୁ ଡାକିବାକୁ ହବ । କଲ୍‌ ଗୋଟାଏ କଲ୍‌ ପୋଲିସଷ୍ଟେସନ୍‌କୁ । ଏଥିରେ କୁହ କି କ୍ରୁଏଲ୍‌ଟି କଲୁ ଆମେ ? ଯଦି ସେ ଲୋକ ଫୋନ୍‌କୁ ମାଉଥ୍‌ ଅର୍ଗାନ ଭଳି ମୁହଁରେ ଦେଇ ହାଲୋ ହାଲୋ ବୋବେଇଲା ସେ ଫେଲ୍‌ ହବ ନାଇଁ ତ ଆଉ ହଅନ୍ତା କଣ ? ଏଇ ହେଲା ରିଏଲିଟି, ନରେନ୍‌ ! ଛାଡ଼, ଭୁଲିଯାଅ ସେସବୁ କଥା । କିପ୍‌ ଅଲ ଦିସ୍‌ ସିକ୍ରେଟ୍‌....’

 

ନରେନ୍‌ ଘୁଞ୍ଚିଗଲା । ନିଜର ବ୍ରିଫ୍‌କେସ୍‌ଟି ଧରି ଡାଇରେକ୍ଟର ପରଦା ଆଡ଼େଇ ବାହାରିଗଲେ ପୋର୍ଟିକୋରେ ରହିଥିବା ଗାଡ଼ି ପାଖକୁ ।

 

ନିଜର କାଗଜପତ୍ର ସଜାଡ଼ି ସାରି ନରେନ୍‌ ମଧ୍ୟ ବାହାରି ଆସିଲା । ହଠାତ୍ ପରଦା ସେପଟେ ଠିଆହୋଇଥିବା କୌଣସି ଜଣେ ଲୋକ ସହିତ ଧକ୍‌କା ଖାଉ ଖାଉ ନିଜକୁ ସମ୍ଭାଳିନେଲା ସେ । ଲୋକଟା ପଚାରିଲା—‘‘ବାବୁ, ମୋର କ’ଣ ହେଲା ଆଜ୍ଞା !’’

 

ଚମକି ପଡ଼ିଲା ନରେନ୍‌ । ଗୋଟାଏ ଭୂତ ପରି ସେଇ କଳା ବସନ୍ତମୁହାଁ ଧେଡ଼େରା ଲୋକଟାକୁ ଏଭଳି ମୁହାଁମୁହିଁ ପୁଣିଥରେ ଭେଟିବ ବୋଲି ଆଦୌ ଭାବି ନଥିଲା ସେ ।

 

ନିଜକୁ ଯଥାସମ୍ଭବ ସଂଯତ କରି ନରେନ୍ ଲୋକଟାକୁ ଭୁଲେଇ ଦେଲା ଭଳି କହିବାକୁ ଚେଷ୍ଟା କରୁଥିଲା—‘‘ତମେ କାଲି ଆସ । ମୋ ଷ୍ଟେନୋ ତମକୁ ଶିଖେଇଦେବ କେମିତି ଟେଲିଫୋନ୍‌ କରିବାକୁ ହୁଏ ଏଠି, ଏସବୁ ଅଫିସଗୁଡ଼ାକରେ ବୁଝିଲ ତ ?’’

 

ଲୋକଟି କାନ୍ଦୁଥାଏ କି କଅଣ । ଗୋଟାଏ ଅଦ୍ଭୁତ ପ୍ରକାରର ନିଃଶ୍ୱାସ ବାହାରି ଆସୁଥାଏ ତା ଛାତି ଥରେଇ ପଞ୍ଜରା ଭିତରୁ । କିନ୍ତୁ... ସେ ନିଃଶ୍ୱାସ କାନ୍ଦର ନୁହେଁ—କ୍ରୋଧର ବି ନୁହେଁ ।

 

ଗୋଟାଏ ଗଣତନ୍ତ୍ରରେ ପ୍ରତିଦିନ ଇଣ୍ଟରଭ୍ୟୁ ନାମକ ହାଣକୁରାଢ଼ୀ ତଳେ ବଳିପଡ଼ି ସାରିଥିବା ଲକ୍ଷ ଲକ୍ଷ ନାଗରିକ ସହରର ପାନ ବିଡ଼ି ଚା’ଦୋକାନ ବା ସିନେମା ଘର ସାମନାରେ ଯେଉଁଭଳି ସରଳ ଅମାୟିକ ହସରେ ଦୁନିଆର ଜାଲିଆତିକୁ ଈର୍ଷାଶୂନ୍ୟ ଭାବେ ପ୍ରତିଫଳିତ କରୁଥାନ୍ତି ସେହିପରି ଏକ ବିଜ୍ଞ ହସ ସେ । ସେଇ ହସରେ ହସରେ କହିଗଲା ସେ—

 

‘‘ମୁଁ ଜାଣିଚି ଆଜ୍ଞା ! ଯାହା ଚାଲିଚି ଏଠି ସବୁ ଜଣା ଆମକୁ । କିଛି ଚୋରାଲୁଚା ନାହିଁ । ଗୁପ୍ତ ନାଇଁ, ଆଜ୍ଞା ! ଏଥରକ ଟେଲିଫୋନ୍‌ ପ୍ରଶ୍ନ ପଡ଼ିଗଲା, ସାର୍‌ । ଆର ଥରକୁ ଆହୁରି କ’ଣ ପଡ଼ିବ କିଏ ଜାଣେ ? ତେବେ ମତେ ଆଉ ଦେଖିବେ ନାଇଁ ଆଜ୍ଞା, ଆରଥର । ଏକଶ୍ଚେଞ୍ଜ କହି ଦେଇଚି—ଆଉ ନାହିଁ, ଆଉ ପଠେଇବ ନାଇଁ ମୋ ନାଁ...ଏଥରକ ବହୁ କଷ୍ଟରେ ଟଙ୍କା ପଚାଶଟା ଯୋଗାଡ଼ କରିଥେଲି... ଆଉ ପାରିବି ନାହିଁ, ପାରିବି ନାହିଁ ବାବୁ ।’’

Image

 

ଗାଈ ଖୋଜିବା ନା ବାଘ ଜଗିବା

 

ପୁରୀ ଜିଲ୍ଲା ଗୋଟିଏ ଗାଁ । ଦୁଇ ଭାଇ ଥିଲେ—ଦିବା ହୋତା, ସରବା ହୋତା । ତାଙ୍କ ବାପ ମା କୁଆଡ଼େ ପାଗଳ ଥିଲେ । ତେଣୁ ପୁଅ ଦିହେଁ ପାଗଳ ହେବେ, ଏ ତ ଓ୍ୱାଜିବ କଥା ।

 

ଗାଁବାଲାଏ ଭାଇ ଦୁହିଁଙ୍କୁ ଏକଘରକିଆ କରିଦେଲେ । ପିଲା ଯୋଡ଼ିକ କଅଣ କରନ୍ତେ ଆଉ ? ଘର ଭିତରେ ଥାଇ ଗାଁବାଲାଙ୍କୁ କବାଟ କିଳି ଦେଲେ । ଧୀରେ ଧୀରେ ପିଲା ଯୋଡ଼ିକ ବଢ଼ିଲେ । ବଡ଼ ହେଲେ । କିନ୍ତୁ ଗାଁବାଲାଙ୍କ ଦୃଷ୍ଟିରେ ମଣିଷ ହେଲେ ନାଇଁ—ଅମଣିଷ ହେଇ ରହିଗଲେ ।

 

ଦିବା ସରବା ଦି’ଭାଇ ଭାରି ସାଙ୍ଗ । ଦିହେଁ ଅଭିଆଡ଼ା । ତାଙ୍କୁ ତ ଗାଁବାଲା ଏକ ଘରକିଆ କରିଥାନ୍ତି—କନ୍ୟା ମିଳନ୍ତେ କୁଆଡ଼ୁ । ତେଣୁ ଦି’ ଭାଇ ଅଭିଆଡ଼ା ହେଇ ରହିଗଲେ । ସାଙ୍ଗ ହେଲେ । ପରସ୍ପରରେ ସ୍ନେହ ସୌହାର୍ଦ୍ଦ୍ୟ ରଖି ଚଳି ଯାଉଥିଲେ । ଘର ଭିତରୁ ଦୁଇ ଭାଇଙ୍କର ହସଖୁସି ଗପସପ ବାହାରକୁ ଶୁଭେ । ଶୁଣନ୍ତି ଗାଁବାଲାଏ । ଆଶ୍ଚର୍ଯ୍ୟ ହୁଅନ୍ତି ଲୋକେ । ଯୋଡ଼ାଏ ବାୟା ଏକାଠି ରହୁଛନ୍ତି, ଏକା ଘରେ । କଳି ନାଇଁ କି ଗୋଳ ନାଇଁ । କାବା ହ’ନ୍ତି ବୁଢ଼ାବୁଢ଼ୀମାନେ ।

 

ତେବେ ଦିନେ ଦିନେ ଦିବା ସରବାଙ୍କ ଭିତରେ କଳି ବି ଲାଗେ । ଗାଁବାଲାଏ ଶୁଣନ୍ତି । କାନ ପାତି ଶୁଣନ୍ତି । କିନ୍ତୁ କେହି ଆସନ୍ତି ନାଇଁ ଭାଇ ଦୁହିଁଙ୍କ ଝଗଡ଼ା ଭାଙ୍ଗି ଦେବାକୁ, ମିଳାମିଶା କରାଇ ଦେବାକୁ । କିନ୍ତୁ ଗାଁବାଲାଏ ଭାଇଙ୍କ ଗଣ୍ଡଗୋଳରୁ ଯେତେ ସୁଖ ଉପୁଜିବ ବୋଲି ଆଶା କରୁଥାନ୍ତି, ସେତେ ସୁଖ ଉପୁଜେ ନାଇଁ । ବାୟା ଯୋଡ଼ାକ ପୁଣି ମିଳିମିଶିଯାନ୍ତି । ଝଗଡ଼ା ବନ୍ଦ ହେଲେ ହେଁ ହେଁ ଫେଁ ଫେଁ ଶବ୍ଦ ଶୁଣାଯାଏ ପୁଣିଥରେ ଦିବା ହୋତା ସରବା ହୋତାଙ୍କ ଏକଘରିକିଆ ଘରଟାର ରୁନ୍ଧା କବାଟ ଖିଡ଼ିକି ସନ୍ଧିରୁ । ଗାଁବାଲାଏ ମନ ମାରିଦେଇ ପୁଣି ଅପେକ୍ଷାରେ ରହନ୍ତି ଭବିଷ୍ୟତକୁ । ବାୟା ପାଗଳା ଟୋକା ଯୋଡ଼ାକ କେତେ ଦିନ ଭାଇପଣିଆ କରି ଏକା ଏକା ରହି ଚଳିବେ ଏ ଭବ ସଂସାରରେ ଦେଖିବାକୁ ହାଇଁପାଇଁ ହଉଥାଏ ସବୁରି ମନ ଗାଁ ଭିତରେ ।

 

ବାହାର ଦୁନିଆର ଏଇ ଅପେକ୍ଷମାଣତା ଅନ୍ତରାଳରେ ଦିବା-ସରବାଙ୍କ ଭ୍ରାତୃଲୀଳା ଦୃଶ୍ୟମାନ ହୁଏ ପ୍ରାୟ ଏକ ନିର୍ଦ୍ଦିଷ୍ଟ ରୀତିରେ । ଭାଇ ଦୁହେଁ ଗାଁ ଗୋହିରି ଦେଇ ଲୋକଲୋଚନ ଅନ୍ତରାଳରେ ଗତି କଲାପରି ଲୁଚିଛପି ଯା’ଆସ କରିବାର ଦେଖାଯାଏ ଥରେ ଥରେ । ତେବେ, ଗାଁ ମଝିଦାଣ୍ଡରେ ଦିବା-ସରବାଙ୍କ ପାଇଁ ରାସ୍ତା ତ ବନ୍ଦ କରି ଦିଆଯାଇଥାଏ ସାମାଜିକ ବାସନ୍ଦ ପ୍ରକାରେ, ତେଣୁ ସେ ଦୁହେଁ ଗାଁ ଦାଣ୍ଡବାଟେ ଯାଆସ ନକରି ବାଡ଼ିପଟେ ବାଟଟିଏ ଫିଟେଇଥାନ୍ତି ବାହାର ଦୁନିଆକୁ କୋଉ ଖଞ୍ଜରେ । ବାଡ଼ିପଟ ଗୋହିରୀଏ ଗୋହିରୀଏ ଗଳିପଶି କୁଆଡ଼େ ବାହାରିଯାନ୍ତି ଟୋକା ଯୋଡ଼ାକ । ପୁଣି ସେଇଭଳି ଫେରି ଆସନ୍ତି ବି ଘରକୁ ବାଡ଼ିପଟେ । ସେମାନଙ୍କର ଏ ଗଳାପଶା ଚଳପ୍ରଚଳ ଲୋକଙ୍କୁ କୌତୁକ ପ୍ରାୟ ଲାଗେ । ‘‘ବୋପା ମା’ଙ୍କ ଛୁଆ ତ-!’’ ମୁରବି ସ୍ଥାନୀୟ କକେଇ ବି ଦଦେଇମାନେ କହିବାର ଶୁଣାଯାଏ, ‘‘ବୋପା ତ ପାଗଳ ହେଇ ମଲା; ମା’ ତାଠୁ ବଳେ—ପୁଏ ଆଉ କଅଣ ହ’ନ୍ତେ ? ସେଇ ବାୟା, ସେଇ ପାଗଳା । ଦେଖିଲଣିନା ତାଙ୍କ ଚେହେରାଟାମାନ ! ଯୋଡ଼ାଏ ଭୂତ ! ଭେଟଣା ହେଇଯିବ ମଣିଷର ଦୃଷ୍ଟି ପଡ଼ିଗଲେ !’’

 

ଦିବା ସରବା ବାୟା ହଳକ ଅବଶ୍ୟ ଗାଁ ଲୋକଙ୍କୁ ଭେଟଣା କରିବାକୁ ଗାଁ ବାଡ଼ିପଟ କିଆବଣ କି ଖିରିକୋଳି ଭଇଁଚି କୋଳି ବୁଦାରେ ଭର୍ତ୍ତି ଲଟି ବା ବଣ ଆଡ଼େ ସେଭଳି ଲୁଚିଛପି ଯା’ଆସ କରୁନଥାନ୍ତି । ସେମାନେ ଭୂତ ଭଳି ଦିଶନ୍ତି; ତେବେ ଭୌତିକ ଜଗତରେ ବାସ କରନ୍ତି ନାହିଁ । ଏହାର ପ୍ରମାଣ—ସେ ଦୁଇ ବାୟାଙ୍କ ମଝିରେ ଯୋଗସୂତ୍ର ସ୍ୱରୂପ ରହିଥାଏ ଏକ ପାର୍ଥିବ ପ୍ରାଣୀ—ଗୋଟିଏ ଗାଈ । ଦିବା ସରବାଙ୍କ ସଂସାର ଏଇ ଗାଈଟିକୁ କେନ୍ଦ୍ର କରି । ଗାଈଠାରୁ ବାଛୁରୀ ପାଇବା କି କ୍ଷୀର ଦୁହିଁବା ତାଙ୍କ କଳ୍ପନାକୁ ଉଚ୍ଚାଟିତ କରିନାହିଁ କେବେ । କିନ୍ତୁ ଗାଈଟି ପ୍ରତି ଅତ୍ୟନ୍ତ ଅନୁରକ୍ତ ସେ ଦୁହେଁ । ଗାଈକୁ ଚରେଇବା, ବୁଲେଇବା, ହେପାଜତ୍ କରିବାରେ ସକାଳ—ସନ୍ଧ୍ୟା କାଳ ବିତିଯାଏ ଭାଇଙ୍କର । ଗୁହାଳରେ ଗାଈ ବନ୍ଧା ହେଉଥିଲା ବେଳେ ଦୁଇଭାଇ ମଧ୍ୟ ଲାଗିଥାନ୍ତି ତା ସାଙ୍ଗରେ । କିଏ ଟିଙ୍କ ବାଛୁଥାଏ ତ କିଏ ତା ଗଳାର କମ୍ୱଳକୁ ଆଉଁସି ଆଉଁସି ବାୟାଙ୍କ ଭଳି କେତେ କଅଣ ଗପିଯାଉଥାଏ, ହସି ହସି ଗଡ଼ୁଥାଏ ତ କାନ୍ଦି କାନ୍ଦି ଲୁହ ସିଂହାଣି ହୋଇ ପଡ଼ୁଥାଏ । ଭାଇ ଦୁହିଁଙ୍କ ଏ ଅଭୁତ ଗୋ-ସେବାର ଦୃଶ୍ୟ ଜଳାକବାଟି ବାଟେ ଗାଁ ପିଲାଙ୍କୁ ଦିଶେ । ପିଲାମାନେ ବୁଝିପାରନ୍ତି ନାଇଁ କିଛି ସେ ଦୃଶ୍ୟରୁ । ଥଟ୍ଟା ନକଲ ଆରମ୍ଭ କରନ୍ତି, ନହେଲେ ପରମୁହୂର୍ତ୍ତରେ ଦିବା-ସରବାଙ୍କୁ ସମ୍ୱୋଧନ କରି କଅଣ ନାଇଁ କଅଣ କହୁ କହୁ ଅଯଥାରେ ଗୁଡ଼ାଏ ଢେଲା ବର୍ଷଣ କରି ଦିବା-ସରବା ସମେତ ତାଙ୍କ ପ୍ରେମାସ୍ପଦ ଏକମାତ୍ର ଜୀବଟିକୁ ଫୁରୁକୁଟି ମାରି ଡେଇଁବା ଆଡ଼େ ଉସ୍କେଇଦିଅନ୍ତି ।

 

ସେତେବେଳେ ଦିବା ସରବା ବାସ୍ତବିକ ଉତ୍‌କ୍ଷିପ୍ତ ହୋଇ ଉଠନ୍ତି । ପିଲାଏ ତାଙ୍କ ଉପରେ ନଜର ରଖୁଛନ୍ତି ଜାଣିଲେ ଦିବା-ସରବାଙ୍କ ସତକୁସତ ବାୟା ହୋଇଯାନ୍ତି । ଦିବା ଦାଣ୍ଡ କବାଟ ଖୋଲିଦିଏ ସେତେବେଳେ । ତା ହାତରେ ମସ୍ତ ଏକ ଠେଙ୍ଗା । ପିଲାଙ୍କ ଆଡ଼କୁ ମାଙ୍କଡ଼ ଖେଦିଲା ଭଳି ଖେଦି ଆସେ ଦିବା । ସରବା ଘର ଭିତରୁ କୁହାଟ ମାରେ—‘ଧ-ଧ-ଧ-ଧ ।’ ପିଲାଏ ଡରିଯାନ୍ତି । ପଳାନ୍ତି । ଭାଇ ଦୁହେଁ ତତ୍‌କ୍ଷଣାତ୍ ଦାଣ୍ଡ କବାଟ କିଳିଦେଇ ପଶିଯାନ୍ତି ନିଜ ଘର ଭିତରକୁ । ସେଇଠୁ ଦୁହେଁ ମିଶି ଗାଈକୁ ଆଉଁସାଆଉଁସି କରନ୍ତି । ତାକୁ ପ୍ରବୋଧ ବାକ୍ୟ ଶୁଣାନ୍ତି । ଧୈର୍ଯ୍ୟ ଧରିବାକୁ ଗୋ’ମାତାକୁ ଉପଦେଶ ଦେଉ ଦେଉ ଆଗ ବଡ଼ଭାଇ ଦିବାର ବକର ବକର ରୋଗ ଆରମ୍ଭ ହୋଇଯାଏ । ଦିବାର ରୋଗ ହେଲା ଏଇ—ବକର ବକର ଭଟର ଭଟର । ତାକୁ ଚିଡ଼େଇଦେଲେ ସେ ଯଦି ବକର ବକର ହବା ଆରମ୍ଭ କଲାତ କାଠିକର ପାଠ ଚୁପ୍‌ ହବାକୁ । କିନ୍ତୁ ସାନଭାଇ ସରବାର ମୁଣ୍ଡ ଏତେ ଶୀଘ୍ର ବିଗିଡ଼ି ଯାଏନା । ବରଂ ବଡ଼ ଭାଇର ମଗଜ ଥଣ୍ଡା କରିବାକୁ ସେ ସବୁବେଳେ ତତ୍ପର । ଏଥିପାଇଁ ସରବାର ମାର୍ଗ ହେଲା ବଡ଼ ଭାଇ ଦିବା କାନରେ ଉପଦେଶାମୃତ ବୃଷ୍ଟି କରିବା । ଦିବା ସରବାର ଉପଦେଶ ଶୁଣେ । ଦୁହେଁ ଗାଈକୁ ଗୁହାଳରେ ଏକା ଛାଡ଼ିଦେଇ ଆସନ୍ତିଭାରି ଘର ଭିତର ଅଗଣାକୁ । ଅଗଣାରେ ପଡ଼ିଥାଏ ଖଣ୍ଡେ ବଡ଼ ପଥର । ଦି ଭାଇ ବସନ୍ତି ସେ ପଥର ଖଣ୍ଡକ ଉପରେ । ସରବା ଶାସ୍ତ୍ର ଆଲୋଚନା କଲା ଢଙ୍ଗରେ ଚକାଟିଏ ପକାଇ ସେଠାରେ ବସିପଡ଼େ । ସେଇଠୁ ଚାଲେ ଶାସ୍ତ୍ରଚର୍ଚ୍ଚା । କିନ୍ତୁ କି ଶାସ୍ତ୍ର ସେ ? କେଉଁସବୁ ଶ୍ଲୋକ ସେଗୁଡ଼ାକ ? ଗାଁ ଲୋକେ ସ୍ପଷ୍ଟ ଶୁଣିପାରୁଥାନ୍ତି ସରବାର ଉଚ୍ଚବାଚ । ବାହାରେ ପୁରୁଖା ପୁରୁଖା ବ୍ରାହ୍ମଣ ପଣ୍ଡିତଙ୍କ ଭିତରେ ସରବାର ଶାସ୍ତ୍ର ଓ ଶ୍ଲୋକାବୃତ୍ତି ଯୁଗପତ୍ କୌତୂହଳ ଓ ବିସ୍ମୟ ସୃଷ୍ଟି କରେ । ସେମାନେ କିଛି ଠଉର କରି ପାରନ୍ତି ନାହିଁ ସେଥିରୁ । କିନ୍ତୁ ସରବା ଅନର୍ଗଳ ଉପଦେଶାମୃତ ବର୍ଷଣ କରିଚାଲେ ବଡ଼ଭାଇ ଦିବାକରର କର୍ଣ୍ଣକୁହରରେ । ଦିବାର ବକର ବକର ଭଟର ଭଟର କ୍ରମେ ଥମି ଆସେ । ସେ ସୁସ୍ଥ ହୋଇଉଠେ । କିନ୍ତୁ ସରବାର ଶାସ୍ତ୍ରଚର୍ଚ୍ଚା ଶେଷ ହୁଏ ନାହିଁ । ରାତି ଗଡ଼ି ଯାଏ । ଖିଆପିଆ ଭୁଲି ଦୁଇଭାଇ ମାତିଥାନ୍ତି ଶାସ୍ତ୍ରଚର୍ଚ୍ଚାରେ । ଶେଷରେ ବଡ଼ଭାଇ ଦିବାର ସୁସ୍ଥ ମସ୍ତିଷ୍କରୁ ଶୁଭ ବୁଦ୍ଧି ଉଦୟ ହୁଏ । ସାନ ଟୋକା ସରବାର ପାଗଳାମି ଭଲ କରିବାକୁ ତତ୍ପର ହୋଇପଡ଼େ ସେ । କୌଣସି ପ୍ରକାରେ ସରବାର ଶାସ୍ତ୍ରଚର୍ଚ୍ଚା ସମାପ୍ତ ହେଲା ପରେ ଦୁଇ ଭାଇ ଉଠନ୍ତି ପଥର ଉପରୁ । ଚାଲନ୍ତି ହାଣ୍ଡିଶାଳ ଆଡ଼େ । ହାଣ୍ଡିରେ ପଖାଳ ଗଣ୍ଡାଏ ସଦାବେଳେ ମହଜୁଦ ରହିଥାଏ । ଦୁଇ ଭାଇ ଖାଇ ବସନ୍ତି । ଖାଉ ଖାଉ କଅଣ କଥା ପଡ଼େ କେଜାଣି—ଆରମ୍ଭ ହୁଏ ହସ—ନହେଲେ କାନ୍ଦ । ସାରାରାତି ସେଇ ହସ ନ ହେଲେ କାନ୍ଦର ସ୍ୱର ଅସ୍ଥିର କରିପକାଏ ବାହାର ଦୁନିଆକୁ । ଗାଁବାଲା କାନରେ ସୋଲବିଣ୍ଡା ମାରିଦିଅନ୍ତି । ଚୁପ୍‌ଚାପ୍‌ ଶୋଇଯାନ୍ତି । ସକାଳକୁ ଦିବା ସରବାଙ୍କ ହସକାନ୍ଦ ଆଉ ନଥାଏ । ସେମାନେ ବାଡ଼ି ଗୋହିରି ବାଟେ ଗାଈଟିକୁ ଅଡ଼େଇ ଅଡ଼େଇ ପଳେଇ ଯାଇଥାନ୍ତି ଦୂର ଲଟି-ବଣ ଆଡ଼େ । ଗାଁରେ ଶାନ୍ତି ବିରାଜେ ।

 

ଏମିତି ଏମିତି ଦିନ କଟିଯାଉଥାଏ । ଦିନେ ଆସି ପହଞ୍ଚିଗଲା ବିଷମ ସମସ୍ୟା । ସେଦିନ ଗାଁ ପାଖ ଗୋଚର ପଡ଼ିଆରେ ଚରୁଥିବା ଗାଈଟା ହଠାତ୍ କେଉଁଆଡ଼େ ଚାଲିଗଲା—ଆଉ ଫେରିଲା ନାଇଁ ଗୁହାଳକୁ । ଦିବା ସରବା ଘରେ ଥିଲେ । ଗାଈଟା ପଡ଼ିଆରେ ଚରୁଥିବା ଯୋଗୁ ତା ଆଡ଼କୁ ଆଖି ରଖିପାରି ନଥିଲେ । ସରବା କଅଣ ପାଇଁ ବାହାରକୁ ଆସିଥାଏ । ପଡ଼ିଆରେ ଗାଈକୁ ନଦେଖି ମୁଣ୍ଡ ବିଗିଡ଼ିଗଲା ତାର । ଘରକୁ ଦଉଡ଼ି ଆସି ଦିବାକୁ ଡାକ ପକେଇଲା, ‘‘ଭାଇନା... ଗାଈ-? ଗାଈ ଆସିଲାଣି କି ଗୁହାଳକୁ ?’’ ଦିବା ଗୁହାଳ ଅଣ୍ଡାଳି ପକେଇଲା । ଗୁହାଳରେ ଗାଈ ନାହିଁ ଦେଖି ମୁଣ୍ଡରେ ତାର ନାନା ଦୁଶ୍ଚିନ୍ତା ଖେଳିଗଲା ।

 

ପୁରୀ ଜିଲ୍ଲାର ଏଇ ଗାଁଟି ସମୁଦ୍ର କୂଳଠୁଁ ବେଶୀ ଦୂର ନୁହେଁ । ଗାଁ ପାଖକୁ ଲାଗି ଯୋଉ ଲଟିବଣଟି ବୁଦୁବୁଦୁକିଆ ହୋଇ ଦିଶେ, ଧୀରେ ଧୀରେ ସେ ବଣ ଗହନରୁ ଗହନତର ହେଇ ବ୍ୟାପୀ ଯାଇଚି ସମୁଦ୍ର ତୀର ଯାକେ । ସେ ବଣରେ ବାଘ ଥାନ୍ତି । ବଡ଼ ନୁହେଁ—ଛୋଟ ବାଘ । ବାଲି ହରିଣ ବି ପ୍ରଚୁର । ବାଘମାନେ ଏଇ ବାଲିହରିଣ ଆହାର କରି ବଣରେ ବଞ୍ଚିବା କଥା । କିନ୍ତୁ ଥରେ ଥରେ ଗୋଟାଏ ଗୋଟାଏ ଦୁର୍ଦ୍ଦାନ୍ତ ବାଘ ବାହାରି ଆସନ୍ତି ଲଟିରୁ । ଗୋରୁଗାଈ, ମେଣ୍ଢା, ଛେଳି ମାରନ୍ତି ଏଇମାନେ । ଗଲା କେତେଦିନ ହେଲା ଏମିତି ଗୋଟାଏ ବାଘର ଆବିର୍ଭାବ ବିଷୟରେ ଦିବା ସରବା ଭାଇ ଦୁହେଁ ଆଶଙ୍କା କରୁଥିଲେ କେତେକ କାରଣରୁ । ବର୍ତ୍ତମାନ ଖୋଲା ପଡ଼ିଆରେ ଚରୁଥିବା ଗାଈଟା ଅନ୍ତର୍ଦ୍ଧାନ ହୋଇଯିବା ଦେଖି ଭାଇ ଦୁହିଁଙ୍କର ସନ୍ଦେହ ନିର୍ଦ୍ଦିଷ୍ଟ ରୂପନେଇ ଠିଆ ହେଇ ପଡ଼ିଲା ସେମାନଙ୍କ ସାମ୍ନାରେ ।

 

ଦିବା ସରବାଙ୍କ ଗୋ-ଏଷଣା ଅବଶେଷରେ ଏକ ପ୍ରଗାଢ଼ ଗବେଷଣାର ସାମଗ୍ରୀ ହୋଇ ମୁଣ୍ଡ ଟେକିଲା ଭାଇ ଦୁଇଙ୍କ ଆଖିରେ । ସେମାନେ ଚତୁର୍ଦ୍ଦିଗ ଗାଈକୁ ଖୋଜି ଖୋଜି ଶେଷରେ ହାଲିଆ ହୋଇଗଲେ । ବସିପଡ଼ିଲେ ଠାଏ । ସେତେବେଳକୁ ଦିନ ରତରତ । ଚାହୁଁ ଚାହୁଁ ମାଡ଼ି ଆସୁଚି ଅନ୍ଧାର । ଦିବା ସରବାଙ୍କ ଅଛିଣ୍ଡା ବିଚାର ସେଇ ଅନ୍ଧାର ସମ୍ମୁଖରେ କିଭଳି ଛିଣ୍ଡିବ ସେଇ ମୁହୂର୍ତ୍ତକୁ ଅପେକ୍ଷା କରୁଥାନ୍ତି ଭାଇ ଦୁହେଁ । ହଠାତ୍‌ ତର୍କବିଦ୍ୟାରେ ସର୍ବଦା ଶେଷ ସିଦ୍ଧାନ୍ତରେ ଉପନୀତ ହେବାର ଦକ୍ଷତା ପ୍ରଦର୍ଶନ କରିପାରୁଥିବା ସାନ ଭାଇଟିର ତୁଣ୍ଡରୁ ବାହାରି ପଡ଼ିଲା, ‘‘ଦେଖ ଭାଇନା, ଆଗରେ ଯୋଡ଼ିଏ ରାସ୍ତା । ମୋଟେ ଯୋଡ଼ିଏ ବାଟ ଏ ଗବେଷଣାରେ । ଗୋଟିଏ ହେଲା ଗାଈ ଖୋଜିବା, ଅନ୍ୟଟି ବାଘ ଜଗିବା ।’’

 

ସାନ ସରବାର ଏ ଦାର୍ଶନିକ ଦ୍ୱିଧା ବଡ଼ ଦିବାକରକୁ ସଦାବେଳେ ଭ୍ରମରେ ପକାଏ । ଦିବା ସରବା ମୁହଁକୁ କାବା ହେଇ ଅନେଇ ପଚାରିଲା, ‘‘କଅଣ କହିଲୁ ?’’

 

ସରବା ବ୍ୟାଖ୍ୟା ଆରମ୍ଭ କରିଦେଲା । କହିଲା, ‘‘ଜଗତରେ ଯାବତ୍‌ ବ୍ୟାପାରର ମାର୍ଗ ଦୁଇ ପ୍ରକାର, ଭାଇନା । ଗୋଟିଏ ମାର୍ଗ ପିଣ୍ଡ ଆଡ଼କୁ, ଅନ୍ୟଟି ବ୍ରହ୍ମାଣ୍ଡ ଆଡ଼କୁ । ଆମ ଆଗରେ ପିଣ୍ଡ ମାର୍ଗ ଛଡ଼ା ଆଉ ତ କିଛି ମାର୍ଗ ଏଇଲେ ନାହିଁ, ଭାଇନା । ରାତି ଆସିଗଲା । କୃଷ୍ଣପକ୍ଷ । କିଟିକିଟି ଅନ୍ଧାର କେମିତି ମାଡ଼ି ଆସୁଛି ଦେଖୁଛ ? ଶୀଘ୍ର ବିଚାର କର—କେଉଁ ମାର୍ଗ ଧରିବା । ରାତିଯାକ ବଣରେ ବୁଲିବୁଲିକା ଗାଈ ଖୋଜିବା ନା ବାଘ ଜଗିବା ? କେଉଁ ମାର୍ଗ ଧରିବା ?’’

 

ଦିବା ପଡ଼ିଗଲା ମହା ଦ୍ୱନ୍ଦ୍ୱରେ । ସାନଭାଇ ସରବାର ପ୍ରଶ୍ନ ଏତେବେଳେକେ ଭେଦିଲା ଯାଇ ମର୍ମରେ । ସମସ୍ୟାଟା ପ୍ରାଞ୍ଜଳ ହୋଇ ଦିଶିଲା । ଗୋଟାଏ ଅଜଣା ଜଗତକୁ ଅଣ୍ଡାଳି ଅଣ୍ଡାଳି ସେମାନେ ଗାଈଟିକୁ ଠାବ କରିବେ ନା ସେଇ ଅଜଣା ଜଗତର ଯେଉଁ ମାର୍ଗ ଦେଇ ତାଙ୍କ ପ୍ରିୟ ଗାଈଟିର ନିଶ୍ଚିତ ଶତ୍ରୁ ବାଘ ପ୍ରବେଶ କରିବ ଆଜି ରାତିରେ ତାଙ୍କ ଜ୍ଞାତ ଜଗତକୁ, ସେ ମାର୍ଗଟିକୁ ଠାବକରି ବାଘର ଗତିପଥ ରୋଧ କରିବେ—ସମସ୍ୟାଟି ଏଇଭଳି ପ୍ରତିଭାତ ହେଲା ବଡ଼ଭାଇ ଦିବାକରର ଦୃଷ୍ଟିରେ ।

 

ଅନ୍ଧାର ଘନରୁ ଘନତର ହେବାକୁ ଲାଗିଥାଏ । ଅଦୂରରୁ ଗାଁର ଆଲୁଅ ମିଟିମିଟି ଆଖିରେ ଅନାଉଥାଏ ଭାଇଦୁହିଁଙ୍କ ଦିଗରେ । ଅଳ୍ପ ସମୟ ପରେ ସେ ଆଲୁଅଟି ମଧ୍ୟ ଲିଭିଗଲା ପରି ଦିଶିଲା ।

 

ବଡ଼ଭାଇ ଦିବାକରର ଚିନ୍ତାରେ ଏକ ଯବନିକା ପଡ଼ିଗଲା ପରି ବିଚାରଟିଏ ଉଦୟ ହୋଇଉଠିଲା । ‘‘ବୁଝିଲୁ ସରବା’’—ଦିବାକର ସାନଭାଇ କାନ୍ଧରେ ହାତଟିଏ ରଖୁରଖୁ ନିଜର ସିଦ୍ଧାନ୍ତ ଜ୍ଞାପନ କଲା, ‘‘ବାଘକୁ ଜଗିବା ।’’

 

ସରବା ଚମକିପଡ଼ିଲା । ପଚାରିଲା—‘‘କଅଣ କହିଲ ?’’

 

ଦିବାକର ବାଖ୍ୟାନ କଲା—‘‘ଶୁଣ, ଗାଈକୁ ଖୋଜିବା ବୃଥା । ଏ ଅନ୍ଧାରକୁ ଚାହାଁ । ୟା ଭିତରେ ଗାଈ କାହିଁ, କୋଉଠି, କିଏ କହିପାରିବରେ ବାବୁ ! କିନ୍ତୁ ଏଇ ଅନ୍ଧାରରେ ଲଟି ଆଡ଼କୁ ଅନା । ଲଟିରୁ ବାଘ ବାହାରିବ ନିଶ୍ଚେ । ବାଘ ତ ଚାରିପଟ ଅନ୍ଧାରରୁ ବାହାରିବ ନାହିଁ—ବାହାରିବ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରୁ । ସେଇଟା ହେଲା ଲଟି । ବର୍ତ୍ତମାନ ଆମେ ପ୍ରାୟ ଲଟିର ସେଇ ଅଞ୍ଚଳରେ ବସିଚେ ଯୋଉଠି ପ୍ରବେଶ ପଥ ଲଟି ଭିତରକୁ—ଅର୍ଥାତ୍‌ ବାଘର ଆବିର୍ଭାବର ପଥ ଉପରେ ହିଁ ଆମେ ପ୍ରାୟ ପହଞ୍ଚି ସାରିଛେ । ବର୍ତ୍ତମାନ ଆମର ଦୃଷ୍ଟି ନିବଦ୍ଧ ହେବା ଆବଶ୍ୟକ ସେଇ ମାର୍ଗ ଉପରେ ଯେଉଁ ବାଟେ ବାଘ ବାହାରିବ ବଣରୁ । ଏହା ତ ନିର୍ଦ୍ଦିଷ୍ଟ—ନା କିଛି ସନ୍ଦେହ ଅଛି ଏଥିରେ-? କିନ୍ତୁ ଗାଈ ଅନିର୍ଦ୍ଦିଷ୍ଟ । ତାର ସ୍ଥିତି ବିଷୟରେ ଆମେ କିଛି ଜାଣୁନା । ତେଣୁ ବାଘକୁ ନ ଜଗି ଗାଈ ଖୋଜିବା ଆମ ପକ୍ଷରେ ମୂର୍ଖତା ହେବରେ ସରବା !’’

 

ସାନ ଭାଇ ସରବା ଶାସ୍ତ୍ରଜ୍ଞ । ବିପଦ ବେଳେ, ବଡ଼ଭାଇର ମୁଣ୍ଡ ବିଗିଡ଼ି ଗଲାବେଳେ, ବରାବର ଏଇ ଶାସ୍ତ୍ରଜ୍ଞ ସରବା ଦିବାକରର ମସ୍ତିଷ୍କକୁ ସୁସ୍ଥ ଅବସ୍ଥାକୁ ଆଣି ପାରେ ଅତି ସହଜରେ, ଶାସ୍ତ୍ର ବଳରେ । କିନ୍ତୁ ଆଜି ସରବାର ଦ୍ୱିଧାଗ୍ରସ୍ତ ମସ୍ତିଷ୍କକୁ ସାନ୍ତ୍ୱନା ହେବାର ଦାୟିତ୍ୱ ପଡ଼ିଯାଇଥିଲା ବଡ଼ଭାଇ ଦିବାକର ହାତରେ । ସରବା ଉଠି ଠିଆ ହୋଇ ପଡ଼ିଲା । ଦିବା ତ ଉଠିବ ଉଠିବ ହେଉଥିଲା । ଦି ଭାଇ ଯୋଡ଼ିଏ ମୂଳି ବାଉଁଶର ତଡ଼ା ଧରିଥିଲେ ନିଜ ନିଜ ହାତରେ । ସେଇ ତଡ଼ା ଦୁଇଟିକୁ ଆଶ୍ରୟ କରି ଚାହିଁଲେ ଦିଭାଇ ବଣ ଆଡ଼କୁ । ଅନ୍ଧାର ଘନରୁ ଘନତର ହୋଇ ଆସିଲା । ତଥାପି ଦିବା ସରବାଙ୍କ ଦୃଷ୍ଟି ଓ ଦର୍ଶନର ପରିଚ୍ଛନ୍ନତା ସ୍ୱଚ୍ଛରୁ ସ୍ୱଚ୍ଛତର ହୋଇ ଏକ ସ୍ଥିର ନିଶ୍ଚଳ ମାନସିକ ସଂକଳ୍ପରେ ପରିଣତ ହୋଇସାରିଥିଲା ।

 

ସେମାନେ ବଣରୁ ବାଘ ବାହାରିବାର ଏକ ନିଶ୍ଚିତ ନିର୍ଗତ ପଥର ପାଖାପାଖି ହୋଇ ଆସୁଥିଲେ । ଏହି ସମୟରେ ସେମାନେ ଲକ୍ଷ୍ୟ କଲେ ବଣରୁ ବାହାରିବା ରାସ୍ତାଟି ପ୍ରକୃତରେ ଏକ ନୁହେଁ ଦୁଇ । ଗୋଟିଏ ରାସ୍ତା ଯାଇଚି ସିଧା ଗାଁକୁ । ଅନ୍ୟଟି ବିଲ ଆଡ଼କୁ । ଦିବା ସରବା ପଡ଼ିଗଲେ ବିଭ୍ରମରେ । ସରବା କହିଲା, ‘‘ଭାଇନା ! ଦେଖୁଛ ! ପୁନଶ୍ଚ ଦ୍ୱିଧା’’ ଦିବା କହିଲା, ‘‘ଚିନ୍ତା କରନା । ସବୁ ଦ୍ୱିଧାର ସମାଧାନ ଦୁଇ ନୁହେଁ ଏକ ।’’

 

ସରବା ଦୁଃଖିତ ହୋଇ ପଡ଼ିଲା । ‘‘ନା, ଭାଇନା ! ଏ କ୍ଷେତ୍ରରେ ସମାଧାନ ଏକ ନୁହେଁ–ଦୁଇ ।’’

 

‘‘ମାନେ ?’’ ଦିବା ଅନ୍ଧାରରେ ସରବାର ମୁହଁ ନ ଦେଖି ପାରି ଘୁଞ୍ଚି ଆସିଲା ସାନଭାଇ ପାଖକୁ ।

 

ସରବା ଦିବାର ଆଖି ଯୋଡ଼ିକର ଧଳା ଅଂଶକୁ ଦେଖୁଥାଏ କେବଳ । ଅତି ଦୁଃଖରେ ଛାତି ତାର ଫାଟିଗଲା ଭଳି ସ୍ୱରଟିଏ ଶୁଣାଗଲା, ‘‘ଭାଇନା, ଆମେ ଭାବିଥିଲେ ଏ ରାତିରେ ଆମେ ଦୁହେଁ ଏକାଠି ବସି ବାଘର ବାଟ ଓଗାଳିବା । କିନ୍ତୁ ସେ ଆଶା ମଧ୍ୟ ମଉଳେଇ ଦେଲା ଏ ଦ୍ୱିଧା । ବର୍ତ୍ତମାନ ସମାଧାନ ହେଲା—ବିଭକ୍ତ ହେବା । ଆମେ ଦୁହେଁ ବିଚ୍ଛିନ୍ନ ହେବା । ତମେ ବସ ଏଇଠି–ଯୋଉ ବାଟଟା ଯାଇଛି ଗାଁ ଆଡ଼େ । ମୁଁ ଯାଉଚି ଆର ରାସ୍ତା ଜଗିବି—ବିଲ ଆଡ଼କୁ ଯାଇଚି ଯୋଉଟା । ରାତି ସାରା ଆମେ ଏକା ଏକା ଜଗି ବସିବା ଏ ଦୁଇ ରାସ୍ତାକୁ । ତମେ ତମ ରାସ୍ତା ଜଗ–ମୁଁ ଜଗୁଚି ମୋ ରାସ୍ତା । ବାଘକୁ କଦାପି ଗାଁ ବାଟରେ ଛାଡ଼ିବ ନାଇଁ, ଭାଇନା । ମୁଁ ଜଗୁଛି ବିଲ ପଟ । ଗାଈ ନିଶ୍ଚେ ବଞ୍ଚିବ ଯଦି ସେ ଲଟି ବାହାରେ ଥିବ—ହୁଏତ ବିଲରେ ନ ହେଲେ ଗାଁ ଆଡ଼େ-। ହଉ–ବିଦାୟ, ଭାଇନା ! ଜଗିଥିବ । ଶୋଇବ ନାଇଁ ଜମାରୁ ।’’

 

ଦିବାଠାରୁ ବିଦାୟ ନେଇ ସରବା ଦୂରକୁ ଚାଲିଗଲା । ଦିବା ବାଉଁଶ ମୂଳି ଠେଙ୍ଗାଟାକୁ କାନ୍ଧରେ ପକାଇ ପହରା ଦେବା ଆରମ୍ଭ କରିଦେଲା । ଦୂରରୁ ସରବା ରାତି ପାହାନ୍ତା ପହରକୁ ଥରେ ଗୋଟାଏ ବଡ଼ ପାଟି କରି ଦିବାକୁ ସତର୍କ କରି ଦେଇ ପଚାରିଥିଲା, ‘‘ବାଘ ତମ ପଟେ ବାହାରିଲା କିଓ ?’’

 

ଦିବା ବଡ଼ ହାଇଟାଏ ମାରି ସରବାକୁ ସାନ୍ତ୍ୱନା ଦେବାକୁ କହିଲା, ‘‘ପୂର୍ବ ପଟକୁ ଅନା । ସିନ୍ଦୂରା ଫାଟୁଚି କେମିତି ଦେଖୁଚୁଟି ! ଆହା, କି ସୁନ୍ଦର ଦିଶୁଚିରେ ଏ ଗଗନ ମଣ୍ଡଳ ସରବା !’’

 

ସକାଳ ହେଇଗଲା । ସରବା କାନ୍ଧରେ ବାଡ଼ି ପକେଇ ଆସି ପହଞ୍ଚିଗଲା ଦିବା ପାଖରେ-। ପଚାରିଲା ‘‘ବାହାରିଥିଲା ?’’

 

ଦିବା ଭିଡ଼ିମୋଡ଼ି ହୋଇ ବସିବା ପାଖରୁ ଉଠି ପଡ଼ିଲା । କହିଲା—‘‘ବାହାରିଥିଲେ ତ ଭଲହେଇଥାନ୍ତା ।’’

 

ଦିବା ସରବା ସେ ପର୍ଯ୍ୟନ୍ତ ନିଶ୍ଚିନ୍ତ ହୋଇ ରହିଥିଲେ ଯେ ଗତ ରାତିରେ ବଣରୁ ବାଘ ଆଦୌ ବାହାରି ପାରିନାହିଁ—ନା ଗାଁ ରାସ୍ତାରେ, ନା ବିଲ ରାସ୍ତାରେ । ଦି ଭାଇ ଖୁସି ହୋଇ ଲଟା ଆଡ଼ୁ ବାହାରି ପଡ଼ିଲେ ହାତ ଧରାଧରି ହେଇ । କିନ୍ତୁ ଗାଁ ମୁଣ୍ଡରେ ପହଞ୍ଚିବା ପୂର୍ବରୁ ଏକ ବିକଟାଳ କରୁଣ ଭୟାବହ ଦୃଶ୍ୟ ସେମାନଙ୍କୁ ସ୍ତବ୍‌ଧ କରିଦେଲା । ସେଇ ସ୍ତବ୍‌ଧତା ଭିତରେ ସେମାନେ ପାଇଲେ ତାଙ୍କର ପ୍ରିୟତମ ଗାଈଟିର ଶେଷ ଦୃଶ୍ୟ । ଗାଈଟା ଚାରିକାତ ଲମ୍ବେଇ ପଡ଼ି ଯାଇଥାଏ ମାଟି ଉପରେ । ତା ତୋଟି କଣା ହେଇଯାଇଥାଏ । ଆଉ ଦେହଟା କ୍ଷତ ବିକ୍ଷତ । ବିଶେଷତଃ ଗାଈଟାର ପଛ ପଟଟାକୁ ବିଦରା ଯାଇଥାଏ ଯେଉଁ ଢଙ୍ଗରେ ସେଥିରୁ ସେ କାଣ୍ଡଟା କାହାର ବୁଝିବାକୁ ବେଶି ଅକଲ ଦରକାର ନଥାଏ ଦିବା ସରବାଙ୍କର ।

 

ହଠାତ୍‌ ମୁଣ୍ଡରେ ହାତ ଦେଇ ବଡ଼ ଭାଇ ଦିବାକର ବସିପଡ଼ିଲା । ବାହୁନି ଉଠିଲା, ‘‘ଆରେ ! କୋଉବାଟେ ବାହାରିଲା ? ଆମେ ତ ବାଟ ଜଗି ବସିଚେ ରାତି ସାରା ! ନିଆଁଶୀ କେନ୍ଦୁଆ ବାହାରିଲା କୋଉ ବାଟରେ ରେ ସରବା ?’’

 

ଦିବାର ପ୍ରଶ୍ନ ସରବାର ମସ୍ତିଷ୍କକୁ ଉତ୍ତେଜିତ କରିଦେଲା । ଠେଙ୍ଗାଟାକୁ ମାଟିରେ ଢିଅ ମାରିଲା ଭଳି ଉତ୍ତେଜନା ପ୍ରକାଶ କରି ସେ ଚିତ୍କାର କରି ଉଠିଲା, ‘‘ତମ ବୁଦ୍ଧିରେ ପଡ଼ି ସର୍ବନାଶ ହୋଇଗଲା ! ମୁଁ ସ୍ଥିର କରି ସାରିଥିଲି ଏ ପରିସ୍ଥିତିରେ ବାଘକୁ ନଜଗି ଗାଈ ଖୋଜିବା ଶ୍ରେୟ ହୋଇଥାନ୍ତା, ଭାଇନା । ତମେ ମୋ ବୁଦ୍ଧି ବାଉଳା କରିଦେଲ । ଆମେ ବାଘକୁ ଜଗୁଥିଲେ କାହିଁକି-? ଗାଈ ନଖୋଜି ବାଘ ଜଗିବା…...’’

 

ହଠାତ୍‌ ଦିବାର ବାହୁନା ବନ୍ଦ ହୋଇଗଲା । ମଲା ଗାଈକୁ ଛାଡ଼ି ସରବାର ମୌଳିକ ପ୍ରଶ୍ନ ଆଡ଼କୁ ସେ ଚିହିଙ୍କି ଗଲା । ଠେଙ୍ଗାଟାକୁ ଜବର କରି ଉଞ୍ଚେଇ ସେ ସରବାକୁ ଆତ୍ମରକ୍ଷା କରିବାକୁ ଆଗ ସତର୍କ କରିଦେଲା । ତାପରେ ପଚାରିଲା, ‘‘କଅଣ କହିଲୁ ? ମୁଁ ବୁଦ୍ଧି ବାଉଳା କରିଦେଲି ତୋର ? ଭାରି ପଣ୍ଡିତଟାଏ ତୁ ! ଆବେ ଓଲୁ, ବାଘର ବାଟ ଓଗାଳି କି ଭୁଲ କଲେ କହୁଛୁ ? କହ, ଆଉ ଥରେ କହ !’’

 

ସରବା ବଡ଼ଭାଇ ଦିବାର ବ୍ରହ୍ମମୂର୍ତ୍ତି ଦେଖିଲା । ପାଦେ ପଛକୁ ଘୁଞ୍ଚିଗଲା । ଇତି ମଧ୍ୟରେ ସରବାର ମସ୍ତିଷ୍କରେ ପୁନଶ୍ଚ ସେଇ ଦ୍ୱନ୍ଦ୍ୱ ଏକ ଅସମାହିତ ପ୍ରଶ୍ନ ପରି ମୁଣ୍ଡ ଟେକି ଉଠିଥିଲା । ମୁଣ୍ଡ ତଳକୁ ପୋତି ବଡ଼ଭାଇର ଉଦ୍ୟତ ଠେଙ୍ଗାକୁ ନଚାହିଁ ସେ ସ୍ୱୀକାର କରିଦେଲା, ‘ଠିକ୍‌ କହୁଚ ଭାଇନା । ଗାଈକୁ ଅନ୍ଧାରରେ ଖୋଜିବା ଅପେକ୍ଷା ବାଘକୁ ଜଗିବା ଏକ ଭଲ ନୀତି ! ଆମେ ଆମ ନୀତିରେ ଅଟଳ ରହିଥିଲେ ଗଲା ରାତିରେ । ଏହା ନିଶ୍ଚିତ କଥା । କିନ୍ତୁ ଜୀବନକୁ ବଞ୍ଚାଇ ରଖିବା ପାଇଁ ମୃତ୍ୟୁର ବାଟ କ’ଣ ଓଗାଳି ହେବ, ଭାଇନା ? ବରଂ ଜୀବନକୁ ଅନୁସରଣ କରିଥିଲେ ଭଲ ହୋଇଥାନ୍ତା । ଆମେ ଭୁଲ କଲେ । ଆହା—ବିଚାରୀ ଗାଈଟାକୁ ଆମର ରକ୍ଷା କରି ପାରିଲେ ନାଇଁ ହୋ ଭାଇନା !’’

 

ସରବାର ଏଇ ସ୍ୱୀକାରୋକ୍ତିରେ ଦିବାକର ସନ୍ତୁଷ୍ଟ ହୋଇଯିବା ଉଚିତ ଥିଲା । କିନ୍ତୁ ତା ମୁଣ୍ଡରେ ତାର୍କିକତାର ଭୂତ ସବାର ହୋଇଯାଇଥିଲା । ନିଜର ତାର୍କିକ ପିତାଙ୍କଠାରୁ ଦିବାକର ଏଇ ଦୁର୍ଗୁଣଟିକୁ ଉତ୍ତରାଧିକାରୀ ସୂତ୍ରରେ ହାସଲ କରିନେଇଥିଲା ।

 

‘‘ତୁ ଗୋଟାଏ ଗଣ୍ଡ ମୂର୍ଖ’’ ଦିବା ଚହଟି ଉଠିଲା ଆଉ କହିଲା, ‘‘ଜୀବନକୁ ବଞ୍ଚାଇବା ପାଇଁ ମଣିଷ ମୃତ୍ୟୁର ବାଟ ଓଗାଳୁନାଇଁ ତ ଆଉ କ’ଣ କରୁଛିରେ, ଅପଦାର୍ଥ ମୂର୍ଖ ଚଣ୍ଡାଳ ?’’

 

ସରବା ହସିପକେଇଲା । ଜବାବ ଦେଲା, ‘‘ତମେ ତ ସବୁବେଳେ ଓଲଟା କଥା କହ । ଲୋକେ ତମକୁ ବାୟା ବୋଲି କହନ୍ତି କାହିଁକି କି ଆଉ !’’

 

ଦିବାକର ଠେଙ୍ଗା ଉଞ୍ଚେଇ ରଖିଥିଲା । ସରବା ମୁଣ୍ଡ ପତେଇ ଠିଆ ହୋଇଥିଲା । ଦିବାକରର ଠେଙ୍ଗା ପଡ଼ିଲା ସରବାର ମୁଣ୍ଡ ଉପରେ । ସରବା ପଡ଼ିଗଲା । ମଲା ଗାଈ ଓ ମଲାଭାଇ ଦିବାକରକୁ ଏକାଭଳି ଦିଶିଗଲେ । ଦିବାର ମୁଣ୍ଡ ଚକ୍‌କର ଖାଇଗଲା । ସେ ମଧ୍ୟ ସେଇଠି ପଡ଼ିଗଲା ।

 

ଅନେକ ସମୟ ପରେ ଆଗ ହୋସ୍‌ ଆସିଲା ସରବାର । ସେ ଉଠି ବସିଲା । ବଡ଼ଭାଇ ଦିବା ଅଚେତ ହୋଇ ପଡ଼ିଥାଏ ତଥାପି । ଗାଁବାଲାମାନେ ଦୂରରେ ଥାଇ ସମୁଦାୟ ଦୃଶ୍ୟଟିକୁ ଦେଖୁଥାନ୍ତି ।

 

ସେଦିନ ସରବାର ପ୍ରଚେଷ୍ଟାରେ ଦିବାର ହୋସ୍‌ ଆସିଲା । ଦିଭାଇ କଷ୍ଟେମଷ୍ଟେ ଗାଁ ପଛପଟ ରାସ୍ତାରେ ଆସିଲେ ଘର ପର୍ଯ୍ୟନ୍ତ । ସେଦିନ ରାତିରେ ସେମାନେ ଘରେ ଥିବାର ପ୍ରମାଣ ପାଇଥିଲେ ଗାଁବାଲା । ମଝିରେ ମଝିରେ ଦିବାର ଉଚ୍ଚସ୍ୱର ଶୁଭୁଥାଏ—ଗାଈ ଖୋଜିବା ନା ବାଘ ଜଗିବା—କୋଉଟା ଠିକ୍‌ ? କୋଉଟା ଠିକ୍‌ ?

 

ସରବାର ଉତ୍ତର ଶୁଭୁ ନଥାଏ କିଛି ।

 

ଗାଁ ବାଲାଙ୍କ ଭିତରେ କଥା ପଡ଼ୁଥାଏ—ବାୟା ବାପ ବାୟାଣୀ ମା, ଏଥିରୁ ଜନ୍ମ ହବ ଯେ ସେ ଆଉ କଅଣ ବା ହୁଅନ୍ତା ?

 

ପରଦିନ ଦିବା ସରବାଙ୍କ ଘରୁ କୌଣସି ଉଁଚୁଁ ନଶୁଣାଯିବାରୁ ଗାଁ ଲୋକେ ମନେକଲେ ଭାଇ ଦୁହେଁ ଶୋଇଚନ୍ତି—ଉଠି ନାହାନ୍ତି । କିନ୍ତୁ ଦିନ ପରେ ଦିନ ଦିବା ସରବା ଭାଇଙ୍କର ସ୍ୱର ଆଉ ଶୁଣାଗଲା ନାଇଁ ପୁରୀ ଜିଲ୍ଲାର ସେଇ ବ୍ରାହ୍ମଣ ଶାସନରେ ।

 

କିନ୍ତୁ ଆଜି ପର୍ଯ୍ୟନ୍ତ ସେଇ ଶାସନରେ ସବୁ ଆପଦ ବିପଦ ବେଳେ ଗାଁର ମୁରବିମାନେ ଦୁଇପକ୍ଷ ହେଇ ପରସ୍ପର ସହିତ ଯୁକ୍ତିତର୍କରେ ମାତିଯିବାର ଦେଖାଯାଏ । ସେ ଯୁକ୍ତିର ରୂପ ହେଲା–‘‘ଗାଈ ଖୋଜିବା ନା ବାଘ ଜଗିବା ?’’

Image

 

‘ମହାପୁରୁଷେର ବାନୀ’

 

ଏମିତି ଗୋଟାଏ ସମୟ ଥିଲା ଯେତେବେଳେ ଭାରତୀୟ ପିଙ୍ଗଳ କୋର୍ଡ଼ ବା ‘ସିଆର ପି.ସି’ କହିଲେ ଓଡ଼ିଶାର ହାକିମମାନେ ଭକ୍ତକବି ମଧୁସୂଦନଙ୍କ ବର୍ଣ୍ଣବୋଧକୁଇ ବୁଝୁଥିଲେ । ଉଦାହରଣ ସ୍ୱରୂପ ‘‘ଅରଣା ମଇଁଷୀ ରହିଛି ଅନାଇଁ, ମଇଁଷୀର ପାଶ ନଯାଅ ଦନାଇ’’ ବା ‘‘ଗାଈ ଖାଉଅଛି କୋମଳ ଘାସ, ଗୋପୀ ଜେନା ଚାଷୀ କରୁଛି ଚାଷ ।’’ ଏଗୁଡ଼ିକ ପ୍ରତ୍ୟେକେ ଗୋଟିଏ ଗୋଟିଏ ପିଙ୍ଗଳ କୋର୍ଡ଼ର ଆଇନ୍‌ରୂପେ ଆମ ଓଡ଼ିଶାକୁ ଶାସନ କରିବାକୁ ଆସିଥିବା ବାହାରିଆ ଶାସକମାନଙ୍କ ଦ୍ୱାରା ବ୍ୟବହୃତ ହେଉଥିଲା । ଏପରି ଆଇନ ବଳରେ ଓଡ଼ିଶାର ଶହ ଶହ ଦରିଦ୍ର ନିରକ୍ଷର ବ୍ୟକ୍ତି ସେକାଳରେ ଦଣ୍ଡିତ ହୋଇଥିବାର ନଜିର ମଧ୍ୟ ଅଛି । ଅବଶ୍ୟ ଏସବୁକୁ ଇତିହାସ କେଉଁଠି କିପରି ରେକର୍ଡ଼ କରିଛି ତାହା ଗବେଷଣାସାପେକ୍ଷ । କିନ୍ତୁ ଆମ କକେଇ ଶ୍ରୀ.ପି.ଏନ୍‌ ଆଚାର୍ଯ୍ୟ ଏସବୁ ଗବେଷଣା କ୍ଷେତ୍ରରେ ଜଣେ ଅଗ୍ରଗଣ୍ୟ ବ୍ୟକ୍ତି ହୋଇଥିବାରୁ ତାଙ୍କର ଦୀର୍ଘ ଅଭିଜ୍ଞ ଜୀବନୋପଲବ୍‌ଧ ସ୍ମୃତିଚାରଣକୁ ନିଃସନ୍ଦେହରେ ଏକ ଐତିହାସିକ ସାମଗ୍ରୀରୂପେ ବ୍ୟବହାର କରିପାରୁ । ସଂଶିତ ଗଳ୍ପଟି ଆମର ପ୍ରାତଃସ୍ମରଣୀୟ ଐତିହାସିକ କକେଇଙ୍କ ଜୀବନ ସାୟାହ୍ନର କେତେକ ହାସ୍ୟ କୌତୁକ ଓ କୌତୂହଳୋଦ୍ଦୀପକ ମଜଲିସ୍‌-ଗଳ୍ପାବଳୀରୁ ସଂଗୃହୀତ ।

 

ଆମ କକେଇଙ୍କୁ ସ୍ଥାନୀୟ ଲୋକେ ଜଣେ ପ୍ରାଚୀନ ଜମିଦାରବଂଶୋଭବ ବ୍ୟକ୍ତି ରୂପେ ଖୁବ୍‌ ସମ୍ମାନ କରିଥାନ୍ତି ଅବଶ୍ୟ । କିନ୍ତୁ ବାସ୍ତବରେ ସେ ଆଉ ଜଣେ ଜମିଦାର ନୁହନ୍ତି କି ଜମିଦାରସୁଲଭ ଅହେତୁକ ଗାମ୍ଭୀର୍ଯ୍ୟବନ୍ତ ଗୁମ୍‌ବାଜ୍‌ ପ୍ରକୃତିର ମଣିଷ ନୁହନ୍ତି ମଧ୍ୟ । ଆମ ଗ୍ରାମାଞ୍ଚଳର ଲୋକେ ତାଙ୍କୁ ସାଧାରଣତଃ ସମ୍ମାନିତ କରିଥାନ୍ତି ତାଙ୍କର ସଦା ସରସ ମଉଜିଆ ବ୍ୟଙ୍ଗୋକ୍ତିଜର୍ଜରିତ ଅଭିବ୍ୟକ୍ତି ଗୁଡ଼ିକର ପ୍ରାଚୁର୍ଯ୍ୟ ସହିତ ଭରପୁର ହୋଇ ରହିଥିବା ଏକ ଐତିହ୍ୟସଂପନ୍ନ ସ୍ୱାଭୀମାନୀ ଐଶ୍ୱର୍ଯ୍ୟବନ୍ତ ଚେହେରାର ପବିତ୍ର ସମନ୍ୱୟ ଯୋଗୁ । ସହରାଞ୍ଚଳରେ ମଧ୍ୟ ଆମ କକେଇଙ୍କୁ କମ୍‌ ସମ୍ମାନ ମିଳେନାହିଁ ତାଙ୍କର ସେଇ ଦୁଇ ଆପାତ ପରସ୍ପର ବିରୋଧୀ ଗୁଣସମ୍ପନ୍ନ ବ୍ୟକ୍ତିତ୍ୱଟିର କାରଣରୁ । ତେବେ, ସହରର ଐତିହ୍ୟହୀନ ଚଳନ୍ତି କାଳର ତଥାକଥିତ ସଂଭ୍ରାନ୍ତ ଏଲିଟ୍‌ ଗୋଷ୍ଠୀ ଆମ କକେଇଙ୍କୁ ଦେଖନ୍ତି ଏକ ଭିନ୍ନ ଦୃଷ୍ଟିରେ ।

 

‘‘ହେଇ, ଅଜା ଆସିଗଲେ ! ଏଥର ଆରମ୍ଭ ହବ ଓଡ଼ିଶାର ଇତିହାସ ଆଲୋଚନା ଚକ୍ର-।’’ ଆମ କକେଇଙ୍କୁ ସାଧାରଣତଃ ସହରୀ ଏଲିଟ୍‌ମାନେ ସ୍ୱାଗତ ଜଣାନ୍ତି ଏହିପରି ଭାଷାରେ ଯହିଁରେ କିଞ୍ଚିତ୍‌ ହେୟ ମିଶ୍ରିତ ସମ୍ମାନବୋଧର ଆବିଳତା ସହଜରେ ପରିଲକ୍ଷିତ ହେଲେ ମଧ୍ୟ ସେଥିପ୍ରତି ତିଳାର୍ଦ୍ଧେ ଭ୍ରୂକ୍ଷେପ ନଥିଲା ଭଳି ମନେହୁଏ ଆମ କକେଇଙ୍କ ପରି ନିରାସକ୍ତ ବ୍ୟକ୍ତିତ୍ୱଟିର-

 

‘‘ଓ ୟେସ୍‌ ! ଏଥର ଆରମ୍ଭ ହେବ ଇତିହାସ—ମାଇଁ ଗ୍ରାଣ୍ଡ୍‌ ଚିଲ୍‌ଡ଼୍ରେନ୍‌ !’’ ଆଉ ଧଡ଼୍‌କିନା ଆମ କକେଇଙ୍କ ମୁହଁରୁ ବାହାରି ଆସେ ପଦେ ଐତିହାସିକସୁଲଭ ସୁଚିନ୍ତିତ ମନ୍ତବ୍ୟ ଯହିଁରେ ଆମର ସହରୀ ଏଲିଟ୍‌ବର୍ଗ କେବଳ ଆପ୍ୟାୟିତ ହୁଅନ୍ତି ନାହିଁ, ଗଡ଼ିଯାନ୍ତି ଲୁହ ଲେଞ୍ଜେରା ହବା ପର୍ଯ୍ୟନ୍ତ ହସରେ । ଦୀର୍ଘ ସମୟ ଧରି ହସର ଲହଡ଼ିରେ ଗଡ଼ଗଡ଼ା ଖାଉ ଖାଉ ହଠାତ୍‌ ପଡ଼ିଯାନ୍ତି ମଧ୍ୟ ଏକ ଶକ୍ତ ଲହଡ଼ିର ଅଣ୍ଡରକରେଣ୍ଟ୍‌ରେ । ସେଇଠୁ ସିଂହିବୁଡ଼ା ଖାଇ ଓଟାରି ହେଇ ଯାଇ ରୁଦ୍ଧଶ୍ୱାସ ଅବସ୍ଥାରେ ଭାସିଉଠନ୍ତି କେଜାଣି କେଉଁଠି ଗଭୀର ସମୁଦ୍ର ବକ୍ଷରେ । ସେହିପରି ଭୟାର୍ତ୍ତ ଆକତାମାକତା ଦିଶେ ପ୍ରକୃତରେ ସେମାନଙ୍କର ଚାହାଣୀସବୁ ଗୋଟିଏ ଦଫା ହସ ସରି ଆର ଦଫା ଆରମ୍ଭ ପର୍ଯ୍ୟନ୍ତ ।

 

ଆମ କକେଇଙ୍କର ପ୍ରକୃତି ମୁଖ୍ୟତଃ ଜଣେ ବ୍ୟଙ୍ଗକାରର ପ୍ରକୃତି ସହିତ ତୁଳନୀୟ । ତେବେ ତାଙ୍କର ପ୍ରତ୍ୟୁତ୍ପନ୍ନମତିହିଁ ତାଙ୍କର ପ୍ରତିଷ୍ଠା ଦିଗରେ ଯଥେଷ୍ଟ ସହାୟକ ହେଇଥାଏ—ସହରୀ ପଣ୍ଡିତ ଗୋଷ୍ଠୀଗୁଡ଼ିକ ଭିତରେ । ତାଛଡ଼ା ଏ ଗୋଷ୍ଠୀଗୁଡ଼ିକ ସାଧାରଣତଃ ପରସ୍ପରବିରୋଧୀ, ପରସ୍ପରର ଗୋଛିକଟା ଗୋଷ୍ଠୀ ରୂପେ ସହରର ବିଭିନ୍ନ ଅଞ୍ଚଳରେ ଗଢ଼ିଉଠିଥିବା ଯୋଗୁ ଦରକାର ବେଳେ ଏମାନଙ୍କ ମଧ୍ୟରେ ସଂଯୋଗ ଓ ସମନ୍ୱୟ ସୃଷ୍ଟି କରିବା ପାଇଁ ଆମ କକେଇଙ୍କୁ ଡାକରା ପଡ଼େ ମଧ୍ୟ ଯଥା ସମୟରେ । ଉଦାହରଣ ସ୍ୱରୂପ ଥରେ କଟକ ସହରର ଚକରଚାନ୍ଦ୍‌ ବଜାର ଅଞ୍ଚଳରେ ବାସ କରୁଥିବା ଦୁଇଦଳ କଲେଜ ଟୋକାଙ୍କ ଝଗଡ଼ାକୁ କେନ୍ଦ୍ରକରି ଓଡ଼ିଶାର ଦୁଇ ଅଞ୍ଚଳର ଦୁଇଟି କଳହରତ ସାଂସ୍କୃତିକ ଅନୁଷ୍ଠାନ ସହ ସମ୍ପର୍କିତ ଏଲିଟ୍‌ଗୋଷ୍ଠୀ ପ୍ରାୟ ଏଭଳି ଅବସ୍ଥାକୁ ଆସିଯାଇଥିଲେ ଯଦ୍ଦ୍ୱାରା ଭାରତ ମାନଚିତ୍ରରେ ପୂର୍ବଉପକୂଳରେ ଗୋଟିଏ ଚୂଟିଆ ମୂଷା ଆକୃତିର ଏକ କ୍ଷୁଦ୍ର ଭୂଖଣ୍ଡ ବା ଆମର ଏଇ ଓଡ଼ିଶା ରାଇଜ ଖଣ୍ଡକ ଅନ୍ତତଃ ପ୍ରାଚୀନ ଯୁଗର କୋଶଳ, ଉତ୍କଳ ଓ କଳିଙ୍ଗ ପ୍ରଭୃତି ଅଂଶବିଶେଷରେ ଦିନେନା ଦିନେ ଖଣ୍ଡବିଖଣ୍ଡିତ ହୋଇଯିବାର ବଦ୍ଧମୂଳ ଆଶଙ୍କାଟି ଆଉମାତ୍ର ଚବିଶ ଘଣ୍ଟା ଭିତରେ ବାସ୍ତବତାକୁ ଭଜିବ ବୋଲି ଖବରକାଗଜବାଲାମାନେ ହୁରି ପକେଇଲେ । କିନ୍ତୁ ଠିକ ସେଇ ଚବିଶ ଘଣ୍ଟା ଭିତରେ ଯୁଦ୍ଧରତ ସାଂସ୍କୃତିକ ଅନୁଷ୍ଠାନ ଅନ୍ତର୍ଗତ କେତେକ ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତି ପରସ୍ପରର ଅଜାଣତରେ ଆସି ପହଞ୍ଚିଗଲେ ଆମ ଗାଁରେ, ଆଉ ଦେବ ଦାନବ ଯୁଦ୍ଧ କାଳରେ ଉଭୟ ପକ୍ଷ ଦେବର୍ଷି ନାରଦଙ୍କୁ ନିଜ ବିଶ୍ୱାସକୁ ନେବାପାଇଁ ସଚେଷ୍ଟ ରହିଲା ପରି ଆମ କକେଇଙ୍କ କାନରେ ପରସ୍ପର ବିରୋଧରେ ନାନା ଅଭିଯୋଗ ବଖାଣିସାରି ମୂଳ କଥାଟି ଯେଝା ଖଞ୍ଜରେ ପ୍ରକାଶ କରିଦେଲେ ।

 

‘‘ଆଚ୍ଛା, ଅଜା ! କହିଲେ ଦେଖି, ଆମ ଓଡ଼ିଶାର ବଡ଼ କବିମାନଙ୍କ ଭିତରେ ଉତ୍ତର ଓଡ଼ିଶାର ରାଧାନାଥ ବଡ଼ ନା ପଶ୍ଚିମ ଓଡ଼ିଶାର ଗଙ୍ଗାଧର ବଡ଼ ?’’

 

ଏଲିଟ୍‌ମାନଙ୍କର ଏଇ ଜଟିଳ ଦେବଦାନବୀୟ ପ୍ରଶ୍ନଟିକୁ କେନ୍ଦ୍ରକରି ଚକରଚାନ୍ଦ ବଜାରର କଲେଜ ଟୋକାମାନେ ସେଦିନ ଯେଉଁ ଗଣ୍ଡଗୋଳ କରି ଭାରତ ମାନଚିତ୍ରର ପୂର୍ବୋପକୂଳରେ ଆମର ଏଇ ଛୋଟ ଚୁଟିଆମୂଷା ଆକୃତିର ରାଜ୍ୟଟିକୁ ମାତ୍ର ଚବିଶଟି ଘଣ୍ଟା ଭିତରେ ଛିନ୍ନଛତର କରିଦେବାକୁ ବସିଥିଲେ, ସୌଭାଗ୍ୟବଶତଃ ତାର ସମାଧାନ କରିଦେଲେ ଆମ କକେଇ ମାତ୍ର ପଦେ କଥାରେ—‘‘ଆଚ୍ଛା କହିଲ-’’ ପଚାରିଦେଲେ ସେ ପରସ୍ପରର ସମ୍ମୁଖୀନ ହୋଇସାରିଥିବା ସେଇ କଳହରତ ଅଥଚ ଦୂରଦୃଷ୍ଟିସମ୍ପନ୍ନ ଉଭୟ ପକ୍ଷର ଓକିଲବର୍ଗଙ୍କୁ, ‘‘ପାଚିଲା ଆମ୍ବ ବେଶି ମିଠା ନା ‘ଲେତି’ ବେଶି ମିଠା ?’’

 

ଚକରଚାନ୍ଦ ବଜାରର ଦୁଇ ବିରୋଧୀ ସାଂସ୍କୃତିକ ଗୋଷ୍ଠୀର ଦୂରଦୃଷ୍ଟିସମ୍ପନ୍ନ ଏଲିଟିଷ୍ଟ୍‌ ପ୍ରତିନିଧିମାନେ ହଠାତ୍‌ କିଛି ବୁଝି ନପାରି ଆଁ କରି ଅନାଇ ରହିଲେ ଆମ କକେଇଙ୍କ ମୁହଁକୁ । ସେତେବେଳେ ଖରାଦିନ । ପ୍ରବଳ ଝାଞ୍ଜି ପିଟୁଥାଏ, ଆଉ ପ୍ରବଳ ଆମ୍ବ ଫସଲ ଉତୁରିଥାଏ । ଆମ ଗାଁର ଆମ୍ବତୋଟାଗୁଡ଼ିକରେ । ଆମ କକେଇ ଉଭୟ ପକ୍ଷର ଲୋକଙ୍କୁ ପ୍ରଚୁର ପାତିଲା ଆମ୍ୱ ଖୁଆଇଥିଲେ ସେଥର ଆଉ ସେମାନେ ସାଙ୍ଗସୁଙ୍ଗା ହେଇ ବିଦାହେଲା ପୂର୍ବରୁ ଉଭୟ ପକ୍ଷକୁ ଅଲଗା ଅଲଗା ଡାକି ତାଙ୍କ କାନରେ କହି ହେଇ ବିଦାହେଲା ପୂର୍ବରୁ ଉଭୟ ପକ୍ଷକୁ ଅଲଗା ଅଲଗା ଡାକି ତାଙ୍କ କାନରେ କହି ଦେଇଥିଲେ, ‘‘ମହାପୁରୁଷେର ବାନୀ’’ ମନେ ଅଛି ତ ? ତୁମେ ଯଦି ଏଇଥିରେ ମାତିବ ତେବେ ଚବିଶ ଘଣ୍ଟାରେ ଜାରି ହେଇଯିବ ସନ୍‌ସେଟ୍‌ ନିଲାମ ଆଇନ୍‌ ଆଉ ଥରେ ଏ ରାଇଜରେ । ଆଉ ସେଇଠୁ ଶୁଣୁଥିବ ମହାପୁରୁଷେର ବାନୀ—ମୋ ନାତିମାନେ ବୁଝିଲ-?’’

 

ଆମ ଐତିହାସିକ କକେଇଙ୍କର ଏଇ ‘ମହାପୁରୁଷେର ବାନୀ’ ଗଳ୍ପଟି ସହିତ ସହରୀ ଏଲିଟ୍‌ବର୍ଗ ଅନେକଦିନୁ ଖୁବ୍‌ ପରିଚିତ । କକେଇଙ୍କ ମୁହଁରୁ ସେ ଶବ୍ଦ ଯୋଡ଼ିକ ଶୁଣୁ ଶୁଣୁ ହସରେ କୁରୁଳି ଉଠନ୍ତି ଉଭୟ ପକ୍ଷ । ସେଦିନ ବି ସେଇଆ ହେଲା । ସେହିପରି କୁରୁଳୁ ଥିବା ଅବସ୍ଥାରେ ସେମାନେ ସାଙ୍ଗସୁଙ୍ଗା ହେଇ ଫେରିଗଲେ ସହରକୁ । ତାପରେ ପ୍ରାୟ ଚବିଶ ଘଣ୍ଟା ଭିତରେ ଯୁଦ୍ଧରତ ସାଂସ୍କୃତିକ ଗୋଷ୍ଠୀ ଦୁଇଟି ପକ୍ଷରୁ ଏକ ମିଳିତ ବିବୃତି ପ୍ରକାଶ ପାଇଥିଲା ସମ୍ବାଦପତ୍ରମାନଙ୍କରେ । ସେଥିରେ ଲେଖାଥିଲା ଯେ ଓଡ଼ିଶା ମାନଚିତ୍ରଟିକୁ ଘେନି ବିଭିନ୍ନ ରାଜନୈତିକ ମହଲରେ ଯେଉଁସବୁ ଚୁଟିଆମୂଷାସୁଲଭ କ୍ରିୟା ପ୍ରତିକ୍ରିୟା ପ୍ରକାଶ ପାଉଛି ସେ ସବୁ କିଛି ନୁହଁ । ଆମ୍ବ ଓ ‘ଲେତି’ ସମାନ—ଉଭୟ ରସାଳ ଓ ସୁମିଷ୍ଟ । ତେବେ ଓଡ଼ିଆ ସାହିତ୍ୟର ସମୃଦ୍ଧି ପାଇଁ ‘ଲେତି’ ଶବ୍ଦର ଅଧିକ ପ୍ରଚଳନ ଆବଶ୍ୟକ । କାରଣ ଏକ ଅର୍ଥ ପ୍ରକାଶ ପାଇଁ ଦୁଇଟି ଶବ୍ଦ ବଦଳରେ ଗୋଟିଏ ଶବ୍ଦର ବ୍ୟବହାର ଅଧିକ ସୁବିଧାଜନକ । ଏହି ଦୃଷ୍ଟିରୁ ଓଡ଼ିଆ ସାହିତ୍ୟ ପ୍ରତି ପଶ୍ଚିମ ଓଡ଼ିଶାର ଅବଦାନ ସ୍ୱତଃ ସ୍ୱୀକୃତ ।

 

ସମ୍ବାଦପତ୍ରରେ ସେଦିନ ଯାହା କିଛି ଯଥାସମୟରେ ପ୍ରକାଶ ପାଇ ଆମ ମୂଷାମୁହାଁ ଓଡ଼ିଶାଟିର ଭୌଗୋଳିକ ମାନଚିତ୍ରଟିକୁ ଯେଭଳିଭାବେ ସଂରକ୍ଷିତ କରିଥାଉନା କାହିଁକି, ଆମ କକେଇଙ୍କର ସେଇ ‘ମହାପୁରୁଷେର ବାନୀ’ ଗଳ୍ପଟି ଯେ ପ୍ରକୃତରେ ଆମ ଦୂରଦ୍ରଷ୍ଟା ଏଲିଟ୍‌ମାନଙ୍କ ଆଖି ଖୋଲିବାର ଏକ ଗଳ୍ପ ଏଥିରେ ସନ୍ଦେହ ନଥିଲା କାହାର । ତେଣୁ ଆମ କକେଇଙ୍କୁ ସହରୀ ଏଲିଟ୍‌ମାନେ ଏଣିକି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଲାବେଳେ ଅନୁରୋଧ କରଥାନ୍ତି ସାଧାରଣତଃ–‘‘ଅଜା, ଆଜିର ଆସରରେ ସେ ‘ମହାପୁରୁଷେର ବାନୀ’ ଗଳ୍ପଟା ଆଉ ଥରେ କହିବେ ନିଶ୍ଚୟ-।’’

 

‘‘ଆରେ ନା—ସେଟା ଗଳ୍ପ ନୁହେଁ, ଇତିହାସ !’’ ଆମ କକେଇ ଚେତେଇ ଦିଅନ୍ତି ସହରୀ ପଣ୍ଡିତବର୍ଗଙ୍କୁ ପୁନର୍ବାର । ଏହାପରେ ସ୍ୱାଭାବିକ ସରସତାର ଏକ ରାଜକୀୟ ହସ ନିଜର ଈଶ୍ୱରଦତ୍ତ ଗ୍ରୀକୋ-ରୋମାନ ଚେହେରା ସମ୍ବଳିତ ମୁଖମଣ୍ଡଳରେ ପ୍ରତିଫଳିତ ହୋଇଉଠେ ତାଙ୍କର । ସେଇଠୁ ଆରମ୍ଭ ହୋଇଯାଏ ମଧ୍ୟ ସେ ସନ୍ଧ୍ୟାର ଆସର ।

 

‘‘ଓ ୟେସ୍‌, ଦିସ୍‌ ଇଜ ହିଷ୍ଟ୍ରି !’’ ବେଶ ଦାବି ଦାବି ଉଚ୍ଚାରଣ କରନ୍ତି ସେଇ ପଦେ ଦୁଇପଦ ଇଂରେଜୀକୁ ତାଙ୍କର ସହାସ୍ୟ ଓଠ ଦୁଇଟି ଭିତରୁ । ପାକଳ ମଞ୍ଜ ଶିଶୁ କାଠର ତିଆରି ଛୋଟ ଛୋଟ ଖିଲଗୁଡ଼ିଏ ପରି ଦୃଶ୍ୟମାନ ହେଉଥିବା ଦୁଇଭାଡ଼ି ପାନଖିଆ ଦାନ୍ତ ସନ୍ଧିରୁ ଆମ କକେଇ, ଆଉ ସେଇଠୁ ଆରମ୍ଭ କରିଦିଅନ୍ତି ଖାଣ୍ଟି ଓଡ଼ିଆରେ, ‘‘ଦାରୋଗା ନେମାଇଁ ବାବୁଙ୍କୁ ମୁଁ ଦେଖିଛି ସେକାଳରେ ନିଜ ଆଖିରେ । ଓଃ, ହେଁ ବଡ଼ ଛାତି ହେଁ ବଡ଼ ମୁଣ୍ଡ, ପଞ୍ଚହତା ମଣିଷ—ଅବିକଳ ସୁବଳ ମହାକୁଡ଼ ଯେ ସେ ସେ ।’’

 

ଆମ କକେଇଙ୍କର ଏଇ ଶେଷୋକ୍ତ ଉପମା ଭଳି ଉପମାଗୁଡ଼ିକୁ ସମଝିନେବା ପାଇଁ ଆମ ସହରୀ ଏଲିଟ୍‌ମାନେ ମୂଳରୁ ମୂଳରୁ ସକ୍ଷମ ହେଉନଥିଲେ ସ୍ୱଭାବତଃ ।

 

‘‘ଅଜା, ସୁବଳ ମହାକୁଡ଼ କିଏ ମ ?’’ ଟୋକା ଏଲିଟ୍‌ମାନଙ୍କ ପକ୍ଷରୁ ଏତାଦୃଶ ବୋକା ପ୍ରଶ୍ନ ସମୂହରେ ବିଚଳିତ ନହେବା ଆମ କକେଇଙ୍କର ଅନ୍ୟ ଏକ ସ୍ୱଭାବ । ତଥାପି ଏପରି ପ୍ରଶ୍ନ ଶୁଣୁ ନଶୁଣୁ ତାଙ୍କର ହାସ୍ୟରତ ଓଠ ଦୁଇଟି ଅନ୍ତରାଳରେ ସେପର୍ଯ୍ୟନ୍ତ ଦୃଶ୍ୟମାନ ହେଉଥିବା ଦନ୍ତାପଂକ୍ତି ହଠାତ୍‌ ଅଦୃଶ୍ୟ ହୋଇଯିବାରୁ ତାଙ୍କର ମିଠା ଚେହେରାରେ କିଞ୍ଚିତ୍‌ ଖଟାଳିଆ ରସ ମିଶିଯିବା ପରି ମନେହୁଏ ସେତେବେଳେ ।

 

‘‘ଆରେ ଧ୍ୟାତ୍‌ !’’ ବାସ୍‌ ଏତିକିରେ କିନ୍ତୁ ସେ ଆମ୍ବିଳା ଭାଗଟି କଟିଯାଏ ତାଙ୍କ ବାଚନିକ ପରିପକ୍ୱତାରୁ, ଆଉ, ଇତ୍ୟବସରରେ ଓଠ କଣରୁ ଅଳ୍ପ ଝରି ଆସୁଥିବା ପାନପିକ ବିନ୍ଦୁଟିକୁ ରୁମାଲ୍‌ କଣରେ ପୋଛି ନେଉ ନେଉ ସୁଦୁ ମିଠା ସ୍ୱରଟିଏ ହୃଦୟର କେଉଁ ଗହ୍ୱରତା ଭିତରୁ ଅଣ୍ଡାଳି ଆଣି ସେ କହିସାରିଥାନ୍ତି, ‘‘ସେ ଆମ ଫକୀରମୋହନ ମ । ପଢ଼ିନଟି ରାଣ୍ଡିପୁଅ ଅନ୍ତା ଗପ ! ସେଇ ଅନ୍ତାର ବାପ ସୁବଳ ମହାକୁଡ଼-’’

 

ଆଉ ରେଫରେନ୍‌ସଟିକୁ ସମତୁଲ କରିବା ଲାଗି ସେ ହୁଏତ ସେଇଠି ସୁବିଧା ଟିକିଏ ପାଇଯାଇଛନ୍ତି ମନେକରି କହିପକାନ୍ତି—‘‘ଆହେ, ସେତେବେଳେ ଇଂରେଜ ଅମଳ । ସାହାବମାନେ ଏମିତିଆ ମଣିଷଙ୍କୁ ବାଛି ବାଛି ପୂରୋଉଥିଲେ ବଡ଼ ବଡ଼ ଚାକିରି ବାକିରିରେ, ବିଶେଷତଃ ପୁଲିସ୍‌ ଚାକିରୀରେ । ତେବେ ଆମ ଓଡ଼ିଶା ପ୍ରଦେଶ ସେତେବେଳେ ଥାଏ ବଙ୍ଗଳା ସାଥିରେ । ଓଡ଼ିଶାର ସିନା ଗୋଟାଏ ସୁବଳ ମହାକୁଡ଼ ଉପରେ ସାହାବର ନଜର ପଡ଼ିଗଲା ଯେ ସେ ପଶିଗଲା ପୁଲିସ କାମରେ । କିନ୍ତୁ ତା ପୂର୍ବରୁ, ସେତେବେଳେ ଆଉ ପଛକୁ ପଛକୁ ନଜରରେ ବେଶି ବେଶି ଆସୁଥିଲେ କଲିକତାର ପିଲେ । ନେମାଇଁ ଦାରୋଗାର ମା’ ସାହାବର କଲିକତା କୋଠିକି ସପ୍ଲାଇ କରୁଥିଲା ମିଲ୍‌କ । ମେମ୍‌ ସାହାବ ଭାରି ପ୍ଲିଜ୍‌ ଗଉଡ଼ୁଣୀ ଉପରେ । ଗଉଡ଼ୁଣୀ ଉପରେ ଯେତେ ନୁହେଁ ତା କାନି ଧରି ଗୋଡ଼େଇ ଗୋଡ଼େଇ ଧପାଳୁଥିବା ଚାରି ପାଞ୍ଚ ବର୍ଷର ପିଲା ନେମାଇଁଟା ଉପରେ । ମେମ୍‌ ସାହାବ ଡ୍ୟାମ୍‌ ପ୍ଲିଜ୍‌ । ତାର କାରଣ ଅନ୍ୟ କିଛି ନୁହଁ—ପିଲାଟା ହୋଇଥାଏ ଭାରି ଖୁରସୁଣିଆ । ମେମ୍‌ ସାହାବ ଇସ୍ୟୁଲେସ୍‌ !’’

 

ଆମ କକେଇଙ୍କର ଓଡ଼ିଆ କହିବା ଭଙ୍ଗି ଭାରି ମଜାଦାର । ବିଶେଷତଃ ମଜାକରି କଥା କହିଲାବେଳେ ତାଙ୍କ ଉଚ୍ଚାରଣରେ ଓଡ଼ିଆଟା ଶୁଭେ ଖୋଲ୍‌ଟି ଭଳି ଟିକେଟିକେ । ଦୂରରୁ ଶୁଣିଲେ ମନେହବ କୋଉ ଖାନଦାନୀ କଟକୀ ମିଆଁ ଜଣେ । ହୁଏତ ଓଷ୍ଠିମେ ଅତର୍‌ ମାରିକିନା ଉର୍ଦ୍ଦୁ ଢଙ୍ଗରେ ଓଡ଼ିଆ ଶବ୍ଦର ଖୁସ୍‌ବୁଗୁଡ଼ାକ ଖୁବ୍‌ ତାରିଫ୍‌ କଲାପରି କଥା କହୁଛନ୍ତି । ତା ସାଙ୍ଗକୁ ଆମ କକେଇଙ୍କ ତୁଣ୍ଡରେ ଅଂଗ୍ରେଜୀ ପଦେ ପଦେ ମିଶିଯିବା ବେଳେ ସମୁଦାୟ ବାୟୁମଣ୍ଡଳଟା ମାତ୍‌ ହେଇଉଠେ ଖୁସି ଆଉ ଖୁସ୍‌ବୁରେ ।

 

ସହରୀ ଏଲିଟ୍‌ମାନେ ଆମ କକେଇଙ୍କର ଏଇ ଉଚ୍ଚାରଣ ପଦ୍ଧତିକି ବେଶି ଏନ୍‌ଜୟ କରନ୍ତି ତାଙ୍କ କଥାର ବିଷୟବସ୍ତୁ ଅପେକ୍ଷା । ମେମ୍‌ ସାହାବ ଇସ୍ୟୁଲେସ୍‌—କହିବାବେଳେ କକେଇଙ୍କ ଓଠର ଠାଣି ଓ ଚଟୁଳତା ଏପରି ଏକ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଗଲା ଦୈବାତ୍‌ ଯେ ସେଥିରେ ଏଲିଟ୍‌ବର୍ଗଙ୍କ ନାହିମୁଣ୍ଡାରୁ ହସର ଫୁଆରା ବଜରା ତିନିମିନିଟ୍‌ ଧରି ଘଡ଼ିବାଣ ଭଳି ଚାରିଆଡ଼ କ୍ଷଣକେ ଆଲୋକିତ କରିବା ଛଡ଼ା ଗତ୍ୟନ୍ତର ନଥିଲା ନିଶ୍ଚୟ ।

 

‘‘ଓ୍ୱେଟ ଓ୍ୱେଟ୍‌......ମାଇଁ ଡିଅର୍‌ ଫ୍ରେଣ୍ଡସ୍‌ !’’ ଆମ କକେଇଙ୍କୁ ସାଧାରଣତଃ ବହୁ କଷ୍ଟରେ ଜବତ୍‌ କରିବାକୁ ପଡ଼େ ଏସବୁ ବେଳେ ତାଙ୍କ ଶ୍ରୋତୃବର୍ଗଙ୍କୁ । ବିଶେଷତଃ ସହରୀ ଏଲିଟ୍‌ଙ୍କୁ ଜବତ୍‌ କରିବା କେଡ଼େ କଷ୍ଟ ଏପରି ବେଳାରେ ବେଶ୍‌ ଜଣା ତାଙ୍କୁ । କାରଣ, ଏ ଲୋକଗୁଡ଼ାକ ଆଦୌ ସିରିଅସ୍‌ ନୁହନ୍ତି; ଅଥଚ ଅତି ସିରିଅସ୍‌କୁ ସେମାନେ ନେଇନିଅନ୍ତି ହ୍ୟୁମର ଢଙ୍ଗରେ ଆଉ ହ୍ୟୁମରକୁ ଧରିନିଅନ୍ତି ସିରିଅସ୍‌ ଢଙ୍ଗରେ । ଏଇ ୟାଙ୍କ ବିକୃତ—ଜଣା ଆମ କକେଇଙ୍କୁ । ତେଣୁ ଶୀଘ୍ର ସେ ବିକୃତିରୁ ନିଷ୍କୃତି ପାଇ ସିଧା ବିଷୟବସ୍ତୁ ଉପରକୁ ଆସିଯିବାକୁ ବାଟଟିଏ ଖୋଜୁଖୋଜୁ ଆମ କକେଇଙ୍କୁ ଦିଶିଯାଏ ଯଥାର୍ଥମାର୍ଗ । ଏଥିପାଇଁ ଇତିହାସର ଆଶ୍ରାନେଇ ହଠାତ୍‌ ଡିକ୍ଲେୟାର୍‌ କରି ଦିଅନ୍ତି ସେ ପଦେ ଐତିହାସିକ ଉଦ୍ଧୃତି ।

 

‘‘ଆରେ ଭାଇ, ଏ ଓଡ଼ିଆଙ୍କ ଦେହି କିଛି ହବ ନାଇଁରେ କିଛି ହବ ନାଇଁ । ଯୁଦ୍ଧ କରିବେ ତ ମଲାଯାକେ ଯୁଦ୍ଧ କରିବେ । ଶାନ୍ତିରେ ରହିବେ ତ ହାଣ ଖାଇବାଯାକେ ବସିଥିବେ ସେଇ ଠା’ କେ—ଉହୁଁଙ୍କିବେ ନାଇଁ କି ଚିଙ୍କିବେ ନାଇଁ ଟିକେ । ଆଚ୍ଛା କହିଲ—ଏ ଓଡ଼ିଆଏ କିଆଁ ବସିଥିଲେ ୧୮୦୩ ଯାକେ ? ବ୍ରିଟିଶ୍‌ବାଲେ ସବୁଆଡ଼େ ଜୟ କରିଗଲେ; ଏକା ପାରୁନଥିଲେ ଓଡ଼ିଆଙ୍କୁ । କାହିଁକି ନପାରୁଥିଲେ ? କହୁନା ।’’

 

ସେଇଠୁ ରୁମାଲ କାନିରେ ପୁନର୍ବାର ଓଠ ପୋଛୁ ପୋଛୁ ଆମ କକେଇ ଜବାବ ଦିଅନ୍ତି ନିଜ ପ୍ରଶ୍ନର—କାହିଁକି ନା ଓଡ଼ିଆ ବୀର ଜାତି । ଯେ ବୀର ସେ ନିଶ୍ଚେ ଖାଇବ ଡବଲ୍‌ ମାଡ଼—ପହିଲେ ଶତ୍ରୁଠୁଁ ତାପରେ ଶତ୍ରୁର ବୋକଚାବୁହାଙ୍କଠୁଁ । ଏହି କାରଣରୁ ଓଡ଼ିଶାଟା ଉପରେ ଆମର ଯୋଡ଼ାଏ ଦଫା କଲୋନିଆଲିଜିମର ସୁଅ ବୋହିଗଲା ଏକା ବେଳକେ । ବ୍ରିଟିଶ୍‌-ବଙ୍ଗାଳୀ, ସିଂହ-ଶୃଗାଳ ।’

 

ଆମ କକେଇଙ୍କର ଐତିହାସିକ ଅନ୍ତର୍ଦୃଷ୍ଟି ଏତିକି ତୀକ୍ଷ୍ଣ ହେବାବେଳକୁ ତାଙ୍କର ଏଲିଟ୍‌ ଶ୍ରୋତାଗଣ ହସ ଚାପି ବେଶ୍‌ ସିରିଅସ ହୋଇଉଠିଥାନ୍ତି—ଇତିହାସର ଅନାଲିସିସ୍‌ଟିକୁ କାନେଇବାକୁ ।

 

କିନ୍ତୁ କକେଇ ଆମର ଆହୁରି ଚାଲାଖ୍‌ । ଚଟାକ୍‌କିନା ସେ ସେଇ ମଉକାରେ ଘୂରାଇ ଦିଅନ୍ତି ଶ୍ରୋତାଙ୍କ ଆଟେନ୍‌ସନ୍‌ ଇତିହାସ ଛାଡ଼ି ତାଙ୍କ ଗଳ୍ପର ବିଷୟବସ୍ତୁ ଆଡ଼କୁ—‘‘ଦିନେ ଦେଖ୍‌ ଦେଖ୍ ମେମ୍‌ସାହାବ୍‌ର ‘ନି’ ଉପରେ ନଇଚନ୍ତି ନେମାଇଁ କୃଷ୍ଣ ! ମେମ୍‌ ସାହାବ୍‌ ଇସ୍ୟୁଲେସ୍‌ । ଦୁଶୁଚି ଅବିକଳ ଯଶୋଦା ଧରିଚନ୍ତି ଅବା କୃଷ୍ଣଙ୍କୁ । ୟାର ଦଶ ପନ୍ଦର ବର୍ଷ ଅନ୍ତେ ନେମାଇଁ ଦାରୋଗାଙ୍କ ଆବିର୍ଭାବ କଟକ ଜିଲ୍ଲାରେ । ସିଧା ମୁକରିର ଦାରୋରା ଚାକିରୀରେ । ଏତିକିବେଳେ ପଡ଼ିଲା ସେ କେଶ୍‌ ଆମ ଜମିଦାରି ଇଲାକାର ଗୋଟିଏ ଗାଁରେ । କେଶ୍‌ ସେମିତି କିଛି ନୁହଁ ମ—ଏଇ ଗୋଟାଏ ମାମୁଲି ଚୋରି କେଶ୍‌ । ମୌଜା ବମ୍ବୁରୀ ଅନ୍ତର୍ଗତ ଗୋଟାଏ ଚାଷୀ ଗାଁର ଜଣେ ଚାଷୀ ଲୋକର କଂସାଢ଼ାଳଟାଏ ରାତିବିକାଳି ଚୋରିଚାଲିଗଲା । ଚୌକୀଦାର ଖବର ଦେଇଗଲା ଦଫାଦାର୍‌କୁ । ଦଫାଦାର ପହଞ୍ଚିଗଲା ସଦର ଥାନାରେ । ଏତଲା ଦାଖଲ ହେଇଗଲା ସାଥେସାଥ୍‌ ତ ଚଟାପଟ ସରଜମିନ୍‌ ତଦନ୍ତ ଉପରେ ହାଜର ହୋଇଗଲେ ସଦଳବଳେ ଦାରୋଗାବାବୁ । ଆରମ୍ଭ ହେଇଗଲା ଇନ୍‌କୁଆରୀ । ଲୋକ ଥାଟ ପଟାଳି । ସବୁରି ମଝିରେ ଏକମାତ୍ର ଦୃଶ୍ୟମାନ ବ୍ୟକ୍ତି ଦାରୋରା ବାବୁ—ନେମାଇଁ ବାବୁ । ବାସ୍ତବିକ ବ୍ରିଟିଶ୍‌ ଶାସନକୁ ଧନ୍ୟ କହିବ । ସେତେବେଳେ ସରକାରୀ ଚାକିରୀରେ ରିକ୍ରୁଟ୍‌ମେଣ୍ଟ୍‌ ପୁଲିସ ଯାହାପାରେ ତାହା ଥାଉ ନା କାହିଁକି, ଡେପୁଟିମାନେ ଦୁଶୁଥିଲେ ଡେପୁଟିଙ୍କ ଭଳି । ପୁଲିସ୍‌ ଦିଶୁଥିଲା ପୁଲିସ୍‌ ଭଳି । ଲକ୍ଷେ ଲୋକରେ ବାରି ହେଇ ପଡ଼ିବେ—ଆଉ ନେମାଇଁ ଦାରୋଗାଟି ଆମର ତ ସହଜେ ପିଲାଦିନୁ ଆଖିଦୃଷ୍ଟିଆ । ପୁଣି ମେମ୍‌ସାହାବ ପାଳିଥାଏ ତାକୁ ପିଲାଦିନୁ । ପୁଲିସ୍‌ ହାକିମ ଚାକିରୀଟିଏ ଦେଇ ସାହବ ପଠେଇଥାଏ ତାକୁ ଏଠିକି ଆମ ଓଡ଼ିଶାକୁ । ଓଡ଼ିଆଙ୍କ ଗୋରୁ ପଲରେ ଷଣ୍ଢଟିଏ ଭଳି ବିରାଜୁଥାଏ ଜାଣ । ଷଣ୍ଢ ଭଳି ହଣ୍ଟାଳୁଥାଏ ବି ଅବିକଳ । ତା ହଣ୍ଟାଳରେ ହଗାତ୍‌ ନଗାତ୍‌ ହେଲେଣି ସେତେବେଳକୁ ଚଉକିଆ ଦଫାଦାର୍‌ ନାଲି ପଗଡ଼ିଆ କନେଷ୍ଟବଳ ପଂଝାକଯାକ । ଇନ୍‌କୁଆାରୀ ଆରମ୍ଭ ହଉଥାଏ ସେଇ ମାତ୍ର ।’’

 

‘‘କିନ୍ତୁ, ଅଜା ! ଲୋକଟାର କ୍ୱାଲିଫକେସନ୍‌ ? ମାଟ୍ରିକ୍ୟୁଲେସନ୍‌ କମ୍‌ସେକମ୍‌ ପାଶ୍‌ ହେଇଥିବ ତ ! ନହେଲେ……..’’

 

‘‘ଓ ନୋ ନୋ-’’ ଆମ କକେଇଙ୍କ ବ୍ୟଙ୍ଗ ମୁଖର ସ୍ୱର ସେଇଠି ଅଳ୍ପ ବିଟ୍ରେ କରିଦିଏ ନିଜର ଜୀବନବ୍ୟାପୀ ଅବଦମିତ କୌଣସି ଅଜ୍ଞାତ ଆତ୍ମାଭିମାନର ଉତ୍ସଟିକୁ । ସାମାନ୍ୟ ଅପ୍ରତିଭ ହୋଇ ନିଜର ମୁଖଭଙ୍ଗୀର ମେକଅପ୍‌କୁ ଚଟାପଟ୍‌ ବଦଳାଇ ନିଅନ୍ତି ସେ ସେତେବେଳେ, ଆଉ ଫେଁକିନା ହସିଦେଇ କହନ୍ତି—‘‘ମାଟିରିକ୍‌ ନୁହେଁ ହୋ ! ଆମ ବେଳେ ବାଲିରିକ୍‌କୁ ଧରାଯାଉଥିଲା ମିନିମମ୍‌ କ୍ୱାଲିଫିକେସନ୍‌ ।’’

 

‘‘ଅଜା, ବାଲିରିକ୍‌ ? ସେ’ଟା ପୁଣି କ’ଣ ?’’ ସହରୀ ଏଲିଟ୍‌ମାନେ ଜାଣି ଜାଣି ଆମ କକେଇଙ୍କୁ ଟାଣନ୍ତି ଥୋଡ଼ାଏ ବେହେଲ ବାକ୍‌ବିତଣ୍ଡା ଆଡ଼କୁ; କାରଣ ସେମାନେ ବେଶ୍‌ ଜାଣିଥାନ୍ତି ଯେ ଆମ କକେଇଙ୍କ ପାଠପଢ଼ା ସେତେ ବେଶି ନୁହେଁ ଯାହା ମନେହୁଏ ତାଙ୍କର ପୋଖତ ବିଚାର ଆଚରଣ ଆଉ କଥାବାର୍ତ୍ତାରୁ ।

 

‘‘ଓ ବାଲିରିକ୍‌ ?’’ ଆମ କକେଇଙ୍କ ଗ୍ରେକୋ-ରୋମାନ୍‌ ରୂପଗାମ୍ଭୀର୍ଯ୍ୟର କୌଣସି ଏକ ନିର୍ଦ୍ଦିଷ୍ଟ ଅଂଶକୁ ହଠାତ୍‌ ଏକ ବାବଦୂକତାର ପ୍ରଭାବ ପ୍ରବେଶ କରେ ତାଙ୍କ ସ୍ୱରରେ । ସେଇଠୁ ଆରମ୍ଭ କରନ୍ତି ସେ ତାଙ୍କ ବାଲ୍ୟକାଳରେ ପାଠ୍ୟ ପୁସ୍ତକ ରୂପେ ପ୍ରଚଳିତ ଖଣ୍ଡେ ବହୁଳ ପଠିତ ଗ୍ରନ୍ଥରୁ ଘୋଷା ହୋଇଥିବା କିୟଦ୍ଦଂଶର ଆବୃତ୍ତି ଏହିପରି—

 

‘‘ଓ୍ୱାନ୍‌ ମର୍ଣ୍ଣ ଆଇ ମେଟ୍‌ ଏ ଲେମମ୍ୟାନ, ନିଅର ମାଇଁ ଫାର୍ମ, ହୁ ହାଜ୍‌ ନଟ୍‌ ଗନ୍‌ ଭେରି ଫାର୍‌ ହ୍ୱେନ ହିଜ୍‌ ଷ୍ଟିକ ବ୍ରୋକ୍‌……..’’

 

ତାଙ୍କର ପରିହାସବ୍ୟଞ୍ଜକ ସ୍ୱରରୁ ସଂସ୍କୃତ ଢଙ୍ଗରେ ଇଂରେଜୀ ଉଚ୍ଚାରଣଗୁଡ଼ିକ ଏଭଳି ବିଚିତ୍ର ଶୁଭେ ଯେ ଏଲିଟିଷ୍ଟ ଶ୍ରୋତୃମଣ୍ଡଳୀ ମାଳେ ଚିନା ଫୋଟକା ଫୁଟିଲା ଭଳି ଲଗାତର ଫାଟି ଫାଟି ହସି ହସି ଗଡ଼ିଯାନ୍ତି ।

 

ଶ୍ରୋତାମଣ୍ଡଳୀ କିଞ୍ଚିତ୍‌ ଥୟ ଧରି ଆସିଲା ବେଳକୁ ଆମ କକେଇ ପୁଣି ମାଳେ ଚାଇନା ଫୋଟକାରେ ଅଗ୍ନି ସଂଯୋଗ କରିବାକୁ ପ୍ରସ୍ତୁତ ହୋଇ ବସିଥାନ୍ତି—‘‘ଆଣ୍ଡ୍‌ ଦ୍ୟାଟ୍‌ ଇଜ୍‌ ବାଲିରିକ୍‌–ଫାଷ୍ଟ୍‌ ବୁକ୍‌ ଘୋଡ଼ା ଲେସନ୍‌—ପ୍ରାତଃସ୍ମରଣୀୟ ମହାନ୍‌ ଲେଖକ ପ୍ୟାରିମୋହନ ସରକାରଙ୍କ ପ୍ରଣୀତ ଫାଷ୍ଟ୍‌ ବୁକ୍‌ର ଘୋଡ଼ା ଲେସନ୍‌ ଅର୍ଥାତ୍‌ ଓ୍ୱାନ୍‌ ମର୍ଣ୍ଣ ଆଇ ମେଟ୍‌…….’’ ହସର ବିଷ୍ଫୋରଣ ଏଥର ଶେଷ ହେଉ ହେଉ ଅଧଘଣ୍ଟାରୁ କମ୍‌ ନୁହେଁ ନିଶ୍ଚେ ।

 

ଏଇ ଅବସରରେ ପ୍ରଚୁର ଚାହା ଜଳଖିଆ ଓ ପାନଖିଆ ଅଧ୍ୟାୟଟିଏ ଆରମ୍ଭ କରିଦିଆଯାଏ ଏଲିଟମାନଙ୍କ ପକ୍ଷରୁ ଆୟୋଜିତ ପ୍ରଧାନ ପୃଷ୍ଠପୋଷକ ସେ ଯେ କେହି ହୁଅନ୍ତୁ ନା ପଛକେ—ଆମ କକେଇଙ୍କ ଯଥାଯୋଗ୍ୟ ଚର୍ଚ୍ଚା ଓ ସମ୍ମାନାର୍ଥେ । ତେବେ ଓଡ଼ିଶା ଇତିହାସର ଆଲୋଚନା ଚକ୍ର ବନ୍ଦହୋଇଯାଏ ନାଇଁ ସେତିକିରେ, ବରଂ ଜମେ ବେଶି ବେଶି । ବିଷୟବସ୍ତୁ ଘମାଘୋଟ ହୋଇ ମାଡ଼ିବସେ ଚାରିପାଖୁ ।

 

‘‘ହାଁ, ଅଜା, ମାର୍‌ ଗୁଲି ହୋ ସେ କ୍ୱାଲିଫିକେସନ୍‌ଗତ ଯୋଗ୍ୟତାକୁ । ନେମାଇଁ ଦାରୋଗାଟା ତେବେ ସେଇ ତମ ବେଳର ବାଲିରିକ୍‌ ନା କ’ଣ କହୁଚ ? ଆଚ୍ଛା, ନେମାଇଁ ଦାରୋଗା କେମିତି ଏନ୍‌କ୍ୱାରି କଲା ସେ ଚୋରୀ କେଶ୍‌ଟା କହୁନ କାହିଁକି ହେ !’’ ପାର୍ଟିର ପ୍ରଧାନ ପୃଷ୍ଠପୋଷକ ପକ୍ଷରୁ ଆସେ ସେ ଫର୍ମାଇସ୍‌ଟି । ଏଭଳି ପାର୍ଟିର ପ୍ରଧାନ ପୃଷ୍ଠପୋଷକ ଭାବେ ସାଧାରଣତଃ ବିଶିଷ୍ଟ ଜଜ୍‌, ଓକିଲ, ଡାକ୍ତର, ଇଞ୍ଜିନିୟର ବା ଅଧ୍ୟାପକମାନେ ନିମନ୍ତ୍ରଣ କରନ୍ତି ଆମ କକେଇଙ୍କୁ ତାଙ୍କ ବାସଭବନକୁ । ଆଉ ଶ୍ରୋତୃମଣ୍ଡଳୀ ଭାବେ ସ୍ୱତନ୍ତ୍ର ଭାବେ ନିମନ୍ତ୍ରିତ ହୋଇ ଆସିଥାନ୍ତି ମଧ୍ୟ ଅନେକ ବିଶିଷ୍ଟ ଭଦ୍ରବ୍ୟକ୍ତି ଓ ଭଦ୍ରମହିଳା ସେ ଆସରକୁ । ହଁ, ଏଲିଟ୍‌ମାନଙ୍କ ନିକଟରେ ଆମ କକେଇ ବାସ୍ତବିକ ଜଣେ ସମ୍ମାନସ୍ପଦ ବ୍ୟକ୍ତି ଏହି କାଟର ଏଥିରେ ସନ୍ଦେହ ନଥାଏ କିଛି ।

 

ନେମାଇଁ ଦାରୋଗା ସମ୍ପର୍କରେ ଶ୍ରୋତାମଣ୍ଡଳୀର ଏଇ ଧରଣର ଫର୍ମାସୀ ହୁଏତ ବେଶି ଉତ୍ସାହିତ କରିପାରେ ନାଇଁ ଆମ କକେଇଙ୍କୁ ।

 

‘‘......ଟା ? ଦାରୋଗାଟା ? କ’ଣ କହୁଛ ହେ ? ନେମାଇଁ ଦାରୋଗା କ’ଣ ତମର ଏଇ ନେଣ୍ଟି ପୁଲିସ୍‌ ଇନ୍‌ସପେକ୍ଟର ନା ଏସ୍‌.ପି. କାଟର ମଣିଷଟିଏ କିଓ ?’’ ଚିଲା ଚିଲା ବଡ଼ ବଡ଼ ଆଖି ଯୋଡ଼ିକ କକେଇଙ୍କର ସେତେବେଳେ ବାସ୍ତବିକ ହେଲେ ଦର୍ଶନୀୟ ବସ୍ତୁ—ଯାହାକୁ ଦେଖିଲେ ଦର୍ଶକ ଆଶ୍ଚର୍ଯ୍ୟାନ୍ୱିତ ହେବାକୁ ବାଧ୍ୟ ହେବ ଅନ୍ତତଃ ଓ ବାତାବରଣଟି ପୂର୍ବରୁ ଯେତେ ଲଘୁ ହୋଇ ପଡ଼ିଥାଉ ନା କାହିଁକି ଆମ କକେଇଙ୍କର ସେ ପ୍ରାଚୀନ ଐଶ୍ୱର୍ଯ୍ୟବନ୍ତ ଚାହାଣୀରେ ହଠାତ୍‌ ସବୁ କିଛି ପୁଣି ଗୋଟାଗୋଟି ସଜଡ଼ାସଜୁଡ଼ି ହୋଇ ବାତାବରଣରେ ପ୍ରବେଶ କରିଯାଏ ଏକ ଗୁରୁଗମ୍ଭୀର ଅପେକ୍ଷାମାଣ ଠାଣି ।

 

‘‘ଆରେ ସେ କାଳର ଦାରୋଗା ଆଜିକାଲି ତମର ଏଇ ଆଇ ଜି.ଗୁଡ଼ାକ ଠୁଁ ବି–ହେଁ–ବୁଝିଲ ନା ? ନେମାଇ ଦାରୋଗା ସାମାନ୍ୟ ଲୋକ ନୁହନ୍ତି । କମିଶନର୍‌ର ମେମ୍‌ ସାହାବର ‘ନି’ ଉପରେ ବସିଲାବାଲା ପିଲା ସେ । ବଙ୍ଗଳା ବିହାର ଓଡ଼ିଶା ୟୁନାଇଟେଡ଼୍ ପ୍ରଭିନ୍‌ସରେ ଓଡ଼ିଶା କୋଟାକୁ ଆଇ.ପି.ଏସ୍‌. କୋଟା ଭଳି ପଠା ହୋଇଥାଏ ତାକୁ ସେତେବେଳେ ଖୋଦ୍‌ କଟକ ସଦର ଥାନାର ଇନ୍‌ଚାର୍ଯ କରି । ସେକାଳରେ ଓଡ଼ିଶା କହିଲେ କଟକ ଜାଣ ହେ । ଦାରୋଗା ? ଟା ? ହାଡ଼ ଅଛି ତମ ଜିଭରେ—ଟା ପଦ ଲଗେଇଦେବ ସେଭଳି ଲୋକ ନାଁରେ ?’’

ଆମ କକେଇଙ୍କର ସେଭଳି ସତର୍କବାଣୀ ଶ୍ରୋତାମଣ୍ଡଳୀକୁ କେବଳ ବିସ୍ମିତ କରିଦେବା ପାଇଁ ଉଦ୍ଦିଷ୍ଟ ନଥାଏ । ସେମାନଙ୍କୁ ଇତିହାସ ସଚେତନ, କାଳ ସଚେତନ କରେଇବାହିଁ ଥାଏ ତାଙ୍କର ଲକ୍ଷ୍ୟ । ଶ୍ରୋତୃବର୍ଗ ମଧ୍ୟ ଆମ କକେଇଙ୍କର ରାଜକୀୟ ଚକ୍ଷୁ ଯୁଗଳ ଜରିଆରେ ସେଇ କାଳ ଚେତନାକୁ ଅଚିରେ ପ୍ରାପ୍ତ ହୁଅନ୍ତି ଓ ଗୁମସୁମ ହୋଇ ବସିପଡ଼ନ୍ତି । ସେଇ ଗୁମସୁମ୍‌ ଭିତରେ ଖାଲି ଟିକିଏ ଟିକିଏ ଚା’ଶୋଷଡ଼ା ଶବ୍ଦ ଛଡ଼ା ଆଉ ପ୍ରାୟ କିଛି ଶୁଣାଯାଏନା ସେତେବେଳେ । ଆଉ ସେଇଠୁ ଯାଇ ଆରମ୍ଭ ହୁଏ କକେଇଙ୍କର ପ୍ରତ୍ୟକ୍ଷଦର୍ଶୀ ବିବରଣୀ—ଇନ୍‌କୁଆରୀ କାହାଣୀ ।

‘‘ନେମାଇଁ ଦାରୋଗାଙ୍କୁ ଓଡ଼ିଶାରେ ପୋଷ୍ଟିଂ କରାଯିବା ପୂର୍ବରୁ ଆଜି ଭଳି ସେକାଳେ ମଧ୍ୟ ପ୍ରଚଳିତ ନିୟମାନୁଯାୟୀ ସ୍ଥାନୀୟ ଭାଷା ଅର୍ଥାତ୍‌ ଓଡ଼ିଆରେ ଭର୍ଣ୍ଣାକୁଲାର ପାଶ୍‌ କରିବାକୁ ପଡ଼ିଥିବ ନିଶ୍ଚେ, ଆଉ ନେମାଇଁ ବାବୁ ଆମ ଓଡ଼ିଆଙ୍କ ଫାଷ୍ଟବୁକ୍‌ ବା ମଧୁରାଓଙ୍କ ବର୍ଣ୍ଣବୋଧ ଖଣ୍ଡକୁ ପାଣି କରିଦେଇଥାନ୍ତି ଏତେ ଜୋର୍‌ରେ ଯେ ତାଙ୍କୁ ଓଡ଼ିଆ ପଢ଼ାଉଥିବା ପଣ୍ଡିତ ଜଣକ ଗଦ୍‌ଗଦ୍‌ ହେଇ କୁଆଡ଼େ କହିପକେଇଥିଲେ—‘ନେମାଇଁ’ ! ତୁମେ ପୁଲିସ୍‌ ନହେଇ ପ୍ରଫେସର୍‌ ହବା ଉଚିତ ଥିଲା । ମୁଁ ମୋ ଜୀବନରେ ଏତେ ଲୋକଙ୍କୁ ଓଡ଼ିଆ ଶିଖେଇଲିଣି, କିନ୍ତୁ ତମ ଭଳି ବୁଦ୍ଧିମାନ୍‌ ଛାତ୍ର ଦେଖି ନଥିଲା ଏ ଆଖି ।’ ଏହାପରେ ପଣ୍ଡିତ ମହାଶୟ ନେମାଇଁ ଦରୋଗାଙ୍କଠୁଁ ଗୁରୁଦକ୍ଷିଣା ଗଣ୍ଡିକ ହାସଲ କରୁକରୁ ଅସଲ ଗୁରୁମନ୍ତ୍ରଟି ଦେଇଥିଲେ ସମ୍ଭବତଃ କାନରେ ତାଙ୍କର–ଦେଖ ବାବୁ, ଆମ ଓଡ଼ିଶାର ମଧୁରାଓ ଜଣେ ସାମାନ୍ୟ ଲୋକ ନୁହନ୍ତି । ସେ ଜଣେ ମହାପୁରୁଷ ଏହା ଅନସ୍ୱୀକାର୍ଯ୍ୟ । ଆଉ ତାଙ୍କ ପ୍ରଣୀତ ଏ ବର୍ଣ୍ଣବୋଧଟିକୁ ମହାପୁରୁଷଙ୍କ ବାଣୀ ଭଳି ଓଡ଼ିଆ ଜାତି ପୂଜା କରି ଆସୁଛି । ତମେ ଏ ବାଣୀକୁ କଣ୍ଠସ୍ଥ କରିଛ । ଓଡ଼ିଆ ଜାତିକୁ ଯଦି ପ୍ରକୃତରେ ଶାସନ କରିବାକୁ ଆସିଚ ତେବେ ବାବୁ ପ୍ରଥମେ ତାର ପ୍ରାଣକୁ ଚିହ୍ନିରଖ ଏଇ ଅନବଦ୍ୟ ମହାପୁରୁଷଙ୍କ ବାଣୀ ଜରିଆରେ । ତମ କଲମର ନିଶ୍ଚେ ଜୟ ହବ ହିଁ ହବ ।’’

ସେକାଳର ସରକାରୀ ଚାକିରୀରେ ପଶିବା ବ୍ୟବସ୍ଥା ଓ ଚାକିରୀ ପାଇଁ ଯୋଗ୍ୟତା ହାସଲ ବ୍ୟବସ୍ଥା ସମ୍ପର୍କରେ ଉପଯୁକ୍ତ ଆଲୋକପାତ କରିବାକୁ ଆମ କକେଇଙ୍କୁ ବେଶି ଗୁଡ଼ାଏ ବର୍ଣ୍ଣନା କରିବାକୁ ପଡ଼େ ନାହିଁ ସାଧାରଣତଃ । କାରଣ ସହରୀ ଏଲିଟ୍‌ମାନେ ସେ ବିଷୟରେ ଅଧିକ ସମୟ ନେବାକୁ ପ୍ରାୟ ଛାଡ଼ିଦିଅନ୍ତି ନାହିଁ ତାଙ୍କୁ ।

‘‘ଓହୋ, ସେଗୁଡ଼ାକତ ଜଣାଶୁଣା କଥା । ବର୍ଣ୍ଣବୋଧ ଏବେ ବି ପଢ଼ା ହଉଚି ଆମ ଆଇ.ଏ.ଏସ୍‌., ଆଇ.ପି.ଏସ୍‌, ବାଲାଙ୍କୁ ଯେଉଁମାନେ ନନ୍‌ଓଡ଼ିଆ । ଏଥର ଟପିକ୍‌ ଉପରକୁ ଆସନ୍ତୁ ନା ଅଜା !’’ ପୃଷ୍ଠପୋଷକ ଏଲିଟ୍‌ ଜଣକ ଇତିମଧ୍ୟରେ ଗୋଟାଏ ଦିଇଟା ହାଇମାରି ସାରି ଆମ କକେଇଙ୍କୁ ସତର୍କ କରିବାକୁ ବସିଥାନ୍ତି ସମ୍ଭବତଃ ତାଙ୍କ ହାତ ଘଡ଼ିରେ ଉପସ୍ଥିତ ସମୟ ଟିକକ ସମ୍ପର୍କରେ । କିନ୍ତୁ କକେଇ ଆମର ତହୁଁ ବଡ଼ ବୁଦ୍ଧିମାନ୍‌ ବ୍ୟକ୍ତି ।

‘‘ହଉ ହେଲା’’, ପୃଷ୍ଠପୋଷକଙ୍କୁ ଗୋଟାଏ ଆଚ୍ଛା ଡୋଜ୍‌ ଦେଇ ତାଙ୍କୁ ତାଜା କରିଦେବା ଲକ୍ଷ୍ୟରେ ସେ ହଠାତ୍‌ ନିଜ ହାତଘଡ଼ିକୁ ଅନେଇ ଦେଇ ଚମକି ପଡ଼ିବାର ଅଭିନୟ କରୁକରୁ କହିପକାନ୍ତି, ‘‘ଆରେ, ଏତେଗୁଡ଼ାଏ ବେଳ ହେଇ ଗଲାଣି ନା କଅଣ ମ ! ନେମାଇଁ ଦାରୋଗାଙ୍କ ବମ୍ବୁରୀ ମୌଜା ଚୋରୀ କେଶ୍ ଇନ୍‌କ୍ୱାରୀ ଇତିହାସ ତେବେ ଆଜିପାଇଁ ଏଇଠୁ ରହୁ । କାଲିକି ଦେଖିବା ତେବେ ସେ କଥା ।’’ କହୁକହୁ ଆମ କକେଇ ତରବର ହୋଇ ଉଠିପଡ଼ନ୍ତି ବସିବା ଜାଗାରୁ ।

ଆମ କକେଇ ଜଣେ ବ୍ୟଙ୍ଗକାର ହେଲେ ମଧ୍ୟ କମ୍‌ ଆତ୍ମାଭିମାନୀ ନୁହନ୍ତି, ଆଉ ସେ ଥରେ ଉଠିଲେ ତାଙ୍କୁ ବସେଇ ରଖିବା ସମ୍ଭବ ନୁହଁ—ଜାଣନ୍ତି ମଧ୍ୟ ଆମର ସହରୀ ଏଲିଟ୍‌ ଗୋଷ୍ଠୀ-। ତା ଛଡ଼ା ଆମ କକେଇଙ୍କର ବଜାର ଭାଉ ମଧ୍ୟ କିଛି କମ୍‌ ନୁହେଁ ଜଣେ ଗଳ୍ପକଥକ ଭାବେ । ସହରର ବିଭିନ୍ନ ଗୋଷ୍ଠୀ—ବିଶେଷତଃ ଆମ ମୂଷାମୁହାଁ ଓଡ଼ିଶା ରାଜ୍ୟ ଖଣ୍ଡକର ପଶ୍ଚିମ ଦକ୍ଷିଣ ଉତ୍ତର ବା ଉପକୂଳ ପ୍ରଭୃତି ଇଲାକାର ବାସିନ୍ଦାମାନଙ୍କୁ ଘେନି ଏକା ସହରରେ ଗଢ଼ାଯାଇଥିବା ହରେକ ନାମଧାରୀ କଳହରତ ଗୋଷ୍ଠୀଙ୍କ ମଧ୍ୟରେ ନାରଦ ପରି ଆତଯାତ ହେଉଥିବାରୁ ଆମ କକେଇଙ୍କୁ କୌଣସି ଗୋଷ୍ଠୀ ସହଜେ ହାତ ଛଡ଼ା କରିବାକୁ ଚାହାନ୍ତି ନାହିଁ ଯେ କୌଣସି ଅବସ୍ଥାରେ-

 

‘‘ଅଜା, ଅଜା—’’, ସଂଶିତ ଆସରର ପୃଷ୍ଠପୋଷକ ସମେତ ପ୍ରାୟ ସବୁ ସଭ୍ୟ ସଭ୍ୟା ଏପରିକି ଘରର ପିଲାଛୁଆ ଚାକର ବାକର ଏକାବେଳକେ ଘେରିଯାନ୍ତି ଚାରିଆଡ଼ୁ, ଆଉ ଏକାବେଳକେ ବିକଳ ଅନୁରୋଧ ଆସେ ଚତୁର୍ଦ୍ଦିଗରୁ, ସମ୍ମିଳିତ କଣ୍ଠରୁ—ଅଜା ମରିଯିବୁ, ମରିଯିବୁ-। ଅସଲ ଗପଟା ଶୁଣିବୁ ଶୁଣିବୁ ବୋଲି ଅନେଇ ବସିଚୁ । ଆଉ ତମେ ଚାଲିଯିବାକୁ କହୁଚ ! ମରିଯିବୁ......ମରିଯିବୁ ।’’

 

ଆମ କକେଇ ଆତ୍ମାଭିମାନୀ—ଅବିକଳ ପୁରୁଣାକାଳର ଜମିଦାରଙ୍କ ପରି ଆତ୍ମାଭିମାନୀ । କିନ୍ତୁ ତାଙ୍କର ଅଭିମାନର କାରଣ ଭିନ୍ନେ ରକମର—ସାମନ୍ତବାଦୀ ଅଭିମାନ ନୁହେଁ ସେ ନିଶ୍ଚୟ ।

 

ଶ୍ରୋତୃମଣ୍ଡଳୀକୁ ଏହିପରି ସତର୍କ କରିଦେଇ ଆମ କକେଇ ପୁଣିଥରେ ଆସନ ଧରନ୍ତି-। କିନ୍ତୁ ଏଥର ଟପିକ୍‌ ଉପରକୁ ଆସିବା ପାଇଁ ବେଶି ବେଳ ଲାଗେନାହିଁ ତାଙ୍କୁ । ତେବେ ଆମ ସହରୀ ଏଲିଟ୍‌ମାନଙ୍କୁ ଟିକେ ତାଗିଦା କରିଦେବା ଉଦ୍ଦେଶ୍ୟରେ ଆରମ୍ଭରୁ ପଦେ କଡ଼ାକଥା ଶୁଣେଇଦିଅନ୍ତି କେବଳ—‘‘ଆରେ ବାବୁ, ମୁଁ ଏଠି ଅଜା—ନାତି ରହସ୍ୟ କରିବାକୁ ଆସିନାଇଁ ହୋ-। ତମେ କ’ଣ ଭାବୁଚ ମୁଁ ଏସବୁ ମନଗଢ଼ା କଥା ତୋଳି ଫାନ୍ଦି ବଖାଣି ଲାଗିଛି—ଖୋଦ୍‌ ଆଖିରେ ଦେଖା କଥା, କାନରେ ଶୁଣା କଥା । ପିଓର ହିଷ୍ଟ୍ରି ! ତମ ମୂଷାମୁହାଁ ଓଡ଼ିଶା ରାଇଜରେ ଦିନେ ଏଇଭଳି ବିଚାର ହଉଥିଲା—ପବ୍‌ଲିକ୍‌ଲି । ଆଉ ମୁଁ ତ ଶୁଣୁଚି ଏବେବି କୁଆଡ଼େ ଚାଲିଚି ଏମିତିକା ବିଚାର ଏଇ ସ୍ୱାଧୀନ ଭାରତରେ, ଏଇଠି ଏଇ ମୂଷାମୁହାଁ ଓଡ଼ିଶା ରାଇଜରେ ।’’

 

ଆମ କକେଇଙ୍କର ଚିଲା ଚିଲା ବଡ଼ ବଡ଼ ଆଖି ହଳକ ଆସରରେ ବସିଥିବା ବିଚାରପତିଙ୍କଠୁଁ ଆରମ୍ଭ କରି ଅଫିସର୍‌ ଗୋଷ୍ଠୀର ପ୍ରତ୍ୟେକ ଉପସ୍ଥିତି ସଭ୍ୟମାନଙ୍କ ଆଖିକୁ ପରସ୍ତେ ଅନେଇ ଦେଇ ସାରିଥାଏ ସେତେବେଳକୁ । ଆଉ ସବୁ ଆଖି ମିଟିମିଟି ଅବସ୍ଥାକୁ ପ୍ରାପ୍ତ ହେଇ ଆସୁଥିବା ବେଳକାଳ ଉଣ୍ଡି ଆମ କକେଇ ଆରମ୍ଭ କରିଦିଅନ୍ତି—

 

‘‘ନେମାଇଁ ଦାରୋଗାକୁ ଦେଖିବ ସତେ ସରଜମିନ୍ ତଦନ୍ତ ବେଳାରେ । ଓଃ, କି ସେ ଚେହେରା ବାସ୍ତବିକ୍‌ ! ହେଁ ଛାତି, ହେ ମୁଣ୍ଡ, ହେ ମୋଟ ମୋଟ ବାହୁ, ଆଉ ତା ସାଙ୍ଗକୁ ସେ ରାହୁଆ ପାଟି । ବଙ୍ଗଳାମିଶା ଖଣ୍ଡି ଓଡ଼ିଆରେ ଦଫାଦାର ନବଘନ ରାଉଳଟାକୁ ହାଙ୍କିଦବ ସେ ଯେତେବେଳେ, ‘ନୋବୋଘନ୍‌ କୁଥାଏ ଗଲା ସେ ଶାଲା ମୁଦେଇ ବାହାଞ୍ଚ—ହାଜର୍‌ କର୍‌ ଶାଲାକୁ ଆମାର୍‌ ସାମ୍ନାରେ—ଘନିଆ ଦଫାଦାର ଗାଁ—ଫାଟ୍‌ ମୁରାର୍‌ ।’’

 

ଆମ କକେଇଙ୍କର ମୁହଁରୁ ଅବର୍ଜ୍ୟା କଥା ବାହାରେ ନାହିଁ ଅବଶ୍ୟ ସେତେ ବେଶି, କିନ୍ତୁ ଇତିହାସକୁ ଆଖିଆଗରେ ଦେଖି ପକେଇବା ବେଳଟା ଆସିଯିବା ମାତ୍ରେ ସେ ପ୍ରାୟ ଏହିପରି ଶବ୍ଦ କେତୋଟି ଅଜାଣତରେ ଆଉ ଖୁବ୍‌ ସ୍ୱଚ୍ଛନ୍ଦରେ ମଧ୍ୟ ବ୍ୟବହାର କରିପାରନ୍ତି । ଯଦି ଏ ସମ୍ପର୍କରେ ପରେ ତାଙ୍କୁ କେହି ସଚେତନ କରିଦିଏ ଆଉ ପଚାରେ, ‘‘ଅଜା, ସେଦିନ ସେଠି ପରା ପିଲା ମାଇପେ ଭର୍ତ୍ତି ହେଇଥିଲେ ସେ ସଭାରେ । ତମ ମୁହଁରୁ— ?’’

 

ଏହାର ଉତ୍ତରରେ ଆମ କକେଇ ଅଳ୍ପ ହସିଦେଇ କହନ୍ତି, ‘‘ଇତିହାସକୁ ପଚାର ଭାଇ ଇତିହାସକୁ । ସେଇ କହିବ କାହିଁକି ବାହାରିଲା ମୋ ମୁହଁରୁ ଏ ବାଣୀ ।’’

 

ସେ ଯାହାହେଉ ପଛକେ, ନେମାଇଁ ଦାରୋଗାର ସରଜମିନ୍‌ ତଦନ୍ତ ବ୍ୟାପାର ସେତେବେଳେ ବେଶ୍‌ ଜମିବାକୁ ଆରମ୍ଭ କରିଥାଏ ସେଦିନ ଆସରରେ—ବିଶେଷତଃ ଆମ କକେଇଙ୍କ ବର୍ଣ୍ଣିତ ଘନିଆ ଦଫାଦାର ପ୍ରତି ନେମାଇଁ ଦାରୋଗାର ପରମ ସଂଭାଷଣ ପରେ ପରେ-। ସହରୀ ଏଲିଟ୍‌ମାନେ ଖେଁ ଖେଁ ହେଇ ହସି ଉଠୁଥାନ୍ତି । ଠିକ୍‌ ସେତିକିବେଳେ କକେଇଙ୍କ ଐତିହାସିକ ବର୍ଣ୍ଣନାଟି ଆଗେଇ ଆସେ ଏକ ପ୍ରତ୍ୟକ୍ଷଦର୍ଶୀ ବିବରଣୀ ଧାରାରେ—

 

‘‘ବମ୍ବୁରୀ ମୌଜାର ଢାଳ ଚୋରୀ ମକଦ୍ଦମାର ମୁଦେଇ ଗୋପୀ ପଧାନକୁ ଘନ ଦଫାଦାର ସମେତ୍‌ ଚାରି ପାଞ୍ଚଜଣ କନେଷ୍ଟବଲ୍‌ ସିଧା ଟେକି ଆଣି କଚ୍ଚି ଦିଅନ୍ତି ଲାଥୁକିନା ନେମାଇଁ ଦାରୋଗା ସାମନାରେ ଆଉ ରିପୋର୍ଟ କରନ୍ତି ଲୋକଟାର ଉପସ୍ଥିତ ସମ୍ପର୍କରେ—ହେଇ ହଜୁର୍‌ ! ମୁଦେଇ ଗୋପୀ ପଧାନ ହାଜର୍‌ ହେଁ ।

 

‘‘ନେମାଇଁ ଦାରୋଗାଙ୍କର ସ୍ୱଭାବତଃ ନାଲି ଆଉ ଢେଗା ଢେଗା ଆଖି ଯୋଡ଼ାକ ଏଡ଼େ ଶକ୍ତିଶାଳୀ ଯେ ପୁଲିସବାଲା ହିସାବରେ ସାଧାରଣତଃ ବେଶୀ ଗୁଡ଼ାଏ ଜବାବ୍‌ ସୁଆଲ୍‌ କରିବାକୁ ପଡ଼େନାହିଁ ତାଙ୍କୁ ସରଜମିନ୍‌ ଉପରେ ସତ୍ୟ ଉଦ୍‌ଘାଟନ ପାଇଁ । ସେଇ ଆଖିରେ ଗୋପୀ ପଧାନର ଆପାଦମସ୍ତକ ନିରୀକ୍ଷଣ କରୁ କରୁ ଦାରୋଗା ବାବୁଙ୍କ ପ୍ରଥମ ପ୍ରଶ୍ନଟି ବାହାରିଥିଲା ସେଦିନ—ତୋମାର ନାମ୍‌ଟା କି ?

 

‘‘ଆଜ୍ଞା, ହଜୁର, ମୋ ନା ଗୋପୀ-’’

 

‘‘ହୁଁ, ଗୋପୀ—ଆଚ୍ଛା କି ହଇଲ ?’’

 

‘‘ଆଜ୍ଞା ହଜୁର, ରାତି ବିକାଳି, ଗଲାଦିନ କୋଳଥ ଅଟକାଳି ଖାଇ ଦେଲାରୁ ପେଟ ବିଗିଡ଼ି ଥେଲା । ଢାଳ ଧରି ଧାଇଁଥିଲି ବାହାରକୁ, ପାଣିସାରିବା ବେଳକୁ ଢାଳତ ଖୋଜୁଛି ଆଜ୍ଞା…...’’

 

‘‘କି ବଲିଲ, କି ବଲିଲ, ଢାଳ ଧରି ଯାଇଛିଲ ବାହାରକେ—ତୁମି ମିଥ୍ୟାବାଦୀ !’’

 

ଆମ କକେଇଙ୍କ ଚାକ୍ଷୁଷ ବର୍ଣ୍ଣନା ପ୍ରାୟ ଏଇଠି ପହଞ୍ଚିବା ବେଳକୁ ହଠାତ୍‌ ଏଲିଟ ମହଲରୁ ଏଡ଼େ ଜୋର୍‌ରେ ଗୋଟାଏ ସମ୍ମିଳିତ ହସର ଧ୍ୱନି ଶୁଣଯାଏ ଯେ ସେଥିରେ ଘର ବାହାରେ, ରାସ୍ତା ଉପରେ ଚାଲିଥିବା ପଥିକମାନେ ମଧ୍ୟ ସମୟେ ସମୟେ ଆକୃଷ୍ଟ ହୋଇ ଆସରର ପୃଷ୍ଠପୋଷକଙ୍କ ପିଣ୍ଡା ଉପରକୁ ଚଢ଼ିଆସନ୍ତି ।

 

କିନ୍ତୁ ଏସବୁ ଘଡ଼ିସନ୍ଧି ମୁହୂର୍ତ୍ତରେ ଆମ କକେଇଙ୍କର ସମ୍ଭ୍ରାନ୍ତ ଗ୍ରେକୋ-ରୋମାନ ଚେହେରାଟି ଆହୁରି ଗାମ୍ଭୀର୍ଯ୍ୟବନ୍ତ ହୋଇ ମଧ୍ୟ ଅତ୍ୟନ୍ତ ଧୈର୍ଯ୍ୟ ଓ ମର୍ଯ୍ୟାଦା ସହକାରେ ସେ ଏକ ବିଶାଳକାୟ ସାମୁଦ୍ରିକ ପୋତ ପରି ସବୁ ଲହଡ଼ି କାଟି କାଟି ବେଶ୍‌ ଦ୍ରୁତ ଗତିରେ ଲକ୍ଷ୍ୟସ୍ଥଳକୁ ଆଗେଇ ଚାଲନ୍ତି ।

 

ନେମାଇଁ ଦାରୋଗାର ସେଇ ମିଥାବାଦୀ ଆକ୍ଷେପଟି ଚାଷୀ ଗୋପୀ ପଧାନକୁ ଭାରି କାଟିବାର କଥା । ଲୋକଟା ମୁହଁ ଆମ୍ବିଳେଇ ପୁଲିସ ହାକିମକୁ ନିଜର ସତ୍ୟବାଦୀତା ସମ୍ପର୍କରେ ବୁଝେଇବା ପାଇଁ ଥରେ ମାତ୍ର ଆଁ ମେଲେଇଥାଏ କି ନାଇଁ ଠୋ’କିନା ଗୋଟାଏ ବ୍ରହ୍ମଚାପଡ଼ାରେ ଲୋଟଣିପାରା ଭଳି ଘେରା କେଇଟା ମାରି ବସିପଡ଼େ ସେ, ଆଉ ବୁଢ଼ା ଲୋକଟା ପିଲାଙ୍କ ଭଳି କଇଁ କଇଁ କାନ୍ଦିବା ଅବସ୍ଥାରେ ଶୁଣିବାକୁ ପାଏ—‘‘ମିଥ୍ୟାବାଦୀ ! ତୁମି ଢାଳ ଧରିଆ ଯାଇଛିଲ ବାହାରକେ ନାଇଁ ? କାନୋ ଯାଇଛିଲ ? ତୋମାର ନାମଟା ତ ଗୋପୀ—ମହାପୁରୁଷେର ବାନୀ ଅଛେ : ଗୋପୀ ଜେନା ଚାଷୀ କରିଛେ ଚାଷ, ଗାଈ ଖାଉଅଛି କୋମଲ ଘାସ । ତୁମି ତ ଚାଷ କରିବାକେ ବାହାର ଯାଇଛିଲ—ଢାଲ ଧରି ବାହାର ଯାଇଛିଲ ବଲିଲ କେନ ? ମିଥ୍ୟାବାଦୀ ! ଆରେ କେ ଆଛୋରେ—ଏ ମିଥ୍ୟାବାଦୀକେ ହାତକଡ଼ା ପକାଅ । ଶାଲାର ମହାପୁରୁଷେର ବାନୀକେ ମିଥ୍ୟା ପ୍ରମାନିତ କରେଛେ । ପକାଅ ହାତକଡ଼ା, ବୁଲାଓ ଦୁସରା ସାକ୍ଷୀ କେ ଆଛି…...’’

 

‘‘ଦୁସରା ସାକ୍ଷୀ ଆଉ କିଏ ବା ହବ ?’’ ଆମ କକେଇ ଏତେବେଳକେ ଯାଇ ଲକ୍ଷ୍ୟ କରନ୍ତି ତାଙ୍କର ଶ୍ରୋତାମାନଙ୍କ ଅସଲ ହାଲତକୁ । ଲୋକଗୁଡ଼ାକ ମହୁରୀ ଫୁଙ୍କୁଥିବା ମଣିଷର ଗଳା ଭଳି ଫୁଲୁଥାନ୍ତି ଖାଙ୍କୁଥାନ୍ତି । ଚାପା ହସ ଆଉ ବେଶି ବେଳ ଚାପି ହୋଇ ରହିପାରେନା । ଫୁଟେ ଶୂନ୍ୟରେ ଘଡ଼ଘଡ଼ି ପରି । କିନ୍ତୁ ଆମ କକେଇଙ୍କ ପ୍ରାଚୀନ ଜମିଦାରବଂଶୋଦ୍ଭବ ଚେହେରାଟି ଦିଶୁଥାଏ ସମ୍ପୂର୍ଣ୍ଣ ନିରପେକ୍ଷ ସମ୍ପୂର୍ଣ୍ଣ ଉଦାସ । ତାଙ୍କୁ ଦେଖିଲେ ମନେହେବ ସେ ପ୍ରକୃତରେ କୌଣସି ଗଳ୍ପ କହୁନଥାନ୍ତି କହୁଥାନ୍ତି ଇତିହାସ—ଅଙ୍ଗେ ନିଭେଇବା ଇତିହାସ ।

 

ଦୁସରା ସାକ୍ଷୀ ଆସି ହାଜର ସେତେବେଳକୁ ହାକିମଙ୍କ ଇଜିଲାସ ଆଗରେ । ମୁଣ୍ଡରେ ହାତେ ଓଢ଼ଣା । ଦିହକୁ କାନି ପାଉନି । ଗୋଟାପଣେ ଥରୁଛି । ଗୋପୀ ପଧାନର ସ୍ତ୍ରୀ ।

 

‘‘ହାଁ, ତୁମି କି କରେଛିଲ ?’’

 

ପ୍ରଶ୍ନର ଉତ୍ତର ନମିଳିବାରୁ ଦଫାଦର ନବଘନ ରାଉଳ କଥାଟାକୁ ଓଡ଼ିଆରେ ତର୍ଜମା କରିଦେଇ କହିଲା—ଆଲୋ ସାହାବ ପଚାରୁଚନ୍ତି ତୋ ଗିରସ୍ତ ଢାଳ ଧରି ବାହାରକୁ ଗଲାବେଳେ ତୁ କଅଣ କରୁଥିଲୁ ?

 

ଗୋପୀ ପଧାନ ସ୍ତ୍ରୀର ପାଟି ଖନି ବାଜି ଯାଉଥାଏ । କହିଲା, ‘‘ମୁଁ ପା ପିଣ୍ଡାରେ ବଇଥେଲି—ବୁଢ଼ାକୁ କାଳେ ଡର ନାଗିବ ବୋଲି ।’’

 

ଦଫାଦାର ଘନ ରାଉଳ ନେମାଇଁ ଦାରୋଗା କାନ ପାଖରେ ନଇଁ ପଡ଼ି ବୁଝେଇ ଦେଲା କଥାଟା—ହଜୁର, ଏ ମାଇକିନା ବସିଥେଲା ପିଣ୍ଡା ଉପରେ, ତା ସ୍ୱାମୀକୁ ଜଗିବ ବୋଲି । ଆମର ଆଡ଼େ ଗାଁଗଣ୍ଡାରେ ସ୍ୱାମୀ ସ୍ତ୍ରୀ ଏମିତି ଜଗାଜଗି ହେଇ ଚଳନ୍ତି ହଜୁର ।

 

କିନ୍ତୁ ନେମାଇଁ ଦାରୋଗାର ବ୍ରହ୍ମଚୈତନଟା ଏଥର ବସିଲା ଗୋପୀ ପଧାନର ମାଇପ ଉପରେ ନୁହେଁ—ଦଫାଦାର ଘନ ରାଉଳର ଫାକୁଲା ଫାକୁଲା ଗାଲ ଯୋଡ଼ାକରୁ ଗୋଟାଏ ଉପରେ, ଆଉ ତତ୍‌କ୍ଷଣାତ୍‌ ତାର କାରଣଟା ମଧ୍ୟ ଜଣାପଡ଼ିଗଲା । ନେମାଇଁ ଦାରୋଗା ପୂର୍ବପରି ଗର୍ଜିଉଠିଲା, ‘ମିଥ୍ୟାବାଦୀ, ତୁମି ସବାଇ ମିଥ୍ୟାବାଦୀ । ଏ ଜନାନାଟା ତ କ୍ରିଷକ ଗୋପୀ ପଧାନର ଗ୍ରିହିଣୀ—ପିଣ୍ଡାତେ ବସିଛିଲ କେନ ? ତୁମେ ସବାଇ କି ଭୁଲିଗେଲ ମହାପୁରୁଷେର ବାନୀ—କ୍ରିଷକ ଗ୍ରିହିନୀ ଗ୍ରିହ ଲିପୁ ଆଛି ? ଏ ଜନାନା ତ ଗ୍ରିହ ଲିପୁଛିଲ—ପିଣ୍ଡାତେ ବସିଲା ବଲି କହୁଛ କେମନ୍‌ ? ମିଥ୍ୟାବାଦୀ । ଆରେ, କେ ଅଛରେ, ଏ ଜନାନାଟାକେ ବି ହାତକଡ଼ି ପିନ୍ଧାଇ ଦାଓ ତ । ବୁଲାଓ ଆର୍‌ କୋଇ ସାକ୍ଷୀ ଆଛେ ଯଦି ।’’

 

ବମ୍ବୁରୀ ମୌଜାର ଢାଳ ଚୋରୀ ମକଦ୍ଦମାର ୩ ନମ୍ବର ସାକ୍ଷୀକୁ ତକ୍ଷଣେ ହାଜର କରାଗଲା ସରଜମିନ୍‌ ଉପରେ । ଗୋପୀ ପଧାନର ବଡ଼ପୁଅ ମାଧିଆ । ବୟସ ବାଇଶି ଚବିଶି । ଭେଣ୍ଡା ଟୋକାଟାଏ । ବାହା ହୋଇଥାଏ ନୂଆକରି । ବାପ ଗୋପୀ ପଧାନର କୋଳଥ ଅଟକାଳିଖିଆ ଗଣ୍ଡଗୋଳରେ ବିଚରା ଅଂଶୀଦାର ହେଇଥାଏ ମଧ୍ୟ କେତେକାଂଶରେ । ତେବେ ଘଟଣା ଦିନ ରାତିବିକାଳି ବାପ ଢାଳଟିଏ ଧରି ବାହାରକୁ ବାହାରି ଗଲାବେଳେ ଆଉ ତା ସାଙ୍ଗରେ ମା ବୁଢ଼ୀ ମଧ୍ୟ ଘରୁ ବାହାରି ଯାଇ ଦାଣ୍ଡ ପିଣ୍ଡାରେ ବସିବସିକା ଘୁମୋଉଥିବା ଅବସ୍ଥାରେ ଭେଣ୍ଡା ପୁଅ ମାଧିଆ ତାର ନବବିବାହିତା ସ୍ତ୍ରୀଟି ସାଙ୍ଗରେ ଟିକେ ଗେଲ ହବାର ସୁଯୋଗ ପାଇପାରିଥିଲା–ଏତିକି ବିଚରାର ଦୋଷ । ସତେକି କୃଷକ କୂଳରେ ଜାତ ମାଧିଆର ଏ ଦୋଷ ଦୁର୍ବଳତା ମଧ୍ୟ ନେମାଇଁ ଦାରୋଗାର ସବ୍‌ଜାନତା ଚାହାଣୀରେ ଲୁଚିଯିବାର ସମ୍ଭାବନା ନଥିଲା । ହଁ, ଅବିକଳ ସେମିତି ସବ୍‌ଜାନତା ପରି ନେମାଇଁ ଦାରୋଗାର ଜେରା ଆରମ୍ଭ ହୋଇଗଲା—ଆୟ ! ତୋମାର ନାମଟା କି ?

 

‘‘ହଜୁର ମୋ ନାଁ ମାଧିଆ ।’’

 

‘‘ଆବେ ଭଲ କରି କହ—ହଜୁର, ତା ନାଁ ମାଧବ, ମାଧବ ପଧାନ ଆଜ୍ଞା ।’’ ମାଡ଼ଖିଆ ଦଫାଦାର ଘନ ରାଉଳଟି ବିଚରା ଏଥି ମଧ୍ୟରେ ଖୁବ୍ ଚେଙ୍ଗା ହେଇ ଉଠିଥାଏ । ମାଧିଆ ମୁହଁରୁ ହାକିମ ସାମନାରେ ସତ ଜବାବ ନିକାଲିବା ଲକ୍ଷ୍ୟରେ ଟୋକାଟାର ବବୁରୀ ବାଳ କେରାକୁ ଜୋର୍‌ରେ ନିଜ ମୁଠା ଭିତରେ ଝିଙ୍କି ଧରି ଦଫାଦାର ଘନ ରାଉଳ ପୁଲିସ୍‌ ପକ୍ଷରୁ ନିଜେ ମଧ୍ୟ ଜେରା କରିବାକୁ ବସିଯାଇଥିଲା ପ୍ରାୟ ।

 

‘‘ଆବେ, ତୋ ବୋପା ମା ଘରେ ନଥେଲାବେଳେ କ’ଣ କରୁଥିଲୁ ସେଦିନ ଅଧ ରାତିରେ କହୁନୁ ଶଳାଟା—ଅନେଇଚୁ କ’ଣ ବଳଦ ଭଳିଆ ସେମିତି ହଇରେ !’’

 

ଦଫାଦାର ଘନ ରାଉଳର ବାଳ ଓଟରା କି ଗାଲ ତୋଡ଼ାକୁ ମାଧିଆ ଭଳିଆ ହୁଣ୍ଡାର ଖାତିର କରିବାର କିଛି ନଥିଲା ପ୍ରକୃତରେ । ଚାହିଁଥିଲେ ଦଫାଦାର ସମେତ ନେମାଇଁ ଦାରୋଗା ଭଳି ହେଁ ଛାତି ହେଁ ମୁଣ୍ଡିଆ ପଞ୍ଚହତା ମରଦକୁ ମଧ୍ୟ କାଖରେ ଜାକି ଧରି କାବୁ କରିଦେଇ ପାରିଥାନ୍ତା ସେ । ଓଡ଼ିଆ ଚଷାଙ୍କ ବଳ ତ ପୁଣି ଇତିହାସ ସ୍ୱୀକାର କରିଚି ଏ ଦେଶରେ !’’

 

ଆମ କକେଇଙ୍କର ଇତିହାସ ଚେତନା ପ୍ରାୟ ଏହିପରି ଗଭୀର ଜଳରୁ ଭାସୁକିନା ବାହାରି ଭାସିଉଠେ ତାଙ୍କର ନଦୀ ଭଳି ଅନର୍ଗଳ ପ୍ରବାହିତ ଅଥଚ ଅଥଳ କୂଳ ଗଳ୍ପ ସାଗର ପରି ସ୍ଥିର ଗମ୍ଭୀର ହ୍ୟୁମରସ୍‌ ଚେହେରା ଖଣ୍ଡିକ ଉପରେ ।

 

କିନ୍ତୁ ତାଙ୍କର ଏ ଇତିହାସ ଚେତନା ଆମ ସହରୀ ଏଲିଟିଷ୍ଟ୍ ଶ୍ରୋତୃମଣ୍ଡଳୀକୁ ଆକ୍ରାନ୍ତ କରିଆସୁଥାଏ ଅନ୍ୟ ପ୍ରକାରେ ।

 

‘‘ହଁ, ଅଜା !’’ ଶ୍ରୋତାଙ୍କ ଭିତରୁ କେହି ଜଣେ ବୁଦ୍ଧିମାନ୍‌ ଆମ କକେଇଙ୍କୁ ସମର୍ଥନ କଲାପରି ଅନୁଯୋଗ ଆରମ୍ଭ କରିଆସୁଥାଏ, ‘‘ଯାଇଁଲେ—ଆଜିକାଲି ସରକାରୀ ଚାକିରୀରେ ମଧ୍ୟ ଓଡ଼ିଆଙ୍କ ଦୁର୍ଦ୍ଦଶା ଖୋଦ୍‌ ଓଡ଼ିଆର ନିଜ ଘରେ ।’’

 

କିନ୍ତୁ ଅନୁଯୋଗଟିକୁ ଶେଷ ହେବାକୁ ଦିଅନ୍ତି ନାଇଁ ସାଧାରଣତଃ ଆମ କକେଇ ସେଭଳି ସଭା ସମିତିରେ । ଜଣେ ପୋଖତ ଐତିହାସିକ ପରି ଇତିହାସକୁ ଯଥାର୍ଥ କାଳବହିର୍ଭୂତ ହେବାକୁ ଛାଡ଼ି ଦିଅନ୍ତି ନାହିଁ ସେ ଆଦୌ । ଖେଳ ଦେଖାଇବାକୁ ଧରାଯାଇଥିବା ସାପକୁ କେବଳ ଖେଳ ଛଡ଼ା ଅନ୍ୟ କାମରେ ପ୍ରୟୋଗ ନକରିବାକୁ କସମ୍‌ ଖାଇଥିବା କେଳାଟିଏ ପରି ଆମ କକେଇ ଜଣେ ଅତ୍ୟନ୍ତ ସାଧୁ ବ୍ୟକ୍ତି ତାଙ୍କ ନିଜ ପ୍ରଫେସନ୍‌ରେ ।

 

‘‘ଆରେ ମାର୍‌ ଗୁଲି ତମ ଚାକିରୀକୁ ମ ! ଆଗ ଶୁଣ ନେମାଇଁ ଦାରୋଗା କେମିତି ସାବାଡ଼୍‌ କଲା ସାକ୍ଷୀ ମାଧିଆ ପଧାନକୁ ପଦେ ମାତ୍ର ଜୋରରେ ।’’ କକେଇଙ୍କର ଚିଲା ଚିଲା ବଡ଼ ବଡ଼ ଆଖି ଯୋଡ଼ିକ ସେତେବେଳକୁ ଅଦୃଶ୍ୟ, ନିମୀଳିତ । ଅନ୍ତର୍ଦୃଷ୍ଟି ସମ୍ପୂର୍ଣ୍ଣ କାର୍ଯ୍ୟରତ, ଉନ୍ମୁକ୍ତ । ସେଇ ଅବସ୍ଥାରେ ସମସ୍ତଙ୍କୁ ସବୁଠୁଁ ବେଶି ପ୍ରଭାବିତ କରିପାରନ୍ତି ସେ ଅବଶ୍ୟ ତାଙ୍କ ଇତିହାସ ଚର୍ଚ୍ଚାରେ । କିନ୍ତୁ କଥା ସେଠି ନଥାଏ । ଆମ କକେଇ ସ୍ୱଭାବତଃ ଟିକିଏ ବେଶି ଲାଜକୁଳା । କୌଣସି ସମାରୋହରେ ମିଶ୍ରିତ ଶ୍ରୋତା ଅର୍ଥାତ୍‌ ନାରୀ ପୁରୁଷ ଉଭୟ ପ୍ରକାରର ଶ୍ରୋତା ଏକାଠି ବସିଥିବାବେଳେ ଆମ କକେଇ ପ୍ରାଚୀନ ସମ୍ଭ୍ରାନ୍ତବଂଶଜଙ୍କ ପରି ପ୍ରକୃତରେ ଅତି ସଂଯତ ସଂକୁଚିତ ହୋଇ ପଡ଼ନ୍ତି, ବିଶେଷତଃ ଏହିପରି ଡେଲିକେଟ୍‌ ବ୍ୟାପାର ଗୁଡ଼ିକର ବର୍ଣ୍ଣନା କାଳରେ ।

 

‘‘ଘନ ଦଫାଦାର ମାଧିଆକୁ ଭାରି କୋବଲେଇଲା ସତ୍ୟ ଘଟଣାଟା ପ୍ରକାଶ କରିଦେବାକୁ ଦାରୋଗା ଆଗରେ । କିନ୍ତୁ ମାଧିଆ ଚୁପ୍‌ । ଘଟଣା ସ୍ଥଳରେ ଜମିଚନ୍ତି ହଜାର ହଜାର ଲୋକ । ବମ୍ବୁରୀ ମୌଜା ଗୋପୀ ପଧାନର ଢାଳ ଚୋରୀ କେଶ୍‌ ସେ । ପୁଣି ସରଜମିନ୍‌କୁ ଆସିଚନ୍ତି ଦାରୋଗା ବାବୁ ନିଜେ । ବାସ୍ତବିକ ଏଡ଼େ ବଡ଼ କେଶ୍‌ ବିଚାର ସେପର୍ଯ୍ୟନ୍ତ ଦେଖି ନଥିଲେ କେହି ସେଦିନଯାକେ—ଆମ ଜମିଦାରୀରେ ସେ ବିରାଟ ଜନବହୁଳ ଅଞ୍ଚଳ ବମ୍ବୁରୀ ମୌଜାର ଚାଳିଶ ପଚାଶଖଣ୍ଡ ଗାଁରେ ।

 

‘‘ମାଧିଆକୁ ମଲା ଭଳି ଠିଆ ହୋଇଥିବା ଦେଖି ଘନ ଦଫାଦାରର ଦେହ ଆଉ ସହିଲା ନାହିଁ ନିଶ୍ଚେ । ଦେଲା ଗୋଟାଏ ଗୋବଣ କଷିକରି ତା ତଳି ପେଟରେ । ମାଧିଆଟା ହାମୁଡ଼େଇ ପଡ଼ିଲା ସେ ଧକ୍‌କାରେ ମାଟି ଉପରେ । ମାଟି କାମୁଡ଼ି ପକେଇଲା ମଧ୍ୟ । କିନ୍ତୁ ଅଳ୍ପ ସମୟ ପରେ ଆପଣା ଛାଏଁ ଉଠି ବସିଲା ସେ । ତା ମୁହଁ ଚାରିପଟେ କଞ୍ଚାମାଟି । ଓଠରେ ମାଟି । ପାଟି ଭିତରେ ବି ମାଟି । ଥୁ ଥୁ କରି ଛୋଟ ପିଲାଙ୍କ ପରି ମୁହଁରୁ ମାଟି ମିଶା ଛେପ କାଢ଼ି ପକୋଉଥାଏ ସେ । ଅବଶ୍ୟ ଏତେ ସରି ହେଲେ ବି ତା ଆଖିରେ କାନ୍ଦ ନଥାଏ—ବରଂ ହସୁଥାଏ ସମ୍ଭବ ଟିକେ ଟିକେ-

 

ମାଧିଆର ଏ ଅବସ୍ଥା । ତେଣେ ହୁଲର ପଡ଼ିଗଲା ଦେଖଣାହାରୀଙ୍କ ଭିତରେ ଯେ କଥା ଶେଷ । ଗୋପୀ ପଧାନ ବଉଁଶଟା ଗୋଟାଏ ମିଛ ମକଦ୍ଦମା ଭିଏଇ କେମିତି ଏଇଲେ ଯିବେ ମାମୁଁ ଘରକୁ—ଏଇ ଦୃଶ୍ୟ ଦେଖି ଉପଭୋଗ କରିବାକୁ ସମସ୍ତେ ତିଆର ।

 

‘‘ସରଜମିନ୍‌ ତଦନ୍ତ ଶେଷ ହେଲା ବୁଝି ପୁଲିସ୍‌ କନେଷ୍ଟବଳମାନେ ମଧ୍ୟ ମିଥ୍ୟା ସାକ୍ଷ୍ୟ ଦେଇଥିବା ଅପରାଧୀ ଗୋପୀ ପଧାନ ଓ ତା ସ୍ତ୍ରୀ ସମତେ ଯୁଆନ ପୁଅ ମାଧିଆ ହାତରେ ହାତକଡ଼ା ପକେଇବାକୁ ତିଆର । ଜଣେ ହାବିଲ୍‌ଦାର୍‌ ହାତକଡ଼ାର ଫାଳେ ମେଲାକରି ଧରି ମାଧିଆର ଡାହାଣ ହାତରେ ଗଳେଇବ କି ନ ଗଳେଇବ ଭାବି ଶେଷ ଆଦେଶ ପାଇଁ ଅପେକ୍ଷା କରୁଥାଏ ନେମାଇଁ ଦାରୋଗାଙ୍କ ଭ୍ରୂଭଙ୍ଗୀର ଶେଷ ଭଙ୍ଗୀଟିକୁ । ଲୋକେ ହାଉ ହାଉ । ଗୋପୀ ପଧାନ ଘରଆଡ଼ୁ ବଡ଼ ପାଟିରେ ବାହୁନା ମଧ୍ୟ ଶୁଣାଗଲାଣି ପଧାନ ଘର ଭୁଆସୁଣୀ ବୋହୂ କଣ୍ଠରୁ-

 

ନେମାଇଁ ଦାରୋଗା ସେପର୍ଯ୍ୟନ୍ତ ଚୁପଚାପ୍‌ । ଗୋଡ଼ ଉପରେ ଗୋଡ଼ ପକେଇ ହାତଭଙ୍ଗା କୁରୁଷି ଖଣ୍ଡିଏ ଉପରେ ସେ ଯଥାର୍ଥ ବିଚାରକ ପ୍ରାୟେ ବସିଥାଏ । ତାର ଆଖି କିନ୍ତୁ ନଥାଏ ଅନ୍ୟ କୋଉଠି—ସାପ ଦଂଶିବା ଥାନରେ କେଳା ଜାଲମହୁରା ଥାପିଲା ଭଳି ଥାପି ହୋଇଯାଇଥାଏ ସେ ଦୃଷ୍ଟି ମାଧିଆର ମାଟିଖିଆ ପାଟି ଉପରେ । ଓଃ, ଢେର୍‌ ବେଳ ଅନେଇ ବସିଲା ନେମାଇଁ ଦାରୋଗା ସେ ଦୃଶ୍ୟକୁ । କଅଣ ଦେଖୁଥାଏ କେଜାଣି ?

 

ଘନ ଦଫାଦାର ଇତି ମଧ୍ୟରେ ଘନଘନ ଅନୁରୋଧ କଲାଣି ହାବିଲ୍‌ଦାର କାନରେ ଶୀଘ୍ର କାମ ଛିଣ୍ଡେଇ ପରବର୍ତ୍ତୀ କାର୍ଯ୍ୟକ୍ରମ ଆରମ୍ଭ କରିଦେବାକୁ । କିନ୍ତୁ ହାବିଲ୍‌ଦାରକୁ ଖୁବ୍‌ ଜଣା ଘନିଆ ଦଫାଦାରଟା କିଏ ଆଉ ନେମାଇଁ ଦାରୋଗା କିଏ । ଖୋଦ୍‌ ଦାରୋଗାଙ୍କ ମୁହଁରୁ ଅର୍ଡ଼ର ନପାଇ କାମ କଲେ କି ବିପଦ ଥାଏ ଆଗକୁ ହାବିଲ୍‌ଦାର୍‌କୁ ଘନିଆ ଦଫାଦାର ଶିଖେଇବା ପର୍ଯ୍ୟନ୍ତ ଯିବନାହିଁ ଆଦୌ । ଏହିପରି ଛକାଛକିରେ ମିଣ୍ଟିକୁ ମିଣ୍ଟି ଗଡ଼ିଗଲା ।

 

ଆଉ, ଏଇ ଅବ୍ୟବସ୍ଥା ଭିତରେ ହଠାତ୍‌ ଶୁଣାଗଲା ନେମାଇଁ ଦାରୋଗାର ବିଚାର–‘‘ଏ ହାବିଲ୍‌ଦାର୍‌ !’’ ନେମାଇଁ ଦାରୋଗାର ଗୋଟାଏ ହଣ୍ଟାଳରେ ଲୋକଗୁଡ଼ାକ ଗୋରୁଙ୍କ ଭଳି ହୁରୁଡ଼ିଗଲେ ଚାରିଆଡ଼କୁ, ‘‘ଏକେ ଛାଡ଼ଛାଡ଼ ! ଏଟା ମାଲୁମ ପଡ଼େଛେ ସତ୍ୟବାଦୀ । ଏଟାର ନାମଟା ମାଧବ । ଏ ତୋ ମାଟି ଖାବେଇ ନିଶ୍ଚେ । ଆରେ ଏଖାନେକାର ମହାପୁରୁଷେର ବାନୀ ଆଛେନା—

 

ଗୋରାଣ୍ଡି ଗୋରାଣ୍ଡି ଏରୋଣ୍ଡି ଉପରେ

ମାଧୋବ ବୋସିଲୋ ଯାଇଁ

ମାତାଙ୍କ ଆଡ଼କୁ ଅନାଇଁ ଅନାଇଁ

ମାଟି ଦେଉ ଅଛି ଖାଇଁ ।

 

ମାଧିଆଟା ସତରେ ଅନେଇ ରହିଥିଲା ତା ମା ମୁହଁକୁ ।

 

ଆମ କକେଇଙ୍କ ଅଦୃଶ୍ୟ ନିମୀଳିତ ଚକ୍ଷୁଯୁଗଳ ତାଙ୍କର ପ୍ରଶସ୍ତ କପାଳତଳେ ପୁଣିଥରେ ଦୃଶ୍ୟମାନ ହେଲାବେଳକୁ ଆମର ସହରୀ ଏଲିଟ୍‌ଗୋଷ୍ଠୀ ନିଶ୍ଚୁପ୍‌ । କେତେଜଣ ମହିଳା ଅବଶ୍ୟ ଆଖି ପୋଛିବାରେ ବ୍ୟସ୍ତ ।

Image